ଗୋସ୍ୱାମୀ ତୁଳସୀଦାସ କୃତ ‘ଶ୍ରୀରାମଚରିତମାନସ’ ବା ‘ତୁଳସୀ ରାମାୟଣ’ରେ ଅଛି ଏକ ଭାବମୟ ରଥର ବର୍ଣ୍ଣନା। ଏହି ରାମାୟଣର ‘ଲଙ୍କାକାଣ୍ଡ’ ଅନ୍ତର୍ଗତ ‘ରାବଣର ଯୁଦ୍ଧ’ ପ୍ରସଙ୍ଗରେ ସେହି ରଥର ହୃଦୟଗ୍ରାହୀ ବର୍ଣ୍ଣନା ରହିଛି।
ଲଙ୍କା ରଣଭୂମିର କଥା। ଗୋଟିଏ ପଟେ ରାବଣର ଜୟଧ୍ୱନି ହେଉଥିବାବେଳେ, ଅନ୍ୟପଟେ ରାମଙ୍କର ଜୟଧ୍ୱନି ହେଉଥାଏ। ଉଭୟପକ୍ଷର ଜୟଧ୍ୱନିରେ ରଣଭୂମି କମ୍ପୁଥାଏ। କିନ୍ତୁ ରଣଭୂମିରେ ରାବଣ ‘ରଥୀ’ ଭାବରେ ରଥରେ ଚଢ଼ି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ବେଳେ, ରାମ ଥାଆନ୍ତି ‘ବିରଥ’ ଅର୍ଥାତ୍ ରଥହୀନ। ତାହା ଦେଖି ବିଭୀଷଣ ଆତଙ୍କିତ ହୋଇ ଉଠିଲେ- ରଥୀ ରାବଣ ସହ ବିରଥ ରାମ ଲଢ଼ିବେ କିପରି? ‘ତୁଳସୀ ରାମାୟଣ’ର ସୁନ୍ଦର ଓଡ଼ିଆ ଅନୁବାଦ କରି, ସ୍ୱପ୍ନେଶ୍ୱର ଦାଶ କବିଭୂଷଣ ଏହାର ବର୍ଣ୍ଣନା କରିଛନ୍ତି-
“ନାଥ! ତବ ନାହିଁ ରଥ ତନୁ-ପଦ-ତ୍ରାଣ।
କି ହୋଇ ଜିଣିବ ରଣେ ରିପୁ ବଳବାନ?”
କିନ୍ତୁ ତାହାର ଉତ୍ତରରେ ଶାନ୍ତ ଶ୍ରୀରାମ ବିଭୀଷଣଙ୍କୁ ଯାହା କହିଲେ, ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ତାହା ଏକ ଭାବମୟ ରଥର କଥା। ତାହା ଶ୍ରୀରାମଙ୍କର ରଥ-ଭାବନାର ଧର୍ମମୟ ରଥ।

Advertisment

ଲଙ୍କା ରଣଭୂମିର କଥା। ଗୋଟିଏ ପଟେ ରାବଣର ଜୟଧ୍ୱନି ହେଉଥିବାବେଳେ, ଅନ୍ୟପଟେ ରାମଙ୍କର ଜୟଧ୍ୱନି ହେଉଥାଏ। ଉଭୟପକ୍ଷର ଜୟଧ୍ୱନିରେ ରଣଭୂମି କମ୍ପୁଥାଏ। କିନ୍ତୁ ରଣଭୂମିରେ ରାବଣ ‘ରଥୀ’ ଭାବରେ ରଥରେ ଚଢ଼ି ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ବେଳେ, ରାମ ଥାଆନ୍ତି ‘ବିରଥ’ ଅର୍ଥାତ୍ ରଥହୀନ। ତାହା ଦେଖି ବିଭୀଷଣ ଆତଙ୍କିତ ହୋଇ ଉଠିଲେ- ରଥୀ ରାବଣ ସହ ବିରଥ ରାମ ଲଢ଼ିବେ କିପରି?

ଶ୍ରୀରାମ କହିଲେ- ହେ ସଖା ବିଭୀଷଣ! ଶୁଣ। ଯେଉଁଠାରେ ଜୟ ହୁଏ, ସେ ରଥ ଏକ ଭିନ୍ନ ରଥ। ଶୌର୍ଯ୍ୟ ଓ ଧୈର୍ଯ୍ୟ ସେହି ରଥର ଦୁଇ ଚକ। ସତ୍ୟଶୀଳତା ତା’ର ଦୃଢ଼ ଧ୍ୱଜ ପତାକା। ବଳ, ବିବେକ ଓ ଦମ (ସ୍ଥୈର୍ଯ୍ୟ) ଏବଂ ପରହିତ ତାହାର ଅଶ୍ୱ। କ୍ଷମା, କରୁଣା ଓ ସମତା ସେହି ରଥର ରଜ୍ଜୁ ଏବଂ ଭଗବାନଙ୍କ ଭଜନ ସେହି ରଥର ସୁଦକ୍ଷ ସାରଥି।
କେବଳ ଏତିକି ନୁହେଁ; ଶ୍ରୀରାମଙ୍କ ଅନୁସାରେ, ସେହି ରଥର ଯେ ରଥୀ, ସନ୍ତୋଷ ହେଉଛି ତାଙ୍କର କୃପାଣ (ଖଡ଼୍‌ଗ), ବିରତି ତାଙ୍କର ଢାଲ, ଦାନ ତାଙ୍କର ପରଶୁ ଏବଂ ବୁଦ୍ଧି ପ୍ରଚଣ୍ଡଶକ୍ତି। ପୁଣି ବିଜ୍ଞାନ ତାଙ୍କର କଠିନ କୋଦଣ୍ଡ ଏବଂ ସଂଯମ-ନିୟମ ତାଙ୍କର ବିବିଧ ବାଣ। ନିର୍ମଳ ଓ ସ୍ଥିର ମନ ତାଙ୍କର ତୂଣୀର ଏବଂ ବ୍ରାହ୍ମଣଙ୍କ ଚରଣ ଅର୍ଚ୍ଚନ ତାଙ୍କର ଅଭେଦ୍ୟ କବଚ। ଏ ରଥ ଓ ଏ ରଥୀଙ୍କର ବିଜୟ ଅନିବାର୍ଯ୍ୟ।
ଏହା କହି, ପରିଶେଷରେ ଶ୍ରୀରାମ ବିଭୀଷଣଙ୍କୁ କହିଛନ୍ତି- ହେ ସଖା! ଏ ହେଉଛି ଧର୍ମମୟରଥ ଏବଂ ଏହାଠାରୁ ଉତ୍ତମ ବିଜୟ-ରଥ ଆଉ କିଛି ନାହିଁ।