ଆଜିକାଲି ଅଣ୍ଟା ଯନ୍ତ୍ରଣା ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଛି। ନିୟମିତ ଚାଲିବା ହେଉଛି ଏଭଳି ଏକ ବିପଦହୀନ ବ୍ୟାୟାମ, ଯାହା ଅଣ୍ଟା ଯନ୍ତ୍ରଣାକୁ ଦୂର କରିଦେଇପାରିବ ବୋଲି ଅଷ୍ଟ୍ରେଲିଆର ମାକ୍ବାରି ବିଶ୍ବବିଦ୍ୟାଳୟର ଗବେଷକମାନେ ଦାବି କରିଛନ୍ତି। ଏକ ଅନୁଧ୍ୟାନରେ ୭୦୧ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଅଣ୍ଟାରେ ଯନ୍ତ୍ରଣା ଏଭଳି ଏକ ଅସୁସ୍ଥତା, ଯାହା ଥରେ ଆରମ୍ଭ ହେଲେ ଲାଗି ରହିଥାଏ। ଚିକିତ୍ସା ଦ୍ବାରା ଉପଶମ ଲାଭ କରିଥିବା ପୀଡ଼ିତଙ୍କ ଭିତରୁ ପ୍ରାୟ ୭୦% ବର୍ଷକ ପରେ ପୁଣି ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରିଥା’ନ୍ତି। ତେବେ ବିନା ଖର୍ଚ୍ଚରେ ଯେ କୌଣସି ସ୍ଥାନରେ ଓ ଯେ କୌଣସି ସମୟରେ ଉପଲବ୍ଧ ହୋଇପାରୁଥିବା ‘ଚାଲିବା’ ବ୍ୟାୟାମ ହିଁ ଏ ଦିଗରେ ସର୍ବଶ୍ରେଷ୍ଠ ଆଶ୍ବସ୍ତି ପ୍ରଦାନ କରିବ ବୋଲି ଗବେଷକମାନେ କହିଛନ୍ତି। ତେବେ ଚାଲିବା ଦ୍ବାରା ଅଣ୍ଟା ଯନ୍ତ୍ରଣା ଦୂର ହେବାର ଠୋସ୍ କାରଣ ସେମାନେ ପାଇନାହାନ୍ତି। ସମ୍ଭବତଃ ଚାଲିଲେ ଆମର ମେରୁହାଡ଼, ସ୍ନାୟବିକ ସଂରଚନା ଓ ମାଂସପେଶୀଗୁଡ଼ିକ ଦୃଢ଼ ହୋଇଥାଏ, ଫଳରେ ଅଣ୍ଟାଯନ୍ତ୍ରଣା ଦୂର ହୋଇଥାଏ। ଏଥି ସହିତ ମନକୁ ଫୂର୍ତ୍ତି ରଖୁଥିବା ‘ଏଣ୍ଡୋର୍ଫିନ୍‌’ ହରମୋନ୍‌ର କ୍ଷରଣ ମଧ୍ୟ ସୁଗମ ହୋଇଥାଏ ବୋଲି ଜଣାପଡ଼ିଛି।