ଭୁବନେଶ୍ବର: ଆଜି ମହାଶିବରାତ୍ରି, ଜାଗରରେ ଅନେକ ଭକ୍ତ ଶିବ ମନ୍ଦିର ଯାଇ ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରିଥିବେ ନିଶ୍ଚୟ । ମହାଦେବ ମନ୍ଦିର ଆଗରେ ବସିରହିଥିବା ନନ୍ଦିଙ୍କର ବି ପୂଜା କରିଥିବେ । ନିଜର ଯାହା ମନସ୍କାମନା ଥିବ ନନ୍ଦିଙ୍କ କାନରେ କହିଥିବେ । କିନ୍ତୁ ଆପଣ ଜାଣନ୍ତି କି, ମହାଦେବଙ୍କ ସାମ୍ନାରେ ବସି ରହିଥିବା ବାବାଙ୍କ ବାହାନ ନନ୍ଦି ଗୋଟିଏ ଗୋଡକୁ କାହିଁକି ଉଠାଇ ବସିଛନ୍ତି । ଏହା ପଛରେ ଅନେକ ପୌରାଣିକ କାହାଣୀ ରହିଛି । 

Advertisment

ପୌରାଣିକ କଥା ଅନୁସାରେ- ନନ୍ଦି ଦେବ, ଭଗବାନ ଶିବଙ୍କ ଭକ୍ତ ସହ ଭଗବାନ ଶିବଙ୍କ ବାହନ ମଧ୍ୟ । ମହାଦେବ ମନ୍ଦିରରେ ଶିବଙ୍କ ଗମରା ଆଗରେ ନନ୍ଦି ଦେବ ବିରାଜମାନ ହୋଇ ରହିଥାନ୍ତି । କୁହାଯାଏ ମହାଦେବ ଶିବଙ୍କ ପୂଜା କରିବା ସହ ନନ୍ଦିଙ୍କ ପୂଜା କରିବା ବି ଜରୁରୀ ହୋଇଥାଏ । ଯାହାଙ୍କ ମାଧ୍ୟମରେ ମହାଦେବ ତାଙ୍କ ଭକ୍ତଙ୍କ ଡାକ ଶୁଣିଥାନ୍ତି । 

କିନ୍ତୁ ନନ୍ଦି ଗୋଟେ ଗୋଡ ଉଠାଇ ରଖିବା ପଛରେ ପୌରାଣିକ କାହାଣୀ ଅନୁସାରେ, ନନ୍ଦିଙ୍କ ୪ ଗୋଡ ଦୟା, ସତ୍ୟ, ଅହିଂସା ଓ ଶାନ୍ତିର ପ୍ରତୀକ... କେବଳ ଏତିକି ନୁହେଁ ନନ୍ଦି ଦେବ ସ୍ୱୟଂ ଧର୍ମର ପ୍ରତୀକ ଅଟନ୍ତି । ନନ୍ଦିଙ୍କ ଗୋଟେ ଗୋଡ ଉଠାଇ ରଖିବା ଏହା ସଂକେତ ଦେଇଥାଏ କି, କଳିଯୁଗରେ ଆଉ ମାତ୍ର ଏକ ଚତୁର୍ଥାଂଶ  ଧର୍ମ ବଞ୍ଚି ରହିଛି । 

ନନ୍ଦି ଦେବ ସବୁବେଳେ ମହାଦେବଙ୍କ ଗମରା ସାମ୍ନାରେ ବସି ରହିଥାନ୍ତି, ଆଉ ବାବାଙ୍କୁ ଦେଖୁଥାନ୍ତି, ଯାହା ଦର୍ଶାଇଥାଏ, ଜୀବନର ଉଦ୍ଦେଶ୍ୟ ଏକତା ଏବଂ ଧର୍ମ ଅଟେ । ନନ୍ଦି ଦେବ ଖୁସି ପ୍ରତୀକ ।

ମନ୍ଦିରରେ, ଆମେ ସବୁବେଳେ ନନ୍ଦିଙ୍କୁ ଶିବଲିଙ୍ଗ ସାମ୍ନାରେ ଧ୍ୟାନମଗ୍ନ ଅବସ୍ଥାରେ ବସିଥିବା ଦେଖୁ । ଶିବଲିଙ୍ଗ ଆଗରେ ବସିଥିବା ନନ୍ଦି ସୂଚିତ କରେ ଯେ ଜଣେ ମଣିଷ ପ୍ରକୃତିରୁ ବିମୁଖ ହେବା ଉଚିତ ଏବଂ ତାଙ୍କର ସମସ୍ତ ଧ୍ୟାନ କେବଳ ଭଗବାନଙ୍କ ଆଡକୁ ଯିବା ଉଚିତ । ମଣିଷ ସର୍ବଦା ପରମେଶ୍ୱର ଉପରେ ଧ୍ୟାନ ଦେବା ଉଚିତ । 

ନନ୍ଦି ସତ୍ୟ, ଧର୍ମ, ଶାନ୍ତି, ପ୍ରେମ- ଏହି ଚାରି ଗୋଡରେ ବସିଥାନ୍ତି । ଏହି ଚାରିଟି ମାଧ୍ୟମରେ ହିଁ ମୋକ୍ଷ ଏବଂ ଜ୍ଞାନ ପ୍ରାପ୍ତିର ମାଧ୍ୟମ । ନନ୍ଦିଙ୍କ ପରି ଧ୍ୟାନମଗ୍ନ ହୋଇ ଈଶ୍ବରଙ୍କ ଆଗରେ ବସିଲେ ଆତ୍ମା –ପରମାତ୍ମାଙ୍କ ମିଳନ ହୋଇପାରିବ । ଯାହା ମାନବ ଜନ୍ମର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଅଟେ ।

ସବୁ ଜିନିଷରେ ଈଶ୍ବରଙ୍କୁ ଦେଖିବା ଏବଂ ଈଶ୍ବରଙ୍କ ପ୍ରତ୍ୟେକ ସୃଷ୍ଟିକୁ ଭଲ ପାଇବା ପାଇଁ ନନ୍ଦି ପରାମର୍ଶ ଦିଅନ୍ତି  । ଜୀବନର ଲକ୍ଷ୍ୟ ହେଉଛି ଭଗବାନଙ୍କୁ ହୃଦୟଙ୍ଗମ କରିବା ବୋଲି ନନ୍ଦି ସୂଚାଇ ଦେଉଥାନ୍ତି । 

ମନେରଖନ୍ତୁ ମନ୍ଦିରରେ ନନ୍ଦି ଏବଂ ଶିବଲିଙ୍ଗ ମଧ୍ୟରେ କେହି ଠିଆ ହେବା ଉଚିତ୍ ନୁହେଁ ।