ପହଲଗାମ୍‌ ଗଣହତ୍ୟାର ପ୍ରତିଶୋଧରେ ଭାରତୀୟ ସେନା ଚଳାଇଥିବା ‘ଅପରେସନ୍‌ ସିନ୍ଦୂର’ର ସଫଳତା ପଛରେ ରହିଛି ଅନେକ ଶସ୍ତ୍ର। ଭାରତର ରାଫେଲ୍ ବିମାନରେ ଖଞ୍ଜା ଯାଇଥିବା ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ସ୍କାଲ୍‌ପ କ୍ରୁଜ୍ ମିସାଇଲ୍ ଓ ହାମର୍ ଗାଇଡେଡ୍ ମିସାଇଲ୍‌ ପାକିସ୍ତାନରେ ସଂହାର ରଚିଛି। ଭାରତୀୟ ସେନାର ସୁଦର୍ଶନ ଚକ୍ର କୁହାଯାଉଥିବା ଏସ୍-୪୦୦ ପାକିସ୍ତାନର ମିସାଇଲ୍‌, ବିମାନ ଓ ଡ୍ରୋନ୍‌ ଆକ୍ରମଣକୁ ଅକ୍ଳେଶରେ ପ୍ରତିହତ କରିଛି। ଏହିପରି ଆହୁରି ଅନେକ ଶସ୍ତ୍ର ‘ସିନ୍ଦୂର’କୁ ଦେଇଛି ସଫଳତା।

Advertisment

ରାତି ବଢ଼ିଲେ ତାତି ବଢ଼ୁଛି। ସଂଧ୍ୟା ହେଲେ ଭାରତ-ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ଶୁଣିବାକୁ ମିଳୁଛି ବିସ୍ଫୋରଣର ଭୟଙ୍କର ଆବାଜ୍‌। ଦୂର ଆକାଶରେ ଦେଖିବାକୁ ମିଳୁଛି ସହସା ମିଳାଇ ଯାଉଥିବା ଉଜ୍ଜ୍ବଳ ଆଲୋକ ପିଣ୍ଡୁଳା। ସେ ଜାମ୍ମୁକଶ୍ମୀରର ପଲ୍ଲୀ ହେଉ କି ପଞ୍ଜାବର ସହର, କିମ୍ବା ରାଜସ୍ଥାନର ମରୁଅଞ୍ଚଳ ହେଉ କି ଗୁଜୁରାଟର ଉପକୂଳ; ସବୁଠି ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ। ପହଲଗାମ୍‌ ଗଣହତ୍ୟାର ପ୍ରତିଶୋଧରେ ଭାରତୀୟ ସେନା ଚଳାଇଥିବା ‘ଅପରେସନ୍‌ ସିନ୍ଦୂର’ ଜବାବରେ ପାକ୍‌ ସେନା ଆରମ୍ଭ କରିଛି ଆକ୍ରମଣ। ଆକାଶ ସୀମା ଅତିକ୍ରମ ନକରି ଭାରତୀୟ ସେନା ମିସାଇଲ୍‌ ଓ ଡ୍ରୋନ୍ ମାଧ୍ୟମରେ ନିର୍ଦ୍ଦିଷ୍ଟ ଭାବେ ପାକ୍‌ ସେନା ପରିଚାଳିତ ଓ ସମର୍ଥିତ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ବଂସ କରିବା ଘଟଣାକୁ ସମଗ୍ର ବିଶ୍ବ ଭାରତର ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ଭାବେ ଗ୍ରହଣ କରିଥିବା ବେଳେ ପାକିସ୍ତାନ ଯୁଦ୍ଧ ଆରମ୍ଭ କରିଦେଇଛି। ଇସ୍‌ଲାମୀୟ ଆତଙ୍କବାଦର ମୁଖ୍ୟ କାର୍ପଟଦାର ପାକିସ୍ତାନ ‘ସିନ୍ଦୂର’ ମାଡ଼ ପରେ ଭାରତୀୟ ଅଞ୍ଚଳ ଉପରେ ଆରମ୍ଭ କରିଛି ଜୋରଦାର୍‌ ଆକ୍ରମଣ। ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ର ଅନୁସାରେ, ମେ ୮ ତାରିଖରେ ଜମ୍ମୁକାଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜୁରାଟର ୨୪ଟି ସହର ଉପରେ ତୁର୍କୀ ନିର୍ମିତ ୫୦୦ଟି ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରିଥିଲା ପାକିସ୍ତାନ। ମାତ୍ର ଭାରତର ଆକାଶ ପ୍ରତିରକ୍ଷା ବ୍ୟବସ୍ଥାରେ ସାମିଲ୍‌ ଥିବା ଆଣ୍ଟି-ମିସାଇଲ୍‌ ସିଷ୍ଟମ୍ ଏଲ୍‌ ୭୦, ଜେଡ୍‌ୟୁ-୨୩, ସିଲ୍‌କା ଓ ଆକାଶ ସେଗୁଡ଼ିକୁ ଚିହ୍ନଟ କରି ଉଡ଼ାଇ ଦେଇଛି। ଏତିକିରେ ପାକିସ୍ତାନ ଅଟକି ନଯାଇ ବିମାନ ଆକ୍ରମଣ ଉଦ୍ୟମ ମଧ୍ୟ କରିଛି। ସୂଚନା ଅନୁସାରେ, ଆମେରିକା ନିର୍ମିତ ଏଫ୍‌-୧୬ ଏବଂ ଚୀନ ନିର୍ମିତ ଜେଏଫ୍‌-୧୭ ଓ ଜେଏଫ୍‌-୧୦ ଯୁଦ୍ଧ ବିମାନ ବ୍ୟବହାର କରି ଭାରତରେ ବୋମାମାଡ଼ ଉଦ୍ୟମ କରିଥିଲା। କିନ୍ତୁ ଭାରତୀୟ ସେନା ପକ୍ଷରୁ ମୁତୟନ ହୋଇଥିବା ରୁଷ ନିର୍ମିତ ଏସ୍‌-୪୦୦ ଏୟାର୍ ଡିଫେନ୍ସ ସିଷ୍ଟମ୍‌ ଏହାକୁ ଠାବ କରି ଧ୍ବଂସ କରିଦେଇଛି। ମୋଟାମୋଟି ଏଯାବତ୍‌ ଭାରତୀୟ ସେନା ନିକଟରେ ଥିବା ଯୁଦ୍ଧାସ୍ତ୍ର ପାକିସ୍ତାନକୁ ମାଟି କାମୁଡ଼ାଇବାରେ ସଫଳ ହୋଇଛି। ଗୋଟିଏ ପଟେ ପାକ୍‌ ଆକ୍ରମଣକୁ ନିଷ୍ଫଳ କରିଥିବା ଓ ଅନ୍ୟପଟେ ପାକିସ୍ତାନର ଅଭ୍ୟନ୍ତରରେ ଥିବା ଆତଙ୍କବାଦୀ ଆଡ୍ଡା ଧ୍ବଂସ କରିଥିବା ଅସ୍ତ୍ରଶସ୍ତ୍ର ସଂପର୍କରେ ଅବଗତ ହେବା। ଭାରତୀୟ ସେନାରେ ଅତ୍ୟାଧୁନିକ ରଣକୌଶଳ ଓ ଅସ୍ତ୍ରଭଣ୍ଡାର ବିଷୟରେ ଜାଣିବା।

‘ସିନ୍ଦୂର’ର ସଂହାର ଶସ୍ତ୍ର
ଇତିମଧ୍ୟରେ ବଦଳିଛି ଯୁଦ୍ଧର ପରିଭାଷା। ସେନାର ପଦାତିକବାହିନୀ ଟ୍ୟାଙ୍କ୍‌ ଧରି ପାକ୍‌ ସୀମା ଭିତରକୁ ପ୍ରବେଶ କରିବା ଆବଶ୍ୟକ ପଡ଼ୁନାହିଁ କିମ୍ବା ବାୟୁସେନାର ପାଇଲଟ୍‌ ଶତ୍ରୁପକ୍ଷର ଆକାଶ ସୀମା ଭିତରେ ପଶି ଲକ୍ଷ୍ୟଭେଦ କରିବା ଧାରା ପୁରୁଣାକାଳିଆ ହୋଇଗଲାଣି। ମିସାଇଲ୍‌ ଓ ଡ୍ରୋନ୍‌ର ଉଦ୍ଭାବନ ପରେ ମାନବିକ କ୍ଷୟକ୍ଷତିକୁ ଏଡ଼ାଇବା ଦିଗରେ ସେନା ଯତ୍ନବାନ୍‌ ହେଉଛି। ଅପ‌ରେସନ୍‌ ‘ସିନ୍ଦୂର’ ସଂପର୍କରେ ସୂଚନା ‌ଦେବା ବେଳେ ଭାରତୀୟ ବାୟୁସେନାରେ ୱିଙ୍ଗ୍‌ କମାଣ୍ଡର୍ ବ୍ୟୋମିକା ସିଂହ କହିଥିଲେ, ଅବାଞ୍ଛିତ କ୍ଷୟକ୍ଷତିକୁ ଏଡ଼ାଇବା ସକାଶେ ଅତ୍ୟନ୍ତ ସତର୍କତାର ସହ ଚୟନ କରାଯାଇଥିବା ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇଥିଲା।
‘ସିନ୍ଦୂର’ ପାଇଁ ଭାରତର ପ୍ରଥମ ପସନ୍ଦ ଥିଲା ସ୍କାଲ୍‌ପ କ୍ରୁଜ୍ ମିସାଇଲ୍ ଓ ହାମର୍ ଗାଇଡେଡ୍ ମିସାଇଲ୍‌। ରାଫେଲ୍ ବିମାନରେ ଖଞ୍ଜା ଯାଇଥିବା ଏହି ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ଗତ ବୁଧବାର ମଧ୍ୟରାତ୍ରି ପରେ ପାକିସ୍ତାନର ନଅଟି ସ୍ଥାନରେ ଧ୍ବଂସଲୀଲା ରଚିଥିଲା। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଗଡ଼ ବାହାୱଲପୁର ଓ ଲସ୍କର-ଏ-ତୋଇବାର ମୁଖ୍ୟ କାର୍ଯ୍ୟାଳୟ ଥିବା ମୁଦିରକେ ଅନ୍ତର୍ଭୁକ୍ତ ଥିଲା।

କମାଲ୍‌ କଲା ସ୍କାଲ୍‌ପ!
ଏହି ସ୍କାଲ୍‌ପ କ୍ଷେପଣାସ୍ତ୍ର କ’ଣ? ସ୍କାଲ୍‌ପ ଷ୍ଟର୍ମ ସ୍ୟାଡୋ ନାମରେ ମଧ୍ୟ ଏହା ପରିଚିତ। ଆକାଶମାର୍ଗରୁ ନିକ୍ଷେପିତ ଏହି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ସ୍ବାତନ୍ତ୍ରୢ ହେଲା, ଏହା ନିକ୍ଷେପଣ ପରେ ଗତିପଥ ପରିବର୍ତ୍ତନ କରିପାରେ ଏବଂ ଏହାର ପ୍ରଦର୍ଶନ ଉପରେ ପ୍ରତିକୂଳ ପାଗର କୌଣସି ପ୍ରଭାବ ପକାଇପାରେନାହିଁ। ନିଃଶବ୍ଦରେ ଲକ୍ଷ୍ୟଭେଦ କ୍ଷମତା ପାଇଁ ଏହା ବେଶ୍‌ ଜଣାଶୁଣା। ସ୍କାଲ୍‌ପ (Scalp) ବା ଷ୍ଟର୍ମ ସ୍ୟାଡୋ ହେଉଛି ଏକ ଇଉରୋପୀୟ କ୍ଷେପଣାସ୍ତ୍ର ପ୍ରଣାଳୀ, ଯାହାର ମୂଳ ନାମ ହେଉଛି ‘Systeme de Croisiere Autonome a Lougue Portee’। ଏହାର ନିର୍ମାତା ଏମ୍.ବି.ଡି.ଏ.ର  କହିବା ଅନୁଯାୟୀ, ‘‘ଏହି ଅସ୍ତ୍ର ଯୋଜନାବଦ୍ଧ ଆକ୍ରମଣ କରିବା ଲାଗି ଶ୍ରେଷ୍ଠ ବିକଳ୍ପ। ସ୍କାଲ୍‌ପର ଲକ୍ଷ୍ୟଭେଦୀ କ୍ଷମତା ସଂପୂର୍ଣ୍ଣ ନିର୍ଭୁଲ। ଅତ୍ୟାଧୁନିକ ଦିଗ ନିର୍ଣ୍ଣୟ କ୍ଷମତା ଏହାର ଅନ୍ୟତମ  ଶକ୍ତି। ନିକ୍ଷେପିତ ହେବା ପରେ ଏହା ଭୂପୃଷ୍ଠରୁ  ଖୁବ୍ କମ୍ ଉଚ୍ଚତାରେ ଗତି କରିଥାଏ, ଫଳରେ ଶତ୍ରୁପକ୍ଷର ରାଡାର୍‌ ଦ୍ବାରା ଚିହ୍ନଟ ହୁଏନାହିଁ। ଲକ୍ଷ୍ୟସ୍ଥଳର ନିକଟତର ହେବା ପରେ ଏଥିରେ ଖଞ୍ଜା ଯାଇଥିବା ଇନ୍‌ଫ୍ରାରେଡ୍‌ ସେନ୍ସର୍ ଏହା ସମ୍ମୁଖରେ ଥିବା ଲକ୍ଷ୍ୟର ଚିତ୍ରକୁ ଏଥିରେ ପୂର୍ବରୁ ସାଇତା ଯାଇଥିବା ଚିତ୍ର ସହ ମେଳ କରିଥାଏ। ଉଭୟ ଛବି ମେଳ ଖାଇବା ପରେ ସ୍କାଲ୍‌ପ ଲକ୍ଷ୍ୟଭେଦ କରେ। ଏହା ଅବାଞ୍ଛିତ ପାରିପାର୍ଶ୍ବିକ କ୍ଷୟକ୍ଷତିକୁ ସର୍ବନିମ୍ନ କରିଥାଏ। ଏହା ୪୫୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରେ।’’ ସ୍କାଲ୍‌ପର ଏହି ବୈଶିଷ୍ଟ୍ୟଗୁଡ଼ିକ  ଲାଗି ପାକିସ୍ତାନ ଅଭ୍ୟନ୍ତରରେ ଥିବା ଆତଙ୍କବାଦୀଙ୍କ ଭିତ୍ତିଭୂମିଗୁଡ଼ିକ ଧ୍ବଂସ କରିବା ସକାଶେ ଅପରେସନ୍‌ ସିନ୍ଦୂର ଲାଗି ଏହାକୁ ଚୟନ କରାଯାଇଥିଲା।

କ’ଣ ଧ୍ବଂସ କଲା ହାମର୍?
ହାମର୍ (Hammer-High‌ly Agile Modular Munition Extended Range) ହେଉଛି ୭୦ କିଲୋମିଟର ଲକ୍ଷ୍ୟଭେଦୀ କ୍ଷମତା ବିଶିଷ୍ଟ ଆକାଶରୁ ସ୍ଥଳଭାଗକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର। ପ୍ରତିକୂଳ ପାଗରେ ମଧ୍ୟ ସଠିକ୍‌ ଲକ୍ଷ୍ୟକୁ ଆକ୍ରମଣ କରିବା ଏହାର ସ୍ବାତନ୍ତ୍ରୢ। ଏହାକୁ ଗ୍ଲାଇଡ୍ (ଭାସମାନ ବୋମା) ବୋମା ମଧ୍ୟ କୁହାଯାଇଥାଏ। ଏହାର ନିର୍ମାତା ଫ୍ରାନ୍ସର ସାଫ୍ରାନ୍ କମ୍ପାନି ପ୍ରଦତ୍ତ ତଥ୍ୟ ଅନୁସାରେ, ‘‘ଏ.ଏ.ଏସ୍.ଏମ୍. ହାମର୍‌ର ଲାଞ୍ଜରେ ବିସ୍ଫୋରକ ଖଞ୍ଜାଯିବା ଲାଗି ବ୍ୟବସ୍ଥା ରହିଛି। ମଡେଲ୍‌ ଅନୁଯାୟୀ ଏଥିରେ ୧୨୫, ୨୫୦, ୫୦୦ ବା ୧୦୦୦ କିଲୋଗ୍ରାମ୍ ଓଜନର ବିସ୍ଫୋରକ ପଠା ଯାଇପାରେ। ଏହି ସ୍ବୟଂଚାଳିତ ମିସାଇଲ୍‌ର ଆଉ ଏକ ବିଶେଷତ୍ବ ହେଲା, ଏହା ନେଟ୍‌ୱର୍କ ଜାମିଂ ଦ୍ବାରା ପ୍ରଭାବିତ ହୁଏନାହିଁ। ଖୁବ୍‌ ଅଳ୍ପ ଉଚ୍ଚତାରୁ ବିସ୍ଫୋରକ ପ୍ରକ୍ଷେପିତ କରିବା ସହ ହାମର୍‌ ଆଇ.ଏନ୍.ଏସ୍./ଜି.ପି.ଏସ୍., ଲେଜର୍/ଇନ୍‌ଫ୍ରାରେଡ୍ ଆଦି ଦିଗନିର୍ଣ୍ଣୟ ବ୍ୟବସ୍ଥା ସମର୍ଥିତ। ଏଣୁ ଖୁବ୍‌ ଅଳ୍ପ ଦୂରତାରୁ ଲକ୍ଷ୍ୟକୁ ଧ୍ବଂସ କରିଥାଏ।

ଏହିସବୁ ଶକ୍ତିଶାଳୀ ବୈଶିଷ୍ଟ୍ୟ ସହ ଖୁବ୍ କମ୍ ଉଚ୍ଚତାରୁ ନିକ୍ଷେପିତ କରାଯାଉଥିବାରୁ ଏହାକୁ ପ୍ରତିହତ କରିବା କଷ୍ଟସାଧ୍ୟ। ତେଣୁ ପାକିସ୍ତାନର ଆତଙ୍କବାଦୀ ଘାଟି ପରି ଦୁର୍ଗସଦୃଶ ଢାଞ୍ଚାକୁ ଭେଦ କରିବା ସକାଶେ ଏହା ଥିଲା ଶ୍ରେଷ୍ଠ ବିକଳ୍ପ। ଅପରେସନ୍‌ ସିନ୍ଦୂରରେ ହାମର ବ୍ୟବହାର କରି ଜୈଶ-ଏ-ମହମ୍ମଦ ଓ ଲସ୍କର୍‌-ଏ-ତୋଏବା ମୁଖ୍ୟ କାର୍ଯ୍ୟାଳୟ ସମେତ ବିଭିନ୍ନ ଆତଙ୍କବାଦ ଭିତ୍ତିଭୂମିଗୁଡ଼ିକୁ ଧ୍ବଂସ କରାଯାଇଥିବା ସୂଚନା ରହିଛି।

ରାଫେଲ୍‌ର ଶସ୍ତ୍ର ମେଟେଓର୍
ମେଟେଓର୍ ହେଉଛି ଏକ ଅତ୍ୟାଧୁନିକ ଶ୍ରେଣୀର ରାଡାର ବାହିତ ଦୃଷ୍ଟିପରିଧି ବାହାର (ରାଡାର ଗାଇଡେଡ୍‌ ଭିଜୁଆଲ୍‌ ରେଞ୍ଜ ବିୟଣ୍ଡ୍) ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର। ମେଟେଓର୍‌ର ବିଶେଷତ୍ବ ହେଲା, ଏହା ମୁଖ୍ୟଲକ୍ଷ୍ୟ ସହ ଏକାଧିକ ଲକ୍ଷ୍ୟକୁ ଆକ୍ରମଣ କରିପାରେ। ଏହାର ନିର୍ମାତା ଏମ୍.ବି.ଡି.ଏ. ଅନୁଯାୟୀ, ଏହି କ୍ଷେପଣାସ୍ତ୍ରର କଠିନ ଇନ୍ଧନରେ ଚାଲୁଥିବା ‘ରାମ୍‌ଜେଟ୍‌’ ମୋଟର ଖୁବ୍‌ ଶକ୍ତିଶାଳୀ। ଏହା ଯୋଗୁଁ ଲକ୍ଷ୍ୟସ୍ଥଳ ଭେଦ କରିବା ବା ଅନ୍ୟ ଯୁଦ୍ଧାସ୍ତ୍ରକୁ ବାଟରେ ଆଘାତ କରିବା ସତ୍ତ୍ବେ ଏହାକୁ ଆଗକୁ ବଢ଼ିବାର ଶକ୍ତି ମିଳିଥାଏ। ମେଟେଓର୍ ବଡ଼ ଯୁଦ୍ଧବିମାନଠାରୁ ଛୋଟ ଡ୍ରୋନ୍ ପର୍ଯ୍ୟନ୍ତ ସବୁ ଧରଣର ବାଧାକୁ ମୁକାବିଲା କରି ଲକ୍ଷ୍ୟଭେଦ କରିଥାଏ। ଏହି କ୍ଷେପଣାସ୍ତ୍ର ରାଫେଲ୍‌ ଯୁଦ୍ଧବିମାନ ଦ୍ବାରା ବ୍ୟବହୃତ ହେଉଥିବାରୁ ଅପରେସନ୍‌ ସିନ୍ଦୂରର ଅଂଶବିଶେଷ ଥିଲା।  

ସୁଖୋଇର ସାଥି ବ୍ରହ୍ମୋସ୍
ଅପରେସନ୍‌ ସିନ୍ଦୂରରେ ଭାରତ ଓ ରୁଷ୍‌ ମିଳିତ ଭାବେ ପ୍ରସ୍ତୁତ କରିଥିବା ସୁପର୍‌ସୋନିକ କ୍ରୁଜ୍ ମିସାଇଲ୍‌ ବ୍ରହ୍ମୋସ୍‌ ବ୍ୟବହାର ହୋଇଥିଲା। ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରକୁ ଆମ ପ୍ରତିରକ୍ଷା ବ୍ୟବସ୍ଥାର ତିନିଟିଯାକ ବିଭାଗରେ ସଫଳ ଭାବରେ ମୁତୟନ କରାଯାଇଛି। ବ୍ରହ୍ମୋସ୍‌ ଏେରାସ୍ପେସ୍ ଦ୍ବାରା ନିର୍ମାଣ ହେଉଥିବା ଏହି କ୍ଷେପଣାସ୍ତ୍ର ଭାରତର ଡି.ଆର୍.ଡି.ଓ ଏବଂ ରୁଷିଆର ମାସିନୋସ୍ତ୍ରେନିଆର ଏନ୍.ପି.ଓ ଦ୍ବାରା ବିକଶିତ ହୋଇଛି। ଶକ୍ତିଶାଳୀ ‘ରାମ୍‌ଜେଟ୍‌’ ମୋଟର ପରିଚାଳିତ ଏହି କ୍ଷେପଣାସ୍ତ୍ର ଶବ୍ଦର ୩ ଗୁଣ ବେଗରେ ଗତି କରିଥାଏ। ବର୍ତ୍ତମାନ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ଭାରତରେ ତିଆରି ହେଉଥିଲେ ହେଁ ରୁଷ୍‌ରୁ ଏହାର ଯନ୍ତ୍ରାଂଶ ଆସୁଛି। ଭାରତର ସବୁଠାରୁ ବେଗବାନ୍ କ୍ରୁଜ୍ ମିସାଇଲ୍‌ ବ୍ରହ୍ମୋସ୍‌ ବାୟୁସେନା ଦ୍ବାରା ସୁଖୋଇ ବିମାନରୁ ବ୍ୟବହାର କରାଯାଉଛି। ତଡ଼ିତ୍‌ ବେଗରେ ଲକ୍ଷ୍ୟସ୍ଥଳ ଭେଦକରୁଥିବା ବ୍ରହ୍ମୋସ୍‌ ୨୦୦ରୁ ୩୦୦ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ବିସ୍ଫୋରକ ବହନ କରିପାରେ। ରାଫେଲ୍‌ ଜେଟ୍‌ ସହିତ ଅପରେସନ୍‌ ସିନ୍ଦୂରରେ ସୁଖୋଇ-୩୦ଏମ୍‌କେଆଇ ଯୁଦ୍ଧବିମାନ ସାମିଲ୍‌ ହୋଇଥିବାରୁ ଆକ୍ରମଣରେ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ର ବ୍ୟବହୃତ ହୋଇଥିଲା। ଉଲ୍ଲେଖଯାଗ୍ୟ, ଅପରେସନ୍‌ ସିନ୍ଦୂରରେ ବ୍ୟବହୃତ ପ୍ରତି କ୍ଷେପଣାସ୍ତ୍ରର ହାରାହାରି ୟୁନିଟ୍ ପିଛା ମୂଲ୍ୟ ପ୍ରାୟ ୧ ନିୟୁତ ଡଲାର (୮,୪୬,୧୮,୧୧୮ଟଙ୍କା) ହୋଇଥିବା ବେଳେ ସ୍କାଲ୍‌ପ କ୍ଷେପଣାସ୍ତ୍ର ମୂଲ୍ୟ ପ୍ରାୟ ୮ କୋଟି ଏବଂ  ଏକ ହାମର ମିସାଇଲ୍‌ର ମୂଲ୍ୟ ୮୪ ଲକ୍ଷ ଟଙ୍କା।

ଭାରତୀୟ ସେନାର ସୁଦର୍ଶନ ଚକ୍ର
ଭାରତୀୟ ସେନାର ସୁଦର୍ଶନ ଚକ୍ର କୁହାଯାଉଥିବା ରୁଷ ନିର୍ମିତ ଏସ୍-୪୦୦ ସ୍ବୟଂକ୍ରିୟ ପ୍ରତିରକ୍ଷା ପ୍ରଣାଳୀ ଗତ ୮ ମେ ରାତିରେ ପାକିସ୍ତାନର ମିସାଇଲ୍‌, ବିମାନ ଓ ଡ୍ରୋନ୍‌ ଆକ୍ରମଣକୁ ଅକ୍ଳେଶରେ ପ୍ରତିହତ କରି ଏକ ‘ଅତୁଳନୀୟ ଅସ୍ତ୍ର’ ବୋଲି ପ୍ରମାଣିତ କରିଛି। ଏହା ପାକିସ୍ତାନର କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ବିମାନଗୁଡ଼ିକୁ ନଷ୍ଟକରି ଭାରତକୁ କେବଳ ଯୁଦ୍ଧଜନିତ କ୍ଷତିରୁ ରକ୍ଷା କରିନାହିଁ, ବରଂ ଭାରତର ସାମରିକ ସାମର୍ଥ୍ୟକୁ ନୂତନ ଭାବେ ପରିଭାଷିତ କରିଛି। ମେ ୮ ତାରିଖ ଭାରତର ସାମରିକ ରଣନୀତି ଏବଂ ପ୍ରତିରକ୍ଷାର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ। ଭୋର୍ ୫.୪୦ ବେଳକୁ ଯେତେବେଳେ ଦେଶର ଅଧିକାଂଶ ଲୋକ ନିଦ୍ରା ଯାଇଥିଲେ ପ୍ରଥମ ଥର ସକାଶେ ଭାରତର ବା‌ୟୁ ପ୍ରତିରକ୍ଷା ବ୍ୟବସ୍ଥାର ଏସ୍‌-୪୦୦ ସକ୍ରିୟ ହୋଇ ଉଠିଥିଲା। ବର୍ଷ ବର୍ଷ ଧରି ଶତ୍ରୁମାନଙ୍କ ଆଖିରୁ ନିଦ ହଜାଇ ଦେଇଛି ଏସ୍-୪୦୦ ଟ୍ରାଇମ୍ଫ ଏୟାର୍ ଡିଫେନ୍ସ ମିସାଇଲ୍ ସିଷ୍ଟମ୍। ଏହି ଘାତକ ଅସ୍ତ୍ର (ଯାହା ଆମେରିକା ତା’ର ପ୍ରତିଦ୍ବନ୍ଦ୍ବୀ ଦେଶକୁ ରପ୍ତାନି ହେଲେ ବିରୋଧ କରେ) ଭୋର୍‌ ସମୟରେ ଭାରତୀୟ ଆକାଶ ସୀମା ମଧ୍ୟରେ ଏକ ସନ୍ଦିଗ୍‌ଧ କ୍ଷେପଣାସ୍ତ୍ର ଓ ଡ୍ରୋନ୍‌ର ପ୍ରବେଶକୁ ଠାବ କରି ସଙ୍ଗେ ସଙ୍ଗେ ଏଗୁଡ଼ିକୁ ଅକ୍ଳେଶରେ ନଷ୍ଟ କରିଦେଇଥିଲା। ଏହି ଘଟଣା ବିଶ୍ବକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି- ଭାରତକୁ ସ୍ପର୍ଶ କରିବା ଆଉ ସହଜ ନୁହେଁ।

ଏସ୍-୪୦୦ ଟ୍ରାଇମ୍ଫ କ’ଣ? ଏସ୍-୪୦୦ ଟ୍ରାଇମ୍ଫକୁ ନାଟୋର ସଦସ୍ୟମାନେ ଏସ୍.ଏ.-୨୧ ଗ୍ରାଓଲର୍ ନାମରେ ଜାଣନ୍ତି। ଏହି ପ୍ରତିରକ୍ଷା ପ୍ରଣାଳୀଟି ରୁଷିଆର ପ୍ରସିଦ୍ଧ ଆଲ୍‌ମାଜ୍‌-ଆଣ୍ଟେ କର୍ପୋରେସନ୍ ଦ୍ବାରା ବିକଶିତ ହୋଇଥିଲା। ଏହା ଏକ ଭୂପୃଷ୍ଠ-ଆକାଶ ବହୁସ୍ତରୀୟ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ଯାହା ଏକକାଳୀନ ଏକାଧିକ ଲକ୍ଷ୍ୟସ୍ଥଳକୁ ଚିହ୍ନଟ କରିପାରେ। ଲଢୁଆ ବିମାନ, ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର, କ୍ରୁଇଜ୍ କ୍ଷେପଣାସ୍ତ୍ର, ଡ୍ରୋନ୍ ଓ ଚିହ୍ନଟ ହୋଇ ନ ଥିବା ଅନ୍ୟାନ୍ୟ ବାୟୁଯାନ ଏହାର ପରିଧିକୁ ଆସିବା ମାତ୍ରେ ସକ୍ରିୟ ହୋଇଉଠେ ଏସ୍‌-୪୦୦। ଏହାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୈଶିଷ୍ଟ୍ୟ ହେଲା, ଏକ ବ୍ୟାପକ ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିପାରିବାର କ୍ଷମତା ଏବଂ ଏକକାଳୀନ ବହୁସଂଖ୍ୟକ ଲକ୍ଷ୍ୟସ୍ଥଳ ଉପରେ ନଜର ରଖିବା ତଥା ସେଗୁଡ଼ିକୁ ନଷ୍ଟ କରିବାର ଦକ୍ଷତା। ଏହା ୪ ପ୍ରକାରର କ୍ଷେପଣାସ୍ତ୍ର ବ୍ୟବହାର କରି କାର୍ଯ୍ୟ କରିଥାଏ। ସେଗୁଡ଼ିକ ହେଲା, ୪୦ ଏନ୍ ୬, ୪୮ ଏନ୍ ୬, ୬ ଏନ୍ ୯୬ ଇ ୨। ଏହି କ୍ଷେପଣାସ୍ତ୍ର ୪୦ କିଲୋମିଟରରୁ ୪୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଏବଂ ୩୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବିପଦକୁ ଲକ୍ଷ୍ୟଭେଦ କରିପାରେ। ଏହି ସାମର୍ଥ୍ୟ ପାଇଁ ଏସ୍-୪୦୦କୁ ‘କ୍ଷେପଣାସ୍ତ୍ର-ହତ୍ୟାକାରୀ’ ବୋଲି କୁହାଯାଉଛି।

ଏଥିରେ ଖଞ୍ଜା ଯାଇଥିବା ଅତ୍ୟା‌ଧୁନିକ ରାଡାର୍ ବ୍ୟବସ୍ଥା ୬୦୦ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ଚିହ୍ନଟ କରିପାରିବାର କ୍ଷମତା ରଖିଛି। ଏହି ବ୍ୟବସ୍ଥା ଏକକାଳୀନ ୮୦ଟିରୁ ଅଧିକ ଲକ୍ଷ୍ୟ ଉପରେ ଲଗାତାର ନଜର ରଖିପାରିବ ଏବଂ ଏକାଥରକରେ ୩୬ଟି ଲକ୍ଷ୍ୟକୁ ଧ୍ବଂସ କରିବା କାର୍ଯ୍ୟରେ ନିୟୋଜିତ ହୋଇପାରିବ। ଏହାର ଆକଳନ ଏତେ ନିର୍ଭୁଲ୍‌ ଓ ସୂକ୍ଷ୍ମ ଯେ ରାଡାର୍ ଦ୍ବାରା ଧରା ନ ପଡ଼ିବା ସକାଶେ ନିର୍ମାଣ କରାଯାଇଥିବା ନିଃଶବ୍ଦ ବିମାନ, ଯେପରିକି ଏଫ୍-୨୨ ରାପ୍‌ଟରକୁ ମଧ୍ୟ ଏହା ଚିହ୍ନଟ କରିପାରେ। ଏସ୍-୪୦୦ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥାର ସୁନିୟୋଜିତ ସମାହାର ରୂପେ କାର୍ଯ୍ୟ କରିଥାଏ। ଏହି ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥାଗୁଡ଼ିକ ହେଲା କମାଣ୍ଡ୍‌ ସେଣ୍ଟର୍‌, ରାଡାର୍ ୟୁନିଟ୍‌, ଉତ୍‌କ୍ଷେପଣ ଯାନ ଏବଂ ସହାୟକ ଯାନ। ଯେତେବେଳେ ଏକ ଶତ୍ରୁ ବିମାନ ବା କ୍ଷେପଣାସ୍ତ୍ର ଭାରତୀୟ ବାୟୁ ପରିଧିରେ ପ୍ରବେଶ କରେ ସେତେବେଳେ ଏହାର ଦୂରରୁ ସୂଚନା ସଂଗ୍ରହ କରିପାରୁଥିବା ରାଡାର୍ ୯୧ ଏନ୍ ୬ ଇ ପ୍ରଥମେ ଏହାକୁ ଚିହ୍ନଟ କରେ। ଏହା ପରେ ଅନ୍ୟ ଏକ ବହୁମୁଖୀ କାର୍ଯ୍ୟ କରୁଥିବା ରାଡାର୍ ପ୍ରଥମ ରାଡାର୍‌ ଚିହ୍ନଟ ତଥ୍ୟକୁ ଠିକ୍ ବୋଲି କମାଣ୍ଡ୍‌ ସେଣ୍ଟର୍‌କୁ ଜଣାଇଦିଏ। ଏହା ପରେ କମାଣ୍ଡ୍‌ ସେଣ୍ଟର୍‌ରେ ଥିବା କୃତ୍ରିମ ବୁଦ୍ଧିମତା ଆଧାରିତ ପ୍ରୋଗ୍ରାମ୍‌ ବିପଦର ବର୍ଗୀକରଣ କରେ ଏବଂ କେଉଁ ବିପଦକୁ ପ୍ରାଥମିକତା ଦିଅାଯିବ ସେକଥା ସ୍ଥିର କରେ। ଏହି ତଥ୍ୟ ଆଧାରରେ ଉତ୍‌କ୍ଷେପଣ ବ୍ୟବସ୍ଥାକୁ ନିର୍ଦ୍ଦେଶ କମାଣ୍ଡ୍‌ ସେଣ୍ଟର୍‌ରୁ ମିଳିଥାଏ। ଉତ୍‌କ୍ଷେପଣ ବ୍ୟବସ୍ଥା ଲକ୍ଷ୍ୟସ୍ଥଳର ଦୂରତା ଆଧାରରେ କମାଣ୍ଡ୍‌ ସେଣ୍ଟର୍‌ ଦ୍ବାରା ସ୍ଥିର କରାଯାଇଥିବା କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରେ। ଏହି କ୍ଷେପଣାସ୍ତ୍ର ଶବ୍ଦର ୧୪ ଗୁଣ ବେଗରେ ଯାତ୍ରା କରି ୪୦୦ କିଲୋମିଟର ଦୂରରୁ ମଧ୍ୟ ଲକ୍ଷ୍ୟକୁ ଆକାଶ ମାର୍ଗରେ ହିଁ ନଷ୍ଟ କରେ।

ଏସ୍-୪୦୦ର ଆଉ ଏକ ଆକର୍ଷଣୀୟ ବୈଶିଷ୍ଟ୍ୟ ହେଲା ଏହାର ଗୋଟିଏ ଅଞ୍ଚଳକୁ ‘ନୋ ଫ୍ଲାଏ ଜୋନ୍’ ବା ଉଡ଼ାଣ ନିଷିଦ୍ଧ ଅଞ୍ଚଳ ଘୋଷଣା କରିବାର କ୍ଷମତା। ଏହାର ଅର୍ଥ ହେଉଛି ଆକାଶମାର୍ଗରେ ଥିବା ଯେ କୌଣସି ବସ୍ତୁ ଯେତେ ଦ୍ରୁତ, ଯେତେ ଗୋପନୀୟ ଭାବେ ଗତି କରୁଥିଲେ ମଧ୍ୟ ଭାରତର ଅନୁମତି ବିନା ସେହି ଅଞ୍ଚଳରେ ପ୍ରବେଶ କରିପାରିବ ନାହିଁ। ସକ୍ରିୟ ହେବାର ପ୍ରଥମ ଦିନରେ ହିଁ ଏସ୍-୪୦୦ ଭାରତବାସୀଙ୍କର ମନ ଜିଣି ନେଇଛି ଏବଂ ବିଶ୍ବ ଯୁଦ୍ଧାସ୍ତ୍ର ବଜାରରେ ନିଜର ପତିଆରା ସାବ୍ୟସ୍ତ କରିଛି। ଗୋଟିଏ ଦିନରେ ଏହା ଏକାଧିକ ବିମାନ, ବହୁସଂଖ୍ୟକ ‌େକ୍ଷପଣାସ୍ତ୍ର ଏବଂ ଅସଂଖ୍ୟ ଡ୍ରୋନ୍‌କୁ ନଷ୍ଟକରି ଭାରତୀୟ ପ୍ରତିରକ୍ଷାକୁ ନୂଆ ବଳ ଦେଇଛି। ଯଦିଓ ଆମ ପଡ଼ୋଶୀ ପାକିସ୍ତାନ ଓ ଚୀନ୍ ଆମ ବାୟୁସୀମାରେ ଅନୁପ୍ରବେଶ କରିବା କଥା ଚିନ୍ତା କରୁଥିଲେ; ପ୍ରଥମଦିନର ଯୁଦ୍ଧ ହିଁ ସେମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଭାରତ ଆଉ ପ୍ରତିରକ୍ଷାମୂଳକ ନୁହେଁ, ଏହା ଏବେ ସକ୍ରିୟ ରଣନୀତି ଅବଲମ୍ବନ କରୁଛି।