ତୁଳସୀଦାସଙ୍କ ‘ଶ୍ରୀରାମଚରିତ-ମାନସ’ ବା ‘ତୁଳସୀ ରାମାୟଣ’ରେ ଅଛି ଏକ ଅତ୍ୟନ୍ତ ରୋଚକ ଓ ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଣ୍ଣନା। ଆଦିକବି ବାଲ୍ମୀକିଙ୍କ ମୂଳ ସଂସ୍କୃତ ‘ରାମାୟଣ’ର ଅଷ୍ଟାଧିକଶତତମ ସର୍ଗ ଅନୁସାରେ- ଶ୍ରୀରାମ ଅତ୍ୟନ୍ତ କୁପିତ ହୋଇ, ଅତି ଯତ୍ନରେ ଧନୁକୁ ପୂର୍ଣ୍ଣ ରୂପରେ ଟାଣି, ରାବଣ ଉପରକୁ ମର୍ମଭେଦୀ ବାଣ ଚଳାଇଲେ। ବଜ୍ରଧାରୀ ଇନ୍ଦ୍ର ପେଷିଥିବା ବଜ୍ର ପରି, ସେହି ଦୁର୍ଦ୍ଧର୍ଷ ଓ କାଳତୁଲ୍ୟ ଅନିବାର୍ଯ୍ୟ ବାଣ ରାବଣର ବକ୍ଷକୁ ବିଦ୍ଧ କଲା।
କିନ୍ତୁ ତୁଳସୀଦାସ ତାଙ୍କ ରାମାୟଣରେ ଅତ୍ୟନ୍ତ ଭାବପୂର୍ଣ୍ଣ ଭାବରେ, ରାବଣକୁ ଶ୍ରୀରାମ ତୀର ବିନ୍ଧିବା ପ୍ରସଙ୍ଗର ବର୍ଣ୍ଣନା କରିଛନ୍ତି। ତାହା ଅନୁସାରେ- ସମସ୍ତ ପ୍ରକାରର ପ୍ରହାର ସତ୍ତ୍ୱେ ରାବଣର ମୃତ୍ୟୁ ନ ହେବା ଜାଣି ସୀତା ଆଶଙ୍କିତ ହୋଇ ଉଠିଲେ ଏବଂ ତ୍ରିଜଟାକୁ ତାହାର ମୃତ୍ୟୁଭେଦ ପଚାରିଲେ। ତ୍ରିଜଟା ତାଙ୍କୁ କହିଲା- ରାବଣର ବକ୍ଷକୁ ଶରବିଦ୍ଧ କଲେ ହିଁ ତା’ର ମୃତ୍ୟୁ ହେବ। କିନ୍ତୁ ଶ୍ରୀରାମ ତାହାର ବକ୍ଷକୁ ଶରବିଦ୍ଧ କରୁ ନାହାନ୍ତି।

Advertisment

ସମସ୍ତ ପ୍ରକାରର ପ୍ରହାର ସତ୍ତ୍ୱେ ରାବଣର ମୃତ୍ୟୁ ନ ହେବା ଜାଣି ସୀତା ଆଶଙ୍କିତ ହୋଇ ଉଠିଲେ ଏବଂ ତ୍ରିଜଟାକୁ ତାହାର ମୃତ୍ୟୁଭେଦ ପଚାରିଲେ।

ଏହାର କାରଣ ସ୍ୱରୂପ, ତ୍ରିଜଟା କହିଲା- ଶ୍ରୀରାମ ଭାବୁଛନ୍ତି, “ରାବଣ ତା’ର ହୃଦୟରେ ସୀତାଙ୍କୁ ସ୍ଥାନ ଦେଇଛି। ତେଣୁ ସୀତା ତାର ହୃଦୟରେ ବାସ କରୁଛନ୍ତି। ସୀତାଙ୍କ ହୃଦୟରେ ମୁଁ ଅଛି ଏବଂ ମୋର ହୃଦୟରେ ଏ ଚରାଚର ସୃଷ୍ଟିର ନିବାସ। ଏଣୁ ଯଦି ମୁଁ ରାବଣର ହୃଦୟକୁ ଶରବିଦ୍ଧ କରେ, ତେବେ ନିଶ୍ଚିତ ଭାବରେ ଏ ସମସ୍ତ ଭୁବନର ବିନାଶ ଘଟିବ।”
ତାହା ଶୁଣି, ସୀତା ଯୁଗପତ୍ ବିଷାଦିତ ଓ ହର୍ଷ ହେଲେ। ତାହା ଦେଖି ପରିଶେଷରେ ତ୍ରିଜଟା କହିଲା- ସୀତା ଠାକୁରାଣୀ! ଏବେ ମନରୁ ସଂଶୟ ଦୂରକର। ବାରମ୍ବାର ଶିର ଛେଦନ କରିବା ସତ୍ତ୍ୱେ ରାବଣର ମସ୍ତକ ପୁଣି ବଢ଼ି ଉଠୁଥିବା ଦେଖି, ନିଶ୍ଚେ ଶ୍ରୀରାମଙ୍କର ଧ୍ୟାନ ହଟିବ ଏବଂ ସେ ରାବଣର ବକ୍ଷକୁ ଶରବିଦ୍ଧ କରିବେ। ରାବଣ ନିହତ ହେବ।
ତାହାହିଁ ହୋଇଥିଲା। ପରିଶେଷରେ ଶ୍ରୀରାମଙ୍କ ବାଣରେ ରାବଣର ବକ୍ଷ ବିଦୀର୍ଣ୍ଣ ହୋଇ ତାର ମୃତ୍ୟୁ ଘଟିଲା।