ମହୁଝରା ଗୀତର ଗାୟିକା ’ଗୀତା ପଟ୍ଟନାୟକ’

୧୯୭୦ ମସିହାରେ ମାତ୍ର ୧୫ ବର୍ଷ ବୟସରେ ସେ ‘ଅଦିନ ମେଘ’ ଚଳଚ୍ଚିତ୍ରରେ ନାୟିକା ଝରଣା ଦାସଙ୍କ ପାଇଁ ଗାଇଥିଲେ ‘ଏଇ ଆମରି ଗାଁ/ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସ୍ୱର୍ଣ୍ଣପ୍ରସୂ ମା’। ୧୯୭୧ ମସିହାରେ ‘ସଂସାର’ ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗାୟିକା ଭାବରେ କ୍ୟାରିଅର ଆରମ୍ଭ କଲେ। ‘ଯାଯାବର’ରେ ଅକ୍ଷୟ ମହାନ୍ତିଙ୍କ ସହ ଗାଇଥିଲେ ‘ଦନେଇ ଦାସ କହେରେ ଭାଇ କଥାଏ ବଡ଼ ସଚ୍ଚା’ ଏବଂ ତୃପ୍ତି ଦାସଙ୍କ ସହ ‘ଫୁର୍ କିନା ଉଡ଼ିଗଲା ବଣି।’ ଏପରି ଅନେକ ଅଭୁଲା ଗୀତର ଗାୟିକା ଗୀତା ପଟ୍ଟନାୟକଙ୍କୁ ଏଥର ଭେଟନ୍ତୁ ‘ଗୀତ ଗବାକ୍ଷ’ରେ…

ସେତେବେଳକୁ ତାଙ୍କର ଫ୍ରକ୍ ପିନ୍ଧା କିଶୋରୀ ବୟସ ସରି ନ ଥିଲା। ମନରୁ ଚଞ୍ଚଳ କିଶୋରୀର ଚପଳତା ବି କଟି ନ ଥିଲା। ଅଥଚ ବଡ଼ ପରଦାରେ ସେ ନାୟିକାଙ୍କ ପାଇଁ ଗୀତ ଗାଇଥିଲେ। ଏକଥା କହିଲେ ଆଦୌ ଭୁଲ୍ ହେବନାହିଁ ଯେ, ନାୟିକାଙ୍କ ପାଇଁ କଣ୍ଠଦାନ କରିବାରେ ସେ ହେଉଛନ୍ତି ସର୍ବକନିଷ୍ଠା ଓଡ଼ିଆ ଗାୟିକା। ମାତ୍ର ୧୫ ବର୍ଷ ବୟସରେ ସେ ‘ଅଦିନ ମେଘ’ ଚଳଚ୍ଚିତ୍ରରେ ନାୟିକା ଝରଣା ଦାସଙ୍କ ପାଇଁ ବୋଲିଥିଲେ ‘ଏଇ ଆମରି ଗାଁ/ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସ୍ୱର୍ଣ୍ଣପ୍ରସୂ ମା’। ଏହି ଗାୟିକା ହେଉଛନ୍ତି ଶ୍ରୀମତୀ ଗୀତା ପଟ୍ଟନାୟକ।

୧୯୫୫ ମସିହା ଡିସେମ୍ବର ମାସ ୧୦ ତାରିଖରେ କଟକର ମହାନ୍ତିପଡ଼ାରେ ଜନ୍ମ। ବାପା ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଥିଲେ ଜଣେ ସୁପରିଚିତ ଇଞ୍ଜିନିୟର। ସେ ଖୁବ୍ ଭଲ ବଙ୍ଗଳା ଗୀତ ଗାଇ ପାରୁଥିଲେ। ମାଆ ହେମଲତା ଓ ତାଙ୍କର ସାନଭଉଣୀ ପିଲାବେଳେ ଗୀତ ଶିଖୁଥିଲେ। ମା’ ବାହା ହୋଇ ଆସିବା ବେଳେ ତାଙ୍କର ପିଲାବେଳର ହାରମୋନିୟମ୍‌ଟିକୁ ବି ସାଥିରେ ନେଇ ଆସିଥିଲେ।

ତେବେ ଗୀତା ଯେ ଗୀତ ଗାଇବେ ଏକଥା କେହି ଜାଣି ନ ଥିଲେ। ସେଥିପାଇଁ ଗୀତାଙ୍କୁ ସଙ୍ଗୀତ ଶିଖାଇବା ନେଇ କାହାରି ଚିନ୍ତା ନ ଥିଲା। ଓଲଟି ତାଙ୍କର ମାମୁଝିଅ ଭଉଣୀ ମଞ୍ଜୁଅପାଙ୍କ ନିମନ୍ତେ ଗୀତ ଶିଖିବାର ବନ୍ଦୋବସ୍ତ କରାଯାଇଥିଲା। ଜଣେ ମାଷ୍ଟର ଆସି ମଞ୍ଜୁଅପାକୁ ଗୀତ ଶିଖାଉଥିଲେ। ଗୀତା ମନକୁମନ ଯାଇ ବସୁଥିଲେ ସେଇଠି। ବେଳେବେଳେ ମଞ୍ଜୁଅପାର ସ୍ୱରରେ ସ୍ୱର ମିଶାଉଥିଲେ। ଗୀତାଙ୍କ ପ୍ରତିଭା ବେଶିଦିନ ଲୁଚି ରହିଲାନି ସଂଗୀତ ସାର୍‌ଙ୍କ ନିିକଟରେ। ସୁରେନ୍ଦ୍ରବାବୁ ଓ ହେମଲତାଙ୍କୁ ଡାକି କହିଲେ, ଏ ପିଲା ଭିତରେ ଗୀତ ଅଛି। ତାକୁ ଗୀତ ଶିଖାଅ।

କଟକ କଳାବିକାଶ କେନ୍ଦ୍ରରେ ଗୀତାଙ୍କ ନାମ ଲେଖାଗଲା। ରାଖାଲ୍ ମହାନ୍ତି ଓ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ନିକଟରେ ଗୀତ ଶିଖିଲେ। ଏଥିସହିତ ଘରୋଇ ଭାବରେ କ୍ଷୀତିଶ ଚନ୍ଦ୍ର ମୈତ୍ରଙ୍କ ନିକଟରୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତ ମଧ୍ୟ ଶିକ୍ଷାକଲେ।

୧୯୭୦ ମସିହା। ବାବୁଲାଲ୍ ଦୋଷୀ ‘ଅଦିନ ମେଘ’ ନିର୍ମାଣ କରିବାର ଯୋଜନା କଲେ। ବାଳକୃଷ୍ଣ ମ୍ୟୁଜିକ୍ ତିଆରି କରୁଥାନ୍ତି। କୋରସ୍ ଗାଇବା ପାଇଁ କଲିକତା ଗଲେ ପାଞ୍ଚଜଣ ଝିଅ। ସେମାନଙ୍କ ମଧ୍ୟରେ ଥିଲେ ତୃପ୍ତି ଦାସ, ଶୁକ୍ଳା ବୋଷ୍, ବିଦ୍ୟୁତ୍ ବହିଦାର, ପ୍ରତିମା ରାୟ ଏବଂ ନିଜେ ଗୀତା ପଟ୍ଟନାୟକ। କଲିକତାରେ ପହଞ୍ଚିବା ପରେ ସ୍ଥିର ହେଲା ଯେ, ଦୁଇଟି ଗୀତ କଳାବିକାଶ କେନ୍ଦ୍ରର ଦୁଇଜଣ ଝିଅ ଗାଇବେ। ହେଲେ ଷ୍ଟୁଡିଓର କର୍ମକର୍ତ୍ତାମାନେ କେଁ ପୂରେଇଲେ। ସେମାନେ ବାବୁଲାଲ୍ ଦୋଷୀଙ୍କୁ କହିଲେ, ଏ ଛୋଟପିଲାମାନେ ଷ୍ଟୁଡିଓରେ ଗୀତ ଗାଇପାରିବେନି। ବହୁତ ସମୟ ଲାଗିବ। ଅଯଥା ଟଙ୍କା ଖର୍ଚ୍ଚ ହେବ। ବଙ୍ଗାଳୀ ଗାୟିକାଙ୍କୁ ନେଇ ଗୀତ ବୋଲାଅ।

ଫିଲ୍ମ ୟୁନିଟ୍ ସହିତ ଯାଇଥାନ୍ତି ଅକ୍ଷୟ ମହାନ୍ତି। ‘ଅଦିନ ମେଘ’ର ମୋଟ୍ ସାତଟି ଗୀତରୁ ତାଙ୍କର ଚାରିଟି ଗୀତ ଗାଇବାକୁ ଥାଏ। ପୁଣି ସେ ସେଥିରେ ବାଳକୃଷ୍ଣ ଦାସଙ୍କୁ ସହାୟତା କରୁଥାନ୍ତି। ସେ ଅଡ଼ି ବସିଲେ, ଆମ ଫିଲ୍ମରେ ଆମ ପିଲା ଗାଇବେ। ଶେଷରେ ସ୍ଥିର ହେଲା, ଆମ ପିଲାମାନେ ଗାଇବେ। ଯଦି ସେମାନେ ଗାଇ ନ ପାରିବେ ତା’ହେଲେ ବଙ୍ଗାଳୀ ଗାୟିକାଙ୍କୁ ନେଇ ଗୀତ ରେକର୍ଡ କରାଯିବ।

ରେକର୍ଡିଂର ଦିନ ଧାର୍ଯ୍ୟ ହୋଇଗଲା। ସେହିଦିନ ସେଠାରେ ତନୁଜା ଓ ବିଶ୍ୱଜିତ୍‌ଙ୍କୁ ନେଇ ଗୋଟିଏ ଫିଲ୍ମ ସୁଟିଂ ହେଉଥାଏ। ଏମାନେ ସମସ୍ତେ ପିଲା। ମୁଣ୍ଡ ଭିତରେ ନା ରେକର୍ଡିଂ ଭୟ ନା ଗୀତ ଗାଇବାର ଚାପ। ସମସ୍ତେ ଯାଇ ଫିଲ୍ମ ସୁଟିଂ ଦେଖୁଥାନ୍ତି। ସମୟ ପ୍ରାୟ ରାତି ଗୋଟାଏ। ସେତିକିବେଳେ ଡକରା ପଡ଼ିଲା ଗୀତ ଗାଇବାକୁ। ସମସ୍ତେ ସୁଟିଂ ଦେଖା ଛାଡ଼ି ଦଉଡ଼ିଲେ ଷ୍ଟୁଡିଓକୁ ଗୀତ ବୋଲିବା ପାଇଁ। ରାତି ଗୋଟାଏ ବେଳେ ମାଇକ୍ରୋଫୋନ୍ ସାମ୍ନାରେ ଡକାଗଲା ଗୀତାଙ୍କୁ। ଆଉ ଗୋଟିଏ ଟେକ୍‌ରେ ଗୀତ ଗାଇଦେଇଥିଲେ ‘ଏଇ ଆମରି ଗାଁ/ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ସ୍ୱର୍ଣ୍ଣପ୍ରସୂ ମା’।’

ଏହାର ଠିକ୍ ପରବର୍ଷ, ଅର୍ଥାତ୍ ୧୯୭୧ ମସିହାରେ ଅକ୍ଷୟ ମହାନ୍ତି ‘ସଂସାର’ ଫିଲ୍ମ ଲାଗି ଚୁକ୍ତିବଦ୍ଧ ହେଲେ। ‘ସଂସାର’ରେ ଗୀତା ପ୍ରଚ୍ଛଦପଟ ଗାୟିକା ଭାବରେ ନିଜର କ୍ୟାରିଅର ଆରମ୍ଭ କଲେ। କେବଳ ଗୀତା ପଟ୍ଟନାୟକ ନୁହନ୍ତି, ତୃପ୍ତି ଦାସଙ୍କୁ ମଧ୍ୟ ସେ ‘ସଂସାର’ ଫିଲ୍ମରେ ପ୍ରଚ୍ଛଦପଟ ଗାୟିକା ଭାବରେ ନେଇଥିଲେ। କହିବା ବାହୁଲ୍ୟ, ଓଡ଼ିଆ ସଂଗୀତ ଇତିହାସରେ ସତୁରି ଦଶକ ଥିଲା ଏମିତି ଏକ ଅଧ୍ୟାୟ ଯେଉଁଠୁ ଆରମ୍ଭ ହୋଇଥିଲା ଓଡ଼ିଆ ସଂଗୀତ ଜଗତରେ ଗୀତା-ତୃପ୍ତିଙ୍କ ଯୁଗ। ଆଉ ଯୁଗସ୍ରଷ୍ଟା ଥିଲେ ଓଡ଼ିଆ ଆଧୁନିକ ସଂଗୀତର ବେତାଜ୍ ବାଦଶାହ ଅକ୍ଷୟ ମହାନ୍ତି। ‘ସଂସାର’ ଫିଲ୍ମରେ ଗୀତାଙ୍କ କଣ୍ଠରେ ଦୁଇଟି ଗୀତ ରେକର୍ଡ କରାଯାଇଥିଲା। ଗୋଟିଏ ଅକ୍ଷୟ ଓ ତୃପ୍ତିଙ୍କ ସହିତ ‘ଜାଇଫୁଲରେ’ ଏବଂ ଅନ୍ୟଟି ତୃପ୍ତି ଦାସଙ୍କ ସହିତ ‘ଆଲୋ କଳାଶାରୀ କିଏ ତୋର ଶୁଆ’। ୧୯୭୫ରେ ଆସିଲା ଅକ୍ଷୟ ମହାନ୍ତିଙ୍କ ସର୍ବକାଳୀନ ଶ୍ରେଷ୍ଠ ଚଳଚ୍ଚିତ୍ର ‘ଯାଯାବର’।

‘ଯାଯାବର’ରେ ଗୀତା ଅକ୍ଷୟଙ୍କ ସହ ଗାଇଥିଲେ ‘ଦନେଇ ଦାସ କହେରେ ଭାଇ କଥାଏ ବଡ଼ ସଚ୍ଚା/ ଏ ଦୁନିଆରେ କେହି ନା କେହି କାହାର ତ ଚାମ୍‌ଚା’ ଏବଂ ତୃପ୍ତିଙ୍କ ସହ ‘ଫୁର୍ କିନା ଉଡ଼ିଗଲା ବଣି।’ ୧୯୭୭ରେ ‘ନାଗଫାଶ’ରେ ଅକ୍ଷୟଙ୍କ ସହ ଗାଇଲେ ‘ନଦୀ ଫେରେ ସାଗରକୁ ପକ୍ଷୀ ଫେରେ ନୀଡ଼େ’ ଏବଂ ତୃପ୍ତିଙ୍କ ସହ ‘ବଡ଼ ବେଦରଦି ମୋ ନାଲିପାନ ରାଜା/ ପୀରତିରେ ଦିଏ ସେତ ନିତି ମୋତେ ସଜା’। ସେହି ୧୯୭୭ରେ ଅକ୍ଷୟ ମହାନ୍ତି ଆଉ ଏକ ଫିଲ୍ମ ପାଇଁ ଗୀତ ରେକର୍ଡ଼ କରିଥିଲେ। ତାହା ଥିଲା ‘ଆହୁତି’। ‘ଆହୁତି’ରେ ଗୀତା ଏକକ ଭାବରେ ଗାଇଥିଲେ ଏକ ଅତି ସୁନ୍ଦର ମୁଜୁରା ସଂଗୀତ ‘ହଜୁର ମୋର ବଡ଼ ବେରସିକ’। ଅକ୍ଷୟଙ୍କ ସହ ‘ହୃଦୟକୁ କରିଦିଅ ପାନ୍ଥଶାଳା’ ଏବଂ ତୃପ୍ତିଙ୍କ ସହ ‘ଦରିଆ କୂଳର ଢେଉ’। ‘ଆହୁତି’ ଫିଲ୍ମର ମ୍ୟୁଜିକ୍ ଟ୍ରାକ୍ ମୁକ୍ତିଲାଭ କରିଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବରେ ଏହାର ନିର୍ମାଣ ଅଧାରୁ ଅଟକି ଯାଇଥିଲା।

ଏହାପରେ ଆଉ ପଛକୁ ଫେରି ଚାହିଁ ନ ଥିଲେ ଗୀତା। ଇତିମଧ୍ୟରେ ସେ ଏଚ୍ଏମ୍‌ଭି ଏବଂ ଅଲ୍ ଇଣ୍ଡିଆ ରେଡିଓରେ ମଧ୍ୟ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ହୋଇ ସାରିଥିଲେ। ଆଉ ଓଡ଼ିଆ ଶ୍ରୋତାଙ୍କୁ ଭେଟିଦେଇ ସାରିଥିଲେ ‘ଭକତି ନାହିଁ ମୋ’ଠାରେ ଭଜିବା ପାଇଁ’ ଭଳି ଭଜନ ଓ ‘ମନ ମୋର ପଦ୍ମପତ୍ର ସମ’, ‘ନଦୀ ତ ନେଇଛି ତା’ର ଆପଣା ଗତି’, ‘ସବୁ ଦୀପ ଲିଭିଗଲା ପରେ’ ପରି ଉଚ୍ଚକୋଟୀର ସଂଗୀତ।

୧୯୭୦ ଦଶକରେ ଗୋଟିଏ ନୂଆ କଥା ଘଟିଲା ଓଡ଼ିଆ ସଂଗୀତ ଜଗତରେ। ପୂର୍ବରୁ ଓଡ଼ିଆ ସଂଗୀତ ପାରମ୍ପରିକ ଉତ୍କଳୀୟ ସମାଜର ସୀମାରେଖା ମଧ୍ୟରେ ବାନ୍ଧି ହୋଇ ରହିଥିବା ବେଳେ ଅକ୍ଷୟ ମହାନ୍ତି ସାମାଜିକତାର ସେହି ରକ୍ଷଣଶୀଳତାକୁ ନିଜର ଗୀତ ମାଧ୍ୟମରେ ଭାଙ୍ଗି ଦେଲେ। ଆଗରୁ ଭଜନରେ କେବଳ ନୀତିଶିକ୍ଷା, ଉପଦେଶବାଣୀ, ପୁରାଣ ଗାଥା, ବୈଷ୍ଣବୀୟ ଭାବ ରହୁଥିବା ବେଳେ ଜହ୍ନ, ଜ୍ୟୋତ୍ସ୍ନା, ଚାନ୍ଦିନୀ, ଚକୋର ହିଁ ଥିଲେ ଆଧୁନିକ ଗୀତର କଞ୍ଚାମାଲ୍। ହେଲେ ଅକ୍ଷୟ ମହାନ୍ତି ସାମାଜିକ ସମସ୍ୟା, ସାମାଜିକ ଚଳଣି, ସମାଜରେ ବଦଳୁଥିବା ମାନସିକତା, ରୀତି, ନୀତିକୁ ସ୍ଥାନ ଦେଲେ ଗୀତରେ। ଏହାଦ୍ୱାରା ଆଧୁନିକ ଗୀତର ହେଲା ନବକଳେବର। ନାରୀ ମୁହଁରେ ସେ ନାରୀର କଥା ଶୁଣେଇଲେ। ଅକ୍ଷୟଙ୍କ ସଂଗୀତ ମାଧ୍ୟମରେ ତତ୍କାଳୀନ ସମାଜ ବିରୋଧରେ ମୁହଁ ଖୋଲିଲେ ନାରୀମାନେ। ଅକ୍ଷୟ ମହାନ୍ତି ଏଇ ଯେଉଁ ସଂଗୀତ ବିପ୍ଳବର ସୂତ୍ରପାତ କଲେ ସେହି ବିଦ୍ରୋହର ପ୍ରଥମ ବିଗୁଲ୍ ଫୁଙ୍କିଥିଲେ ଗୀତା ପଟ୍ଟନାୟକ ଏବଂ ତୃପ୍ତିଦାସ। ଏକଥା କହିଲେ ଆଦୌ ଭୁଲ୍ ହେବନାହିଁ ଯେ, ଅକ୍ଷୟଙ୍କ ବିପ୍ଳବୀ ମାନସିକତାର ଦୁଇ ବହ୍ନିଶିଖା ମଧ୍ୟରୁ ଅନ୍ୟତମ ଥିଲେ ଗୀତା ପଟ୍ଟନାୟକ। ଗୀତା ଗାଇଥିବା ‘ଯଉତୁକ ନେବ ଚଢ଼ା/କନିଅାଁ ପାଇବ ତେଢ଼ା’, ‘ବାହା ମୁଁ ହେବି ନାହିଁ’, ‘ବାପା କହିଲେ ବଉକୁ/ ସମ୍ଭାଳ ଏବେ ଝିଅକୁ’, ତୃପ୍ତିଙ୍କ ସହିତ ‘ଏମିତି ପୁଅକୁ ମୁଁ ବାହା ହୁଅନ୍ତି’ ଭଳି ଗୀତ ଥିଲା ଏହାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ପୁଣି କିଏ ବା ଭୁଲିପାରିଥିବ ଏଚ୍ଏମ୍‌ଭିରେ ମୁକ୍ତିଲାଭ କରିଥିବା ଅକ୍ଷୟ ମହାନ୍ତିଙ୍କ ବହୁ ଚର୍ଚ୍ଚିତ ‘ପେଟେଣ୍ଟ ମେଡିସିନ୍’ ଯେଉଁଥିରେ ମାତ୍ର ୨୦ ବର୍ଷ ବୟସରେ ଫକୀର ମୋହନ ସେନାପତି ସୃଷ୍ଟି କରିଥିବା ‘ସାଆନ୍ତାଣୀ ସୁଲୋଚନା’ ଚରିତ୍ରରେ ଅଭିନୟ କରି ଗୀତା ଓଡ଼ିଶାର ପୁରପଲ୍ଲୀରେ ପାଲଟି ଯାଇଥିଲେ ସୁପରିଚିତା।

ଅକ୍ଷୟ ମହାନ୍ତି ଆଉ ଏକ ନୂଆ ଟ୍ରେଣ୍ଡ ମଧ୍ୟ ଏହି ଦଶକରେ ଆରମ୍ଭ କରିଥିଲେ ଯାହାକୁ ସଫଳ କରିଥିଲେ ଗୀତା-ତୃପ୍ତି। ତାହା ହେଉଛି ନାରୀକଣ୍ଠରେ ଯୁଗ୍ମ-ସଂଗୀତ ବା ଫିମେଲ୍ ଡୁଏଟ୍। ଗୀତା ପଟ୍ଟନାୟକ ଓ ତୃପ୍ତି ଦାସଙ୍କ କଣ୍ଠରେ ଆଜି ବି ଲୋକପ୍ରିୟ ହୋଇରହିଛି ଅକ୍ଷୟଙ୍କ ସୃଷ୍ଟି ବହୁ ଡୁଏଟ୍। ସେଥିମଧ୍ୟରେ ରହିଛି : ‘ଆଲୋ କଳାଶାରୀ କିଏ ତୋର ଶୁଆ’, ‘ଫୁର୍‌ କିନା ଉଡ଼ିଗଲା ବଣି’, ‘ଆ ବଉଳ ବୋହୂ ବୋହୂକା ଖେଳ ଖେଳିବା’, ‘କଥାଟିଏ କହୁଁ କଥାଟିଏ’, ‘ଏମିତି ପୁଅକୁ ମୁଁ ବାହା ହୁଅନ୍ତି’, ‘ଦରିଆ କୂଳର ଢେଉ’।

ଅକ୍ଷୟ ମହାନ୍ତିଙ୍କୁ ନିଜର ଗଡ୍‌ ଫାଦର ବୋଲି ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ଗୀତା ପଟ୍ଟନାୟକ। ତାଙ୍କ ପାଇଁ ଅକ୍ଷୟ ଫ୍ରେଣ୍ଡ-ଫିଲୋସଫର-ଗାଇଡ୍। ଆଜି ଅକ୍ଷୟ ସିନା ନାହାନ୍ତି ମାତ୍ର ଗୀତାଙ୍କ କଣ୍ଠରେ ତାଙ୍କ ଗୀତ ସବୁ ଅମର ହୋଇ ରହିଛି ଓ ରହିଥିବ।

ରାଜେନ୍ଦ୍ର ରାଉଳ

ସମ୍ବନ୍ଧିତ ଖବର