ଏଣିକି ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୁଲିସ!

ସର୍ବସାଧାରଣ ସ୍ଥାନରେ ଧୂମ୍ରପାନକୁ ବନ୍ଦ କରିବା ପାଇଁ ବାରମ୍ବାର ସଚେତନ କରାଯିବା ସହ ସରକାର ଆଇନ ପ୍ରଣୟନ କରିଛନ୍ତି। ତଥାପି ମଧ୍ୟ ଏହାର ସୁଫଳ ମିଳୁନାହିଁ। ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରିବା ଘଟଣା ଦେଶରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଏକ ଅଭିଯାନ ଆରମ୍ଭ କରାଯାଇଛି। ଏଣିକି ସର୍ବସାଧାରଣ ସ୍ଥାନରେ କୌଣସି ବ୍ୟକ୍ତି ଧୂମ୍ରପାନ କରୁଥିବାର ନଜର ଆସିଲେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ବିଭାଗ ପକ୍ଷରୁ ସତର୍କ କରାଯାଇଛି।

ସୂଚନା ମୁତାବକ, ଦିଲ୍ଲୀରେ ବିଭିନ୍ନ ପାନ ଦୋକାନ ଏବଂ ଅନ୍ୟାନ୍ୟ ଦୋକାନୀମାନଙ୍କୁ ପୁଲିସ ଅଧିକାରୀ ଏବଂ ହେଲ୍ଥ ଫାଉଣ୍ଡେସନ ତଥା ଏସଏଚଏଫର ଏକ ଦଳ ତାମାଖୁ ଏବଂ ଅନ୍ୟାନ୍ୟ ଧୂମ୍ରପାନ ତଥା ନିଶାଜାତ ଦ୍ରବ୍ୟ ସଂପର୍କରେ ସଚେତନ କରିଛନ୍ତି। ଦୋକାନୀଙ୍କୁ ତମାଖୁ ଏବଂ ଅନ୍ୟାନ୍ୟ ଧୂମ୍ରପାନ ସାମଗ୍ରୀକୁ ବିକ୍ରି ନକରିବାକୁ ମଧ୍ୟ ନିବେଦନ କରିଛନ୍ତି ।

ତେବେ ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶାନୁସାରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପୁଲିସ ଅଧିକାରୀମାନଙ୍କୁ ଏସଂପର୍କରେ ସୂଚନା ଦିଆଯାଇଥିଲା। ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଦୋକାନୀମାନଙ୍କୁ ଏସବୁ ସାମଗ୍ରୀଗୁଡିକୁ ନ ବିକ୍ରି କରିବାକୁ ନିବେଦନ କରିବା ସହିତ ସାର୍ବଜନୀନ ସ୍ଥାନମାନଙ୍କରେ ଧୂମ୍ରପାନ ନକରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ଏହାକୁ ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଅଭିଯାନ ବର୍ତ୍ତମାନ ଦିଲ୍ଲୀ ଏନସିଆରରେ ଆରମ୍ଭ ହୋଇଛି। ପରବର୍ତ୍ତୀ ସମୟରେ ବାକି ସମସ୍ତ ଦେଶରେ କାର୍ଯ୍ୟକାରୀ କରାଯିବ ବୋଲି ମିଳିଥିବା ସୂଚନାରୁ ଜଣାପଡିଛି।

ସମ୍ବନ୍ଧିତ ଖବର