ରାମଙ୍କର ବନବାସ ଭାରତୀୟ ସଂସ୍କୃତିର ଏକ ଅମାପ ଅଧ୍ୟାୟ। ଏହି କଲ୍ୟାଣକାରୀ ଯାତ୍ରାର ଏକ ଅନୁପମ ଅଧ୍ୟାୟ ବିରାଧମୋକ୍ଷଣ ପର୍ବ। ରାମ ଯେତେବେଳେ ଜାଣିଲେ ଅନେକ ବର୍ଷ ଧରି ଆୟୁ ପୂର୍ଣ୍ଣ ହୋଇସାରିଥିଲେ ମଧ୍ୟ, ତାଙ୍କୁ ଦର୍ଶନ କରିବା ନିମିତ୍ତ ଶରଭଙ୍ଗ ମୁନି ଅପେକ୍ଷା କରି ରହିଛନ୍ତି, ସେ ଶରଭଙ୍ଗଙ୍କୁ ଦର୍ଶନ କରିବା ନିମିତ୍ତ ଶୀଘ୍ରପଦରେ ଯାତ୍ରା କଲେ। ଏହି ସମୟରେ ବିରାଧ ନାମକ ଏକ ରାକ୍ଷସ ତାଙ୍କର ପଥରୋଧ କରି ଠିଆହେଲା। ସେ ଯେପରି କଦାକାର ସେହିପରି ଭୟଙ୍କର ମଧ୍ୟ ଥିଲା। ଏହି ରାକ୍ଷସ ତା’ର ଦୁଇ ବାହୁରେ ଅନେକ ମୃତ ଜନ୍ତୁଙ୍କର ରକ୍ତାପ୍ଳୁତ ଶରୀର ଧାରଣ କରିଥିଲା। ମୁନିଋଷିଙ୍କର ଛିନ୍ନମସ୍ତକକୁ ଗଳାରେ ହାର କରି ପିନ୍ଧିଥିଲା। ତା’ର ବିଶାଳ ଶରୀର ରକ୍ତାପ୍ଳୁତ ହସ୍ତୀଚର୍ମଦ୍ୱାରା ଆଚ୍ଛାଦିତ ହୋଇଥିଲା। ଆକସ୍ମିକ ଭାବରେ ସମ୍ମୁଖରେ ଉଭା ହୋଇ ସେ ପ୍ରଥମେ ଏକ ହାତରେ ସୀତାଙ୍କୁ ଉଠାଇ ନେଇ ଦୁଇ ଭାଇଙ୍କର ବିସଦୃଶ ରୂପ (ସନ୍ନ୍ୟାସୀର ବସନଭୂଷଣ, ହସ୍ତରେ ଧନୁତୀର, ସଙ୍ଗରେ ଯୁବତୀ ସ୍ତ୍ରୀ)କୁ ତାତ୍ସଲ୍ୟ କରିବାକୁ ଆରମ୍ଭ କଲା ଏବଂ ସୀତାଙ୍କୁ ନିଜର ଭାର୍ଯ୍ୟା କରିବାକୁ ଦମ୍ଭୋକ୍ତି ପ୍ରକାଶ କଲା।
ରାମଙ୍କର ବନବାସ ଭାରତୀୟ ସଂସ୍କୃତିର ଏକ ଅମାପ ଅଧ୍ୟାୟ। ଏହି କଲ୍ୟାଣକାରୀ ଯାତ୍ରାର ଏକ ଅନୁପମ ଅଧ୍ୟାୟ ବିରାଧମୋକ୍ଷଣ ପର୍ବ।
ଏଥିରେ ଉତ୍କ୍ଷିପ୍ତ ହୋଇ ରାମଚନ୍ଦ୍ର ନିଜର ପରିଚୟ ଦେବା ସହିତ ସୀତାଙ୍କୁ ଉଦ୍ଧାର କରିବା ନିମିତ୍ତ ତାକୁ ପ୍ରତିଆକ୍ରମଣ କଲେ। ସୀତା ଓ ଲକ୍ଷ୍ମଣଙ୍କୁ ନିରାପଦରେ ରଖି ଶ୍ରୀରାମ ରାକ୍ଷସ ସହିତ ମହାସଂଗ୍ରାମରେ ରତ ହେଲେ। ରାକ୍ଷସ ଥିଲା ଅତ୍ୟନ୍ତ ବଳବାନ। ଅନେକ ସମୟ ଧରି ତା’ ସହିତ ଯୁଦ୍ଧ କରି ରାମ ତାକୁ କ୍ଷତବିକ୍ଷତ ଓ ଧରାଶାୟୀ କଲେ। ରାମଙ୍କ ନିର୍ଦ୍ଦେଶରେ ଲକ୍ଷ୍ମଣ ଏକ ଗର୍ତ୍ତ ଖୋଳି ତା’ ମଧ୍ୟରେ ତାକୁ ନିପତିତ କଲେ। ରାକ୍ଷସର ମୃତ୍ୟୁ ହେବା ପରେ ତା’ର ମୃତ ଶରୀର ମଧ୍ୟରୁ ଏକ ସର୍ବାଙ୍ଗସୁନ୍ଦର ଗନ୍ଧର୍ବ ବାହାରି ରାକ୍ଷସଜନ୍ମରୁ ସେ ମୁକ୍ତ ହୋଇଥିବାରୁ, ଶ୍ରୀରାମଙ୍କୁ ପ୍ରଣାମ ପୂର୍ବକ କୃତଜ୍ଞତା ଜଣାଇଲା।
ବିରାଧ ପୂର୍ବଜନ୍ମରେ ଥିଲା ତୁମ୍ବୁରୁ ନାମକ ଏକ ଗନ୍ଧର୍ବ। ଯକ୍ଷପୁରୀରେ ସେ ଥିଲା କୁବେରଙ୍କର ଏକ ଘନିଷ୍ଠ ଅନୁଚର। ପ୍ରତିଦିନ ସେ କୁବେରଙ୍କ ଶିବପୂଜା ନିମିତ୍ତ ମାନସରୋବରରୁ ପୁଷ୍ପ ଚୟନ କରି ଆଣୁଥିଲା। କିନ୍ତୁ ରମ୍ୟା ନାମକ ଏକ ଅପ୍ସରା ପ୍ରତି ଆକୃଷ୍ଟ ହୋଇ ସେ କୁବେରଙ୍କ କାର୍ଯ୍ୟରେ ବାରମ୍ବାର ବିଘ୍ନ ଘଟାଇବାରୁ, ସେଥିରେ କ୍ରୋଧିତ ହୋଇ କୁବେର ତାକୁ ରାକ୍ଷସ ଶରୀର ଧାରଣ କରିବାକୁ ଅଭିଶାପ ଦେଲେ। ତୁମ୍ବୁରୁ କୁବେରଙ୍କୁ କ୍ଷମା ମାଗି ଅନୁନୟ କରିବାରୁ କୁବେର ତାଙ୍କୁ କହିଥିଲେ- ତ୍ରେତୟା ଯୁଗରେ ରାମଚନ୍ଦ୍ର ଯେତେବେଳେ ବନବାସରେ ଯିବେ, ତାଙ୍କ ହସ୍ତରେ ମୃତ୍ୟୁ ବରଣ କଲେ ତୋର ଉଦ୍ଧାର ହେବ। ଏଣୁ ଶ୍ରୀରାମଙ୍କୁ ପ୍ରଣାମ କରିବା ପରେ ବିରାଧ ଅଳକାପୁରୀ ପଥରେ ଗମନ କଲା।
-ଡକ୍ଟର ତୁଳସୀ ଓଝା