ଆଜିର ବିଜ୍ଞାପନ ଯୁଗରେ ଆମେ କୌଣସି ସାମଗ୍ରୀର ଭଲମନ୍ଦ ବିଚାର ନକରି ତାହାକୁ ତୁରନ୍ତ ବ୍ୟବହାର କରି ପକାଇଥାଉ। ଏହି କ୍ରମରେ ଆମ ଦୈନନ୍ଦିନ ଜୀବନରେ ଏଭଳି ଅନେକ ତଥାକଥିତ ତ୍ବଚା-ଉପକାରୀ ଉତ୍ପାଦ ରହିଛି ଯାହା ଆମ ଚର୍ମର ହିତ ସାଧନ କରିବା ପରିବର୍ତ୍ତେ ଅନିଷ୍ଟ କରିଥାଏ। ଆଜି ସେଭଳି କିଛି ସାମଗ୍ରୀ ଓ ସେଗୁଡ଼ିକର ବିକଳ୍ପ ବାବଦରେ ଜାଣିବା।
‘ମେକ୍ଅପ୍ ଵାଇପ୍’ ସେମିତି ଏକ ସାମଗ୍ରୀ। ସଂପ୍ରତି ସୌନ୍ଦର୍ଯ୍ୟଚର୍ଯ୍ୟାରେ ମେକ୍ଅପ୍ ଏକ ଅବିଚ୍ଛେଦ୍ୟ ଅଂଶ। ତେବେ ସହଜରେ ମେକ୍ଅପ୍ ଛଡ଼ାଇବା ଲାଗି ‘ମେକ୍ଅପ୍ ଵାଇପ୍’ ବ୍ୟବହାର କାରାଯାଇଥାଏ। ମାତ୍ର ତାହା ତ୍ବଚା ପାଇଁ କ୍ଷତିକାରକ। କାରଣ ଅଧିକାଂଶ ମେକ୍ଅପ୍ ଵାଇପ୍ରେ ଆଲ୍କୋହଲ ସମେତ ଅନ୍ୟାନ୍ୟ ଜଟିଳ ରାସାୟନିକ ପଦାର୍ଥ ରହିଥାଏ। ତାହା ଚର୍ମରେ ଥିବା ପ୍ରାକୃତିକ ତୈଳ ଆବରଣକୁ ପୋଛିନେଇ ଚର୍ମକୁ ଶୁଷ୍କ କରିଦିଏ। ସେଥିରେ ଚର୍ମକୁ ଘଷିବା ଦ୍ବାରା ତ୍ବଚା ଉପରେ ଘର୍ଷଣ ଶକ୍ତି ଜନିତ ତାପ ସୃଷ୍ଟି ହୋଇ ଚର୍ମ ଲାଲ ପଡ଼ି କୁଣ୍ଡାଇବା ଆରମ୍ଭ ହୋଇଥାଏ। ତେଣୁ ମେକ୍ଅପ୍ ଛଡ଼ାଇବା ପାଇଁ ମାଇସେଲାର୍ ଵାଟର୍ କିମ୍ବା ତୈଳଭିତ୍ତିକ କ୍ଲିନ୍ଜର୍ ବ୍ୟବହାର କରିବା ଉଚିତ।
ଚର୍ମରୁ ମଇଳାକୁ ଘଷିମାଜି ଛଡ଼ାଇବା ପାଇଁ ଆମେ ‘ଲୁଫାହ’ ବ୍ୟବହାର କରୁ। ମାତ୍ର ତାହାର ଖଦଡ଼ ସମତଳ ଚର୍ମରେ କ୍ଷୁଦ୍ର ଫାଟ ସୃଷ୍ଟି କରିବାର ଆଶଙ୍କା ରହିଛି। ଛିଦ୍ରଯୁକ୍ତ ଗଢ଼ଣ ଯୋଗୁଁ ତାହା ଅସଂଖ୍ୟ ଜଳକଣାକୁ ଧରି ରଖିପାରିଥାଏ, ଯାହା ପରୋକ୍ଷରେ ବିଭିନ୍ନ ବୀଜାଣୁ ବଢ଼ିବାର ଉତ୍ସ ହୋଇଥାଏ। ସୁତରାଂ ଚର୍ମରେ ତାହାକୁ ଘଷିଲା ବେଳେ ସଂକ୍ରମଣ ବ୍ୟାପିବା ପ୍ରାୟ ସୁନିଶ୍ଚିତ। ନିୟମିତ ଲୁଫାହରେ ଚର୍ମ ଘଷିବା ଦ୍ବାରା ତ୍ବଚାରୁ ପ୍ରାକୃତିକ ତୈଳ ଅଂଶ କମିଯାଇଥାଏ, ଯାହା ଚର୍ମସ୍ବାସ୍ଥ୍ୟ ପାଇଁ ଆଦୌ ହିତକର ନୁହେଁ। ତେଣୁ ଲୁଫାହ ପରିବର୍ତ୍ତେ କୋମଳ କପଡ଼ା ବା ସିଲିକନ୍ ସ୍କ୍ରବ୍ ବ୍ୟବହାର କଲେ ଭଲ।
ଆଉ ଏକ ଉତ୍ପାଦ ହେଲା ଆପ୍ରିକଟ୍ ସ୍କ୍ରବ୍, ଯାହା ଦଶକ ଦଶକ ଧରି ଏକ ପ୍ରାକୃତିକ ଉତ୍ପାଦ ନାମରେ ତ୍ବଚା ପରିଷ୍କାରକ ଭାବେ ବ୍ୟବହୃତ ହୋଇ ଆସୁଛି। ମାତ୍ର ଚର୍ମ ବିଶେଷଜ୍ଞଙ୍କ କହିବାନୁସାରେ, ଏହାର ମଞ୍ଜିର ଦନ୍ତୁରିତ ପାର୍ଶ୍ବଗୁଡ଼ିକ ଚର୍ମରେ କ୍ଷୁଦ୍ର ଫାଟ ସୃଷ୍ଟି କରିଥାଏ। ଏହି ଆପ୍ରିକଟ୍ ସ୍କ୍ରବ୍ର ନିୟମିତ ବ୍ୟବହାର ବିଶେଷ କରି ସମ୍ବେଦନଶୀଳ କି ବ୍ରଣପ୍ରବଣ ଚର୍ମ ପାଇଁ ଭୀଷଣ କ୍ଷତିକାରକ।