ଆଖି ନଥାଇ କେମିତି ଦେଖନ୍ତି ଜଗନ୍ନାଥ?

ରଥ କଥା/ ଅସିତ ମହାନ୍ତି

ଶ୍ରୀଜଗନ୍ନାଥ ଚକାଆଖି । ସେ ଆଖିରେ ପଲକ ନଥାଏ । ସେଥିପାଇଁ ତାଙ୍କୁ ‘ଜଗତ୍‍ଚକ୍ଷୁ’ ବା ‘ସାକ୍ଷୀ ପୁରୁଷ’ କୁହାଯାଇଛି । ଲୋକୋକ୍ତିରେ କୁହାଯାଏ- “ଚକାଆଖି ସବୁ ଦେଖୁଛି” । ଅଥଚ ପ୍ରତିବର୍ଷ ରଥଯାତ୍ରା ପୂର୍ବରୁ ତାଙ୍କର ‘ନେତ୍ରୋତ୍ସବ’ ହୋଇଥାଏ । ଏହା ହୁଏ ତାଙ୍କର ‘ନବଯୌବନ ଦର୍ଶନ’ ପରେ । ତା’ ହେଲେ କ’ଣ ନବଯୌବନ ଦର୍ଶନ ବେଳକୁ ଆମେ ତାଙ୍କୁ ଦେଖୁ, କିନ୍ତୁ ସେ ଆମକୁ ଦେଖନ୍ତି ନାହିଁ?

ନବଯୌବନ ଦର୍ଶନ ପୂର୍ବର ଗୋଟିଏ ନୀତି ହେଉଛି ପଟିଦିଅଁଙ୍କ ବିସର୍ଜନ । ଏ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ ନିର୍ଦ୍ଦିଷ୍ଟ ବିଧାନ ଅଛି । ତାହାର ପଞ୍ଚଦଶ ଅଧ୍ୟାୟରେ କୁହାଯାଇଛି- ଅମାବାସ୍ୟା ଦିନ ରାତିରେ, ତିନିଘଡ଼ି ଗଲା ଉତ୍ତାରୁ ଆଚାର୍ଯ୍ୟ ସ୍ନାନ କରି, ପୂର୍ବରୁ ପଟରେ ଆରୋପିତ ହୋଇଥିବା ଦେବତାଙ୍କୁ ବିସର୍ଜନ ଦେବେ । ତାହା ପରେ ଖଟ ଉଠାଇଦେଇ ତାଟି ଖୋଲାଯିବ । ଠାକୁରଙ୍କ ସମ୍ମୁଖ ଧୌତ କରାହେବ । ତାହାପରେ ଠାକୁରଙ୍କ ଆଗରେ ଦୁଇଟି ଛତ୍ର ଧରି ଘଣ୍ଟ ଘଣ୍ଟାଆଦି ଧ୍ୱନି ଏବଂ ଗୀତ, ନୃତ୍ୟ ଓ ବାଦ୍ୟର ଆସର ହେବ ।

ଏ ସଂପର୍କରେ ସୂଚନାଯୋଗ୍ୟ ଯେ ଅମାବାସ୍ୟା ରାତିର ଏହିସବୁ ନୀତି ଭିତରେ ରାତି ପାହି ଭୋର୍‍ ହୋଇଯାଏ । ଫଳରେ ଆଷାଢ଼ ଶୁକ୍ଳ ପ୍ରତିପଦା ସକାଳେ ଭକ୍ତମାନେ ଠାକୁରମାନଙ୍କର ନବଯୌବନ ଦର୍ଶନ କରିଥାନ୍ତି । ଦୀର୍ଘ ୧୫ ଦିନର ଅଣସର ପରେ ସେମାନଙ୍କୁ ଏହି ନୂଆ ରୂପରେ ଦେଖିବାକୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖା ଦେଇଥାଏ । ନବକଳେବର ବର୍ଷରେ ଅଣସରର ସମୟ ଅଧିକ ଏକମାସ ହେଉଥିବାରୁ, ଦୀର୍ଘ ୪୫ ଦିନର ମହାଅଣସର ପରେ ଭକ୍ତମାନେ ଏହି ଦର୍ଶନ ପାଇଥାଆନ୍ତି । ଏହା ହୋଇଥାଏ ନବକଳେବର ହୋଇଥିବା ଠାକୁରମାନଙ୍କର ପ୍ରଥମ ଦର୍ଶନ ।

ଅନେକଙ୍କର ଧାରଣା ଯେ ଏହି ‘ନବଯୌବନ’ ବା ‘ନବକଳେବର’ ଦର୍ଶନ ପୂର୍ବରୁ ଠାକୁରମାନଙ୍କର ନେତ୍ରୋତ୍ସବ ନୀତି ସରିଥାଏ । କିନ୍ତୁ ଏହା ସତ୍ୟ ନୁହେଁ । ନବଯୌବନ ଦର୍ଶନ ପରେ ହିଁ ହୁଏ ସେମାନଙ୍କର ନେତ୍ରୋତ୍ସବ ନୀତି ।

ଏହା ମନରେ ପ୍ରଶ୍ନବାଚୀ ସୃଷ୍ଟି କରେ । ପ୍ରଶ୍ନଟି ଏହି ଯେ- ନବଯୌବନ ଦର୍ଶନ ବେଳକୁ କ’ଣ ଠାକୁରମାନଙ୍କର ଆଖି ଖୋଲି ନଥାଏ? ଏହାର ଉତ୍ତର ହେଉଛି- ନବଯୌବନ ଦର୍ଶନ ବେଳକୁ ଶ୍ରୀମୁଖ ଶିଙ୍ଗାରୀ ଦତ୍ତ ମହାପାତ୍ର ସେବକ ଠାକୁରମାନଙ୍କର ଶ୍ରୀମୁଖରେ ନେତ୍ର ଅଙ୍କନ କରିଥାଆନ୍ତି । କିନ୍ତୁ ସେହି ଆଖିରେ ପୁଅଡୋଳା ଅଙ୍କନ କରାଯାଇନଥାଏ । ଆଖିର ପୁଅଡୋଳା ବା ନେତ୍ରପିତୁଳା ଅଙ୍କନ ହିଁ ନେତ୍ରୋତ୍ସବର ନୀତି । ଏହି ନୀତି ପୂଜାପଣ୍ଡା ସେବକମାନେ ସଂପନ୍ନ କରିଥାଆନ୍ତି ।

Pinterest

ଏହି ନୀତିର ନିର୍ଦ୍ଦିଷ୍ଟ ବିଧାନ ରହିଛି । ସ୍ୱତ୍ୱଲିପିରେ ଏ ସଂପର୍କରେ ଉଲ୍ଲେଖ ଅଛି- ନବଯୌବନ ଦର୍ଶନ ପରେ, ଭିତର ପହଁରାଯାଇ ଚୂନପାଣି ପଡ଼େ । ତିନିଟି ରୂପା ପିଙ୍ଗଣରେ ଚନ୍ଦନ ଆସିଲେ ପତି ମହାପାତ୍ର ତାହାକୁ ସଂସ୍କାର କରିବା ପରେ ଦଇତାପତି ଚନ୍ଦନଲାଗି କରନ୍ତି । ତା’ ପରେ ମଇଲମ (ବେଶ ବଦଳା) ହୋଇ ତିନିଠାକୁର ନଅଖଣ୍ଡ ଓ ସୁଦର୍ଶନ ଏକ ଖଣ୍ଡ ବୋଇରାଣୀ ବସ୍ତ୍ର ପରିଧାନ କରନ୍ତି । ଏହା ପରେ ପତି ମହାପାତ୍ର ଅକ୍ଷତ, କର୍ପୂର ଆଳତି, ସାତବତି, ସଞ୍ଜକାହାଳୀ ବନ୍ଦାପନା କରିବା ଉତ୍ତାରେ ଦତ୍ତ ମହାପାତ୍ର (ତିନିବାଡ଼ ପାଇଁ ତିନିଜଣ) ଆସି ତିନିଟି ରୁପା ବଟାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଳା ଯୋଗାନ୍ତି । ପୂଜାପଣ୍ଡା ତିନିଜଣ ତିନିଟି କାଠିରେ ଠାକୁରମାନଙ୍କର ଶ୍ରୀନେତ୍ର ଲାଗି କରନ୍ତି

‘ନୀଳାଦ୍ରି ମହୋଦୟ’ରେ ଏ ସଂପର୍କରେ କୁହାଯାଇଛି, “ନାନା ବାଦ୍ୟଧ୍ୱନିର ମହୋତ୍ସବ ମଧ୍ୟରେ ପୂଜକ ଠାକୁରମାନଙ୍କ ନିକଟକୁ ଯାଇ ‘ତଚ୍ଚକ୍ଷୁଃ’ ମନ୍ତ୍ରରେ ଠାକୁରମାନଙ୍କର ନେତ୍ର ପଦ୍ମରେ ଦୁଇଟି ନେତ୍ର ପ୍ରଦାନ କରିବେ । ଏହାକୁ ନେତ୍ରୋତ୍ସବ କୁହାଯାଏ ।”

ଏହି ‘ତଚ୍ଚକ୍ଷୁଃ’ ମନ୍ତ୍ର ହେଉଛି ଯଜୁର୍ବେଦର ଏକ ବିଶେଷ ମନ୍ତ୍ର । ଏହାର ଅର୍ଥ- “ହେ ପ୍ରଭୁ! ଦେବତା, ଅସୁର, ମନୁଷ୍ୟ- ସମସ୍ତଙ୍କର ଶୁଭ ସନ୍ଦର୍ଶନପାଇଁ ଆପଣଙ୍କର ଚକ୍ଷୁ ଉଦ୍ଦିଷ୍ଟ ଅଟେ ।” ଅର୍ଥାତ୍‍, ପ୍ରଭୁ ସଦାସର୍ବଦା ସମସ୍ତଙ୍କର ମଙ୍ଗଳ ହିଁ ଦେଖିଥାଆନ୍ତି ।

ତା’ ହେଲେ, ନବଯୌବନ ଦର୍ଶନ ବେଳେ ପୁଅଡୋଳା ନଥାଇ ଠାକୁର ଆମକୁ କିପରି ଦେଖନ୍ତି? ଆମର ମଙ୍ଗଳ କିପରି ଦେଖିଥାଆନ୍ତି?
ଏହାର ଉତ୍ତର ହେଉଛି- ପ୍ରଭୁଙ୍କର ଚକ୍ଷୁ ଆମ ପରି ସାଧାରଣ ଚକ୍ଷୁ ନୁହେଁ । ତାହା ହେଉଛି ଅନ୍ତର୍ଚକ୍ଷୁ । ନବଯୌବନ ଦର୍ଶନ ବେଳକୁ ତାଙ୍କର ଶ୍ରୀମୁଖରେ ଦତ୍ତ ମହାପାତ୍ର ସେବକଙ୍କଦ୍ୱାରା ଚକ୍ଷୁ ଅଙ୍କନ କରାଯାଇଥିଲେ ମଧ୍ୟ ସେହି ଚକ୍ଷୁର ଉନ୍ମୀଳନ ହୋଇ ନଥାଏ । କିନ୍ତୁ ତାଙ୍କର ଅନ୍ତର୍ଚକ୍ଷୁ ଚିର ଉନ୍ମୀଳିତ ରହିଥାଏ ।

 

ସେହି ଚକ୍ଷୁରେ ହିଁ ସେ ଆମକୁ ଏବଂ ସାରା ଜଗତକୁ ସଦାସର୍ବଦା ଅପଲକ ନେତ୍ରରେ ଦେଖୁଥାଆନ୍ତି । ପୂଜାପଣ୍ଡା ସେବକ କେବଳ ‘ଲୌକିକ ଭାବରେ’ ତାଙ୍କର ଚକ୍ଷୁ ଉନ୍ମୀଳିତ କରିଥାଆନ୍ତି ।

ଏ ପ୍ରସଙ୍ଗରେ ‘କଠୋପନିଷଦ’ରେ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉକ୍ତି ଅଛି । କୁହାଯାଇଛି- ସେ ଗୋଟିଏ ସ୍ଥାନରେ ବସି ରହି ମଧ୍ୟ ଦୂରକୁ ଯାଇ ପାରନ୍ତି । ଶୋଇ ରହି ମଧ୍ୟ ସର୍ବତ୍ର ଗମନ କରିପାରନ୍ତି ।

ସେହିପରି, ନବଯୌବନ ଦର୍ଶନ ବେଳକୁ ଲୌକିକ ଭାବରେ ତାଙ୍କର ଆଖି (ପୁଅଡୋଳା) ଖୋଲି ନଥିଲେ ମଧ୍ୟ, ପ୍ରକୃତରେ ତାଙ୍କର ଆଖି ଥାଏ । ସେହି ଆଖିରେ ହିଁ ସେ ଆମକୁ ଓ ଆମର ମଙ୍ଗଳକୁ ଦେଖିଥାଆନ୍ତି ।

ସମ୍ବନ୍ଧିତ ଖବର