ଗଣେଶଙ୍କର ଅନ୍ୟ ଏକ ନାମ ବିନାୟକ। ଏହା ତାଙ୍କର ଶ୍ରେଷ୍ଠତା ସୂଚାଏ। ଋଦ୍ଧି ଓ ସିଦ୍ଧି ତାଙ୍କର ଦୁଇ ପତ୍ନୀ। ଏହା ସୂଚାଏ, ଯେ ତାଙ୍କୁ ପୂଜା କଲେ ସମୃଦ୍ଧି ଓ ସଫଳତା ମିଳେ।
ଭାଦ୍ରବ ଶୁକ୍ଳ ଚତୁର୍ଥୀ ଗଣେଶଙ୍କ ପୂଜାର ସର୍ବୋତ୍ତମ ତିଥି। ବିନାୟକ ବ୍ରତକଥା ଅନୁସାରେ, ନୈମିଷାରଣ୍ୟରେ, ଗୋମତୀ ନଦୀ ତୀରରେ, ଏକଦା ଋଷିମାନେ ସୁତମୁନିଙ୍କୁ ପଚାରିଲେ- କ’ଣ କଲେ ନିର୍ବିଘ୍ନରେ କାର୍ଯ୍ୟସାଧନ ହୁଏ ଏବଂ ପୁତ୍ର, ସୌଭାଗ୍ୟ, ସଂପତ୍ତି ଆଦି ପ୍ରାପ୍ତ ହୁଏ? ପୁଣି, ପତି-ପତ୍ନୀଙ୍କ ମଧ୍ୟରେ କଳହ ହୁଏନାହିଁ ଏବଂ ସମସ୍ତ ପ୍ରକାରର ମଙ୍ଗଳ ହୁଏ?
ଏହାର ଉତ୍ତରରେ ସୁତମୁନି କହିଲେ- ହେ ଋଷିଗଣ! ମୁଁ ତୁମ୍ଭଙ୍କୁ ସେହି କଥା କହୁଛି, ଯାହା କୁରୁ-ପାଣ୍ଡବ ଯୁଦ୍ଧ କାଳରେ ଦେବକୀନନ୍ଦନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଥିଲେ। ଏହି ବ୍ରତର ବିଧି ବର୍ଣ୍ଣନା କରି ସେ କହିଥିଲେ- ଏହି ବ୍ରତଧାରୀ ବେଦ, ବେଦାନ୍ତ ଜାଣିବା ଏବଂ ସବୁବେଳେ ଆଚାରବନ୍ତ ରହିବା ବିଧେୟ। ସେ ପ୍ରାତଃସ୍ନାନ କରି, ବ୍ରାହ୍ମଣ ବରଣ କରି, ସ୍ୱର୍ଣ୍ଣ ବା ରୌପ୍ୟ ପ୍ରତିମା ସ୍ଥାପନ କରି, ଗଣେଶଙ୍କ ପୂଜା କରିବେ। ଯେଉଁମାନେ ସ୍ୱର୍ଣ୍ଣ ବା ରୌପ୍ୟ ପ୍ରତିମାରେ ପୂଜା ନ କରି ପାରିବେ, ସେମାନେ ନିଜର ଶକ୍ତି ଅନୁରୂପେ ପ୍ରତିମା କରିବେ। ଏହି ପ୍ରତିମା ନିଜର ଚତୁର୍ହସ୍ତରେ ଦନ୍ତ, ପଦ୍ମ ଓ ପରଶୁ ଏବଂ ଲଡ଼ୁ ବା ମୋଦକ ଧାରଣ କରିଥିବେ। ଅଷ୍ଟଦଳ ପଦ୍ମ ଲେଖି, ସେଥିରେ ଗଣେଶଙ୍କୁ ଦକ୍ଷିଣମୁଖ ଭାବରେ ସ୍ଥାପନା କରି, ଆଚାର୍ଯ୍ୟ ପୂର୍ବ ବା ଉତ୍ତରମୁଖ ହୋଇ ପୂଜା କରିବେ। ବିଭିନ୍ନ ପ୍ରକାରର ଫଳମୂଳ ଓ ଘୃତପକ୍ୱ ମୋଦକ ଗଣେଶଙ୍କର ପ୍ରିୟ।
ଏହା କହି ସୁତମୁନି ଋଷିଗଣଙ୍କୁ କହିଲେ– ଶ୍ରୀକୃଷ୍ଣଙ୍କଠାରୁ ଏହି ପୂଜା ବା ବ୍ରତବିଧି ଜାଣି, ଯୁଧିଷ୍ଠିର ନିଜର ଭାଇମାନଙ୍କ ସହିତ ଗଣେଶଙ୍କୁ ପୂଜା କଲେ ଏବଂ ଯୁଦ୍ଧରେ ବିଜୟ ଲାଭ କଲେ। ଏଣୁ ଗଣେଶଙ୍କୁ ପୂଜା କଲେ ସର୍ବକାର୍ଯ୍ୟ ସିଦ୍ଧ ହୁଏ। ସେଥିପାଇଁ ସେ ସିଦ୍ଧ ବିନାୟକ ଭାବରେ ଖ୍ୟାତ।
ବିନାୟକ ବ୍ରତକଥାରେ କୁହାଯାଇଛି- ଜପର ଆଦ୍ୟରେ, ଦେବ କାର୍ଯ୍ୟରେ, ଯୁଦ୍ଧ ସନ୍ନିକଟରେ, ବିବାହକୃତ୍ୟର ଆଦ୍ୟରେ, ବାଣିଜ୍ୟକର୍ମର ଆରମ୍ଭରେ ଏବଂ କୃଷିକର୍ମ ଓ ବିଦ୍ୟାଶିକ୍ଷା ଆରମ୍ଭରେ ଗଣେଶଙ୍କୁ ପୂଜା କରିବ। ଏହାଙ୍କୁ ପୂଜା କଲେ ବିଷ୍ଣୁ, ଶିବ, ସୂର୍ଯ୍ୟ, ଚନ୍ଦ୍ର, ଅଗ୍ନି ଏବଂ ଚଣ୍ଡିକାଦି ମାତୃଗଣ ସନ୍ତୁଷ୍ଟ ହୁଅନ୍ତି ଏବଂ ସମସ୍ତ କାର୍ଯ୍ୟ ସିଦ୍ଧ ହୁଏ।