ପିଲାଦିନେ ଯେଉଁ ଘରୁ ତାଙ୍କୁ ତଡିଦିଆଯାଇଥିଲା, ସେହି ଘର କିଣିବାକୁ ପହଞ୍ଚିଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ସ୍ମୃତି ଇରାନୀଙ୍କୁ ତ ଆପଣ ଜାଣିଥିବେ | ଟେଲି ଦୁନିଆରୁ ନେତ୍ରୀ ଭାବରେ ପରିଚିତ ସ୍ମୃତିଙ୍କ କଡା ସମାଲୋଚନାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ | ତେବେ ଆଜି ଆମେ ଆପଣଙ୍କୁ ସ୍ମୃତିଙ୍କ ପିଲାଦିନର ଏମିତି କିଛି କଥା କହିବୁ ଯାହାକୁ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ | ବାସ୍ତବରେ ରେଡ଼ିଓ ଉପସ୍ଥାପକ ନୀଲେସ ମିଶ୍ରଙ୍କ ସୋ’ରେ ସ୍ମୃତି ଏମିତି କିଛି କହିଛନ୍ତି ଯାହାକି ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ସ୍ମୃତି କହିଛନ୍ତି ଯେ ପିଲାଦିନେ ସେମାନେ ବହୁତ କଷ୍ଟରେ ରହୁଥିଲେ | ତାଙ୍କ ବାପା-ମା ପ୍ରେମ ବିବାହ କରିଥିବାରୁ ଦୁହିଁଙ୍କର ପରିବାର ସେମାନଙ୍କୁ ପଚାରୁନଥିଲେ | ତେଣୁ ତାଙ୍କ ବାପା-ମା ଦିଲ୍ଲୀ ଚାଲିଆସିଥିଲେ |

ବାପାଙ୍କର ଜଣେ ସାଙ୍ଗ ତାଙ୍କୁ ଏକ ଭଙ୍ଗା ଘର ରହିବାକୁ ଦେଇଥିଲେ | ସେତେବେଳେ ସେମାନଙ୍କ ଅବସ୍ଥା ବହୁତ ଖରାପ ଥିଲା | କିଛି ବର୍ଷ ପରେ ତାଙ୍କ ବାପା-ମା ଦିଲ୍ଲୀରୁ ଗୁରଗାଓଁକୁ ଚାଲିଆସିଥିଲେ | ସେଠାରେ ଏକ ଘର ଭଡା ନେଇଥିଲେ | ଏହି ଘରଟି ଅତି ଛୋଟ ଥିଲେ ବି ବହୁତ କଷ୍ଟରେ ରହି ଆସୁଥିଲେ | ତାଙ୍କ ବାପା ବୁଲିବୁଲି ବହି ବିକୁଥିବାବେଳେ ମା ବୁଲିବୁଲି ମସଲା ବିକୁଥିଲେ | ତେବେ ସ୍ମୃତିଙ୍କୁ ଯେବେ ୭ ବର୍ଷ ହୋଇଥିଲା ତାଙ୍କ ବାପା-ମାଙ୍କର ସମ୍ପର୍କରେ ତିକ୍ତତା ଆସିଥିଲା | ଆଉ ତାଙ୍କ ବାପା ସେମାନଙ୍କୁ ଘରୁ ବାହାର କରିଦେଇଥିଲେ | ଯେତେବେଳେ ନିଜ ମା ଓ ଭଉଣୀଙ୍କ ସହ ସେ ଚାଲିଯାଉଥିଲେ, ସେବେ ଭାବିଥିଲେ ଦିନେ ବଡ ହେବେ ଆଉ ଯେଉଁ ଘରୁ ତାଙ୍କୁ ତଡିଦିଆଯାଉଛି, ସେହି ଘର କିଣିବେ | ସ୍ମୃତି କୁହନ୍ତି ୨୦୧୯ରେ ନିର୍ବାଚନରେ ଜିତିବା ପରେ ଯେବେ ସେ ସାଂସଦ ହୋଇ ଦିଲ୍ଲୀ ଆସିଲେ, ସେତେବେଳେ ସେହି ଘର ଆଡକୁ ଯାଇଥିଲେ | ସେଠାରୁ ନିଜ ମା ଙ୍କୁ ଫୋନ କରି ପଚାରିଥିଲେ ଯେ ଘର କିଣିବି କି? କିନ୍ତୁ ସେହି ଘରକୁ ସ୍ମୃତି ଆଉ ନ ଅନାଇ ଫେରିଆସିଥିଲେ |

ସମ୍ବନ୍ଧିତ ଖବର