ଆଜମଗଡ଼: ପେଟ୍ରୋଲ ଦର ଏବେ ଆକାଶ ଛୁଆଁ ହେବାକୁ ବସିଲାଣି, ସେଥିପାଇଁ ଏବେ ସମସ୍ତେ ଇଲେକ୍ଟ୍ରିକ୍ ଗାଡି ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ପେଟ୍ରୋଲ ଦର ବୃଦ୍ଧିକୁ ନଜରରେ ରଖି ଆଜମଗଡର ଅସଦ ଅବଦୁଲ୍ଲା ଏପରି ଏକ ଇଲେକ୍ଟ୍ରିକ୍ ବାଇକ ଉଦ୍ଭାବନ କରିଛନ୍ତି, ଯାହା ସାଧାରଣ ଲୋକଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ଏକ ଛୋଟ ଗାଁରେ ରହୁଥିବା ଅସଦ ଜଣେ କୃଷକ ପରିବାରରୁ ଆସନ୍ତି। ତାଙ୍କୁ ଦିନମାନର  ଛୋଟ ଛୋଟ କାମ କରିବା ପାଇଁ ଏକ ବାଇକର ଦରକାର ପଡୁଥିଲା। କିନ୍ତୁ ପେଟ୍ରୋଲର ଦର ବୃଦ୍ଧି ହେତୁ ବାଇକ ଯୋଗେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ତାଙ୍କ ପାଇଁ ଭାରି କଷ୍ଟକର ହୋଇପଡିଥିଲା। ଏଭଳି ପରିସ୍ଥିତିରେ ସେ ଏକ ଇଲେକ୍ଟ୍ରିକ୍ ବାଇକ ତିଆରି କରିବାକୁ ଚିନ୍ତା କରିଥିଲେ।

Advertisment

ଅସଦ ଅବଦୁଲ୍ଲା ଆଇଟିଆଇରୁ ଡିପ୍ଲୋମା ପଢୁଛନ୍ତି, ତେଣୁ ତାଙ୍କ ପାଇଁ ଏହି ବାଇକ ତିଆରି କରିବା କିଛି ମାତ୍ରାରେ ସହଜ ଥିଲା । ସେ ଛୋଟ ଛୋଟ ମେସିନ୍ ସଜାଡ଼ିବାକୁ ମଧ୍ୟ ଖୁବ ପସନ୍ଦ କରନ୍ତି । କିନ୍ତୁ ଯେତେବେଳେ ବାଇକ୍ ତିଆରି କରିବାକୁ ସମୟ ଆସିଲା, ସେ ଏକ କିମ୍ବା ଦୁଇ ନୁହେଁ ଛଅ ଜଣଙ୍କୁ ବସିବା ପାଇଁ ଏକ ବଡ଼ ଇଲେକ୍ଟ୍ରିକ୍ ବାଇକ୍ ତିଆରି କଲେ । ଏହି ବାଇକ୍ ତିଆରିରେ ଅସଦ କିଛି ନୂଆ ଜିନିଷ କିଣିନାହାନ୍ତି । କିଛି ଅଦରକାରୀ ଜିନିଷରୁ ହିଁ ସେ ଏହି ବାଇକ ତିଆରି କରିଛନ୍ତି। ବାଇକ୍ ତିଆରି କରିବା ପାଇଁ ତାଙ୍କୁ ୧ମାସ ସମୟ ଲାଗିଥିଲା । ଏହାକୁ ତିଆରି କରିବାରେ କେବଳ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ବାଇକ୍ ଗୋଟିଏ ଥର ଚାର୍ଜ କଲେ ପ୍ରାୟ ୧୫୦ କି.ମି ଆରାମରେ ଚାଲିପାରିବ ।

ଆଠ ବର୍ଷ ବୟସରୁ ଅସଦ ଏହି ଭଳି ଅନେକ ଅଭିନବ ପ୍ରୟାସ କରିଆସୁଛନ୍ତି । ସେ ହୋମ ମେଡ୍ କ୍ରିଏଟିଭ୍ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ନିଜର କାମ ସବୁ ସେୟାର୍ ମଧ୍ୟ କରୁଛନ୍ତି । ଆଗାମୀ ସମୟରେ ସେ ଏକ ସୋଲାର ଏନର୍ଜି ଓ ବ୍ୟାଟେରି ଚାଳିତ ବିମାନ ତିଆରି କରିବାକୁ ଚିନ୍ତା କରୁଛନ୍ତି । ଅସଦ କୁହନ୍ତି, ମୋର ଉଦ୍ଭାବନ କେବଳ ଗାଁର ଲୋକଙ୍କ ପାଇଁ। ଏହି ବାଇକ୍ କେବଳ ଗ୍ରାମବାସୀଙ୍କ ପାଇଁ ଉଦ୍ଭାବନ କରାଯାଇଥିଲା । କିନ୍ତୁ ଯେତେବେଳେ ମୁଁ ଦେଖିଲି ବଜାରରେ ଦୁଇଟି ସିଟ୍ ଓ ତିନିଟି ସିଟ୍ ବାଇକ୍ ଉପଲବ୍ଧ ଅଛି, ମୁଁ ଭାବିଲି କାହିଁକି ଛଅଟି ସିଟ୍ ବାଇକ୍ ତିଆରି କରିବି ଯାହା ଏକାସାଙ୍ଗରେ ଅଧିକ ଲୋକଙ୍କୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇପାରିବ।