‘ରାମାୟଣ’ର ଏକ ମହନୀୟ ଆଖ୍ୟାନ ହେଉଛି ରାମ ଓ ହନୁମାନଙ୍କର ମିଳନପର୍ବ। ଭକ୍ତ ଓ ଭଗବାନଙ୍କର ଏହି ମଧୁର ମିଳନ ଯେପରି ଚିତ୍ତାକର୍ଷକ ସେହିପରି ମର୍ମସ୍ପର୍ଶୀ। ଋଷ୍ୟମୁକ ପର୍ବତର ପାଦଦେଶରେ ଅବସ୍ଥିତ ପମ୍ପା ସରୋବର ନିକଟରେ ଏହି ମହାମିଳନ ଅନୁଷ୍ଠିତ ହୋଇଥିଲା। ସେଥିପାଇଁ ଏହି ସ୍ଥାନ ଆଜି ମଧ୍ୟ ରାମଭକ୍ତ ଓ ହନୁମାନ ଭକ୍ତମାନଙ୍କର ଏକ ମହାର୍ଘ ତୀର୍ଥ।
ମାତା ଶବରୀଙ୍କର ସ୍ୱର୍ଗଗମନ ପରେ, ରାମ ଓ ଲକ୍ଷ୍ମଣ ଯେତେବେଳେ ଋଷ୍ୟମୁକ ପର୍ବତ ଅଭିମୁଖେ ଯାତ୍ରା କରୁଥିଲେ, ଦୂରରୁ ସେମାନଙ୍କୁ ଦେଖି ସୁଗ୍ରୀବ ପ୍ରଥମେ ତାଙ୍କୁ ବାଳିର ଗୁପ୍ତଚର ଭାବି ଭୟଭୀତ ହୋଇଯାଇଥିଲେ। ସେମାନଙ୍କର ପରିଚୟ ଜାଣିବା ପାଇଁ ବାନରମାନଙ୍କ ମଧ୍ୟରେ ଥିବା ଏକାନ୍ତ ଅନୁଗତ ତଥା ବୁଦ୍ଧିମାନ ସୁହୃଦ ହନୁମାନଙ୍କୁ ପ୍ରେରଣ କଲେ। ହନୁମାନ ଯେପରି ବୁଦ୍ଧିମାନ, ସେହିପରି ଶାସ୍ତ୍ରବିତ୍ ଓ ବାକ୍‌ପଟୁ ଥିଲେ। ସେ ଏକ ବ୍ରାହ୍ମଣ ବେଶ ଧାରଣକରି ରାମ ଓ ଲକ୍ଷ୍ମଣଙ୍କୁ ସାକ୍ଷାତ୍ କଲେ। ତାଙ୍କ ସହିତ ସେ ଯେପରି ବାକ୍ୟାଳାପ ପ୍ରାରମ୍ଭ କରିଥିଲେ, ସେଥିରୁ ହନୁମାନଙ୍କର ଗୁଣବତ୍ତାର ପରିଚୟ ମିଳେ। ମନରେ ସନ୍ଦେହ ଥିଲେ ମଧ୍ୟ ରାମ ଓ ଲକ୍ଷ୍ମଣଙ୍କୁ ପ୍ରଥମେ ଦେଖି, ସେ ତାଙ୍କର ଅନୁପମ ରୂପଶୋଭାରେ ମୁଗ୍‌ଧ ହୋଇ ପଚାରିଲେ- “ଆପଣମାନେ କେଉଁ ଦେବତା, ଗନ୍ଧର୍ବ ନା ସ୍ୱୟଂ ନରନାରାୟଣ? ଏପରି ଏକ ବନଭୂମିରେ କାହିଁକି ବିଚରଣ କରୁଛନ୍ତି?”
ରାମ ହନୁମାନଙ୍କର ପ୍ରଶ୍ନ ପଚାରିବାର ଶୈଳୀରେ ଏତେ ମୁଗ୍‌ଧ ହୋଇଗଲେ ଯେ ସେ ତାଙ୍କର ପରିଚୟ ଦେବା ସହିତ ଏହି ବନଭୂମିକୁ ଆସିବାର ଉଦ୍ଦେଶ୍ୟ ସଂପର୍କରେ ସଂପୂର୍ଣ୍ଣ ବିବରଣୀ ତାଙ୍କ ସମ୍ମୁଖରେ ଉପସ୍ଥାପନ କଲେ। ରାମଙ୍କ ପରିଚୟ ପାଇବା ପରେ ଭକ୍ତ ହନୁମାନ ଛଦ୍ମବେଶ ତ୍ୟାଗ କରି ନିଜର ସ୍ୱରୂପ ଧାରଣ କଲେ। ରାମଙ୍କୁ ପ୍ରଣାମ କରି ସେ କ୍ଷମାଭିକ୍ଷା କରିବା ସହିତ ପଚାରିଲେ- “ପ୍ରଭୁ, ଏତେ ଜନ୍ମ ପରେ ମୁଁ ଆପଣଙ୍କୁ ଦେଖୁଛି; ତାହା ପୁଣି ତପସ୍ୱୀ ବେଶରେ! ପ୍ରଭୁ, ମୁଁ ତ ବାନର, କ୍ଷୁଦ୍ରବୁଦ୍ଧିସଂପନ୍ନ, ଆପଣଙ୍କ ମାୟାରେ ଭ୍ରମିତ। ଆପଣଙ୍କୁ ଚିହ୍ନି ନ ପାରିବା ମୋ ପକ୍ଷରେ ସ୍ୱାଭାବିକ। ହେଲେ ଆପଣ ମୋତେ ଭୁଲିଗଲେ କିପରି? ହେ କୃପାନିଧାନ! ସାଧାରଣ ମନୁଷ୍ୟ ପରି ଆପଣ କିପରି ପଚାରିଲେ ଯେ ମୁଁ କିଏ? ମୁଁ କ’ଣ ଆପଣଙ୍କର ସେବାରେ କୌଣସି ତ୍ରୁଟି କରିଛି?” ଏହିପରି କହି ବ୍ୟାକୁଳ ହୋଇ ହନୁମାନ ଶ୍ରୀରାମଙ୍କ ପାଦତଳେ ପଡ଼ିଗଲେ।
ରଘୁନାଥ ତାଙ୍କୁ ତଳୁ ଉଠାଇ ଆଲିଙ୍ଗନ କରି କହିଲେ- “ହେ କପିଶ୍ରେଷ୍ଠ! ମନ ଛୋଟ କର ନାହିଁ; ଏ ଚରାଚର ଜଗତ ମତେ ସମଦର୍ଶୀ କୁହେ, ହେଲେ ମୋର ସେବକ ମୋର ସବୁଠାରୁ ପ୍ରିୟ। ଏପରିକି ତୁମେ ଲକ୍ଷ୍ମଣଠାରୁ ମଧ୍ୟ ମୋର ଅଧିକ ପ୍ରିୟ।” ପ୍ରଭୁଙ୍କର ଏପରି ବଚନ ଶୁଣି ହନୁମାନଙ୍କର ସମସ୍ତ ଦୁଃଖ ଅପସରି ଗଲା। ସହାସ୍ୟ ବଦନରେ ସେ ରାମ ଓ ଲକ୍ଷ୍ମଣଙ୍କୁ କାନ୍ଧରେ ବସାଇ ସୁଗ୍ରୀବଙ୍କୁ କଲ୍ୟାଣ କରିବା ପାଇଁ ସୁଗ୍ରୀବଙ୍କ ନିକଟକୁ ନେଇଗଲେ।
-ଡକ୍ଟର ତୁଳସୀ ଓଝା