ଆମେରିକାର ଇଲିନଏ ଅନ୍ତର୍ଗତ ନର୍ଥୱେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟ ବୈଜ୍ଞାନିକମାନେ ଏଭଳି ଏକ କ୍ଷୁଦ୍ର ପେସ୍ମେକର୍ ବିକଶିତ କରିଛନ୍ତି, ଯାହାର ଆକାର ଚାଉଳ ଦାନାଠୁ ବି ଛୋଟ। ଏହି ପେସ୍ମେକର୍ର କ୍ଷୁଦ୍ର ଆକାର ଯୋଗୁଁ ତାହାକୁ ସିରିଞ୍ଜ ମାଧ୍ୟମରେ ଶରୀର ଭିତରେ ସ୍ଥାପନ କରାଯାଇପାରିବ। ବିଶେଷ କରି ଅସ୍ଥାୟୀ ପେସିଂ ଲୋଡୁଥିବା ଶିଶୁଙ୍କ ଲାଗି ଏହା ଡିଜାଇନ୍ କରାଯାଇଛି। ପାରମ୍ପରିକ ପେସ୍ମେକର୍ର ଚଳାଇବା ପାଇଁ ତାର ଖଞ୍ଚିବାକୁ ପଡ଼େ ଏବଂ ଶରୀରରୁ ତାକୁ କାଢ଼ିବା ପାଇଁ ଅସ୍ତ୍ରୋପଚାର ଆବଶ୍ୟକ ହୁଏ। କିନ୍ତୁ ଏହି କ୍ଷୁଦ୍ର ପେସ୍ମେକର୍କୁ ଶରୀର ଆଭ୍ୟନ୍ତରରୁ କାଢ଼ିବା ଦରକାର ନାହିଁ, କାରଣ ତାହାର ନିର୍ଦ୍ଧାରିତ କାର୍ଯ୍ୟ ସରିବା ପରେ ତାହା ଆପେ ଆପେ ଶରୀରରେ ମିଳେଇଯିବ। ବିଶେଷଜ୍ଞ ଡାକ୍ତରଙ୍କ ଅନୁଯାୟୀ, ଶିଶୁଙ୍କର ହୃତ୍ପିଣ୍ଡ ଅସ୍ତ୍ରୋପଚାର ପାଇଁ କ୍ଷତ ଯେତେ ଛୋଟ ହେବ, ସେତେ ଭଲ। ଏଣେ ଏକ ପରିସଂଖ୍ୟାନ ଅନୁଯାୟୀ, ପ୍ରାୟ ୧ ପ୍ରତିଶତ ଶିଶୁ ହୃତ୍ପିଣ୍ଡ ସମସ୍ୟା ସହ ଜନ୍ମ ହେଉଥିବା ବେଳେ ସେମାନଙ୍କ ଭିତରୁ ଅଧିକାଂଶ ଅସ୍ତ୍ରୋପଚାର ପରେ କେବଳ ଅସ୍ଥାୟୀ ପେସିଂ ଲୋଡ଼ିଥା’ନ୍ତି। ତା’ପରେ ପ୍ରାୟ ୭ ଦିନ ଭିତରେ ସେମାନଙ୍କ ହୃତ୍ପିଣ୍ଡ ଆପଣା ଛାଏଁ ଠିକ୍ ହୋଇଯାଏ। ସେ କ୍ଷେତ୍ରରେ ଏହି କ୍ଷୁଦ୍ର ପେସ୍ମେକର୍ଟିର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇପାରିବ। ଏହି ପେସ୍ମେକର୍ଟି ଏକ ଛୋଟ, ନମନୀୟ, ତାରବିହୀନ ପ୍ୟାଚ୍ ସହ କାର୍ଯ୍ୟ କରିଥାଏ।
ଏହି ପ୍ୟାଚ୍ କୌଣସି ଅନିୟମିତ ହୃଦ୍ସ୍ପନ୍ଦନ ଚିହ୍ନଟ କଲେ, ଏହା ପେସ୍ମେକର୍କୁ ଆଲୋକ ସଂକେତ ପଠାଇ ତାହାକୁ ସକ୍ରିୟ କରିଦିଏ। ପେସ୍ମେକର୍ଟି ଏକ କ୍ଷୁଦ୍ର ବ୍ୟାଟେରି ଦ୍ବାରା ପରିଚାଳିତ, ଯାହା ବିଦ୍ୟୁତ୍ ଶକ୍ତି ସୃଷ୍ଟି ପାଇଁ ଶରୀରର ତରଳ ପଦାର୍ଥକୁ ବ୍ୟବହାର କରେ। ଏହାର କ୍ଷୁଦ୍ର କଳେବର ଯୋଗୁଁ ହୃତ୍ପିଣ୍ଡର ବିଭିନ୍ନ ସ୍ଥାନରେ ଏକାଧିକ ପେସମେକର ଖଞ୍ଜାଯାଇପାରିବ। ଏହି ଜ୍ଞାନକୌଶଳ କେବଳ ହୃତ୍ପିଣ୍ଡ ସମସ୍ୟା ପାଇଁ ନୁହେଁ, ବରଂ ସ୍ନାୟୁ, ହାଡ଼ ଓ ଯନ୍ତ୍ରଣା ପରିଚାଳନା ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ।