ସର୍ବଭାରତୀୟ ସ୍ତରରେ ସୀତାବିବାହ ଉତ୍ସବ ପାଳିତ ହୁଏ ମାର୍ଗଶିର ଶୁକ୍ଳ ପଞ୍ଚମୀ ତିଥିରେ। କିନ୍ତୁ ଶ୍ରୀମନ୍ଦିରରେ ଚୈତ୍ର ଶୁକ୍ଳ ଏକାଦଶୀ ଦିନ ଏହି ନୀତି ହୋଇଥାଏ। ଚୈତ୍ର ଶୁକ୍ଳ ନବମୀରେ ଶ୍ରୀରାମଜନ୍ମ ନୀତି ଅନୁଷ୍ଠିତ ହେବା ପରେ, ଶ୍ରୀରାମଙ୍କ ସଂପର୍କିତ ଯେଉଁ ସବୁ ରୀତିନୀତି ପାଳିତ ହୁଏ, ଏହା ତାହାର ଏକ ଅଙ୍ଗ। ଏହି ନୀତି ମଧ୍ୟରେ ଶ୍ରୀରାମ ନବମୀ, ଯଜ୍ଞରକ୍ଷା, ସୀତାବିବାହ, ମାୟାମୃଗ, ଲଙ୍କାପୋଡ଼ି, ସେତୁବନ୍ଧ, ରାବଣ ବଧ ଓ ଶ୍ରୀରାମ ଅଭିଷେକ ଆଦି ମୁଖ୍ୟ।
ଆଦିକବି ବାଲ୍ଲୀକିଙ୍କ ରଚିତ ସଂସ୍କୃତ ‘ରାମାୟଣ’ର ଅଯୋଧ୍ୟା କାଣ୍ଡ, ୭୩ ଅଧ୍ୟାୟରେ ବର୍ଣ୍ଣିତ ଅଛି ସୀତାବିବାହ ପ୍ରସଙ୍ଗ। ଏହାର ପୂର୍ବପ୍ରସଙ୍ଗ ଅନୁସାରେ, ଶ୍ରୀରାମଙ୍କ ଦ୍ୱାରା ଶିବଧନୁ ଭଙ୍ଗ ହେବା ପରେ, ରାଜର୍ଷି ଜନକ ଅଯୋଧ୍ୟାର ରାଜା ଦଶରଥଙ୍କ ନିକଟକୁ ବିଧିବଦ୍ଧ ଭାବରେ ବିବାହ ପ୍ରସ୍ତାବ ପଠାଇଥିଲେ। ଦଶରଥ ସେହି ପ୍ରସ୍ତାବ ଓ ନିମନ୍ତ୍ରଣ ପାଇ, ବଶିଷ୍ଠ, ବାମଦେବ, ଜାବାଳି, କଶ୍ୟପ, ଦୀର୍ଘଜୀବୀ, ମାର୍କଣ୍ଡେୟ ଓ କାତ୍ୟାୟନ ଆଦି ଋଷି ଓ ମହର୍ଷିମାନଙ୍କ ସହିତ ବିଦେହ ଯାତ୍ରା କରିଥିଲେ।

Advertisment

ଜନକ ଦଶରଥଙ୍କୁ କହିଥିଲେ- ମୋର କନ୍ୟା ସୀତାଙ୍କ ବିବାହ ପାଇଁ ମୁଁ ଯେଉଁ ଶୁଳ୍‌କ ରଖିଥିଲି, ତାହା ହେଉଛି ପରାକ୍ରମ। ବିଶ୍ୱାମିତ୍ରଙ୍କ ସହ ଆସିଥିବା ଆପଣଙ୍କ ପୁତ୍ର ଶ୍ରୀରାମ ନିଜର ପରାକ୍ରମ ବଳରେ ଶିବଧନୁ ଭାଙ୍ଗି ମୋର କନ୍ୟା ସୀତାଙ୍କୁ ଜିତିଲେ। ମୁଁ ମୋର ଏହି ‘ବୀର୍ଯ୍ୟଶୁଳ୍‌କା’ କନ୍ୟା ସୀତାଙ୍କୁ ଆପଣଙ୍କ ପୁତ୍ର ଶ୍ରୀରାମଙ୍କୁ ପ୍ରଦାନ କରୁଛି।

ଚାରିଦିନ ପରେ ସେମାନେ ଯେତେବେଳେ ବିଦେହରେ ପହଞ୍ଚିଲେ, ଦଶରଥଙ୍କ ଅନୁରୋଧରେ ମହର୍ଷି ବଶିଷ୍ଠ ଜନକଙ୍କୁ ଶ୍ରୀରାମଙ୍କର କୁଳ ପରିଚୟ ଦେଇଥିଲେ। ସେହିପରି, ଇକ୍ଷ୍ୱାକୁ କୁଳର ପରିଚୟ ପାଇବା ପରେ, ଜନକ ନିଜର କୁଳ ପରିଚୟ ଦେବାକୁ ଯାଇ କହିଥିଲେ- “ହେ ମୁନିଶ୍ରେଷ୍ଠ, କୁଳୀନ ପୁରୁଷ କନ୍ୟାଦାନ ସମୟରେ ନିଜ କୁଳର ପୂର୍ଣ୍ଣ ପରିଚୟ ଦେବା ଆବଶ୍ୟକ।” ଏହା ପରେ ବୈଦିକ ବିଧିରେ, ଶ୍ରୀରାମ ଏବଂ ଅନ୍ୟ ତିନିଭ୍ରାତା- ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କ ବିବାହ ସଂପନ୍ନ ହୋଇଥିଲା। ଜନକଙ୍କ ଅନୁରୋଧରେ ଶ୍ରୀରାମ ସୀତାଙ୍କର, ଭରତ ମାଣ୍ଡବୀଙ୍କର, ଲକ୍ଷ୍ମଣ ଉର୍ମିଳାଙ୍କର ଏବଂ ଶତ୍ରୁଘ୍ନ ଶ୍ରୁତକୀର୍ତ୍ତିଙ୍କର ପାଣିଗ୍ରହଣ କରିଥିଲେ। ଏହି ପ୍ରସଙ୍ଗରେ ରାଜର୍ଷି ଜନକ ନିଜର କନ୍ୟା ସୀତା ଓ ଜାମାତା ଶ୍ରୀରାମଙ୍କ ସଂପର୍କରେ କହିଥିବା ଗୋଟିଏ କଥା ତାତ୍ପର୍ଯ୍ୟପୂର୍ଣ୍ଣ। ସେ ଦଶରଥଙ୍କୁ କହିଥିଲେ- ‘‘ମୋର କନ୍ୟା ସୀତାଙ୍କ ବିବାହ ପାଇଁ ମୁଁ ଯେଉଁ ଶୁଳ୍‌କ ରଖିଥିଲି, ତାହା ହେଉଛି ପରାକ୍ରମ। ବିଶ୍ୱାମିତ୍ରଙ୍କ ସହ ଆସିଥିବା ଆପଣଙ୍କ ପୁତ୍ର ଶ୍ରୀରାମ ନିଜର ପରାକ୍ରମ ବଳରେ ଶିବଧନୁ ଭାଙ୍ଗି ମୋର କନ୍ୟା ସୀତାଙ୍କୁ ଜିତିଲେ। ମୁଁ ମୋର ଏହି ‘ବୀର୍ଯ୍ୟଶୁଳ୍‌କା’ କନ୍ୟା ସୀତାଙ୍କୁ ଆପଣଙ୍କ ପୁତ୍ର ଶ୍ରୀରାମଙ୍କୁ ପ୍ରଦାନ କରୁଛି।’’ ଚୈତ୍ର ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ ପାଳିତ ହେଉଥିବା ସୀତା ବିବାହ ନୀତିରେ, ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ଦକ୍ଷିଣିଘରୁ ରତ୍ନସିଂହାସନକୁ ଆସି, ଆଜ୍ଞାମାଳ ପାଇ, ଏହି ବିବାହନୀତି ଓ ଅନ୍ୟାନ୍ୟ ନୀତିରେ ଅଂଶଗ୍ରହଣ କରିଥାନ୍ତି।
-ଅସିତ ମହାନ୍ତି