୫୧ ଇଞ୍ଚ୍ର କାକୁଡ଼ି ଫଳାଇ ଚର୍ଚ୍ଚାରେ ଭାରତୀୟ ବଂଶୋଦ୍ଭବ; ନିଜ ସ୍ୱାସ୍ଥ୍ୟ ଓ ପରିବାର ବ୍ୟତୀତ କାକୁଡ଼ି ପାଇଁ ବି କରନ୍ତି ଈଶ୍ୱରଙ୍କୁ ପ୍ରାର୍ଥନା
ଲମ୍ବା କାକୁଡ଼ି ଭାବେ ପୂର୍ବରୁ ଗିନିଜ୍ ବୁକ୍ରେ ସ୍ଥାନ ପାଇଥିଲା ୪୨.୧୩ ଇଞ୍ଚ୍ର କାକୁଡ଼ି
ନୂଆଦିଲ୍ଳୀ: ଇଂଲଣ୍ଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ତାଙ୍କ କ୍ଷେତରେ ଏକ ୫୧ ଇଞ୍ଚ୍(ପାଖାପାଖି ଜଣେ ମଣିଷର ଉଚ୍ଚତା)ର କାକୁଡ଼ି ଫଳାଇ ଏବେ ରେକର୍ଡ ସୃଷ୍ଟି କରିଛନ୍ତି। ୭୧ ବର୍ଷିଅ ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାଘବିର୍ ସିଂହ ସାନଘେରା। ସେ ୧୯୯୧ ମସିହାରେ ବିଦେଶ ଯିବା ପୂର୍ବରୁ ଭାରତରେ ଚାଷ କାର୍ଯ୍ୟ କରୁଥିଲେ। ସେ ନିକଟରେ ଫଳାଇଥିବା ଏହି ବୃହତ୍ କାକୁଡ଼ିଟି ଏବେ ବି ଗଛରେ ରହିଛି, ତାହାକୁ ଏଯାବତ୍ ତୋଳା ଯାଇନାହିଁ।
ପୂର୍ବରୁ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସବୁଠାରୁ ଲମ୍ବା କାକୁଡ଼ି ଭାବେ ସ୍ଥାନ ପାଇଥିବା କାକୁଡ଼ିର ଲମ୍ବ ଥିଲା ୪୨.୧୩ ଇଞ୍ଚ୍। ୨୦୧୧ ମସିହାରେ େଓ୍ଵଲ୍ର ଜଣେ ଚାଷୀ ଏହି ରେକର୍ଡ ସୃଷ୍ଟି କରିଥିଲେ।
ସାନଘେରା ଏହି ୫୧ ଇଞ୍ଚ ଫଳିଥିବା କାକୁଡ଼ିର ଗଛମୂଳରେ ସକାଳେ, ଗାଧୁଆବେଳେ ଓ ସଂଧ୍ୟାବେଳେ ପାଣି ସହ ସାର ଦେଇଥାନ୍ତି। ସେ କହନ୍ତି ଯେ ସେହି କାକୁଡ଼ିଟିକୁ ଅନେଇ ଦିନକୁ ପ୍ରାୟ ୩ ଘଣ୍ଟା ବସିରହନ୍ତି।
ସମାନ ମଞ୍ଜିରେ ସେ ଗତବର୍ଷ ୩୯ ଇଞ୍ଚ୍ର ଏକ କାକୁଡ଼ି ଫଳାଇଥିଲେ। ଏବର୍ଷ ଆହୁରି ଟିକେ ଲମ୍ବା କାକୁଡ଼ି ଫଳାଇବା ଆଶାରେ ସେ ଅଧିକ ଯତ୍ନଶୀଳ ହୋଇ ପଡ଼ିଛନ୍ତି।
ସେ କହନ୍ତି କି ସେ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କରନ୍ତି ସେ ନିଜ ସ୍ୱାସ୍ଥ୍ୟ, ତାଙ୍କ ପରିବାର ବ୍ୟତୀତ କାକୁଡ଼ି ପାଇଁ ବି ଈଶ୍ୱରଙ୍କ ସମ୍ମୁଖରେ ଗୁହାରୀ କରନ୍ତି।
ଯେତେବେଳେ ଏହାର ବଢ଼ିବା ବନ୍ଦ ହୋଇଯିବ ସାନଘେରା ଏହାକୁ ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେବା ପାଇଁ ଚିନ୍ତା ରଖିଛନ୍ତି।