ପଢ଼ନ୍ତୁ ଗୀତାର ଗୋଟିଏ ଶ୍ଳୋକ : ଜାଣନ୍ତୁ ଗୀତାପାଠରୁ ମିଳେ କେଉଁ ସବୁ ଉପକାର

ଓଡ଼ିଆରେ ଢଗଟିଏ ଅଛି: ରୁଚୁ ନ ରୁଚୁ ଖାଆ ପିତା; ବୁଝ ନ ବୁଝ ପଢ଼ ଗୀତା। ଅର୍ଥାତ୍‌ ପିତା ଯେମିତି ମାନବ ଶରୀର ପାଇଁ ହିତକାରକ, ଗୀତାପାଠ ସେମତି ଆତ୍ମଶୋଧନ ପାଇଁ ଜରୁରି। ଗୀତାର ଗୋଟାଏ ପଙ୍‌କ୍ତିରେ ଉଲ୍ଲେଖ ଅଛି ସମସ୍ତଙ୍କ ହୃଦୟରେ ଈଶ୍ୱର ବାସ କରନ୍ତି, ତାଙ୍କ ମାୟାରେ ବାଟବଣା ହୋଇ ମାନବ ଏଣେତେଣେ ଭ୍ରମୁଛି। ଈଶ୍ୱର ସର୍ବ ବିଦ୍ୟମାନ। ତାଙ୍କୁ ସ୍ମରଣ କଲେ କାୟାଶୁଦ୍ଧି ହୁଏ; ଚିତ୍ତ ପ୍ରଫୁଲ୍ଲ ରହେ।
ଏଇ ଶ୍ଳୋକଟି ଜଣେ କୃଷକର ପୁଅକୁ ଖୁବ୍‌ ପ୍ରଭାବିତ କରିଥିଲା। ତେଣୁ ସେ ବରାବର ଏହାକୁ ଆବୃତ୍ତି କରୁଥିଲା। ଦିନେ ବାପା ତାକୁ କହିଲେ, ‘‘ବିଲକୁ ଚାଲ୍‌, ମତେ ଟିକେ କାମରେ ସାହାଯ୍ୟ କରିବୁ।’’


ବାପ କଥା ମାନି ପୁଅ ଗଲା। କଅଁଳ ବୟସ ହେଲେ ବି ତା’ର ବୁଝିବା ଶକ୍ତି ଭାରି ପୋଖତ। ଗୀତାର ସେଇ ଗୋଟିଏ ଶ୍ଳୋକରୁ ସତେ ଅବା ସେ ଜୀବନର ସବୁ ଜ୍ଞାନ ହାସଲ କରିଥିଲା। ଏ ପରି ହେବାର ବି କାରଣ ଥିଲା। ଧଳା କନା ଖଣ୍ଡିକୁ ସହଜରେ ଯେ କୌଣସି ରଙ୍ଗ କରି ହୁଏ, କିନ୍ତୁ ମଳିନ କନାକୁ ରଙ୍ଗ କରିବା କଷ୍ଟକର। ଯେହେତୁ ପିଲାଙ୍କର ହୃଦୟ ନିର୍ମଳ, ତା’ ମନରେ ଗୀତା ରୂପକ ରଙ୍ଗ ସହଜରେ ଲାଗିଯାଇଥିଲା। ଯାହା ସଂସାର ଜଞ୍ଜାଳରେ ପଶି ଅପରିଷ୍କାର ହୋଇ ଯାଇଥିବା ପ୍ରାପ୍ତବୟସ୍କମାନଙ୍କ ମନରେ ଲାଗି ପାରେ ନାହିଁ।

କୃଷକ ବାପୁଡ଼ା ନିଜ ବିଲରେ ନ ପଶି ପଶିଲା ପଡ଼ୋଶୀଙ୍କ ବିଲରେ। ପୁଅକୁ କହିଲା: ଟିକେ ଚାରି ଆଡ଼କୁ ଦୃଷ୍ଟି ରଖିଥିବୁ। କାଳେ କିଏ ଏଆଡ଼େ ଆସୁଥିବ। ଏ ବିଲରୁ ମୁଁ ଗୋରୁଙ୍କ ପାଇଁ କିଛି ଘାସ କାଟିନେଉଛି। ଯଦି କିଛି ଅଧିକ କାଟି ପାରିଲି ତ ତାକୁ ବିକି ଦେବା।

ପୁଅ ଭାବିଲା, ବାପା ପିଲାଦିନେ ନିଶ୍ଚୟ ମିଛୁଆ, ଅସାଧୁ ଏବଂ ଠକ ସ୍ୱଭାବର ପିଲାଙ୍କ ସାଙ୍ଗ ହୋଇଛନ୍ତି। ସେମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପ୍ରାପ୍ତ ବୟସରେ ବି ସେ ଦୁର୍ଗୁଣ ସବୁ ତେଜି ପାରି ନାହାନ୍ତି।

ତାଙ୍କ ଭଳି ଲୋକର ପୁଅ ହୋଇ ମଧ୍ୟ ପିଲାଟି ଉପରେ ଗୀତାର ପ୍ରଭାବ ପଡ଼ିଥିବାରୁ ସେ ଭଲମନ୍ଦର ଫରକ ବାରିପାରୁଥିଲା। ସେ ଜବାବ ଦେଲା: ବାପା! ବାହାରେ ଏ କଥା କେହି ଦେଖୁ ନାହାନ୍ତି। ତୁମେ ଓ ମୁଁ ଏଇଠି ଅଛନ୍ତି। କିନ୍ତୁ କେହି ଜଣେ ଆମକୁ ଦେଖୁଛନ୍ତି।
ଚମକି ପଡ଼ି ବାପା ଚାରିଆଡ଼କୁ ଚାହିଁ କହିଲେ: କିଏ ଦେଖୁଛି?

ପୁଅ କହିଲା: ତୁମ ଓ ମୋ ଭିତରେ ବିଦ୍ୟମାନ ଥିବା ଈଶ୍ୱର ଏ କାମ ଦେଖୁଛନ୍ତି।


ପୁଅର ଉତ୍ତର ଶୁଣି ବାପାଙ୍କର ଥରା ଉଠିଲା। ହାତରୁ ଦାଆ ଖସିପଡ଼ିଲା। ପୁଅକୁ କୋଳାଇ ନେଇ ସେ କହିଲେ: ପୁଅ ତୁ ମୋର ଆଖି ଖୋଲି ଦେଲୁ। ପାର୍ଥିବ ସଂସାରେ ମୁଁ ତୋ ବାପା, ତୁ ମୋ ପୁଅ। କିନ୍ତୁ ଅଧ୍ୟାତ୍ମ ଜଗତ୍‌ରେ ତୁ ମୋ ବାପ ମୁଁ ତୋ ପୁଅ।

ସେବେଠାରୁ ସବୁ ଦୁର୍ଗୁଣ ପରିହାର କରି ସତ୍‌ ପଥରେ ଚାଲିବାକୁ କୃଷକ ମନବଳାଇଲା।

ଏଇ ଘଟଣା ଗୀତାପାଠରୁ ମିଳିଥିବା ସଦ୍‌ଗୁଣରୁ ଗୋଟିଏ ମାତ୍ର ଦୃଷ୍ଟାନ୍ତ। ସତ୍‌ଚିତ୍ତରେ ଗୀତାପାଠ କରି ତାହାର ସାର ଗ୍ରହଣ କଲେ ଜୀବନରେ ଦିବ୍ୟ ଅନୁଭୂତି ଲାଭ କରିହୁଏ। ଏହା ସହ ଗୀତାପାଠ ଦ୍ୱାରା ସୁଖ ସମୃଦ୍ଧି ବଢ଼ିବା ସହ ଜୀବନ ଭୟଶୂନ୍ୟ ହୋଇ ଉଠେ ବୋଲି ଅନୁଭବୀମାନେ କହନ୍ତି।

ସମ୍ବନ୍ଧିତ ଖବର