ସାଧାରଣତଃ ବର୍ତ୍ତମାନ ସମୟରେ ଲୋକମାନଙ୍କ ମଧ୍ୟରେ ସ୍ମାର୍ଟଫୋନ୍ର ବ୍ୟବହାର ହୁ ହୁ ହୋଇ ବଢ଼ୁଥିବାବେଳେ,ଏମାନଙ୍କ ଭିତରେ ଏମିତି ବି ଲୋକ ଅଛନ୍ତି; ଯେଉଁମାନେ କି ଶୋଇବା ପୂର୍ବରୁ ଲାଇଟ୍ ଅଫ୍ କରି ସ୍ମାର୍ଟଫୋନ୍ର ବ୍ୟବହାର କରିଥାଆନ୍ତି। ଏହା ଆଖି ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଏହାକୁ ନେଇ ପୂର୍ବରୁ ମଧ୍ୟ ଅନେକ ଗବେଷଣା ହୋଇସାରିଛି। ଯେଉଁଥିରୁ କି ଏହା ପ୍ରମାଣିତ ହୋଇଛି ଯେ, ଅନ୍ଧାରରେ ସ୍ମାର୍ଟଫୋନ୍ର ବ୍ୟବହାର ବ୍ୟକ୍ତିର ତ୍ୱଚା ଲାଗି କ୍ଷତିକାରକ ହୋଇଥାଏ।
କ’ଣ କହିଥାଏ ଗବେଷଣା?
ଆମେରିକାର ମସ୍କୁଲାର୍ ଡ଼ିଜେନେରେସନ୍ ଫାଉଣ୍ଡେସନ୍ର ଗବେଷଣା ଅନୁଯାୟୀ,ଯଦି କୌଣସି ବ୍ୟକ୍ତି ଅନ୍ଧାରରେ ୩୦ ମିନିଟ୍ରୁ ଅଧିକା ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ସ୍କ୍ରିନ୍ ଉପରେ କାମ କରିଥାଏ, ତେବେ ଏହା ଆଖିକୁ ଶୁଷ୍କ କରିଦିଏ, ଯାହାକି ଆଖିର ରେଟିନା ଉପରେ ଖରାପ ପ୍ରଭାବ ପକାଇଥାଏ। ଯଦି ଲମ୍ବା ସମୟ ଯାଏଁ ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ରହେ, ତେବେ ଏହା ତାର ଆଖିର ରଶ୍ମିକୁ ମଧ୍ୟ କମ୍ କରିଦିଏ।
ଏହାକୁ ନେଇ ହାଭାର୍ଡ଼ ୟୁନିଭର୍ସିଟିର ଏକ ଗବେଷଣାରେ ଏହା ପ୍ରମାଣିତ ହୋଇଛି କି, ଅନ୍ଧାର ରାତିରେ ଅଧିକ ସମୟ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ର ପ୍ରୟୋଗ ନା ଯେ କେବଳ ଆଖି ଉପରେ ଖରାପ ପ୍ରଭାବ ପକାଇଥାଏ ବରଂ ଏହା ଦ୍ୱାରା ଶରୀରର ଅନ୍ୟାନ୍ୟ ଅଂଶକୁ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ।
ଆଖିର ରଶ୍ମିିକୁ କମ୍ କରିଦିଏ: ରାତିରେ ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍ର ବ୍ୟବହାର ଯୋଗୁଁ ଆଖିର ରେଟିନା ଉପରେ ତାହାର ଖରାପ ପ୍ରଭାବ ପକାଏ। ଯାହାକି ଆଖିର ରଶ୍ମିକୁ ଦୂର୍ବଳ କରିଥାଏ ବୋଲି ଆମେରିକନ୍ ମସ୍କୁଲାର୍ ଡ଼େଜେନେରେସନ୍ ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି।
ନିଦ୍ରାହୀନତା: ହାଭାର୍ଡ଼ ୟୁନିଭର୍ସିଟିର ଗବେଷଣା ଅନୁଯାୟୀ,ରାତିରେ ଶୋଇବା ପୂର୍ବରୁ ମୋବାଇଲ୍ ଫୋନ୍ର ବ୍ୟବହାର ଶରୀରରେ ରହିଥିବା ମେଲାଟୋନିନ୍ ହର୍ମୋନ୍ ମାତ୍ରାକୁ କମ୍ କରିଦିଏ। ଯେଉଁ କାରଣକୁ ନେଇ ବ୍ୟକ୍ତି ନିଦ୍ରାହୀନତା ସମସ୍ୟାରେ ଆକ୍ରାନ୍ତ ହୋଇଥାଏ।
ଅବସାଦ ବୃଦ୍ଧି ପାଇଥାଏ: ୟୁନିଭର୍ସିଟି ଅଫ୍ ବରସେଷ୍ଟର,ଇଂଲଣ୍ଡର ଗବେଷଣା ଅନୁସାରେ,ଡ଼େରି ରାତି ଯାଏଁ ମୋବାଇଲ୍ ଫୋନ୍ର ବ୍ୟବହାର କରିବା ଯୋଗୁଁ ମଧ୍ୟ ଶରୀରରେ ମେଲାଟୋନିନ୍ ହର୍ମୋନ୍ର ମାତ୍ରା କମ୍ ହେବାକୁ ଲାଗିଥାଏ, ଯାହାକି ଅବସାଦ ବୃଦ୍ଧିର ପ୍ରମୁଖ କାରଣ ଅଟେ।
ମସ୍ତିଷ୍କ ଉପରେ ପ୍ରଭାବ ପକାଏ: ତେବେ ବୋର୍ଡ଼େକ୍ସ ୟୁନିଭର୍ସିଟି, ଫାନ୍ସର ଗବେଷଣାରେ କୁହାଯାଇଛି କି,ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ୍ ଫୋନ୍କୁ ବ୍ୟବହାର କରିଲେ ବ୍ରେନ୍ ଟ୍ୟୁମର୍ର ଆଶଙ୍କା ବଢ଼ିଥାଏ। ଏହାଦ୍ୱାରା ସ୍ମରଣ ଶକ୍ତିରେ ହ୍ରାସ ଘଟିଥାଏ।
କ୍ଳାନ୍ତ ଲାଗିଥାଏ: ରାତିରେ ଅଧିକା ସମୟ ମୋବାଇଲ୍ର ବ୍ୟବହାର ଯୋଗୁଁ ବ୍ୟକ୍ତିର ନିଦଟି ସଂପୂର୍ଣ୍ଣ ହୋଇନଥାଏ। ଏହା ଦିନଭରି ତାହାକୁ କ୍ଳାନ୍ତ ଅନୁଭବ କରାଏ।
ଗ୍ଲୁକୋମା ବା ମୋତିଆ ବିନ୍ଦୁ ସମସ୍ୟାକୁ ଜନ୍ମାଏ: ଏଥିସହିତ ଅଧିକ ରାତି ଯାଏଁ ସ୍ମାର୍ଟଫୋନ୍ର ବ୍ୟବହାର ମସ୍ତିଷ୍କ ପର୍ଯ୍ୟନ୍ତ ସିଗ୍ନାଲ୍ ପହଁଞ୍ଚାଉଥିବା ଆପ୍ଟିକ ତଂନ୍ତ୍ରିକା ଉପରେ ତାହାର ଖରାପ ପ୍ରଭାବ ପକାଇଥାଏ। ଯାହାକି ବ୍ୟକ୍ତିଠାରେ ଗ୍ଲୁକୋମା ବା କଳା ମୋତିଆ ବିନ୍ଦୁ ସମସ୍ୟାକୁ ଜନ୍ମାଇଥାଏ।
ଫୋକସିଙ୍ଗ୍ ମସଲ୍ସ ଉପରେ ପ୍ରଭାବ ପକାଇଥାଏ: ଲମ୍ବା ସମୟ ଧରି ରାତିରେ ମୋବାଇଲ୍ ଫୋନ୍ର ବ୍ୟବହାର ଯୋଗୁଁ ଆଖିର ଫୋକସିଙ୍ଗ୍ ମସଲ୍ସ ଉପରେ ଖରାପ ପ୍ରଭାବକୁ ପଡ଼େ। କୌଣସି ଜିନିଷ ଉପରେ ଦୃଷ୍ଟି ନିବଦ୍ଧ କରିବାରେ ବ୍ୟକ୍ତି ଠାରେ ସମସ୍ୟା ଉପୁଜିଥାଏ।
ଆଖିକୁ ଲାଲ୍ ପକାଇଦିଏ: ରାତି ସମୟରେ ଲମ୍ବା ସମୟ ଧରି ସ୍ମାର୍ଟଫୋନ୍ର ବ୍ୟବହାର ଯୋଗୁଁ ବ୍ୟକ୍ତିର ଆଖିରେ ଲାଲ୍ ରଂଗର ଆସ୍ତରଣ ପଡ଼େ।
ଆଖି ତଳେ କଳାଚିହ୍ନ ସୃଷ୍ଟି କରିଥାଏ: ଏଥିସହିତ ରାତିର ଅନ୍ଧାରରେ ବିଳମ୍ବ ରାତି ଯାଏଁ ମୋବାଇଲ୍ ଫୋନ୍ର ଉପଯୋଗ ଯୋଗୁଁ ବ୍ୟକ୍ତିର ଆଖିତଳରେ କଳାଚିହ୍ନ ସୃଷ୍ଟି କରିଥାଏ।