କୋଭିଡ୍‌-୧୯ ମୁଖ୍ୟତଃ ଫୁସ୍‌‌ଫୁସ୍ ଓ ଶ୍ୱାସକ୍ରିୟାକୁ ଆକ୍ରମଣ କରିଥାଏ। ନିୟମିତ ଧୂମପାନ କିମ୍ବା ତମାଖୁ ସେବନ ଫୁସ୍‌‌ଫୁସ୍‌କୁ ଅଧିକ ଦୁର୍ବଳ କରିଦିଏ, ଫଳରେ ଶରୀର ମଧ୍ୟରେ କରୋନା ଭୂତାଣୁ ଶୀଘ୍ର ସଂକ୍ରମିତ କରିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଦ୍ୱାରା ଡକାଯାଇଥିବା ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଅଧ୍ୟୟନର ଏକ ସମୀକ୍ଷାରୁ ଜଣାପଡିଛି ଯେ, ଧୂମାପାନ ବା ତମାଖୁ ସେବନ କରୁଥିବା ବ୍ୟକ୍ତିମାନଙ୍କୁ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ କରୋନା ଜଟିଳତା ଅଧିକ ହେବା ସହିତ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ଅଧିକ।

Advertisment

କେବଳ ସେତିକି ନୁହେଁ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କ କରୋନା ଟିକା ଓ ଔଷଧ ମଧ୍ୟ ଠିକ୍ ଭାବରେ କାମ କରିନଥାଏ। ଫଳରେ ଟିକା ନେବା ପରେ ମଧ୍ୟ ତମାଖୁ ସେବନ କରୁଥିବା ବ୍ୟକ୍ତିଙ୍କୁ କରୋନା ସଂକ୍ରମିତ କରିଥାଏ। ଏହା ବ୍ୟତୀତ କରୋନା ରୋଗୀ ହସ୍ପିଟାଲରୁ ଫେରିବା ପରେ ତମାଖୁ ସେବନ କଲେ ଫୁସ୍‌‌ଫୁସ୍‌ ଜନିତ ସମସ୍ୟା, ହାର୍ଟ ଆଟାକ୍ କିମ୍ବା ବ୍ରେନ ଷ୍ଟ୍ରୋକ୍ ହେବାର ଆଶଙ୍କା ମଧ୍ୟ ରହିଛି।

ଯନ୍ତ୍ରଣା ଦାୟକ ମୃତ୍ୟୁର ଅନ୍ୟ ନାମ ତମାଖୁ। ନିୟମିତ ତମାଖୁ ବ୍ୟବହାର କରିବା ଦ୍ୱାରା ପ୍ରତି ୮ ସେକେଣ୍ଡରେ ଜଣେ ତମାଖୁ ସେବନ କାରଣରୁ କ୍ୟାନସର ରୋଗରେ ଆକ୍ରାନ୍ତ ହେଉଛନ୍ତି। ତମାଖୁ ସେବନର କୁ-ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ମେ ମାସ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ଭାବରେ ପାଳନ କରାଯାଏ।
ଆମେ ବ୍ୟବହାର କରୁଥିବା ତମାଖୁ ମଧ୍ୟରେ ନିକୋଟିନ୍‌, ଆମେନିଆ, ଆର୍ସେନିକ୍‌, କାରବନ୍ ମନୋକ୍ସାଇଡ଼୍‌, ହାଇଡ୍ରୋଜେନ୍ ସାଇନାଇଡ଼୍ ଓ ନାଫଥାଲିନ୍ ଭଳି ୪୦୦୦ରୁ ଅଧିକ ପ୍ରକାରର ରାସାୟନିକ ପଦାର୍ଥ ରହିଛି ଯାହାକି ଆମ ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇଥାଏ। ନିୟମିତ ତମାଖୁ ସେବନ କରିବା ଦ୍ୱାରା ମୁହଁ ଠାରୁ ଆରମ୍ଭ କରି ଜିଭ, ଓଠ, ଗାଲ, ସ୍ୱରଯନ୍ତ୍ର ପରି ଅଙ୍ଗକୁ ସମ୍ପୁର୍ଣ୍ଣ ନଷ୍ଟ କରିଦେଇଥାଏ।

ତମାଖୁ ସେବନ କ୍ଷଣିକ ମାନସିକ ଶାନ୍ତି ଦିଏ ସିନା କିନ୍ତୁ ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ତମାଖୁ ବ୍ୟବହାର କରୁଥିବା ଅଧିକାଂଶ ବ୍ୟକ୍ତି ଏହାକୁ କଳରେ ଜାକି ଶୋଇପଡନ୍ତି, ଯାହାକି କ୍ୟାନସର ରୋଗର ଏକ ମୁଖ୍ୟ କାରଣ ହୋଇଥାଏ। ତମାଖୁ ଖାଇବାର ଅଭ୍ୟାସ ଆରମ୍ଭ ହୋଇଥାଏ ସଉକରୁ। ଧୀରେ ଧୀରେ ଏହି ସଉକ ଅଭ୍ୟାସରେ ଏବଂ କିଛି ଦିନ ପରେ ଅଭ୍ୟାସ ବଦଭ୍ୟାସରେ ପରିଣତ ହୋଇଥାଏ।

publive-image ପୁରୁଷ ହୁଅନ୍ତୁ ବା ମହିଳା ତମାଖୁ ଯେ, ଜୀବନର ସବୁଠାରୁ ବଡ ଶତ୍ରୁ, ସେ କଥାକୁ ହୃଦୟଙ୍ଗମ କରିବାକୁ ପଡ଼ିବ। ଯଦି ଆପଣ ଅଭ୍ୟାସରେ ପଡ଼ି ଯାଇଛନ୍ତି, ଆଉ ଛାଡି ପାରୁନାହାନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ତମାଖୁର କୁପ୍ରଭାବ
କ୍ୟାନସରର ମୁଖ୍ୟ କାରଣ ତମାଖୁ
ତମାଖୁରେ ୬୦ ହଜାର ଉପାଦାନ ରହିଛି ଯାହାକି କ୍ୟାନସର କରିଥାଏ
ନିୟମିତ ତମାଖୁ ଖାଇଲେ ୧୭ ପ୍ରକାର କ୍ୟାନସର ହୋଇଥାଏ
ନିୟମିତ ତମାଖୁ ସେବନ ଫଳରେ ହାର୍ଟ ଆଟାକ୍ ଓ ବ୍ରେନ ଷ୍ଟ୍ରୋକ୍ ହୋଇଥାଏ
ରକ୍ତଚାପ ବଢିବାର ମୁଖ୍ୟ କାରଣ ତମାଖୁ
ତମାଖୁ ସେବନ କରିବା ଦ୍ୱାରା ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା କମିଯାଏ
ତମାଖୁ ସେବନ ମାନସିକ ଚାପ ଓ ଅନିଦ୍ରାର କାରଣ ହୋଇଥାଏ
ନିୟମିତ ତମାଖୁ ଖାଇବା ଫଳରେ ଚର୍ମ ଖରାପ ହୋଇଥାଏ
ଦୃଷ୍ଟିଶକ୍ତି କମିବାର ମୁଖ୍ୟ କାରଣ ତମାଖୁ
ତମାଖୁ ସେବନ ଦ୍ୱାରା ବନ୍ଧ୍ୟାଦୋଷ ସମସ୍ୟା ବଢିଥାଏ

କିଭଳି ତମାଖୁ ଛାଡ଼ିବେ
ତମାଖୁ ଖାଉଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ
ନିଜ ପାଖରେ ଆଦୌ ତମାଖୁ ରଖନ୍ତୁ ନାହିଁ
ପାଟି ଖାଲି ଖାଲି ଲାଗୁଥିଲେ ଚୁଇଙ୍ଗମ୍‌, ଅଳେଇଚ, ଲବଙ୍ଗ କିମ୍ବା ଗୁଜୁରାତି ଖାଆନ୍ତୁ
ମନ ବିଚଳିତ ହୋଉଥିଲେ, ଗୋଟିଏ ସ୍ଥାନରେ ନବସି ଚଲାବୁଲା କରନ୍ତୁ
ଦୀର୍ଘ ନିଃଶ୍ୱାସ ନିଅନ୍ତୁ ଓ ଛାଡ଼ନ୍ତୁ
ଧୀରେ କଥା ହୁଅନ୍ତୁ ଏବଂ ଫୋନ୍‌ରେ ପରିବାର ଲୋକଙ୍କ ସହ କଥା ହୁଅନ୍ତୁ

ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ
କାର୍ସିନୋଭା କ୍ୟାନସର ହସ୍ପିଟାଲ୍‌, କଟକ
ଫୋନ୍‌- ୯୪୩୮୧୬୩୨୮୦