‘ନାଗାର୍ଜୁନ’ ବେଶରେ ‘ଦାମୋଦର’

ବେଶର ନାମ ନାଗାର୍ଜୁନ/ ଅସିତ ମହାନ୍ତି

ବାରମାସପାଇଁ ଶ୍ରୀଜଗନ୍ନାଥଙ୍କର ବାରଟି ସ୍ୱତନ୍ତ୍ର ନାମ ଅଛି । ସେହି ଅନୁସାରେ, ତାଙ୍କର କାର୍ତ୍ତିକ ମାସର ନାମ ‘ଦାମୋଦର’ । ‘ଦାମ’ର ଅର୍ଥ ରଜ୍ଜୁ ବା ଦଉଡ଼ି । ‘ଉଦର’ର ଅର୍ଥ ପେଟ । ଦ୍ୱାପର ଯୁଗରେ, ବାଳକ ଶ୍ରୀକୃଷ୍ଣ ଦୁଷ୍ଟ ହେବାରୁ, ତାଙ୍କର ଅଣ୍ଟା (ବା ପେଟ)ରେ ଦଉଡ଼ି ବାନ୍ଧି ତାହାକୁ ଗୋଟିଏ ଢିଙ୍କି ସହିତ ବାନ୍ଧି ଦେଇଥିଲେ ମାଆ ଯଶୋଦା । ସେହି ଦଉଡ଼ି  ବନ୍ଧାଥିବା ଅବସ୍ଥାରେ କୃଷ୍ଣ ଦୁଇଟି ଅର୍ଜୁନଗଛ ଫାଙ୍କ ଦେଇ ଗଳି ଚାଲିଯିବା ବେଳେ, ଢିଙ୍କିଟି ଦୁଇ ଗଛ ମଝିରେ ଲାଗିଗଲା । ସେ ଜୋର୍‌ରେ ଭିଡ଼ି ଦେବାରୁ ଗଛ ଦୁଇଟି ଉପୁଡ଼ି ପଡ଼ିଲା ।

ପ୍ରକୃତରେ ସେହି ଯାଆଁଳା ଅର୍ଜୁନ ଗଛ ଥିଲେ କୁବେରଙ୍କର ଦୁଇ ପୁଅ ନଳକୂବର ଓ ମଣିଗ୍ରୀବ । ଧନ ଗର୍ବରେ ମତ୍ତ ହୋଇ ଦୁହେଁ କର୍ତ୍ତବ୍ୟ, ଅକର୍ତ୍ତବ୍ୟ ବିବେଚନା କରିପାରୁ ନଥିଲେ । ତେଣୁ ନାରଦ ସେ ଦୁହିଁଙ୍କୁ ଅଭିଶାପ ଦେଇଥିଲେ । ସେହି ଅଭିଶାପ ଫଳରେ ଦୁହେଁ ମର୍ତ୍ତ୍ୟରେ ଯାଆଁଳା ଅର୍ଜୁନଗଛ ରୂପେ ଜାତ ହୋଇଥିଲେ । କୃଷ୍ଣ ତାହାକୁ ଉପାଡ଼ି ଦେବା ଫଳରେ ସେମାନେ ଅଭିଶାପରୁ ମୁକ୍ତ ହେଲେ । ସେହିଦିନଠାରୁ ଶ୍ରୀକୃଷ୍ଣଙ୍କର ଗୋଟିଏ ନାମ ହୋଇଗଲା ‘ଦାମୋଦର’।

ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରତିବର୍ଷ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କର ଯେଉଁ ବେଶ ହୁଏ, ତାହାର ନାମ ‘ରାଧା-ଦାମୋଦର’ ବେଶ । ଏହା ଶ୍ରୀମନ୍ଦିରର ରତ୍ନସିଂହାସନରେ ହେଉଥିବା ବେଶ ମଧ୍ୟରେ ସବୁଠୁ ଅଧିକ ଦିନ ଧରି ହୋଇଥାଏ । କାର୍ତ୍ତିକ ମାସର ବେଶ ହୋଇଥିବାରୁ ଏହା ସହିତ ‘ଦାମୋଦର’ ନାମଟି ଯୋଡ଼ା ହେବା ଯଥାର୍ଥ । କିନ୍ତୁ ଏହାର ନାମ କାହିଁକି  ‘ରାଧା-ଦାମୋଦର’ ହୋଇଛି,  ତାହା ନିର୍ଦ୍ଦିଷ୍ଟ ଭାବରେ ଜଣାଯାଏ ନାହିଁ ।

ଅନେକଙ୍କ ମତରେ, ଭକ୍ତଚରଣ ଦାସଙ୍କ ‘ମଥୁରା ମଙ୍ଗଳ’ ଓ ଅନ୍ୟାନ୍ୟ ସମକାଳୀନ କାବ୍ୟରେ ଶ୍ରୀକୃଷ୍ଣଙ୍କର ବିଭିନ୍ନ ବେଶର ବର୍ଣ୍ଣନା ଅଛି । ‘ମଥୁରା ମଙ୍ଗଳ’ରେ ଶ୍ରୀରାଧା ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ବେଶ କରିଛନ୍ତି । ସମ୍ଭବତଃ ଶ୍ରୀରାଧାଙ୍କର ପ୍ରିୟ ବେଶ ହୋଇଥିବାରୁ, ଏହି ବେଶର ନାମ ‘ରାଧା-ଦାମୋଦର’ ହୋଇଛି ।

କିନ୍ତୁ ଅନ୍ୟ କେତେକଙ୍କ ମତରେ, ଏହି ମାସରେ ମହିଳାମାନେ କରୁଥିବା ଗୋଟିଏ ବ୍ରତର ନାମ ‘ରାଈ-ଦାମୋଦର’ । ‘ରାଈ’ର ଅର୍ଥ ରାଧା । ଏହି ବ୍ରତରେ ରାଧା ଓ କୃଷ୍ଣଙ୍କୁ ଏକତ୍ର ପୂଜା କରାଯାଇଥାଏ । ସମ୍ଭବତଃ ଏଇଥିପାଇଁ, କାର୍ତ୍ତିକ ମାସର ଏହି ବେଶର ନାମ ‘ରାଧା-ଦାମୋଦର’ ହୋଇଛି ।

ରତ୍ନବେଦୀରେ ଉଭୟ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ର ଏହି ବେଶ ହୋଇଥାଆନ୍ତି । ନାମର ବିଶେଷତ୍ୱ ଅନୁସାରେ, ଏହି ବେଶରେ ସେମାନଙ୍କର ଅଣ୍ଟାରେ ସୁନାର ଦଉଡ଼ି ବା ଅଣ୍ଟାପଟି ବନ୍ଧା ହୋଇଥାଏ । ଏହା ସହିତ ଉଭୟେ ତ୍ରିକଚ୍ଛ ବସ୍ତ୍ର ପରିଧାନ କରନ୍ତି । ହସ୍ତରେ ଲାଗି ହୁଏ ସୁବର୍ଣ୍ଣର ନଳିଭୁଜ । ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ ମଧ୍ୟ ତି୍ରମୁଣ୍ଡି ଉପରେ ରହିଥାଏ । ଚୂଳର ଅଗ୍ରଭାଗରେ ଚନ୍ଦ୍ରିକା ଶୋଭାପାଏ । କର୍ଣ୍ଣରେ କୁଣ୍ଡଳ, ଶ୍ରୀମୁଖରେ ତିଳକ ଆଦିରେ ଦୁଇଠାକୁର ବିଭୂଷିତ ହୁଅନ୍ତି ।

ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ହେଉଥିବା ଏହି ମାସବ୍ୟାପୀ ବେଶ ପରେ, ପଞ୍ଚକ ଭିତରେ ମଳତିଥି ପଡ଼ିଲେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ହୋଇଥାଏ । ଏଣୁ ଏଥିରେ କାର୍ତ୍ତିକ ମାସର ଦେବତା ‘ଦାମୋଦର’ ହିଁ ‘ନାଗାର୍ଜୁନ’ ବେଶ ହୋଇଥାଆନ୍ତି ।

କିନ୍ତୁ କାହିଁକି ଶ୍ରୀଜଗନ୍ନାଥ କାର୍ତ୍ତିକ ମାସର ମଳ ପଞ୍ଚକ ତିଥିରେ ନାଗାର୍ଜୁନ ବେଶ ହୁଅନ୍ତି? ଏହାର ରହିଛି ନିର୍ଦ୍ଦିଷ୍ଟ ପୌରାଣିକ ଭିତ୍ତି  ଓ କିଂବଦନ୍ତି ।

ସମ୍ବନ୍ଧିତ ଖବର