ସାତ ସୁରର ଯାଦୁକର

ଏସ୍‌ପି ବାଲ୍‌ସୁବ୍ରମଣ୍ୟମ୍‌ (୧୯୪୬-୨୦୨୦)

ସଙ୍ଗୀତ ଯେ ଭାଷା ନୁହେଁ ଭାବର କଥା ଏହାର ଶ୍ରେଷ୍ଠ ଉଦାହରଣ ପାଲଟିଥିଲେ। ଗୋଟିଏ କି ଦୁଇଟି ଭାଷାରେ ନୁହେଁ ୧୬ଟି ଭାରତୀୟ ଭାଷାରେ ସେ ନିଜ ସଙ୍ଗୀତର ଯାଦୁ ସାରା ଭାରତ ବର୍ଷରେ ବିଚ୍ଛୁରିତ କରିଛନ୍ତି। ତାମିଲ, ତେଲୁଗୁ, କନ୍ନଡ, ହିନ୍ଦୀ ଓ ମାଲାୟଲମ୍‌ ସଙ୍ଗୀତ ଜଗତରେ ନିଜ ସଫଳତାର ଧ୍ବଜା ଲହରାଇବା ସହ ଏହିସବୁ ଚଳଚ୍ଚିତ୍ର ଜଗତକୁ ନିଜ ଅନନ୍ୟ ଦାନରେ ଚିର ଋଣୀ କରିଯାଇଛନ୍ତି। ପିଲାଦିନେ କୁନି ମନରେ ଦେଖିଥିବା ସ୍ବପ୍ନକୁ ସଙ୍ଗୀତ ସାହାଯ୍ୟରେ ଜୀବନସାରା ଜିଇଁଛନ୍ତି। ‘ମୈନେ ପ୍ୟାର୍‌ କିୟା’ ଚଳଚ୍ଚିତ୍ରର ଦିଲ୍‌ ଦିୱାନା… ସଙ୍ଗୀତ ହେଉ କି ‘ହମ୍‌ ଆପ୍‌ କେ ହୈ କୌନ୍‌ ଚଳଚ୍ଚିତ୍ରର ଲତା ମଙ୍ଗେସକରଙ୍କ ସହ ଡୁଏଟ ଗୀତ ‘ଦିଦି ତେରା ଦେୱର ଦିୱାନା… ସଙ୍ଗୀତ ଆଜି ବି ବଲିଉଡ୍‌ର କଲ୍ଟ ସଙ୍ଗୀତରେ ପରିଗଣିତ। ପ୍ରାୟ ୩୦ ବର୍ଷ ପରେ ଆଜି ବି ଲୋକେ ଏହି ସଙ୍ଗୀତ ଗୁଣୁଗୁଣାଉଥିବା ଶୁଣିବାକୁ ମିଳେ। ଆଜି କରୋନା ମହାମାରୀ ଏହି ସୁନାମଧନ୍ୟ ବହୁଭାଷୀ ସଙ୍ଗୀତଜ୍ଞଙ୍କୁ ଆମ ନିକଟରୁ ଛଡ଼ାଇ ଦେଇଛି ସତ କିନ୍ତୁ ତାଙ୍କ ସଙ୍ଗୀତର ସୁରରେ ସେ ଆମ ନିକଟରେ ଚିରବିଦ୍ୟମାନ ରହିବେ।

ସବୁଠାରୁ ଅଧିକ ଗୀତ ରେକର୍ଡିଂ କରିଥିବା ସଙ୍ଗୀତଜ୍ଞ
ସବୁଠାରୁ ଅଧିକ ସଙ୍ଗୀତ ରେକର୍ଡିଂ କରାଯାଇଥିବା ସଙ୍ଗୀତଜ୍ଞ ଭାବେ ସେ ଗିନିଜ୍‌ ବୁକ୍‌ ଅଫ୍‌ ୱାଲ୍ଡ ରେକର୍ଡସରେ ସ୍ଥାନିତ ହୋଇଛନ୍ତି। ‌ତେଲୁଗୁ, ତାମିଲ, ମାଲାୟାଲମ୍‌, କନ୍ନଡ ଓ ହିନ୍ଦୀ ସମେତ ୧୬ଟି ଭାରତୀୟ ଭାଷାରେ ୪୦ ହଜାର ସଙ୍ଗୀତରେ କଣ୍ଠଦାନ କରି ସେ ପୁରୁଷ ବର୍ଗରେ ଏହି ରେକର୍ଡଧାରୀ ହୋଇପାରିଛନ୍ତି। ମହିଳା ବର୍ଗରେ ଏହି ରେକର୍ଡ ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ନାମରେ ରହିଛି। ୧୯୬୬ ମସିହା ଡିସେମ୍ବର ୧୫ ତାରିଖରେ ନିଜ ମେଣ୍ଟର ସଙ୍ଗୀତ ନିର୍ଦ୍ଦେଶକ ଏସ୍‌ ପି କୋଡନ୍ଦାପାଣିଙ୍କ ଚଳଚ୍ଚିତ୍ର ‘ଶ୍ରୀ ଶ୍ରୀ ମର୍ଯ୍ୟାଦା ରମନ୍ନ’ ଜରିଆରେ ସେ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ନିଜର ସ୍ବତନ୍ତ୍ର ଢଙ୍ଗ, ଅଦ୍ବିତୀୟ ସ୍ବରର ଶ୍ରେଣୀ, ଗୁରୁଗମ୍ଭୀର ସ୍ବର, ଟେକ୍‌ନିକ୍‌ ଓ ସ୍ବର ନିୟନ୍ତ୍ରଣ ସମସ୍ତ କଣ୍ଠଶିଳ୍ପୀଙ୍କଠାରୁ ତାଙ୍କୁ ଅଲଗା କରୁଥିଲା। ଧୀରେଧୀରେ ସେ ଅଧିକ ସୁଯୋଗ ପାଇବା ସହ ଅତି ବ୍ୟସ୍ତ ହେବାରେ ବି ଲାଗିଲେ। ଏମିତି ବି ହୋଇଛି ସେ ୧୨ ଘଣ୍ଟାରେ ୨୧ଟି ସଙ୍ଗୀତ ରେକର୍ଡିଂ କରିଛନ୍ତି। ଏପରିକି ସେ ସଂସ୍କୃତରେ ବି ଗୀତ ଗାଇଛନ୍ତି।

୯୦ ଦଶକରେ ଥିଲେ ସଲ୍‌ମାନ୍‌ଙ୍କ ସ୍ବର
ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କ ବଲିଉଡ୍‌ ଜୀବନୀର ଆରମ୍ଭ କାଳରେ ବାଲ୍‌ସୁବ୍ରମଣ୍ୟମ୍‌ ହିଁ ତାଙ୍କ ସ୍ବର ଥିଲେ। ୭୦ ଦଶକରେ ଯେମିତି ଦିଗ୍‌ଗଜ୍‌ ଅଭିନେତା ରାଜେଶ ଖାନ୍ନାଙ୍କର ସ୍ବର କିଶୋର କୁମାର ପାଲଟିଥିଲେ ଠିକ୍‌ ସେହିଭଳି ୯୦ ଦଶକରେ ସଲ୍‌ମାନ୍‌ଙ୍କ ଆୱାଜ୍‌ ପାଲଟିଥିଲେ ବାଲ୍‌ସୁବ୍ରମଣ୍ୟମ୍‌। ସଲ୍‌ମାନ୍‌ଙ୍କ କ୍ୟାରିଅର୍‌ର ଶ୍ରେଷ୍ଠ ଚଳଚ୍ଚିତ୍ର ‘ମୈନେ ପ୍ୟାର୍‌ କିୟା’ ଓ ‘ହମ୍‌ ଆପ୍‌ କେ ହୈ କୌନ୍‌’ ଚଳଚ୍ଚିତ୍ରରେ ଗୀତ ଗାଇ ସଲ୍‌ମାନ୍‌ଙ୍କୁ ୯୦ ଦଶକର ଜଣେ ରୋମାଣ୍ଟିକ୍‌ ହିରୋ ଭାବେ ଅବତୀର୍ଣ୍ଣ କରିଥିଲେ ବାଲା ସୁବ୍ରମଣ୍ୟମ୍‌। ‘ମୈନେ ପ୍ୟାର୍‌ କିୟା’ ଚଳଚ୍ଚିତ୍ରର ମେରେ ରଙ୍ଗମେ ରଙ୍ଗନେ ୱାଲି… ସଙ୍ଗୀତ ହେଉ କି ‘ସାଜନ୍‌’ ଚଳଚ୍ଚିତ୍ରର ଦେଖା ହୈ ପେଡ୍‌ଲି ବାସ୍‌ ସଙ୍ଗୀତ ହେଉ ଅବା ‘ହମ୍‌ ଆପ୍‌ କେ ହୈ କୌନ୍‌’ ଚଳଚ୍ଚିତ୍ରର ପେହ୍‌ଲା ପେହ୍‌ଲା ପ୍ୟାର୍‌ ହୈ… ସଙ୍ଗୀତ ଏସବୁରେ ଯେମିତି ସଲ୍‌ମାନ୍‌ ସ୍ମରଣୀୟ। ଏଥିସହ ଏସବୁ ସଙ୍ଗୀତ ୯୦ ଦଶକର ପିଲା ଓ ଯୁବପିଢ଼ିଙ୍କ ପ୍ରେମ ସଙ୍ଗୀତ ଭାବେ ଏବେ ବି ଆଦୃତ।

ପୁରସ୍କାରର ଲମ୍ବା ତାଲିକା
୧୯୮୦ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ଶଙ୍କରବରଣମ୍‌’ ଜରିଆରେ ସେ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଥିଲେ। କେ ବିଶ୍ବନାଥଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସଙ୍ଗୀତ କେଭି ମହାଦେବନ୍‌ ଲେଖିଥିଲେ। ଏଥିରେ ବାଲ୍‌ସୁବ୍ରମଣ୍ୟମ୍‌ ନିଜ ସଙ୍ଗୀତ ପ୍ରତିଭା ଓ ସୃଜନଶୀଳତା ବେଶ୍‌ ଭଲ ଭାବେ ପ୍ରଦର୍ଶିତ କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତ ଢଙ୍ଗରେ ନୁହେଁ ଚଳଚ୍ଚିତ୍ର ସଙ୍ଗୀତକୁ ଏକ ସୁନ୍ଦର ଓ ମନୋରଞ୍ଜନ ଢଙ୍ଗରେ ପରିବେଷିତ କରି ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ‘ଜାତୀୟ ପୁରସ୍କାର’ ଜିତିପାରିଥିଲେ। ୧୯୮୧ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ଏକ୍‌ ଦୁଜେ କେ ଲିଏ’ ଜରିଆରେ ସେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ମଧ୍ୟ ସେ ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ଜାତୀୟ ପୁରସ୍କାର ନିଜ ନାମରେ କରିଥିଲେ। ୧୯୮୩ର ଚଳଚ୍ଚିତ୍ର ‘ସାଗର ସଙ୍ଗମମ୍‌’, ୧୯୮୬ ‘ସ୍ବାତି ମୁଥ୍ୟମ୍‌’ ଓ ୧୯୮୮ ମସିହାର ‘ରୁଦ୍ରାଭିନା’ ଚଳଚ୍ଚିତ୍ରରେ ନିଜର ସଙ୍ଗୀତ ପାଇଁ ବି ସେ ‘ଜାତୀୟ ପୁରସ୍କାର’ର ଅଧିକାରୀ ହୋଇପାରିଥିଲେ। ଏହାପରେ ୧୯୮୯ ମସିହାର ବଲିଉଡ୍‌ର ବ୍ଲକ ବଷ୍ଟର ଚଳଚ୍ଚିତ୍ର ‘ମୈନେ ପ୍ୟାର୍‌ କିୟା’ର ଦିଲ୍‌ ଦିୱାନା… ସଙ୍ଗୀତ ଗାଇ ‘ଶ୍ରେଷ୍ଠ କଣ୍ଠଶିଳ୍ପୀ’ ପାଇଁ ‘ ଫିଲ୍ମଫେୟାର ପୁରସ୍କାର’ ପାଇଥିଲେ। ସେ ୬ଟି ଜାତୀୟ ପୁରସ୍କାର ସହ ୨୦୦୧ରେ ପଦ୍ମଶ୍ରୀ ଓ ୨୦୧୧ରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଥିଲେ।

କିଛି ଲୋକପ୍ରିୟ ସଙ୍ଗୀତ…
8ମେରେ ରଙ୍ଗମେ ରଙ୍ଗନେ ୱାଲି- ମୈନେ ପ୍ୟାର୍‌ କିୟା(୧୯୮୯)
8ପେହ୍‌ଲା ପେହ୍‌ଲା ପ୍ୟାର୍‌ ହୈ- ହମ୍‌ ଆପ୍‌ କେ ହୈ କୌନ୍‌(୧୯୯୪)
8ମୁଝସେ ଯୁଦା ହୋକର୍‌- ହମ୍‌ ଆପ୍‌ କେ ହୈ କୌନ୍‌(୧୯୯୪)
8ଦେଖା ହୈ ପେହଲି ବାର୍‌- ସାଜନ୍‌(୧୯୯୧)
8ଆଜା ସାମ୍‌ ହୋନେ ଆଇ- ମୈନେ ପ୍ୟାର୍‌ କିୟା(୧୯୮୯)
8କବୁତର୍‌ ଜା ଜା ଜା…- ମୈନେ ପ୍ୟାର୍‌ କିୟା(୧୯୮୯)
8ବହତ ପ୍ୟାର୍‌ କର୍‌ତେ ହେଁ ତୁମ୍‌କୋ ସନମ୍‌- ସାଜନ୍‌(୧୯୯୧)
8ସାଥିୟା ତୁନେ କ୍ୟା କିୟା…- ଲଭ୍‌(୧୯୯୧)
8ଚେନ୍ନାଇ ଆଇ ଆଇ ଆଇ… – ଚେନ୍ନାଇ ଏକ୍ସପ୍ରେସ୍‌(୨୦୧୩)

ସମ୍ବନ୍ଧିତ ଖବର