ବାଲ୍ମିକୀ ଆଶ୍ରମ ଛାଡ଼ି ରାମ, ଲକ୍ଷ୍ମଣ ଓ ସୀତା ଚିତ୍ରକୂଟ ଅଭିମୁଖେ ଯାତ୍ରା କଲେ। ଚିତ୍ରକୂଟରେ ପହଞ୍ଚି, ସେଠାର ଶାନ୍ତ ଶୀତଳ ପରିବେଶ, ସୁଘଞ୍ଚ ବନଲତା, ସ୍ୱଚ୍ଛସଲିଳା ମନ୍ଦାକିନୀକୁ ଦେଖି ରାମଚନ୍ଦ୍ର ଏତେ ମୁଗ୍ଧ ହୋଇଗଲେ, ଯେ ସେଠାରେ ସମଗ୍ର ବନବାସ କାଳ ଅତିବାହିତ କରିବାକୁ ନିଶ୍ଚୟ କରି ଏକ ଆଶ୍ରମ ନିର୍ମାଣ କରିବାକୁ ସେ ଲକ୍ଷ୍ମଣଙ୍କୁ ଆଦେଶ ଦେଲେ। ଶ୍ରୀରାମଙ୍କ ନିର୍ଦ୍ଦେଶରେ ଲକ୍ଷ୍ମଣ ଏକ ସୁନ୍ଦର ପର୍ଣ୍ଣଶାଳା ନିର୍ମାଣ କରିଦେଲେ। କିନ୍ତୁ ଚିତ୍ରକୂଟ ରହଣି ରାମଙ୍କ ପାଇଁ ଆଦୌ ସହଜସାଧ୍ୟ ହୋଇ ନ ଥିଲା। ଚିତ୍ରକୂଟ ରହଣିର ମାତ୍ର କିଛି ଦିନ ପରେ, ଭରତ ଶ୍ରୀରାମଙ୍କୁ ଅଯୋଧ୍ୟା ଫେରାଇ ନେବାକୁ ଆସି ପହଞ୍ଚିଲେ। ସାଙ୍ଗରେ ଥିଲେ ମନ୍ତ୍ରୀ ସୁମନ୍ତ୍ର, ଗୁରୁ ବଶିଷ୍ଠ, ମହାମୁନି ଜାବାଳି, ରାଜର୍ଷି ଜନକ ଓ ଅଯୋଧ୍ୟା ପୁରବାସୀ ଏବଂ ମାତା କୌଶଲ୍ୟା, ସୁମିତ୍ରା ଓ କୈକେୟୀ। ଭରତଙ୍କ ଭ୍ରାତୃଭକ୍ତି ଏବଂ ଅନୁରାଗ ଓ ବିନୟ ଦେଖି ରାମଚନ୍ଦ୍ର ଅଭିଭୂତ ହୋଇ ବାରମ୍ବାର ତାଙ୍କୁ ହୃଦୟରେ ଲଗାଇ ଅଶ୍ରୁବର୍ଷଣ କରିବାକୁ ଲାଗିଲେ। ଗୁରୁ ବଶିଷ୍ଠଙ୍କ ସହିତ ସମସ୍ତ ମୁନିଋଷି ଓ ନଗରବାସୀ ଭରତଙ୍କ ସମର୍ଥନରେ ବାହାରି ରାମଙ୍କୁ ଅଯୋଧ୍ୟା ଫେରିଯିବାପାଇଁ ଅନୁନୟ କଲେ। ଏସବୁ ଦେଖି ସ୍ୱର୍ଗରାଜ୍ୟରେ ଚହଳ ପଡ଼ିଗଲା। ଦେବରାଜ ଇନ୍ଦ୍ର ଚିନ୍ତା କରିବାକୁ ଲାଗିଲେ- ଯଦି ରାମଚନ୍ଦ୍ର ଅଯୋଧ୍ୟା ଫେରି ଯାଆନ୍ତି, ତେବେ କ’ଣ ହେବ? ରାବଣର ଅତ୍ୟାଚାରରେ ଦେବଗଣ ଅଣନିଃଶ୍ୱାସୀ। ରାବଣବଧ ହେବ କିପରି? ଏହା ଚିନ୍ତାକରି ସେ ଦେବୀ ସରସ୍ୱତୀଙ୍କୁ ସ୍ମରଣ କଲେ ଏବଂ ଭରତଙ୍କ କଣ୍ଠରେ ବିଜେକରି ପ୍ରତିକୂଳ ଭାବ ପ୍ରଦର୍ଶନ କରିବାକୁ ତାଙ୍କୁ ଅନୁରୋଧ କଲେ।
ଭରତଙ୍କ ଭକ୍ତି ଓ ପ୍ରୀତିରେ ଅଭିଭୂତ ହେଲେ ମଧ୍ୟ, ବଶିଷ୍ଠ, ଜାବାଳି, ଜନକ ଆଦି ମୁନିମାନଙ୍କୁ ନିଜ ଯୁକ୍ତିରେ ଅବଶ କରି, ରାମ ଭରତଙ୍କ ସହିତ ସମସ୍ତ ନଗରବାସୀଙ୍କୁ ଅଯୋଧ୍ୟା ଫେରାଇ ଦେବାକୁ ସକ୍ଷମ ହେଲେ
ରାମଙ୍କର ଏହି କଷ୍ଟକର ଯାତ୍ରା ପ୍ରତି କରୁଣାର୍ଦ୍ର ନ ହୋଇ, ନିଜର ସ୍ୱାର୍ଥ ସାଧନ ନିମିତ୍ତ, ଭରତଙ୍କ ପରି ଏକ ନିଷ୍କଳଙ୍କ ଚରିତ୍ରକୁ କଳୁଷିତ କରିବାପାଇଁ ଇନ୍ଦ୍ରଙ୍କର ଅଭୀପ୍ସା ଦେଖି ସରସ୍ୱତୀ ମନେ ମନେ କ୍ଷୁବ୍ଧ ହେଲେ। ସେ କେବଳ କହିଲେ- ଭରତଙ୍କ ସ୍ୱଚ୍ଛ ପବିତ୍ର ଆତ୍ମାକୁ ଭ୍ରଷ୍ଟ କରିବାର ଶକ୍ତି ପ୍ରଜାପିତା ବ୍ରହ୍ମାଙ୍କର ବା ଦେବଦେବ ମହାଦେବଙ୍କର ମଧ୍ୟ ନାହିଁ। ଏହା କହି ସରସ୍ୱତୀ ବ୍ରହ୍ମଲୋକକୁ ଚାଲିଗଲେ। ଏହି କୂଟଚିନ୍ତା କାମ ନ କରିବାରୁ, ଇନ୍ଦ୍ର ଅତ୍ୟନ୍ତ ବିରସ ମନରେ ଚିତ୍ରକୂଟରେ କ’ଣ ଘଟୁଛି ତାହା ଦେଖିବାକୁ ଅପେକ୍ଷା କରି ରହିଲେ। ଭରତଙ୍କ ଭକ୍ତି ଓ ପ୍ରୀତିରେ ଅଭିଭୂତ ହେଲେ ମଧ୍ୟ, ବଶିଷ୍ଠ, ଜାବାଳି, ଜନକ ଆଦି ମୁନିମାନଙ୍କୁ ନିଜ ଯୁକ୍ତିରେ ଅବଶ କରି, ରାମ ଭରତଙ୍କ ସହିତ ସମସ୍ତ ନଗରବାସୀଙ୍କୁ ଅଯୋଧ୍ୟା ଫେରାଇ ଦେବାକୁ ସକ୍ଷମ ହେଲେ ଏବଂ ଚିତ୍ରକୂଟରେ ସ୍ଥାୟୀ ଭାବରେ ବାସ କରିବାପାଇଁ ମନ ସ୍ଥିର କଲେ। ବନବାସର ପ୍ରାୟ ଏଗାର ବର୍ଷ ରାମ ଚିତ୍ରକୂଟରେ ଅତିବାହିତ କରିଥିଲେ।
- ଡକ୍ଟର ତୁଳସୀ ଓଝା