୨୦୨୦ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘‘ନୂଆ ଓଡ଼ିଶା’’ର ସ୍ବପ୍ନ ଦେଖାଇଥିଲେ ରାଜ୍ୟବାସୀଙ୍କୁ। ବିକାଶର ଶିଖର ଛୁଇଁବା ଭଳି ଗୋଟିଏ ନକ୍ସା ପ୍ରସ୍ତୁତ କରିଥିଲା ପ୍ରଶାସନ। ସ୍ବାଧୀନତା ପରର ସବୁଠାରୁ ବଡ଼ ବଜେଟ୍ ଆଗତ କରାଯାଇଥିଲା ବିଧାନସଭାରେ। ଏ ସ୍ବପ୍ନକୁ କାର୍ଯ୍ୟକାରୀ କରିବା ପାଇଁ ରାତି ଅଣ୍ଟିଲାନି। ହଠାତ୍ କରୋନା ଆଁରେ ପଶିଗଲା ଓଡ଼ିଶା। ସାହସ ଦେଖାଇଥିଲେ ସରକାର। ବନ୍ୟା, ବାତ୍ୟା ମୁକାବିଲାରେ ସାରା ବିଶ୍ବରେ ପାରଦର୍ଶିତା ଲାଭ କରିଥିବା ନବୀନ ଭାରତର ପ୍ରଥମ ରାଜ୍ୟ ଭାବେ କୋଭିଡ୍କୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କରି ଆରମ୍ଭ କରିଥିଲେ ମୁକାବିଲା।
ନବୀନ ନିବାସରୁ ହିଁ ନିଜେ ରାଜ୍ୟ ଶାସନ କଲେ। ଲକ୍ଡାଉନ୍, ସଟ୍ଡାଉନ୍ ସବୁଥିରେ ଆଗରେ ରହିଲା ଓଡ଼ିଶା। ହେେଲ ସମୟର ଗତି ସହିତ ଧୀରେ ଧୀରେ ଭୁଶୁଡ଼ିଗଲା ଅର୍ଥନୀତି। ଘରମୁହାଁ ହେଲେ ଲକ୍ଷ ଲକ୍ଷ ପ୍ରବାସୀ। ହୁ ହୁ ହୋଇ ମାଡ଼ି ଚାଲିଲା କରୋନା। ବିପର୍ଯ୍ୟୟର ଭୟାବହତା ଦେଖିଲା ଓଡ଼ିଶା। ନବୀନଙ୍କ ‘‘ନୂଆ ଓଡ଼ିଶା’’ ଦେଖିବା ପୂର୍ବରୁ ଅକାଳରେ ଝଡ଼ିଗଲା ଶହ ଶହ ଜୀବନ।
ବିକାଶରୁ ମୁହଁ ଫେରାଇ ଜୀବନ ଓ ଜୀବିକା ମଝିରେ ରାସ୍ତା ଖୋଜିଲେ ସରକାର। ଅନ୍ୟ ରାଜ୍ୟ ତୁଳନାରେ ପ୍ରଭାବୀ ମୁକାବିଲା କରି ଜାତିସଂଘର ପ୍ରଶଂସା ସାଉଁଟିଲେ। ହେଲେ ଯେବେ କରୋନା ଉପରେ ବିଜୟ ଲାଭ କରି ନବୀନ ବିପର୍ଯ୍ୟୟରୁ ବିକାଶ ଆଡକୁ ପୁଣି ଥରେ ମୁହଁ ଫେରାଇବା ଆରମ୍ଭ କଲେ, ସେବେ ତାଙ୍କ ଭାବମୂର୍ତି ପ୍ରତି ବିପଦ ଟାଣି ଆଣିଥିଲେ ସହଯୋଗୀ ବାବୁ ଆଉ ନେତା।
କେଳେଙ୍କାରୀରେ ଛନ୍ଦି ହୋଇଗଲେ ଆଇଏଏସ୍, ଆଇଏଫ୍ଏସ୍। ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥାଇ ଧରାପଡ଼ିଲେ ଏକଦା ଘନିଷ୍ଠ ରାଜନୈତିକ ସହଯୋଗୀ। ସରକାର ଦେହରେ ବିବାଦ ଲେସି ଅଡ଼ୁଆ ବଢ଼ାଇଦେଲେ କ୍ୟାବିନେଟ୍ ସହଯୋଗୀ। ଶିଶୁ ହତ୍ୟା ଭଳି ଅପବାଦ ସରକାର ମୁଣ୍ଡରେ ଲାଗିଲା।
ଜନମତ ପ୍ରଭାବିତ ହେଲା ପରି ମନେ ହେଲା ନାହିଁ। ଦୁଇ ଦୁଇଟି ଉପନିର୍ବାଚନରେ ବିଜୟର ବାନା ଉଡ଼ାଇ ନିଜକୁ ନିରଙ୍କୁଶ ବୋଲି ନବୀନ ପ୍ରମାଣିତ କଲେ; ତଥାପି ନିଜ ଭାବମୂର୍ତି ବିପଦରେ ଥିବା ଅନୁମାନ କରି ସାମ୍ନାକୁ ଆସିଥିଲେ ନବୀନ। ଶ୍ରୀଜଗନ୍ନାଥଙ୍କୁ ସିଂହଦ୍ବାରରେ ଦର୍ଶନ କରିବା ପରେ ଶାସନ, ଆଭିମୁଖ୍ୟରେ ପରିବର୍ତନ ଆସିଲା। ବନ୍ଧା ହେଲେ ଅଫିସର, ଘନିଷ୍ଠ ସହଯୋଗୀ। ବିରୋଧୀ ଦଳ ଓ ଦୁର୍ନୀତି ବିରୋଧରେ ଯୁଦ୍ଧ ଡାକରା ଦେଲେ। ନୂଆବର୍ଷର ନୂଆ ସକାଳକୁ ନୂଆ ଢଙ୍ଗରେ ଆରମ୍ଭ କରିବା ଲାଗି ନବୀନ ଏବେ ଦୃଢ଼ମନା। ପ୍ରଶାସନର ନବକଳେବର କରି ହଟଚମଟ ସୃଷ୍ଟି କରିଛନ୍ତି।। ଏମିତି ଅନେକ ଦୃଷ୍ଟିରୁ ୨୦୨୦ ଥିଲା ଟର୍ନିଂ ପଏଣ୍ଟ ...
odishaassembly.nic.inଉଡ଼ିଗଲା ୩୦ ବୈଠକ
ବର୍ଷକରେ ବିଧାନସଭା ଅଧିବେଶନ ସର୍ବନିମ୍ନ ୬୦ ଦିନ ବସିବାର ନିୟମ ଅଛି। ଚଳିତ ବର୍ଷ ମାତ୍ର ୩୦ ଦିନ ଅଧିବେଶନ ବସିପାରିଲା। କୋଭିଡ୍ ସଂକ୍ରମଣ ଭୟରେ ତରବରିଆ ଭାବେ ଅର୍ଥାତ୍ ଆଗତୁରା ଶେଷ ହୋଇଥିଲା ବଜେଟ୍ ଅଧିବେଶନ। ମୌସୁମୀ ଅଧିବେଶନ ବି କାଣ୍ଟଛାଣ୍ଟ୍ ହେଲା। ସେହିଭଳି ଶୀତ ଅଧିବେଶନ ୪୦ ଦିନ ହେବ ବୋଲି କାର୍ଯ୍ୟସୂୂଚୀ ପ୍ରସ୍ତୁତ ହୋଇଥିଲା। କିନ୍ତୁ ମାତ୍ର ୧୦ଟି ବୈଠକରେ ଅଟକିଗଲା ଅଧିବେଶନ। ଏହାକୁ ନେଇ ବିରୋଧୀମାନେ ସରକାରଙ୍କୁ ଢେର୍ ସମାଲୋଚନା କଲେ। ବିଜେପି ମଧ୍ୟ ରାଜ୍ୟପାଳଙ୍କ ଫେରାଦ ହେଲା। କୌତୂହଳ କଥା ହେଲା, ଏଥର କାର୍ଯ୍ୟଦିବସ ସଂକ୍ଷିପ୍ତ ଥିଲେ ବି ବେଶ୍ ଚର୍ଚ୍ଚାରେ ଥିଲା। ଖଣି ଦୁର୍ନୀତି ଠାରୁ ଆରମ୍ଭ କରି ପରୀ ପ୍ରସଙ୍ଗ ଯାଏ ବିଧାନସଭାରେ ଉଠିଥିଲା। ବିଧାୟକଙ୍କ ଚାପରେ ବିଦ୍ୟାଳୟ ବନ୍ଦ ପ୍ରସଙ୍ଗରେ ସରକାର ତାଙ୍କ ନିଷ୍ପତ୍ତି ବଦଲାଇଲେ।
/sambad/media/post_attachments/wp-content/uploads/2020/12/odisha-corona-scaled.jpg)
ଲକ୍ଡାଉନ୍/ସଟ୍ଡାଉନ୍ରେ ଓଡ଼ିଶା ଆଗୁଆ
କରୋନା ସଂକ୍ରମଣ ଆଶଙ୍କାରେ ପ୍ରଥମେ ବିଧାନସଭାର ବଜେଟ୍ ଅଧିବେଶନକୁ ସରକାର କାଣ୍ଟଛାଣ୍ଟ୍ କରିବା ସହ ବଡ଼ ଉତ୍ସବ, ଭୋଜିଭାତ ଉପରେ ରୋକ୍ ଲଗାଇଲେ। ତାହା ପରେ ମାର୍ଚ୍ଚ ୨୨ରୁ ୭ ଦିନିଆ ଲକ୍ଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ସେହି ସମୟରେ ଖୁବ୍ କମ୍ ରାଜ୍ୟ ଏପରି ଆଗୁଆ ନିଷ୍ପତ୍ତି ନେଇଥିଲେ। ଏହା ପରେ ବିଭିନ୍ନ ପର୍ଯ୍ୟାୟରେ ଲକ୍ଡାଉନ୍, ସଟ୍ଡାଉନ୍ ଜାରି ରହିଲା। ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ସମୟରେ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା ହେଲା। ଏହା ଦ୍ବାରା କରୋନାର ଦ୍ରୁତ ସଂକ୍ରମଣରେ କିଛିଟା ରୋକ୍ ଲାଗିଲା ସତ। କିନ୍ତୁ ଲୋକଙ୍କ ଜୀବିକା ଉପରେ ଏହା ଏତେ ଶକ୍ତ ପ୍ରହାର ଦେଲା ଯେ କରୋନା ସଂକ୍ରମଣ କମିଲା ପରେ ବି ଜୀବନଜୀବିକା ବର୍ଷ ଶେଷ ଯାଏ ସ୍ବାଭାବିକ ହୋଇପାରିଲାନି।
/sambad/media/post_attachments/wp-content/uploads/2020/11/pradeep-bk.jpg)
ଜନବିରୋଧୀ ବୋଲି ବହିଷ୍କାର, ଜେଲ୍
ଏକଦା ନବୀନଙ୍କର ଘନିଷ୍ଠ ଥିଲେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ତାଙ୍କର ନିର୍ବାଚନମଣ୍ଡଳୀ ହିଞ୍ଜିଳିର ଦେଖାଶୁଣା ଦାୟିତ୍ବ ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କ ଉପରେ ନ୍ୟସ୍ତ ଥିଲା। ହେଲେ ଦଳ ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇ ରେକର୍ଡ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥର ଜନ ବିରୋଧୀ କାମ ପାଇଁ ଶ୍ରୀ ପାଣିଗ୍ରାହୀଙ୍କୁ ଦଣ୍ଡିତ କରିବାକୁ ପଛାଇ ନାହାନ୍ତି। ଭିଜିଲାନ୍ସ ଦ୍ବାରା ଗିରଫ ଆଇଏଫ୍ଏସ୍ ଅଫିସର୍ ଅଭୟ ପାଠକ ଓ ପୁଅ ଆକାଶ ପାଠକ (ଭାବି ଜ୍ବାଇଁ)ଙ୍କୁ ଠକାମି ଓ ଜାଲିଆତିରେ ସହଯୋଗ କରିଥିବା ଅଭିଯୋଗରେ ଶ୍ରୀ ପାଣିଗ୍ରାହୀଙ୍କ ହାତରେ କଡ଼ି ପିନ୍ଧାଇଥିଲେ ନବୀନ। ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। ପୂର୍ବରୁ ଅନେକ ନେତାଙ୍କୁ ଦଳରୁ ତଡ଼ା ଯାଇଛି। ଏଥର କିନ୍ତୁ ଜେଲ ହାଜତକୁ ପଠାଇବା ଲାଗି ଆଦୌ କୁଣ୍ଠିତ ହୋଇନଥିଲେ ବିଜେଡି ସୁପ୍ରିମୋ।
/sambad/media/post_attachments/wp-content/uploads/2020/12/pathaks1.jpg)
ଚର୍ଚ୍ଚାରେ ବାବୁଙ୍କ ଦୁର୍ନୀତି
ନବୀନଙ୍କ ପାଞ୍ଚଥରର ଶାସନ କାଳରେ ଏକାଧିକ ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ଦୁଇ ତିନିଟି ଉଦାହରଣ ଛାଡ଼ିଦେଲେ, ବାବୁମାନଙ୍କ ଚେହେରା କିନ୍ତୁ ସବୁବେଳେ ଚିକ୍ ଚିକ୍ ମାରୁଥିଲା। ହେଲେ ୨୦୨୦ରେ ରାଜ୍ୟ ରାଜନୀତିର ଏ ଦୃଶ୍ୟରେ ଅସମ୍ଭବ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ନିଜେ ସରକାର ୯୧ ଜଣ ବାବୁଙ୍କୁ ବାଧ୍ୟତାମୂଳକ ଅବସର ଦେଇ ସେମାନଙ୍କ ପେନସନ୍ ବନ୍ଦ କରିଛନ୍ତି। ୨୦୧୯ ବର୍ଷ ଶେଷରେ ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ। ବର୍ଷ ଶେଷକୁ ଆଇଏଫ୍ଏସ୍ ଅଫିସର୍ ଅଭୟ ପାଠକଙ୍କ ଗିରଫ ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିଲା। ରାଜ୍ୟ ଭିଜିଲାନ୍ସ ଇତିହାସରେ ଏହା ଥିଲା ସବୁଠାରୁ ବଡ଼ ଚଢ଼ଉ। ଉଭୟ ପାଠକ ବାପ-ପୁଅଙ୍କୁ ବନ୍ଧାଯାଇଥିଲା। ବାପା-ପୁଅଙ୍କ ବିଳାସପୂର୍ଣ୍ଣ ଜୀବନ ସମସ୍ତଙ୍କୁ ଚକିତ କରିଥିଲା। ଏକାଠି ଘେରିଥିଲେ କ୍ରାଇମବ୍ରାଞ୍ଚ ଆଉ ପ୍ରବର୍ତନ ନିର୍ଦେଶାଳୟ। ହେଲେ ମୁଖ୍ୟମନ୍ତ୍ରୀ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରି ତାଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟକୁ ଆହୁରି ସଶକ୍ତ କରିଥିଲେ।
କଟକଣାରେ ହେଲା ରଥଯାତ୍ରା
କରୋନା ସବୁ କ୍ଷେତ୍ରକୁ ଉଣା ଅଧିକେ ପ୍ରଭାବିତ କଲା। ବିନା ଭକ୍ତରେ କଟକଣାଯୁକ୍ତ ରଥଯାତ୍ରା ଥିଲା ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ। ବହୁ ବାଦବିବାଦ, ମକଦ୍ଦମା ପରେ ରଥ ଗଡ଼ିଲା। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ବାହାରକୁ ଆସିଲେ। କିନ୍ତୁ ବଡ଼ଦାଣ୍ଡରେ ଭକ୍ତ ନ ଥିଲେ। ସେବାୟତମାନେ ରଥ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ନେଲେ। ବାହୁଡ଼ାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଲା। ଏପରି ଏକ ବିରଳ ରଥଯାତ୍ରା ଶ୍ରୀମନ୍ଦିର ଇତିହାସରେ ଏକ ଅଲୋଡ଼ା ଅଧ୍ୟାୟ ହୋଇ ରହିଗଲା।
/sambad/media/post_attachments/wp-content/uploads/2020/12/abas-yojana.jpg)
ଘର କଳି ବଢ଼ିଲା
ଆବାସ ଯୋଜନା କାହାର ? କିଏ େନବ ଶ୍ରେୟ ? ଏହାକୁ ନେଇ ବର୍ଷ ତମାମ ବିଜେଡି-ବିଜେପି ଭିତରେ ଟଣାଓଟରା ଚାଲିଥିଲା। ଆବାସ ଯୋଜନାରେ ଘର ବଣ୍ଟନ ବେଳେ ରାଜ୍ୟ ସରକାରଙ୍କୁ ଶ୍ରେୟ ଦେବାର କୌଣସି ସୁଯୋଗକୁ ହାତଛଡ଼ା କରିନି ବିଜେଡି। ଅପର ପକ୍ଷରେ କେନ୍ଦ୍ର ସରକାର ଏଥିପାଇଁ ଅର୍ଥ େଦଉଥିଲା ବେଳେ ରାଜ୍ୟ ସରକାର ଯୋଜନାକୁ ହାଇଜାକ୍ କରୁଛନ୍ତି ବୋଲି ବିଜେପି ପାଲଟା ଅଭିଯୋଗ କରିଛି। ବିଭିନ୍ନ ସମୟରେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଓ ବିଜେଡିକୁ ଟାର୍ଗେଟ୍ କରିଛି। ଏପରିକି ବ୍ଲକ୍ ସ୍ତରରେ ଆନ୍ଦୋଳନ ମଧ୍ୟ କରିଛି। ବର୍ଷ ଶେଷ ପର୍ଯ୍ୟନ୍ତ ଏହି ଟଣାଓଟରା ଲାଗି ରହିଥିଲା।
ଦୁର୍ନୀତି ନିବାରଣ, ସଂରକ୍ଷଣ, ଗାନ୍ଧୀ କଥା
ବର୍ଷ ଶେଷ ଆଡ଼କୁ ରାଜ୍ୟ ସରକାରଙ୍କ କେତୋଟି ନିଷ୍ପତ୍ତି ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଲା। ସରକାରୀ ସ୍କୁଲ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍ ଓ ଇଞ୍ଜିନିୟରିଂ ପାଇଁ ନାମଲେଖାରେ ସିଟ୍ ସଂରକ୍ଷଣ ନିମନ୍ତେ କ୍ୟାବିନେଟ୍ ନିଷ୍ପତ୍ତି ନେଲା। ସବୁ ସରକାରୀ କର୍ମଚାରୀ, ଅଧିକାରୀ ଓ ଜନ ପ୍ରତିନିଧି ସମ୍ପତ୍ତି ତାଲିକା ଦେବାକୁ ବାଧ୍ୟ କରି ସରକାର ତାଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଆଉ ଏକ ଅଧ୍ୟାୟ ଯୋଡ଼ିଲେ। ସେହିପରି ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତ ବାର୍ଷିକୀ ପାଳନ କରିବା କରିବା ପାଇଁ ମଧ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଓଡ଼ିଶାର ବରପୁତ୍ରମାନଙ୍କ ଗାଁକୁ ଆଦର୍ଶ ଗ୍ରାମରେ ପରିଣତ କରିବା ପାଇଁ ସରକାରୀ ଘୋଷଣା ଏ ବର୍ଷର େଶଷ ସପ୍ତାହରେ ଥିଲା ଆଉ ଏକ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/mmmmmmmmmmmmmmmmm.jpg)