ସ୍ବାସ୍ଥ୍ୟ ଓ ପରିମଳ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ପାଇଁ ପରିଚ୍ଛନ୍ନ ଶୌଚାଳୟ ଅତ୍ୟାବଶ୍ୟକ। ଭାରତ ଭଳି ବିକାଶଶୀଳ ଦେଶରେ ଏବେ ମଧ୍ୟ ପରିମଳ ସମ୍ବନ୍ଧୀୟ ସମସ୍ୟାର ସମ୍ପୂର୍ଣ୍ଣ ପ୍ରତିକାର କରାଯାଇ ପାରିନାହିଁ। କିନ୍ତୁ, ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀ ସମୟ ମଧ୍ୟରେ ପରିମଳ ବ୍ୟବସ୍ଥାରେ ଯଥେଷ୍ଟ ଅଗ୍ରଗତି ଘଟିଛି। ସିନ୍ଧୁ ସଭ୍ୟତା ସମୟରୁ ଭାରତୀୟ ଶୌଚାଳୟ ଇତିହାସ ନିରୁପଣ କରାଯାଇଛି। ହରପ୍ପା ଓ ମହେଞ୍ଜୋଦାରୋ ନଗରୀରେ ଚମତ୍କାର ଜଳପ୍ରବାହୀ ଶୌଚାଳୟ ଥିଲା। ନଗରୀର ପ୍ରତି ବାସଭବନରେ ଥିଲା ପୃଥକ୍ ଶୌଚାଳୟ। ସେ ଶୌଚାଳୟ ସବୁ ଆବୃତ କରାଯାଇଥିବା ପଥପାର୍ଶ୍ବ ନର୍ଦ୍ଦମାରେ ସଂଯୋଗ କରାଯାଇଥିଲା। କାଳକ୍ରମେ ସିନ୍ଧୁ ସଭ୍ୟତା ବିଲୁପ୍ତ ହେଲା ଏବଂ ତା’ ସହିତ ହଜିଗଲା ପରିମଳ କୌଶଳ। ପୁଣି ଚାଲିଲା ବାହାରେ ଶୌଚହେବା ଭଳି ଅସ୍ବାସ୍ଥ୍ୟକର କ୍ରିୟା। ସେହିପରି, ୫୦୦ରୁ ୧୫୦୦ ଶତାବ୍ଦୀ ମଧ୍ୟରେ ଲୋକେ ଭୂଇଁରେ ଗାତ ଖୋଳି ତା’ଉପରେ ଖଣ୍ଡେ କାଠପଟା ପକାଇ ଶୌଚ ହେଉଥିଲେ। ମୋଗଲ ଶାସନ ସମୟରେ ମନୁଷ୍ୟମଳ ପଡ଼ିଆରେ ଫିଙ୍ଗାଯାଇ ତା’ଉପରେ ମାଟି ଘୋଡ଼ାଇ ଦିଆଯାଉଥିଲା।
ଏମିତି କାଳକ୍ରମେ ଭାରତରେ ଅତି ମନ୍ଥର ଗତିରେ ପୁନରାୟ ଶୌଚାଳୟ ବ୍ୟବସ୍ଥାରେ କ୍ରମୋନ୍ନତି ଘଟିଲା। ୧୫୫୬ରେ ମୋଗଲ ସମ୍ରାଟ ଜାହାଙ୍ଗୀର ଦିଲ୍ଲୀଠୁ ଟିକେ ଦୂରରେ ୧୦୦ ପରିବାର ନିମନ୍ତେ ଗୋଟାଏ ସାଧାରଣ ଶୌଚାଳୟ ନିର୍ମାଣ କରାଇଲେ। କିନ୍ତୁ, ଏ ବ୍ୟବସ୍ଥାକୁ ଠିକ୍ରୂପେ ପରିଚାଳନା କରାଯାଇ ପାରିଲାନାହିଁ। ତେଣୁ, ପୂର୍ବପରି ବାହ୍ୟ ମଳତ୍ୟାଗ ପ୍ରମୁଖ ସମସ୍ୟା ହୋଇ ରହିଲା। ଇଂରେଜ ଶାସନ କାଳରେ ପ୍ରଥମ କରି ୧୮୭୮ରେ ପରିମଳ ଆଇନ ଲାଗୁ କରାଗଲା। ତତ୍କାଳୀନ ବ୍ରିଟିସ୍ ରାଜଧାନୀ କଲିକତାରେ ଥିବା ବସ୍ତିମାନଙ୍କରେ ଶୌଚାଳୟ ନିର୍ମାଣ କରିବା ଲାଗି ପୌରସଂସ୍ଥାକୁ ନିର୍ଦ୍ଦେଶ ଦିଆଗଲା। ୧୮୮୦ ବେଳକୁ ଶୌଚାଳୟଗୁଡ଼ିକୁ ପରଦା ଦ୍ବାରା ପୃଥକ୍ କରାଗଲା।
ସମ୍ପ୍ରତି ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଜନସାଧାରଣଙ୍କ ସୁବିଧା ନିମନ୍ତେ ପାରିବାରିକ ଶୌଚାଳୟ, ସର୍ବସାଧାରଣ ଶୌଚାଳୟ ଓ ଭ୍ରାମ୍ୟମାଣ ଶୌଚାଳୟ ଆଦି ବ୍ୟବସ୍ଥା କରାଯାଇଛି। ସମୟ ଓ ସୁବିଧାକୁ ଚାହିଁ ଅନେକେ ନିଜ ନିଜର ବାସଭବନରେ ଅତ୍ୟାଧୁନିକ ଶୌଚାଳୟ ବ୍ୟବସ୍ଥା ମଧ୍ୟ କରୁଛନ୍ତି।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୦୨୧ ଅନୁସାରେ ଭାରତରେ ୮୩ ପ୍ରତିଶତ ପରିବାର ଶୌଚାଳୟ ବ୍ୟବହାର କରୁଛନ୍ତି। ସେମଧ୍ୟରୁ ୬୯ ପ୍ରତିଶତ ପରିବାରର ନିଜସ୍ବ ଉତ୍ତମମାନର ଶୌଚାଳୟ ଥିବା ବେଳେ ୨.୯ ପ୍ରତିଶତ ପରିବାର ନିମ୍ନମାନର ଶୌଚାଳୟ ବ୍ୟବହାର କରୁଛନ୍ତି। ତେବେ ଦେଶର ୧୯ ପ୍ରତିଶତ ପରିବାର ଏବେ ବି ବାହାରେ ଶୌଚ ହେଉଛନ୍ତି। ଓଡ଼ିଶାରେ ମାତ୍ର ୭୧.୩ ପ୍ରତିଶତ ଲୋକଙ୍କର ଶୌଚାଳୟ ପହଞ୍ଚ ଅଛି ବୋଲି ଏହି ସର୍ଭେରୁ ଜଣାପଡ଼ିଛି।