ବେଶୀ ରାତି ଯାଏ ଅନିଦ୍ରା ରହିଲେ, ମଧୁମେହ ଆଶଙ୍କା ବଢ଼ିଥାଏ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି। ଡେରିରେ ଶୋଇ ଡେରିରେ ଉଠିବାର ଶୟନ ଅଭ୍ୟାସ ‘କ୍ରୋନୋଟାଇପ୍‌’ ନାମରେ ପରିଚିତ। କ୍ରୋନୋଟାଇପ୍ ସହ ଟାଇପ୍‌-୨ ମଧୁମେହ ଅଧିକ ସଂପୃକ୍ତ ଏବଂ ତାହା ଅସ୍ବାସ୍ଥ୍ୟକର ଜୀବନଶୈଳୀ ସହ ଜଡ଼ିତ ବୋଲି ଏହି ଅଧ୍ୟୟନରୁ ପ୍ରକାଶ ପାଇଛି। ସ୍ବାସ୍ଥ୍ୟଭିତ୍ତିକ ପତ୍ରିକା ‘ଆନାଲ୍‌ସ ଅଫ୍‌ ଇଣ୍ଟରନାଲ୍‌ ମେଡିସିନ୍‌’ରେ ପ୍ରକାଶିତ ଏହି ଅଧ୍ୟୟନର ନିର୍ଯାସ ଅନୁସାରେ, ଯେଉଁମାନେ ରାତିରେ ଶୀଘ୍ର ଶୋଇପାରନ୍ତିନି, ସେମାନେ ଧୂମପାନ କିମ୍ବା ଖୁବ୍‌ କମ୍‌ ଶାରୀରିକ ପରିଶ୍ରମ ଅଥବା ଅତ୍ୟଧିକ ମଦ୍ୟପାନ ପରି ଅସ୍ବାସ୍ଥ୍ୟକର ଅଭ୍ୟାସର ବଶବର୍ତ୍ତୀ ହୋଇଥାନ୍ତି। ସେମାନଙ୍କ ସମସ୍ତ ପ୍ରକାର ବଦଭ୍ୟାସକୁ ବାଦ୍‌ ଦେଲେ ମଧ୍ୟ ଡେରିରେ ଶୋଉଥିବା ଲୋକଙ୍କର ଶୀଘ୍ର ଶୋଇ ଶୀଘ୍ର ଉଠୁଥିବା ଲୋକଙ୍କ ତୁଳନାରେ ୧୯ ପ୍ରତିଶତ ଅଧିକ ମଧୁମେହ ଆଶଙ୍କା ରହିଥାଏ ବୋଲି ଜଣାପଡ଼ିଛି।

Advertisment

ଅଶୀ ବର୍ଷ ବୟସ ଭିତରେ ରାତ୍ରିଚରମାନଙ୍କୁ ମଧୁମେହ ହେବାର ଆଶଙ୍କା ୭୨ ପ୍ରତିଶତ ଅଧିକ ବୋଲି ଆମେରିକାର ବ୍ରିଗ୍‌ହାମ୍‌ ଆଣ୍ଡ୍‌ ୱମେନ୍‌ ହସ୍ପିଟାଲ୍‌ ଓ ହାଭାର୍ଡ ମେଡିକାଲ୍‌ ସ୍କୁଲ୍‌ର ମୁଖ୍ୟ ଗବେଷକ ସିନା କିଆନେର୍ସି କହିଛନ୍ତି। ଏହା ପଛରେ କୌଣସି ଆନୁବଂଶିକ ସମ୍ପର୍କ ଥାଇପାରେ ଯାହା ଉଭୟ ମଧୁମେହ ପ୍ରତି ପ୍ରବୃତ୍ତି ଓ ବିଳମ୍ବରେ ଉଠିବାର ପସନ୍ଦକୁ ପ୍ରଭାବିତ କରିଥାଏ। ଆମ ସମସ୍ତଙ୍କର ସିର୍କାଡିଆନ୍‌ ରିଦିମ୍‌ ନାମରେ ଏକ ଜୈବିକ ଘଣ୍ଟା ରହିଛି, ଯାହା ନିଦ୍ରା ସୃଷ୍ଟିକାରୀ ହରମୋନ୍‌ ମେଲାଟୋନିନ୍‌ର କ୍ଷରଣକୁ ନିୟନ୍ତ୍ରଣ କରିଥାଏ। ଶୀଘ୍ର ଶୋଉଥିବା ବ୍ୟକ୍ତିମାନେ ମେଲାଟୋନିନ୍‌ର ଆଗୁଆ ନିର୍ଗମନକୁ ଅନୁଭବ କରି ସୂର୍ଯ୍ୟୋଦୟ ସହ ଉଠିଥା’ନ୍ତି ଏବଂ ସକାଳ ସମୟରେ କର୍ମଚଞ୍ଚଳ ରହିଥା’ନ୍ତି। ଅପରପକ୍ଷେ, ବିଳମ୍ବରେ ଶୋଉଥିବା ବ୍ୟକ୍ତିଙ୍କ ଠାରେ ବିଳମ୍ବରେ ମେଲାଟୋନିନ୍‌ କ୍ଷରଣ ହୋଇ ସକାଳେ କ୍ଳାନ୍ତି ଓ ଅବସନ୍ନତା ଅନୁଭବ ଆଣିଥାଏ ଏବଂ ଦିନ ଗଡ଼ି ଚାଲିଲେ ଡେରିରେ ସେମାନେ କର୍ମତତ୍ପର ହୋଇଥାନ୍ତି। ଆମ ଶରୀରର ପ୍ରତ୍ୟେକ କୋଷର ନିଜସ୍ବ ସିର୍କେଡିଆନ୍‌ ରିଦିମ୍‌ ରହିଛି ଯାହା କ୍ଷୁଧା, ଅନ୍ତନାଳୀରେ ଗତି, ବ୍ୟାୟାମ କ୍ଷମତା ଓ ରୋଗ ପ୍ରତିରୋଧକ ପ୍ରଣାଳୀକୁ ଅନୁଧ୍ୟାନ କରିଥାଏ। ଯେତେବେଳେ ନିଦ ଏହି ଜଟିଳ ଛନ୍ଦକୁ ବାଧା ଦିଏ, ଆମ ଶରୀରରେ ବିଶୃଙ୍ଖଳା ଦେଖାଦିଏ। ଏହା ମଧୁମେହ ଆଶଙ୍କା ବଢ଼ାଇବା ସହିତ ହୃଦ୍‌ଘାତ ଓ ଅନ୍ୟାନ୍ୟ ଦୀର୍ଘସ୍ଥାୟୀ ରୋଗକୁ ମଧ୍ୟ ଆମନ୍ତ୍ରଣ କରିଥାଏ।