ପାଠ ନପଢ଼ି ଛଅ ଡକ୍ଟରେଟ୍ ଡିଗ୍ରୀ

ଲତା ମଙ୍ଗେସକର ପିଲାଦିନେ ଗୋଟିଏ ଦିନ ପାଇଁ ମାତ୍ର ସ୍କୁଲ୍‌କୁ ଯାଇଥିଲେ। ଆନୁଷ୍ଠାନିକ ଶିକ୍ଷା ଲାଭ କରି ନଥିବା ଲତାଙ୍କୁ ଦେଶବିଦେଶର ବିଶ୍ବବିଦ୍ୟାଳୟରୁ ସେ ୬ଟି ଡକ୍ଟରେଟ୍‌ ଡିଗ୍ରୀ ପାଇଛନ୍ତି। ରିପୋର୍ଟ ଅନୁସାରେ ଶିବାଜୀ ୟୁନିଭର୍ସିଟି, ପୁନେ ୟୁନିଭର୍ସିଟି, ନ୍ୟୁୟର୍କ ୟୁନିଭର୍ସିଟି, ବରୋଦା ୟୁନିଭର୍ସିଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ପ୍ରଦାନ କରିଛନ୍ତି।

ବିଶ୍ବକପ୍‌ କ୍ରିକେଟ୍‌ ପାଇଁ ୨୦ ଲକ୍ଷ ଯୋଗାଡ଼
ଲତା ମଙ୍ଗେସକର କ୍ରିକେଟର ଜଣେ ଜବରଦସ୍ତ ପ୍ରଶଂସିକା ଭାବେ ବେଶ୍‌ ଜଣାଶୁଣା। ଅନେକ ସମୟରେ କ୍ରିକେଟ ଖେଳ ଓ ଭାରତୀୟ ଦଳର ଭୂରୁଭୂରି ପ୍ରଶଂସା କରିଛନ୍ତି। ୧୯୮୩ ମସିହା ବିଶ୍ବକପ୍‌ରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଭାରତ ବିଜୟୀ ହୋଇଥିଲା। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳିମାନଙ୍କୁ ସମ୍ବର୍ଦ୍ଧନା ଓ ସମ୍ମାନ ଜଣାଇବା ପାଇଁ ଚାହୁଁଥିଲେ। ଏଥିପାଇଁ କିନ୍ତୁ ବିସିସିଆଇ ନିକଟରେ ଯଥେଷ୍ଟ ଅର୍ଥ ନଥିଲା। କ୍ରିକେଟ ପ୍ରଶାସକ ରାଜ ସିଂ ଡୁଙ୍ଗରପୁର ଲତାଙ୍କ ସହାୟତା ଚାହିଁଥିଲେ। ସେତେବେଳେ ବିସିସିଆଇ ସଭାପତି ଥିଲେ ଏନ୍‌ପିକେ ସାଲ୍‌ଭେ। ଏ ସମ୍ପର୍କରେ ଡୁଙ୍ଗରପୁରଙ୍କ ଆଜ୍ମଜୀବନୀ ପୁସ୍ତକରେ ଉଲ୍ଲେଖ ରହିଛି। ଡୁଙ୍ଗରପୁର ପାଣ୍ଠି ଯୋଗାଡ଼ କରିବା ପାଇଁ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ ସକାଶେ ଲତାଙ୍କୁ ଅନୁରୋଧ କରିଥିଲେ। ଲତା ସମ୍ମତି ଜଣାଇବା ସହ ଦିଲ୍ଲୀରେ ପହଞ୍ଚିଥି‌ଲେ। ସୁରେଶ ୱାଦେକର ଓ ନିତିନିନ ମୁକେଶ ବି ସମର୍ଥନ ଜଣାଇଥିଲେ କାର୍ଯ୍ୟକ୍ରମକୁ। ରାଜୀବ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ଲତାଙ୍କ ଭାଇ ପଣ୍ଡିତ ହୃଦୟନାଥ ମଙ୍ଗେସକର ‘ଭାରତ ବିଶ୍ବ ବିଜେତା’ ଶୀର୍ଷକରେ ଏକ ଗୀତ କମ୍ପୋଜ କରିଥିଲେ। ଏହି ଗୀତ ପରିବେଷଣ ହେବା ସହ ଶେଷରେ ୨୦ ଲକ୍ଷ ଟଙ୍କାର ପାଣ୍ଠି ଯୋଗାଡ଼ ହୋଇପାରିଥିଲା। ସେହି ଅର୍ଥରୁ ପ୍ରତ୍ୟେକ ଖେଳାଳିଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦିଆଯାଇଥିଲା। ପାରିଶ୍ରମିକ ବାବଦରେ ଟଙ୍କାଟିଏ ବି ନେଇଥିଲେ ଲତା।

ରାଜ୍ୟସଭା ସାଂସଦ ଭାବେ ଭତ୍ତା ନେଇ ନଥିଲେ
ବିଜେପି ସମର୍ଥନରେ ୧୯୯୯ ମସିହା ନଭେମ୍ବର ୨୨ରେ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଲତା ମଙ୍ଗେସ୍‌କର। ୨୦୦୫ ମସିହା ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ସେ ସାଂସଦ ରହିଥିଲେ। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ ସେ ସାଂସଦ ଭାବେ ଆଦୌ ଭତ୍ତା ନେଇ ନଥିଲେ। ତେବେ ସଂସଦ ଅଧିବେଶନ ସମୟରେ ସେ ପ୍ରାୟତଃ ଅନୁପସ୍ଥିତ ରହୁଥିଲେ। ମାତ୍ର ୧୨ ଦିନ ଉପସ୍ଥିତ ଥିଲେ। ଯାହାକୁ ନେଇ ସେତେବେଳେ ବିବାଦର ପରିସରକୁ ଆସଥିଲେ ଲତା ମଙ୍ଗେସକର।

ପ୍ରଥମ ଫିଲ୍ମଫେୟାର ଟ୍ରଫି ନେବାକୁ ମନା କରିଦେଇଥିଲେ
୧୯୫୮ ମସିହା। ବିମଳ ରାୟଙ୍କ ‘ମଧୁମତୀ’ ୯ଟି ‘ଫିଲ୍ମଫେୟାର ଆୱାର୍ଡ’ ପାଇଁ ମନୋନୀତ ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା। ଦିଲ୍ଲୀପ କୁମାର ଓ ବୈଜୟନ୍ତୀ ମାଳାଙ୍କ ପାଇଁ ପ୍ରସ୍ତୁତ ‘ଆଜାରେ ପରଦେଶୀ’ ଗୀତ ପାଇଁ ଲତା ମଙ୍ଗେସକର ମନୋନୀତ ହୋଇଥିଲେ। ପୁରସ୍କାର ପାଇଁ ଲତାଙ୍କୁ ଷ୍ଟେଜ୍‌ ଉପରକୁ ଡକାଗଲା। ମାତ୍ର, ସେ ଫିଲ୍ମ ଫେୟାର ଟ୍ରଫି ନେବାକୁ ମନାକରିଦେଲେ। ଏଇଥିପାଇଁ ଯେ ସେ ଟଫ୍ରି ମହିଳାଙ୍କ ଆକୃତିର ଥିଲା ଏବଂ ଏହା ଉଲଗ୍ନ ଅବସ୍ଥାରେ ରହିଥିଲା। ଏହା ତାଙ୍କ ଜୀବନର ପ୍ରଥମ ‘ଫିଲ୍ମ ଫେୟାର’ ଟ୍ରଫି ହୋଇଥିଲେ ବି ମହିଳାଙ୍କ ସମ୍ମାନକୁ ସେ ଅଗ୍ରାଧିକାର ଦେଇଥିଲେ।

ସମ୍ବନ୍ଧିତ ଖବର