ଓ୍ଵାସିଂଟନ୍: ଗଣିତ ପରୀକ୍ଷା ଦେବାକୁ ଡର ଲାଗୁଛି କି? ଆଉ ଡର ନାହିଁ। ବସିବା ଠାଣି ଟିକେ ବଦଳାଇ ଦେଲେ ଜଣେ ଗଣିତରେ ଢେର୍ ନମ୍ବର ରଖି ପାରିବେ।
୧୨୫ ଜଣ କଲେଜ ଛାତ୍ରଛାତ୍ରୀଙ୍କ ଉପରେ ଗବେଷଣା କରି ସାନ୍ ଫ୍ରାନ୍ସିସ୍କୋ ଷ୍ଟେଟ୍ ୟୁନିଭର୍ସିଟିର ଗବେଷକମାନେ ଏ ଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ବସିବା ଠାଣି ଉପରେ ସବୁ କିଛି ନିର୍ଭର କରୁଛି ବୋଲି ସେମାନେ ମତ ଦିଅନ୍ତି।
ଛାତ୍ରଛାତ୍ରୀମାନେ ମୁଖ୍ୟତଃ ଦୁଇ ପ୍ରକାର ଠାଣିରେ ବସନ୍ତି- ଆଗକୁ ଝୁଙ୍କି ପଡ଼ି, ନତୁବା କାନ୍ଧ ଓ ପିଠିକୁ କୋହଳ ରଖି ସିଧା ହୋଇ। ଏଇ ଦୁଇ ମୁଦ୍ରାରେ ବସୁଥିବା ଛାତ୍ରଛାତ୍ରୀମାନଙ୍କୁ କେତୋଟି ସହଜିଆ ଅଙ୍କ କଷିବାକୁ ଦେଇଥିଲେ ଗବେଷକଗଣ। ସେମାନଙ୍କ ମଧ୍ୟରୁ ୫୬% ପରୀକ୍ଷାର୍ଥୀ କହିଲେ କି, ସଳଖ ହୋଇ ବସିଲେ ଅଙ୍କ କଷିବା ସହଜ ହେଉଛି।
ଶାରୀରିକ ଶିକ୍ଷା ବିଭାଗର ପ୍ରଧ୍ୟାପକ ଏରିକ୍ ପେପର୍ କହିଛନ୍ତି: ଗଣିତ ପ୍ରତି ଉଦ୍ବିଗ୍ନ ହେଉଥିବା ଲୋକମାନଙ୍କ ପାଇଁ ବସିବା ମୁଦ୍ରା ବଡ଼ ପାର୍ଥକ୍ୟ ଆଣିଥାଏ। ଆଗକୁ ଝୁଙ୍କି ବସିବା ଦ୍ୱାରା ସେମାନଙ୍କ ମସ୍ତିଷ୍କ ଉତ୍ତମ ରୂପେ କାର୍ଯ୍ୟ କରିପାରେ ନାହିଁ। ସେମାନେ ଭଲ ଭାବେ ଚିନ୍ତା ମଧ୍ୟ କରି ପାରନ୍ତି ନାହିଁ।
ଶାରୀରିକ ଶିକ୍ଷା ବିଭାଗର ସହକାରୀ ପ୍ରଧ୍ୟାପକ ରିଚାର୍ଡ ହାର୍ଭି କହନ୍ତି: ଝୁଙ୍କିପଡ଼ି ବସିବା ହେଉଛି ଗୋଟାଏ ରକ୍ଷାତ୍ମକ ମୁଦ୍ରା ଯାହା ଶରୀର ଓ ମସ୍ତିଷ୍କରେ ପୁରାତନ ନକାରାତ୍ମକ ସ୍ମୃତି ସବୁ ଜାଗ୍ରତ କରି ପକାଏ। ଗଣିତ ପ୍ରତି ଉଦ୍ବିଗ୍ନ ହେଉ ନ ଥିବା ଶିକ୍ଷାର୍ଥୀମାନଙ୍କ କ୍ଷେତ୍ରରେ ବସିବା ମୁଦ୍ରାରେ କୌଣସି ଫରକ ନାହିଁ।
ଗବେଷକମାନେ କହନ୍ତି: କେବଳ ଗଣିତ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ଶାରୀରିକ ମୁଦ୍ରାର ଯଥେଷ୍ଟ ପ୍ରଭାବ ରହିଛି। ଖେଳାଳି, ସଙ୍ଗୀତଜ୍ଞ ଏବଂ ବକ୍ତାମାନେ ମଧ୍ୟ ଦେହକୁ ସଳଖ ରଖିଲେ ଉତ୍ତମ ରୂପେ ନିଜର ଦକ୍ଷତା ପରିବେଶର କରି ପାରନ୍ତି।