ଭୁବନେଶ୍ବର: ମେଲାଣି ନେଇସାରିଛନ୍ତି ମାଆ । ଜଗତଜନନୀଙ୍କୁ ବିଦାୟ ଦେଇ ବିସର୍ଜନ କରିଛି ଦୁନିଆ… ଦୁର୍ଗାପୂଜା ସରିଛି… ନବରାତ୍ର, ଦାଣ୍ଡିଆ ନାଚ ଓ ରାବଣପୋଡ଼ି ପରେ ମାଆଙ୍କୁ ବି ମେଲାଣି ଦିଆସରିଛି… ଯେତେବେଳେ ଧରାବତରଣ କରିଥିବା ମାଆଙ୍କୁ ଧୁମଧାମରେ, ଘଣ୍ଟଘଣ୍ଟା, ହୁଳହୁଳି, ପାରମ୍ପରିକ ବାଜାର ତାଳେତାଳେ ମାଆଙ୍କୁ ବିଦାୟ ଦେଇ ପୁଣି ଆଗ ବରଷକୁ ମାଆଙ୍କ ଆଗମନୀକୁ ଅପେକ୍ଷା କରାଯାଇଛି ଠିକ୍ ସେତେବେଳେ ମାଆଙ୍କୁ ବିଦାୟ ଦେଇ ଝୁରୁଛି ପେଣ୍ଡାଲ, ଝୁରୁଛି ମଣ୍ଡପ, ଝୁରୁଛି ବି ସେ ସୁଉଚ୍ଚ ତୋରଣ… ଆକାଶଛୁଆଁ ତୋରଣ ଆଜି ହୁଏତ ହଟିଯାଇଥିବ ମାତ୍ର ସେ ତୋରଣ ଆଖିରେ ବି ଲୁହ ଥିବ । କାରଣ ଆକାଶ ଉଚ୍ଚାରେ ରହି ବି ସେ ୪ ଦିନ କାଳ ମାଆଙ୍କୁ ଦେଖିବାର ସୁଯୋଗ ପାଉଥିଲା ମାତ୍ର ମାଆ ମେଲାଣି ନେଲା ପରେ ଏବେ ସବୁଠି ଶୂନଶାନ ।

Advertisment

ଫାଙ୍କା ପଡିଛି ପେଣ୍ଡାଲ, ମଣ୍ଡପରେ ନାହାନ୍ତି ମାଆ । ଗତକାଲି ମେଲାଣି ନେବା ପରେ ଏବେ ସବୁଠି ଖାଁ ଖାଁ । କାଲି ଯେଉଁଠି ଗହଳି ଲାଗିଥିଲା ଆଜି ସେଠି ଖାଁ ଖାଁ । ରାତି ସାରା ଯେଉଁ ସ୍ଥାନରେ ଭିଡ଼ ଲାଗୁଥିଲା, ଲୋକଙ୍କ ସମାଗମ ହେଉଥିଲା, ଯେଉଁ ମନ୍ତ୍ର ଶ୍ଲୋକ, ଚଣ୍ଡୀପାଠରେ ଚଉଦିଗ ପ୍ରକମ୍ପିତ ହେଉଥିଲା । ଯେଉଁ ମଣ୍ଡପରୁ ଧୂପ ଝୁଣା ଧୂଆଁର ମହମହ ବାସ୍ନା ସାରା ଅଞ୍ଚଳକୁ ଆଧ୍ୟାତ୍ମିକତାରେ ବାନ୍ଧି ରଖିଥିଲା ସେ ସ୍ଥାନରେ ଆଜି ତୋରଣ ଛଡା ଆଉ କିଛି ନାହିଁ । ଧିରେଧିରେ ଖୋଲାଯାଉଛି ତୋରଣ, ପଡିଆରୁ ହଟୁଛି ବାଉଁଶରେ ବନ୍ଧା ହୋଇଥିବା ଟେଣ୍ଟ ଏବଂ ମାଳ ମାଳ ଆଲୋକମାଳା ।

ଖାଲି ତୋରଣ ନୁହେଁ ରାସ୍ତା ବି ଆଜି ଖାଁ ଖାଁ… ଦୁଇ ଚାରି ଦିନ ତଳେ ଯେଉଁ ରାସ୍ତାରେ ଅସମ୍ଭାଳ ଭିଡ ଲାଗୁଥିଲା, ଯେଉଁଠି ଆମ୍ବୁଲାନ୍ସ ଫସୁଥିଲା, ଯେଉଁଠି ଟ୍ରାଫିକ ବ୍ୟବସ୍ଥା ଭୁଶୁଡିଥିଲା ଆଜି ସେଠି ଗାଡ଼ି ମଟରର ଭିଡ କମିଛି, ରାସ୍ତାରେ ଭିଡ଼ ସ୍ବାଭାବିକ ହୋଇଛି । ହେଲେ ସବୁଠି ମାଆଙ୍କୁ ବିଦାୟ ଦେବାର ଦୁଃଖ ରହିଛି । ସେଥିପାଇଁ ତ କୁହାଯାଏ- ମାଆ ନଥିବା ଜୀବନ ହେଉ କି ସ୍ଥାନ… ସବୁବେଳେ ଶୂନ ଆଉ ଶୂନ୍ୟ …