ହୋଶିଆରପୁର: ବିଫଳ ହେଲା ଉଦ୍ୟମ। ଚାଲିଗଲା ୩୦୦ ଫୁଟ ବୋରୱେଲ ତଳେ ଖସି ରହିଥିବା ୬ ବର୍ଷୀୟ ଶିଶୁର ଜୀବନ। ଆଜି ସକାଳେ ପଞ୍ଜାବର ହୋଶିଆରପୁରରେ ଏକ ୬ ବର୍ଷର ଶିଶୁ ବୋରୱେଲ ଭିତରକୁ ଖସିପଡ଼ିଥିଲା। ପିଲାଟି ବୁଲା କୁକୁରଠାରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତା’ର ପାଦ ଖସି ଯିବାରୁ ସେ ବୋରୱେଲ ଭିତରକୁ ଖସିପଡିଥିବା ବେଳେ ଏବେ ତାକୁ ବଞ୍ଚାଇବାର ଉଦ୍ୟମ ବିଫଳ ହୋଇଛି। ଦୀର୍ଘ ୮ଘଣ୍ଟା ଧରି ଶିଶୁଟିକୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଇଥିଲା। ଶିଶୁଟିକୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ତାକୁ ବଞ୍ଚାଯାଇ ପାରିନଥିବା କୁହାଯାଉଛିି।
ଉଲ୍ଲେଖଯୋଗ୍ୟ, ଘଟଣାଟି ଘଟିଥିଲା ପଞ୍ଜାବର ହୋଶିଆରପୁରରେ ଥିବା ଗଦରିବାଲା ଗାଁରେ। ୬ବର୍ଷର ଶିଶୁ ବାହାରେ ଖେଳୁଥିବା ବେଳେ କିଛି ବୁଲା କୁକୁର ତାକୁ ଗୋଡ଼ାଇଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ଶିଶୁଟି ଦୌଡୁଥିବା ସମୟରେ ତା’ର ଗୋଡ଼ ଖସିଯିବାରୁ ପିଲାଟି ବୋରୱେଲ ଭିତରକୁ ଖସିପଡିଥିଲା। ଏନେଇ ଖବର ମିଳିବା ପରେ ଏବେ ଗଦରିବାଲା ଗାଁରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ବୋରୱେଲଟି ପାଖାପାଖି ୩୦୦ଫୁଟ ଗଭୀର ଥିବା ବେଳେ ଏବେ ଶିଶୁଟିିକୁୁ ବଞ୍ଚାଇବା ପାଇଁ ବୋରୱେଲ ଭିତରକୁ ଅମ୍ଲଜାନ ପଠାଯାଇଥିଲା। ଏହା ସହ ଶିଶୁକୁ ଉଦ୍ଧାର କରିବା ପାଇଁ ପାଖରେ ଜେସିବି ସାହାଯ୍ୟରେ ଏକ ସୁଡ଼ଙ୍ଗ ମଧ୍ୟ ଖୋଳାଯାଇଥିଲା। ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ପିଲାଟି ରବିବାର ସକାଳ ୯ଟା ମଧ୍ୟରେ ବୋରୱେଲ ଭିତରକୁ ଖସିପଡିଥିଲା।