ବିଭୀଷଣ ‘ରାମାୟଣ’ର ଏକ ବହୁଚର୍ଚ୍ଚିତ ଚରିତ୍ର। ସେ ରାବଣର ସାନଭାଇ। ରାକ୍ଷସୀ ମାତା ନିକଷାଙ୍କ ଗର୍ଭରୁ ଜନ୍ମଗ୍ରହଣ କରିଥିଲେ ମଧ୍ୟ ପିତା ବିଶ୍ରବା, ପିତାମହ ପୌଲସ୍ତ୍ୟ ଏବଂ ଭ୍ରାତା କୁବେରଙ୍କ ସଦୃଶ ସେ ଥିଲେ ବେଦବିତ୍, ଧର୍ମାତ୍ମା ଓ ବିଷ୍ଣୁଭକ୍ତ। ରାକ୍ଷସ ସଭ୍ୟତାରେ ପରିପାଳିତ ହେଲେ ମଧ୍ୟ ରାକ୍ଷସ ଜନ୍ମ ନିମିତ୍ତ ତାଙ୍କ ମନରେ ଥିଲା ପ୍ରବଳ ଗ୍ଳାନି। ରାବଣ ଯେପରି ତ୍ରିଲୋକ ବିଜୟର ଅହଂକାରରେ ପ୍ରମତ୍ତ ହୋଇ ଦେବ, ଦାନବ, ମାନବ, ଗନ୍ଧର୍ବ, ଯକ୍ଷ ଓ କିନ୍ନରମାନଙ୍କର ସୁନ୍ଦରୀ କନ୍ୟାମାନଙ୍କୁ ଅପହରଣ କରି ଆଣି ଲଙ୍କାରେ ସେମାନଙ୍କର ସମ୍ମାନ ନଷ୍ଟ କରୁଥିଲା, ତାହା ବିଭୀଷଣଙ୍କ ପାଇଁ ଅସହ୍ୟ ଥିଲା। ତେଣୁ ସେ ରାବଣର ରାଜନୀତି ବା ଯୁଦ୍ଧ ବିଗ୍ରହ- କୌଣସିଟିରେ ଅଂଶଗ୍ରହଣ ନକରି ସର୍ବଦା ବିଷ୍ଣୁଭକ୍ତିରେ ଲୀନ ରହୁଥିଲେ।
ଭଉଣୀ ସୂର୍ପଣଖାର ଆସୁରୀ ଚରିତ୍ର ସହିତ ବିଭୀଷଣ ଭଲ ଭାବରେ ପରିଚିତ ଥିଲେ। ତେଣୁ ସୂର୍ପଣଖା ରାବଣକୁ ସୀତାଙ୍କୁ ହରଣ କରି ଆଣିବାପାଇଁ ପ୍ରଲୋଭିତ କରିବା ବେଳେ, ସେ ଏହାର ଘୋର ପ୍ରତିବାଦ କରିଥିଲେ। ରାବଣର ସୀତା ଅପହରଣର ନିନ୍ଦା କରି ଏହା ଲଙ୍କାର ପତନର କାରଣ ହେବ ବୋଲି ସେ ଚେତାବନୀ ଦେଇଥିଲେ। ଏପରିକି ଯୁଦ୍ଧ ଅନିବାର୍ଯ୍ୟ ବୋଲି ଜାଣିବା ପରେ, ରାମଙ୍କର ଗୁଣଗାନ କରି ସୀତାଙ୍କୁ ଫେରାଇ ଦେବାପାଇଁ ସେ ଅନୁରୋଧ କରିଥିଲେ।
ବ୍ରହ୍ମାଙ୍କ ଆଶୀର୍ବାଦରୁ ବିଭୀଷଣ ବ୍ରହ୍ମାସ୍ତ୍ରର ଜ୍ଞାତା ଥିଲେ। ତେଣୁ ଲଙ୍କାରୁ ବିଦାୟ ନେଇ ସେ ଆନନ୍ଦରେ ଶ୍ରୀରାମଙ୍କ ଶରଣ ପ୍ରାପ୍ତି ନିମିତ୍ତ ଚାଲି ଆସିଥିଲେ। ଯେଉଁ ରାମଙ୍କୁ ସେ ଭକ୍ତି କରି ଆସୁଥିଲେ, ଆଜି ତାଙ୍କର ସେବା କରିବାର ସୁଯୋଗ ଆସିଛି ଭାବି ଆନନ୍ଦିତ ହୋଇଥିଲେ। ରାମଙ୍କ ଶିବିରରେ ପରାମର୍ଶଦାତା ଭାବରେ ସୁଗ୍ରୀବ, କେଶ୍ରୀ, ଜାମ୍ବବାନ ଓ ହନୁମାନ ଆଦି ଥିଲେ ମଧ୍ୟ, ବିଭୀଷଣ ପାଲଟିଯାଇଥିଲେ ରାମଙ୍କର ପ୍ରଧାନ ପରାମର୍ଶଦାତା। ବିଭୀଷଣଙ୍କର ସମୟୋଚିତ ପରାମର୍ଶ ଫଳରେ ରାମ ଓ ତାଙ୍କ ବାନରସେନା ରାକ୍ଷସମାନଙ୍କୁ ମାୟାଯୁଦ୍ଧରେ ହରାଇବାକୁ ସମର୍ଥ ହୋଇଥିଲେ। ବିଭୀଷଣଙ୍କ ଯୋଗୁଁ ମେଘନାଦର ଅଜେୟ ଯଜ୍ଞ ମଧ୍ୟ ବିଫଳ ହୋଇଥିଲା ଏବଂ ଲକ୍ଷ୍ମଣ ମେଘନାଦ ବଧ କରିବାରେ ସଫଳ ହୋଇଥିଲେ। ଏହି ରାମଭକ୍ତ ସପ୍ତ ଚିରଞ୍ଜୀବୀଙ୍କ ମଧ୍ୟରୁ ଅନ୍ୟତମ।
-ଡକ୍ଟର ତୁଳସୀ ଓଝା