ସତୀ ଅନସୂୟା ଓ ମାତା ଶବରୀଙ୍କ ପରେ ଶ୍ରୀରାମଚନ୍ଦ୍ର ଆଉ ଜଣେ ଭିନ୍ନ ଚରିତ୍ରର ନାରୀଙ୍କୁ ଭେଟିଥିଲେ। ସେ ହେଉଛନ୍ତି ତାରା। ତାରା କିସ୍କିନ୍ଧ୍ୟାର ମହାରାଣୀ। ସେ ସମୁଦ୍ର ମନ୍ଥନରୁ ଜାତ ଏକ ଅପ୍‌ସରା ଓ ଅସାମାନ୍ୟା ସୁନ୍ଦରୀ। ‘ବାଲ୍ମୀକି ରାମାୟଣ’ର ବର୍ଣ୍ଣନା ଅନୁସାରେ, ସେ କିସ୍କିନ୍ଧ୍ୟାର ବାନରବୈଦ୍ୟ ସୁଷେଣଙ୍କର କନ୍ୟା। ସେ ବାଳୀ ଓ ସୁଗ୍ରୀବ ଉଭୟଙ୍କର ପତ୍ନୀର ଭୂମିକା ନିର୍ବାହ କରିଛନ୍ତି। ପ୍ରଥମେ ସେ ବାଳୀର ପତ୍ନୀ ଥିଲେ ଏବଂ ଯେତେବେଳେ ମାୟାବୀ ସହିତ ଯୁଦ୍ଧ କରି ବାଳୀ ମୃତ୍ୟୁବରଣ କରିଛନ୍ତି ବୋଲି ଭାବି ସୁଗ୍ରୀବ ଫେରିଆସି ମନ୍ତ୍ରୀମାନଙ୍କ ଅନୁରୋଧରେ କିସ୍କିନ୍ଧ୍ୟାର ସିଂହାସନ ଆରୋହଣ କଲେ, ତାରା ଅକୁଣ୍ଠ ଚିତ୍ତରେ ସୁଗ୍ରୀବଙ୍କର ପତ୍ନୀତ୍ୱ ସ୍ୱୀକାର କଲେ। ପୁନଶ୍ଚ ବାଳୀ ଫେରିଆସିଲା ପରେ ଏବଂ ସୁଗ୍ରୀବଙ୍କୁ ନିର୍ବାସନ ଦେଲା ପରେ, ସେ ବାଳୀଙ୍କର ପତ୍ନୀ ଭାବରେ ରହିଲେ। ଯେହେତୁ ସେ ଜଣେ ଅପ୍‌ସରା, ତାଙ୍କର ଏହି ଆଚରଣ ପାଇଁ କେହି ଦୋଷାରୋପ କରିନଥିଲେ। 

Advertisment

ତାରା ଥିଲେ ଅସାମାନ୍ୟା ବୁଦ୍ଧିମତୀ। ପତ୍ନୀ ପତି ପାଇଁ ‘କାର୍ଯ୍ୟେଷୁ ମନ୍ତ୍ରୀ’ ହେବାର ସେ ଏକ ଉଦାହରଣ। ଯେତେବେଳେ ସୁଗ୍ରୀବ ବାଳୀଙ୍କୁ ଦ୍ୱନ୍ଦ୍ୱଯୁଦ୍ଧ ନିମିତ୍ତ ଆହ୍ୱାନ କରିଛନ୍ତି, ତାରା ବାଳୀକୁ ସେଥିରୁ ବିରତ ରହିବାକୁ ବହୁ ଅନୁରୋଧ କରିଛନ୍ତି। କାରଣ ସେ ଜାଣିଥିଲେ ବଳବୀର୍ଯ୍ୟରେ ସୁଗ୍ରୀବ ଆଦୌ ବାଳୀର ସମକକ୍ଷ ନୁହେଁ। ଏପରି ସ୍ଥଳେ ସୁଗ୍ରୀବଙ୍କର ଆହ୍ୱାନ ତାଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। 
ସେହିପରି ବାଳୀବଧ ପରେ ଯେତେବେଳେ ସୁଗ୍ରୀବ କିସ୍କିନ୍ଧ୍ୟାରେ ରାଜା ହୋଇଛନ୍ତି ଓ ରୁମା ତାରାଙ୍କ ସହିତ ଶୃଙ୍ଗାରରେ ମାତି ନିଜର କର୍ତ୍ତବ୍ୟ ଭୁଲି ଯାଇଛନ୍ତି, ଏଥିରେ କ୍ରୋଧିତ ହୋଇ ଲକ୍ଷ୍ମଣ ଯେତେବେଳେ କିସ୍କିନ୍ଧ୍ୟାରେ ପହଞ୍ଚିଛନ୍ତି ସେତେବେଳେ ସୁଗ୍ରୀବ ବୁଦ୍ଧିମତୀ ତାରାଙ୍କର ସାହାଯ୍ୟ ପ୍ରାର୍ଥନା କରି ଲକ୍ଷ୍ମଣଙ୍କ ପାଖକୁ ପ୍ରେରଣ କରିଛନ୍ତି। ତାରା ମୁନିଋଷିମାନଙ୍କର ଚିତ୍ତ ଚାଞ୍ଚଲ୍ୟର ଉଦାହରଣ ଦେଇ ପତ୍ନୀସୁଖରୁ ବଞ୍ଚିତ ସୁଗ୍ରୀବଙ୍କର ବ୍ୟବହାର ଯଥୋଚିତ ଦର୍ଶାଇ କୋମଳ ବଚନ ଦ୍ୱାରା ଲକ୍ଷ୍ମଣଙ୍କର କ୍ରୋଧ ଶାନ୍ତ କରିଛନ୍ତି। 
ତାରା ଯେତେବେଳେ ବାଳୀର ନିଧନରେ ଶୋକାକୁଳ ହୋଇ ମୃତ୍ୟୁବରଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ସ୍ୱୟଂ ବାଳୀ ତାରାଙ୍କୁ କହିଛନ୍ତି- ସମସ୍ତ କାର୍ଯ୍ୟରେ ମୋତେ ସହଯୋଗ କରୁଥିଲ, ସୁଗ୍ରୀବ ସହିତ ସେହିପରି ରହିବ; ଫଳରେ ବାନର ସାମ୍ରାଜ୍ୟର ଶ୍ରୀବୃଦ୍ଧି ହେବ। 
ସୁଗ୍ରୀବଙ୍କ ପ୍ରତି ତାରାଙ୍କର ଯେ ଏକ ପ୍ରଚ୍ଛନ୍ନ ଆକର୍ଷଣ ଥିଲା ଏହା ସମସ୍ତଙ୍କୁ ଜଣାଥିଲା। ଦୁର୍ମତି ବାଳୀକୁ ସତ୍‌ପଥରେ ପରିଚାଳିତ କରିବାପାଇଁ ତାରା ଯେପରି ସର୍ବଦା ଚେଷ୍ଟିତ ଥିଲେ, ସେହିପରି ସତ୍ୟଧର୍ମା ସୁଗ୍ରୀବଙ୍କର ସତ୍ ସହଯାତ୍ରୀ ହେବାର ସୌଭାଗ୍ୟଲାଭ କରିଥିବାରୁ ରାମଚନ୍ଦ୍ର ତାରାଙ୍କୁ ବହୁ ଭାବରେ ଉପଦେଶ ଦେଇ ଆଶୀର୍ବାଦ କରିଥିଲେ। ଏହି ସୌଭାଗ୍ୟ ପ୍ରାପ୍ତି ହେତୁ ତାରା ପ୍ରାତଃସ୍ମରଣୀୟା ପଞ୍ଚକନ୍ୟାଙ୍କ ମଧ୍ୟରେ ରହି ଆଜି ବି ପୂଜିତା। ପତିହନ୍ତା ତଥା ପିତୃହନ୍ତା ହୋଇ ମଧ୍ୟ ଶ୍ରୀରାମ ତାରା ଓ ତାରାଙ୍କର ଏକମାତ୍ର ପୁତ୍ର ଅଙ୍ଗଦଙ୍କର ପୂଜିତ ଅଟନ୍ତି। ଶ୍ରୀରାମଙ୍କ ପ୍ରତି ଥିବା ଐକାନ୍ତିକ ଭକ୍ତି ତାଙ୍କ ଚରିତ୍ରରେ ଥିବା ସମସ୍ତ ଦୁର୍ବଳତାକୁ ପ୍ରତିହତ କରି ତାରାଙ୍କୁ ଏକ ବ୍ୟକ୍ତିତ୍ୱମୟୀ ନାରୀରେ ପରିଣତ କରିଛି।
-ଡକ୍ଟର ତୁଳସୀ ଓଝା