ଭାଗ୍ୟରେ ଥିଲେ ପୂରାଦିନ ପରିବାର ସହ ରହିବାର ସୁଯୋଗ ମିଳେ : ସିଦ୍ଧାନ୍ତ ମହାପାତ୍ର

‘କରୋନା ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ମୁଁ ମୋର ସମସ୍ତ ସିନେମା ସୁଟିଂ ଏବଂ ରାଜନୈତିକ କାର୍ଯ୍ୟକ୍ରମ ବାତିଲ୍‌ କରିଛି। ଘରେ ରହିବାର ମୋର ଅଭ୍ୟାସ ଥିବାରୁ ମୋର ଜୀବନଚର୍ଯ୍ୟାରେ ସେଭଳି କିଛି ପରିବର୍ତ୍ତନ ଆସିନାହିଁ’, ବୋଲି କହିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ସେ କହିଛନ୍ତି ଯେ, ‘ପ୍ରତିଦିନ ଭଳି ସକାଳ ୫ଟାରୁ ଉଠି ଛାତ ଉପରେ କିଛି ସମୟ ବୁଲାବୁଲି କରେ। ଫୁଲଗଛରେ ପାଣି ଦେଇ କୁଣ୍ଡଗୁଡ଼ିକ ସଫାସୁତରା କରିଥାଏ। ଏବେ ଘରେ କେହି ଘରୋଇ ସହାୟକ ନଥିବାରୁ ନିଜ କାମ ନିଜେ କରିଥାଏ। ଘରେ ଥିବା ଜିମ୍‌ରେ କିଛି ସମୟ ବ୍ୟାୟାମ କରି ସାଇକେଲ୍‌, କାର୍‌ ଧୋଇ ପୋଛାପୋଛି କରିଥାଏ। ଏମିତିକି ଆମେ ସ୍ବାମୀ, ସ୍ତ୍ରୀ ଘର ଝାଡ଼ୁ ଠାରୁ ଆରମ୍ଭ କରି ସଫା ମଧ୍ୟ କରିଥାଉ।’ ଏଥିସହିତ, ଭାଗ୍ୟରେ ଥିଲେ ପରିବାର ସହିତ ପୂରାଦିନ ସମୟ ବିତାଇବାର ସୁଯୋଗ ମିଳିଥାଏ ବୋଲି କହିଛନ୍ତି ଶ୍ରୀ ମହାପାତ୍ର।

‘ଅନ୍ୟ ସମସ୍ତଙ୍କ ପାଇଁ ମାର୍ଚ୍ଚ ୨୪ତାରିଖରୁ ଲକ୍‌ଡାଉନ୍‌ ହୋଇଥିବା ବେଳେ ମୋ’ ପାଇଁ ୧୪ତାରିଖରୁ ଲକ୍‌ଡାଉନ୍‌ ହୋଇଛି। ମୁଁ ୧୪ ତାରିଖରୁ ମୋର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଘରେ ରହିଛି,’ ବୋଲି କହିଛନ୍ତି ଶ୍ରୀ ମହାପାତ୍ର। ଆମର ସୁରକ୍ଷା ଓ ସୁବିଧା ପାଇଁ କାମ କରୁଥିବା ପ୍ରଶାସନିକ ଅଧିକାରୀ, ଡାକ୍ତର, ନର୍ସ, ପୁଲିସ, ସଫେଇ କର୍ମୀଙ୍କୁ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

– ସିଦ୍ଧାନ୍ତ ମହାପାତ୍ର, ଅଭିନେତା ତଥା ପୂର୍ବତନ ସାଂସଦ

ସମ୍ବନ୍ଧିତ ଖବର