ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ଦେଶର ବିଭିନ୍ନ କୋଣଅନୁକୋଣରୁ ଭୋଟ୍ ସହ ଜଡିତ ଖବର ଆସୁଛି।
ଏହି କ୍ରମରେ ଦେଖିବାକୁ ଗଲେ ମହାରାଷ୍ଟ୍ରର ନାଗପୁରରେ ବିଶ୍ୱର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମଗେ ଭୋଟ୍ ଦେବା ପାଇଁ ତାଙ୍କ ପରିବାର ସହିତ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ଏହି ସମୟର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭୋଟ୍ ଦେବା ପରେ ଜ୍ୟୋତି ପ୍ରତିକ୍ରିୟା ଦେଇ କହିଛନ୍ତି, ’ମୁଁ ଏହି ଦିନକୁ ଅପେକ୍ଷା କରି ରହିଥାଏ। ଭୋଟ ଦେବାକୁ ମୋତେ ଖୁବ ଭଲ ଲାଗେ। ମୁଁ ମୋର ଭୋଟ ଦେଇ ସାରିଛି। ଦେଶର ସମସ୍ତ ନାଗରିକଙ୍କୁ ମୋର ଅନୁରୋଧ ଭୋଟ୍ ନିଶ୍ଚିତ ଦିଅନ୍ତୁ। ଏହା ଆମମାନଙ୍କର ପ୍ରଥମ କର୍ତ୍ତବ୍ୟ। ଆମେ ଏହି ଦେଶର ନାଗରିକ, ତେଣୁ ଆମେ ଭୋଟ୍ ଦେବା ଉଚିତ୍। ଏହା ଆମର ଅଧିକାର।’
ଜ୍ୟୋତି ନାଗପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଭୋଟ୍ ଦେଇଛନ୍ତି। ଏଠାରେ ଲଢ଼େଇ ବିଜେପିର ନିତିନ ଗଡକରୀ ଏବଂ କଂଗ୍ରେସର ବିକାଶ ଠାକରେଙ୍କ ମଧ୍ୟରେ ରହିଛି। ନିତିନ ଗଡକରୀ ସଡ଼କ ପରିବହନ ମନ୍ତ୍ରୀ ରହିଛନ୍ତି।
୨୦୨୪ ଲୋକସଭା ନିର୍ବାଚନରେ ଦେଶର ୫୪୩ ଟି ନିର୍ବାଚନମଣ୍ଡଳୀରେ ସାତଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଏପ୍ରିଲ୍ ୧୯ରେ ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଶେଷ ପର୍ଯ୍ୟାୟ ମତଦାନ ଜୁନ ୧ରେ ହେବ ଏବଂ ଫଳାଫଳ ଜୁନ୍ ୪ରେ ଘୋଷଣା କରାଯିବ।