ଭାଇଚାରା : ଗାଁର ମୁସଲମାନଙ୍କ ପାଇଁ ମସଜିଦ୍‌ ନିର୍ମାଣ କଲେ ଶିଖ

‘ଦୁଃଖ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ‘ଏହି ଆପ୍ତ ବାକ୍ୟକୁ ପ୍ରମାଣିତ କରିଛନ୍ତି ପଞ୍ଜାବର ସରଓ୍ଵାପୁରର ଗ୍ରାମବାସୀ । ଧର୍ମ ଓ ସଂପ୍ରଦାୟର ଭେଦଭାବକୁ ଭୁଲି ଏହି ଗ୍ରାମର ଶିଖ ପରିବାର ଏକତ୍ର ହୋଇ ନିର୍ମାଣ କରିଛନ୍ତି ମୁସଲମାନମାନଙ୍କ ପାଇଁ ମସଜିଦ୍‌ । ପଞ୍ଜାବର ଏହି ଛୋଟ ଗ୍ରାମରେ ୧୧ଟି ମୁସଲମାନ୍‌ ପରିବାର ଏବଂ ୩୦୦ଟି ଶିଖ ପରିବାର ରହନ୍ତି । ଗ୍ରାମରେ ଶିଖ ଲୋକ ଅଧିକ ସଂଖ୍ୟାରେ ରହୁଥିବାରୁ ସେଠାରେ ରହିଛି ଗୁରୁଦ୍ୱାରା । କିନ୍ତୁ ମୁସଲମାନ ପରିବାରଙ୍କୁ ଇଦ ଏବଂ ପ୍ରତି ଶୁକ୍ରବାର ନମାଜ୍‌ ପାଇଁ ଯିବାକୁ ପଡ଼ିଥାଏ ୧୦ କିଲୋମିଟର ସମରାଲା ସହରରେ ଥିବା ମସଜିଦକୁ ।

ଗାଁର ମୁସଲମାନମାଙ୍କର ଏହି ସମସ୍ୟାକୁ ଶିଖ ସଂପ୍ରଦାୟର ଜୋଗା ସିଂ ଅନୁଭବ କଲେ ଏବଂ ଗ୍ରାମରେ ଏକ ମସଜିଦ୍‌ ନିର୍ମାଣ ପାଇଁ ଇଂଲଣ୍ଡରେ ଥିବା ତାଙ୍କ ଭାଇ ସଜ୍ଜନ ସିଂଙ୍କୁ ପ୍ରସ୍ତାବ ଦେଲେ । ସଜ୍ଜନ ମଧ୍ୟ ମସଜିଦ୍‌ ପାଇଁ ଟଙ୍କା ଦେବା ପାଇଁ ତୁରନ୍ତ ରାଜି ହୋଇଗଲେ। ୧୯୪୭ ମସହାରେ ଦଙ୍ଗା ସମୟରେ ଗ୍ରାମରେ ଥିବା ମସଜିଦ୍‌ ଭାଙ୍ଗି ଯାଇ ଥିବା ସ୍ଥାନରେ ଗ୍ରାମବାସୀ ମିଳିତ ଭାବେ ନୂତନ ମସଜିଦ୍‌ ନିର୍ମାଣ କଲେ । ଏହା ଦ୍ୱାରା ମୋର ସ୍ୱପ୍ନ ସାକାର ହୋଇଛି ବୋଲି କହିଛନ୍ତି ଗ୍ରାମରେ ରହୁଥିବା ଜଣେ ୮୦ ବର୍ଷର ବୃଦ୍ଧ ମୁସଲମାନ । ବର୍ତ୍ତମାନ ଏହି ଘଟଣାଟି ସାରା ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିବା ସହ ସମାଜରେ ଜାତି ଧର୍ମ ନିର୍ବିଶେଷରେ ମିଳିତ ଭାବେ ରହିବାର ଶିକ୍ଷା ପ୍ରଦାନ କରିଛି।

ସମ୍ବନ୍ଧିତ ଖବର