୨୨ ବର୍ଷ ତଳେ ଜମ୍ମୁକାଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ହିଲ୍କାକା ଗ୍ରାମରେ ୪୦୦ରୁ ଊର୍ଦ୍ଧ୍ବ ଆତଙ୍କବାଦୀଙ୍କ ସହିତ ସମ୍ମିଳିତ ଭାବେ ମୁହଁାମୁହିଁ ଲଢ଼େଇ କରିଥିଲେ ଭାରତୀୟ ସେନା ଓ ଗ୍ରାମବାସୀ। ସ୍ଥାନୀୟ ଭାଷାରେ ଯବାନ୍ ଓ ଆବାମ୍ ଏକାଠି ହୋଇ ଭାରତୀୟ ଅଞ୍ଚଳକୁ ଆତଙ୍କୀ ଆଡ୍ଡାରେ ପରିଣତ କରିଥିବା ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ହିଲ୍କାକାର ସରଳ ଗୁଜ୍ଜର ସଂପ୍ରଦାୟ ଉପରେ ଅକଥନୀୟ ଅତ୍ୟାଚାର ଖବର ପାଇବା ପରେ ସେନା କରିଥିଲା ‘ଅପରେସନ୍ ସର୍ପ ବିନାଶ’। ସମୁଦ୍ର ପତ୍ତନର ୧୫,୦୦୦ ଫୁଟ୍ ଉପରେ ଘଞ୍ଚ ବଣପାହାଡ଼ ଘେରା ୧୫୦ କିଲୋମିଟର୍ ପରିବ୍ୟାପ୍ତ ଅଞ୍ଚଳରେ ଏହି ଲଢ଼େଇ ପ୍ରାୟ ଦୁଇ ମାସ ଚାଲିଥିଲା ଏବଂ ଏଥିରେ ୩୫ଜଣ ଗ୍ରାମବାସୀ ଓ ୪୪ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଏହି ସାମରିକ କାର୍ଯ୍ୟାନୁଷ୍ଠାନର କାହାଣୀ ଶୁଣିଲେ ଆଜି ବି ଲୋମ ଟାଙ୍କୁରି ଉଠେ! ଗ୍ରାଉଣ୍ଡ୍ ଜିରୋରୁ
ବିଭୂତି ପତିଙ୍କ ରିପୋର୍ଟ..
ଏମିତି ଅନେକ ଘଟଣା ଅଛି, ଯାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ସ୍ପର୍ଶକାତର ହେଲେ ବି ଅଳ୍ପ ଆଲୋଚିତ ହୋଇ ରହିଯାଇଛି। ଏହି କ୍ରମରେ ଜମ୍ମୁକାଶ୍ମୀରର ହିଲ୍କାକାରେ ସେନା ପକ୍ଷରୁ ଆତଙ୍କବାଦୀ ନିପାତ ଲାଗି କରାଯାଇଥିବା ଅପରେସନ୍ ‘ସର୍ପ ବିନାଶ’କୁ ଗ୍ରହଣ କରାଯାଇପାରେ। ଭାରତୀୟ ସାମରିକ ଇତିହାସର ଏହି ଉଲ୍ଲେଖନୀୟ ଅଭିଯାନର କାହାଣୀ ଶୁଣିଲେ ଆଜିବି ମନରେ ଭୟ ଜାତହୁଏ।
ଜମ୍ମୁକାଶ୍ମୀରର ପହଲ୍ଗାମସ୍ଥିତ ବୈଶନରା ପର୍ଯ୍ୟଟନସ୍ଥଳୀରେ ଆତଙ୍କବାଦୀଙ୍କ ନରସଂହାର ପରେ ପାକିସ୍ତାନ ବିପକ୍ଷରେ ଭାରତ ଆରମ୍ଭ କରିଥିଲା ‘ଅପେରସନ ସିନ୍ଦୂର’। ପାକିସ୍ତାନ ପକ୍ଷରୁ ପ୍ରତିଆକ୍ରମଣ ହେବାରୁ ଆରମ୍ଭ ହୋଇଥିଲା ସମ୍ମୁଖ ଯୁଦ୍ଧ। ଯୁଦ୍ଧଭୂମିରୁ ଟିକିନିଖି ଖବର ଦେବା ଲାଗି ଆମେ ପୁଞ୍ଚ୍ ସହରରେ ପହଞ୍ଚିଥିଲୁ। ସହରର ଅନତି ଦୂରରେ ଅବସ୍ଥିତ ଫକିରଦୋରା ଗାଁ’ରୁ ପାକିସ୍ତାନ ସୀମାରେଖା ସ୍ପଷ୍ଟ ଦେଖିହୁଏ। ଏହି ଗ୍ରାମର ବାସିନ୍ଦା ଅହମ୍ମଦ୍ ଖାନ୍ଙ୍କ ସହିତ କଥାବାର୍ତ୍ତା ବେଳେ ସେ କହିଲେ, ‘‘ଆପଣ କେବେ ହିଲ୍କାକା ଯାଇଛନ୍ତି? ସେଠାରେ ସେନା କରିଥିବା ‘ଅପରେସନ୍ ସର୍ପ ବିନାଶ’ ବିଷୟରେ କେବେ ଲେଖିଛନ୍ତି?’’ ତାଙ୍କର ଏ ପ୍ରଶ୍ନ ଆମ ଭିତରେ କୌତୂହଳ ଜାତକଲା। ହିଲ୍କାକା ବିଷୟରେ ଜାଣିବା ଲାଗି ଆଗ୍ରହ ଦେଖାଇବାରୁ ସେ କହିଲେ, ‘‘ହିଲ୍କାକାରେ ବିଦେଶୀ ଆତଙ୍କବାଦୀଙ୍କୁ ଭାରତ ମାଟିରୁ ତଡ଼ିବା ଲାଗି ସେନା ଲଢ଼ିଥିବା ଯୁଦ୍ଧ ଏବେ ବି ଦୃଷ୍ଟି ଆଢୁଆଳରେ ରହିଛି। ୨୦୦୩ରେ ହିଲ୍କାକା ଘାଟିରେ ‘ଯବାନ୍ ଓ ଆବାମ୍’ ଏକାଠି ହୋଇ କିପରି ପାକିସ୍ତାନୀ ଅାତଙ୍କବାଦୀଙ୍କୁ ନିପାତ କରିଥିଲେ, ତାହା ଲେଖନ୍ତୁ। ମୋ ମତରେ, ଅପରେସନ୍ ସର୍ପ ବିନାଶ ଥିଲା ଦେଶର ସବୁଠାରୁ ଶକ୍ତିଶାଳୀ ପାକିସ୍ତାନୀ ଆତଙ୍କବାଦୀ ନିପାତ ଅଭିଯାନ। ଏକ ଭୟାବହ ଯୁଦ୍ଧ କହିଲେ ବି ଭୁଲ୍ ହେବନାହିଁ। ଆମେ ଭାବୁ ଆଜି ବି ଏ ଘଟଣା ବିଷୟରେ ଅଧିକାଂଶ ଦେଶବାସୀ ଜାଣନ୍ତିନାହିଁ।’’
ପୁଞ୍ଚ୍ରେ ଥିବା ସମୟରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା କଲେ। ଆଉ ରାତିରେ ପୁଞ୍ଚ୍ ଆକାଶରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଲା ନାହିଁ। ଅହମ୍ମଦ୍ ଖାନ୍ଙ୍କଠାରୁ ହିଲ୍କାକାର କାହାଣୀ ମନରେ ଗଭୀର ପ୍ରଭାବ ପକାଇଥିଲା। ତେଣୁ ହିଲ୍କାକା ଯାଇ ଗ୍ରାଉଣ୍ଡ୍ ଜିରୋରୁ ୨୨ ବର୍ଷ ତଳର ସେଇ ଐତିହାସିକ ସାମରିକ ଅଭିଯାନ ସଂପର୍କରେ ଅଧିକ ତଥ୍ୟସଂଗ୍ରହ ପାଇଁ ବାହାରିପଡ଼ିଲୁ।
ଦୁର୍ଗମ ହିଲ୍କାକାକୁ ବିପଜ୍ଜନକ ଯାତ୍ରା
ହିଲ୍କାକା ଯାତ୍ରା ଲାଗି ପୁଞ୍ଚ୍ ଜିଲ୍ଲାର ବିଶିଷ୍ଟ ସାମ୍ବାଦିକ ତଥା ଫଟୋଗ୍ରାଫର୍ ଜାହିର୍ ଅହମ୍ମଦ୍ଙ୍କୁ ଆମେ ସାଥୀ କଲୁ। ସକାଳ ପ୍ରାୟ ୭.୩୦ରେ ଦୁହେଁ ପୁଞ୍ଚ୍ ସହରରୁ ବାହାରି ସୁରନ୍କୋଟ୍ରେ ପହଞ୍ଚିଲୁ। ସୁରନ୍କୋଟ୍ ବଜାରରେ ଚା ପିଇବା ବେଳେ ଦୋକାନୀ ସାଜିଦ୍ ଯେତେବେଳେ ଆମ ଅଭିପ୍ରାୟ ଜାଣିଲେ, ସେ ହିଲ୍କାକାରେ ଘଟିଥିବା ନରସଂହାର ଓ ଅମାନବୀୟ ଅତ୍ୟାଚାର ସଂପର୍କରେ ଅନେକ କଥା କହିପକାଇଲେ। ସେସବୁ ଶୁଣି ଆମ ବି ହତବାକ୍ ହୋଇଯାଇଥିଲୁ। ସୁରନ୍କୋଟ୍ରୁ ବାହାରି ଗ୍ରାଭା ଗଁାରେ ପହଞ୍ଚି ପାହାଡ଼ୀ ସର୍ପିଳ ଘାଟି ଚଢ଼ିଲୁ। ସେଠାରୁ ପାହାଡ଼ ଛାତି ଚିରି ରାସ୍ତା ଲମ୍ବିଛି ହିଲ୍କାକାକୁ। ଚାନ୍ଦିମରା ଘାଟିରେ ଟିକିଏ ଥକ୍କାମାରିଲୁ। ବଫ୍ଲିୟାଜ୍ ଓ କୁଲ୍ଲାଲି ହୋଇ ଅପରାହ୍ଣ ୧ଟା ବେଳେ ହିଲ୍କାକା ଘାଟିରେ ପହଞ୍ଚିଲୁ। ଏହି ଘାଟିରେ ଟିକିଏ ଅସାବଧାନ ହେଲେ ଗାଡ଼ି ରାସ୍ତାରୁ ଖସି ଶହ ଶହ ଫୁଟ୍ ତଳେ ଥିବା ଖାଇରେ ପଡ଼ିବା ସୁନିଶ୍ଚିତ।
ହିଲ୍କାକା ଘାଟିର ଶିଖରରେ ପହଞ୍ଚି ଆମେ ‘ଅପରେସନ୍ ସର୍ପ ବିନାଶ’ର ଇତିବୃତ୍ତ ଜାଣିବା ପାଇଁ ସ୍ଥାନୀୟ ଯୁଦ୍ଧସ୍ମାରକୀକୁ ଗଲୁ। ସେଠାରେ ଥିବା ସେନାର ଆଉଟ୍ପୋଷ୍ଟ୍ରେ ସୁବେଦାର୍ ଜସ୍ବୀର୍ ସିଂଙ୍କ ସହ ସାକ୍ଷାତ ହେଲା। ତାଙ୍କ ସହ ସେନା ଓ ଗ୍ରାମବାସୀ ମିଳିତ ଭାବେ ପାକ୍ ଆତଙ୍କବାଦୀଙ୍କ ସହ ଲଢ଼ିବା ପ୍ରସଙ୍ଗ ଆଲୋଚନା ବେଳେ ସେ କହିଲେ,‘‘ଏଠାରୁ ଭାରତ-ପାକିସ୍ତାନ ସୀମାରେଖାର ଦୂରତ୍ବ ପ୍ରାୟ ୧୦ କିଲୋମିଟର।
ଦୁଇଟି ପାହାଡ଼ ଚଢ଼ି ଓ ଓହ୍ଲାଇ ଭାରତୀୟ ସେନା ଦିନେ ଛାଡ଼ି ଦିନେ ସୀମାରେଖାରେ ପହରା ଦିଅନ୍ତି। ଏହି ୧୦ କିଲୋମିଟର ବାଟ ଚାଲିବାକୁ ପ୍ରାୟ ୫/୭ ଘଣ୍ଟା ଲାଗିଥାଏ। କାର୍ଗିଲ୍ ଯୁଦ୍ଧ ପରବର୍ତ୍ତୀ ସମୟରେ ସୀମାରେ ଥିବା ତୁରା ନାଳ ଅତିକ୍ରମ କରି ହିଲ୍କାକାକୁ ଶହ ଶହ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ କରି ଆତଙ୍କରାଜ ଚଳାଇଥିଲେ। ଜମ୍ମୁ ଓ କାଶ୍ମୀରକୁ ବିଭାଜିତ କରୁଥିବା ହିମାଳୟର ପୀର୍ପଞ୍ଜାଲ ଅଞ୍ଚଳରେ ଛନ୍ଦାଛନ୍ଦି େହାଇଥିବା ପର୍ବତମାଳାର ଦୁର୍ଗମ ଘାଟିକୁ ୪୦୦ରୁ ଊର୍ଦ୍ଧ୍ବ ଭଡ଼ାଟିଆ ପାକିସ୍ତାନୀ ଆତଙ୍କବାଦୀ କବ୍ଜା କରିଥିଲେ। ସେମାନଙ୍କୁ ନିପାତ କରିବାକୁ ୨୦୦୩ ଏପ୍ରିଲ୍ରୁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ୍ ସର୍ପ ବିନାଶ’।’’
‘ସର୍ପ ବିନାଶ’ କାହିଁକି?
ଭୌେଗାଳିକ ଭାବେ ପାକିସ୍ତାନରୁ ହିଲ୍କାକା ଆସିବା ସହଜ ଥିଲା। ପୁଣି ସେଠାରେ ଭାରତୀୟ ସେନାର ଉପସ୍ଥିତି ନଥିଲା। ଏହାର ଫାଇଦା ନେଇ ପାକିସ୍ତାନୀ ଆତଙ୍କବାଦୀମାନେ ହିଲ୍କାକାର କୁଲ୍ଲାଲି ଶିଖରରେ ଆଡ୍ଡା ଜମାଇବା ଆରମ୍ଭ କଲେ। ଆତଙ୍କବାଦୀମାନଙ୍କର ଉଦ୍ଦେଶ୍ୟ ଥିଲା ସେଠାରେ ଗୋଟାଏ ‘ନିରାପଦ ଘାଟି’ ସ୍ଥାପନ କରି କାଶ୍ମୀରକୁ ଅକ୍ତିଆର କରିବା। ତେଣୁ ସେଠାରେ ଶହ ଶହ ସଂଖ୍ୟାରେ ଆତଙ୍କବାଦୀ ଠୁଳ ହେଲେ। ‘ଅପରେସନ୍ ସର୍ପ ବିନାଶ’ ବିଷୟରେ ଅଧିକ ତଥ୍ୟ ଲାଗି ଆମେ ରାଷ୍ଟ୍ରୀୟ ରାଇଫଲ୍ସ୍ ରୋମିଓ ଫୋର୍ସର ଜେନେରାଲ୍ ଅଫିସର୍ କମାଣ୍ଡିଂ ତତ୍କାଳୀନ ମେଜର୍ ଜେନେରାଲ୍ ଏଚ୍.ଏସ୍. ଲିଡର୍ଙ୍କୁ ସାକ୍ଷାତ କଲୁ। ଜେନେରାଲ୍ ଲିଡର୍ କହିଲେ,‘‘ସର୍ପ ବିନାଶ ଥିଲା ସଂପୂର୍ଣ୍ଣ ମୁହଁାମୁହିଁ ଅଭିଯାନ। ୨୦୦୩ ଜାନୁଆରିରୁ ଅଭିଯାନ ଆରମ୍ଭ ହୋଇଥିଲା ଏବଂ ଜୁନ୍ ଶେଷ ବେଳକୁ ସଂପୂର୍ଣ୍ଣ ହୋଇଥିଲା। ମୋ ମତରେ ଆତଙ୍କବାଦୀ ନିପାତ ଇତିହାସରେ ଏହା ହେଉଛି ଅତି ଦୀର୍ଘକାଳୀନ ଦୁର୍ଦ୍ଧର୍ଷ ଅଭିଯାନ। ଏଥିରେ ଅନ୍ୟୂନ ୬୫ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ମୁହଁାମୁହିଁ ହତ୍ୟା କରାଯାଇଥିଲା ଏବଂ ୪ ଜଣ ଗିରଫ ହୋଇଥିଲେ। ଅନେକଙ୍କର ମୃତଦେହ ମଧ୍ୟ ଚିହ୍ନଟ ହୋଇପାରି ନ ଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବିଦେଶୀ ଭଡ଼ାଟିଆ ଆତଙ୍କବାଦୀ।’’
ଆତଙ୍କୀଙ୍କ ସୁରକ୍ଷିତ ଆଡ୍ଡା
୨୦୦୩ ମାର୍ଚ୍ଚ ୧୦ ତାରିଖ ଦିନ ସେନାର ହେଲିକପ୍ଟର୍ ୟୁନିଟ୍ ପଏଣ୍ଟ୍ ୩୬୮୯ର ତୁଷାରାବୃତ ଭୂମିରେ କେତେଗୁଡ଼ିଏ ପାଦଚିହ୍ନ ଦେଖି ଆଚମ୍ବିତ ହୋଇପଡ଼ିଲେ। ଆହୁରି ନିକଟତର ହୋଇ ଫଟୋ ଉଠାଇବାରୁ ସେଠାରେ ଏକ ସୁଦୃଢ଼ ବଙ୍କର୍ ଆବିଷ୍କୃତ ହେଲା। ଅଭିଯାନ ଶେଷ ହେବାପରେ ହିଲ୍କାକାରେ ନିର୍ମିତ ଶତାଧିକ ବଙ୍କର୍ ଓ ସୁଡ଼ଙ୍ଗରୁ ବିପୁଳ ଆଧୁନିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ସମେତ ଏ.କେ.-୪୭ ରାଇଫଲ୍, ରକେଟ୍ ପ୍ରକ୍ଷେପିତ ଗ୍ରେନେଡ୍, ଏମ୍.ଏଲ୍.ଆର୍. ପିସ୍ତଲ୍, ମୋର୍ଟାର୍ ଏବଂ ଦୁଇଟି ସେଲୁଲାର୍ ଫୋନ୍ ଓ ଗୋଟିଏ ସାଟେଲାଇଟ୍ ଫୋନ୍ ଉଦ୍ଧାର କରାଯାଇଥିଲା। ଆତଙ୍କବାଦୀମାନଙ୍କୁ ଦୀର୍ଘକାଳ ପର୍ଯ୍ୟନ୍ତ ଖାଦ୍ୟ ଯୋଗାଇବା ପାଇଁ ସେଠାରେ ପ୍ରାୟ ୭ରୁ ୧୦ କ୍ବିଣ୍ଟାଲ୍ ଖାଦ୍ୟଶସ୍ୟ ମହଜୁଦ ଥିଲା। ଗୋଟିଏ ବଙ୍କର୍ରେ ଏକ ଚିକିତ୍ସାଳୟ ସହିତ ଶଲ୍ୟ ଚିକିତ୍ସା ପାଇଁ ଉପକରଣ ମଧ୍ୟ ଥିଲା। ଆହତ ଅାତଙ୍କବାଦୀଙ୍କୁ ସେଠାରେ ନିର୍ବିଘ୍ନରେ ଚିକିତ୍ସା କରାଯାଉଥିଲା।
ସର୍ପ ବିନାଶ କାହାଣୀ ବଖାଣି ଚାଲିଥିଲେ ଏଚ୍.ଏସ୍. ଲିଡର୍, ‘‘ଏହି ଅଞ୍ଚଳରେ ଆତଙ୍କବାଦୀ ଅନୁପ୍ରବେଶ ଆଶଙ୍କା ବହୁଦିନରୁ ଥିଲା। ଆତ୍ମସମର୍ପଣ କରିଥିବା ଜଣେ ଆତଙ୍କବାଦୀଙ୍କଠାରୁ ମିଳିଥିବା ସୂଚନା ମୁତାବକ ହିଲ୍କାକା ଅଞ୍ଚଳରେ ବହୁସଂଖ୍ୟାକ ଆତଙ୍କବାଦୀ ଥିଲେ। ତେବେ ସେମାନଙ୍କ ସଂଖ୍ୟା କେତେ ତାହା ସଠିକ୍ ଭାବେ ନିର୍ଣ୍ଣୟ ହୋଇପାରି ନ ଥିଲା। ଲସ୍କର୍-ଏ-ତୈୟବା, ହିଜ୍ବୁଲ୍ ମୁଜାହିଦ୍ଦିନ୍, ଜୈଶ୍-ଏ-ମହମ୍ମଦ୍ ଓ ଅଲ୍-ବଦ୍ଦର୍ ପରି ଜଣାଶୁଣା ଗୋଷ୍ଠୀ ସମେତ ପ୍ରାୟ ସବୁ ସଂଗଠନର ଆତଙ୍କବାଦୀମାନେ ଏହି ଅଞ୍ଚଳକୁ କବ୍ଜା କରିଥିଲେ। ସେହି ଅଞ୍ଚଳର ଦକ୍ଷିଣକୁ ନିୟନ୍ତ୍ରଣରେଖା ଅବସ୍ଥିତ। କିନ୍ତୁ ସେହି ଦୁର୍ଗମ, ଅପହଞ୍ଚ ଓ କଷ୍ଟପ୍ରଦ ଅଞ୍ଚଳରେ ସେତେବେଳେ ସେନାର ଉପସ୍ଥିତି ନଥିଲା। ବିଶେଷକରି ସେଠାରେ ଘଞ୍ଚ ଜଙ୍ଗଲ ଥିବାରୁ ଏବଂ ଏପ୍ରିଲ୍ ମାସ ପର୍ଯ୍ୟନ୍ତ ବରାଫାବୃତ ରହୁଥିବାରୁ ଅନୁପ୍ରବେଶକାରୀ ଆତଙ୍କବାଦୀମାନଙ୍କ ସକାଶେ ଏହା ଏକ ସୁରକ୍ଷିତ ସ୍ଥାନ ପାଲଟିଥିଲା।’’
ତିଆରି ହେଲା ରାସ୍ତା ଓ ହେଲିପ୍ୟାଡ୍
ଏହି ଅଭିଯାନ ସେନା ପାଇଁ ଅତ୍ୟନ୍ତ ଆହ୍ବାନମୂଳକ ଓ କଷ୍ଟକର ଥିଲା। ଦୀର୍ଘକାଳ ଧରି ଆମ ସୈନ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର, ଖାଦ୍ୟସାମଗ୍ରୀ ଇତ୍ୟାଦି ପହଞ୍ଚାଇବା ତଥା ରାସ୍ତା ତିଆରି କରିବା ବଡ଼ ଚ୍ୟାଲେଞ୍ଜ ଥିଲା। ବରଫାବୃତ ଅଞ୍ଚଳ ହୋଇଥିବାରୁ ଆମ କାର୍ଯ୍ୟ ଆହୁରି ଜଟିଳ ହୋଇପଡ଼ିଲା। ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତି ୨୦୦୨ ଡିସେମ୍ବର ଶେଷ ଆଡ଼କୁ ଆରମ୍ଭ ହୋଇଥିଲା। ରାସ୍ତା ନିର୍ମାଣଠାରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଓ ଖାଦ୍ୟଦ୍ରବ୍ୟ ପହଞ୍ଚାଇବା ଲାଗି ଶୀତଋତୁରେ ଅପରେସନ୍ ହେବ ବୋଲି ନିଷ୍ପତ୍ତି ହେଲା। ତୁଷାର ଝଡ଼ କିମ୍ବା ପ୍ରତିକୂଳ ପାଗରେ ଯା’ଆସ ଲାଗି ପ୍ରଥମେ ଖଚରଙ୍କ ଯାତାୟାତ ପାଇଁ ରାସ୍ତା ନିର୍ମାଣ କଲୁ। ପରେ ସେନା ପକ୍ଷରୁ ୧୦,୦୦୦ରୁ ୧୧,୦୦୦ ଫୁଟ୍ ଉଚ୍ଚତା ମଧ୍ୟରେ ୱାନ୍ସି, ରାଞ୍ଜାଟି ଏବଂ ସଇଦ ବାକେରରେ ପର୍ବତ ଶିଖରରେ ତିନିଟି ହେଲିପ୍ୟାଡ୍ ନିର୍ମାଣ କରାଗଲା। ଦ୍ବିତୀୟ ପର୍ଯ୍ୟାୟରେ ତିନିଟି ପାହାଡ଼ର ଶୀର୍ଷଦେଶରେ ସୁରକ୍ଷିତ ଘାଟି ସ୍ଥାପନ ହେଲା।
ସ୍ଥାନୀୟ ବାସିନ୍ଦାଙ୍କୁ ତାଲିମ୍ ଓ ଆତଙ୍କୀ ସଫେଇ
ପରବର୍ତ୍ତୀ ପର୍ଯ୍ୟାୟରେ ଏ ଅଞ୍ଚଳକୁ ବାହାର ଲୋକଙ୍କ ପ୍ରବେଶ ନିଷିଦ୍ଧ କରାଗଲା। ସ୍ଥାନୀୟ ବୃଦ୍ଧବୃଦ୍ଧା, ଶିଶୁ ଓ ରୋଗୀ ତଥା ଅନ୍ୟ କେତେକ ଗ୍ରାମବାସୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଗଲା। ସ୍ଥାନୀୟ ଗୁଜ୍ଜର ସଂପ୍ରଦାୟର କେତେକ ମହିଳା ଓ ପୁରୁଷଙ୍କୁ ନେଇ ଏକ ଗରିଲା ବାହିନୀ ପ୍ରସ୍ତୁତ କରାଗଲା। ସେମାନଙ୍କୁ ଏ.କେ.-୪୭ ଭଳି ଅସ୍ତ୍ରଶସ୍ତ୍ର ଚାଳନା ତାଲିମ ଦିଆଗଲା। ଏଥିରେ ମୁନିରା ବେଗମ୍ ଓ ତାହିର୍ ଫୈଜାଲ୍ଙ୍କ ଭଳି ଗ୍ରାମବାସୀ ନେତୃତ୍ବ ନେଇଥିଲେ। ୨୦୦୩ ଏପ୍ରିଲ୍ ୨୧ରେ ଆରମ୍ଭ ହେଲା ଅଭିଯାନ। ସେହି ରାତିରେ ହିଁ ହିଲ୍କାକା ଅଞ୍ଚଳ ଦଖଲ କରିବା ଯୋଜନା କାର୍ଯ୍ୟକାରୀ କରାଗଲା। ଆତଙ୍କବାଦୀଙ୍କ ସହ ଆମର ପ୍ରାରମ୍ଭିକ ମୁକାବିଲା ହୋଇଥିଲା ୨୨ ତାରିଖ ସକାଳ ୫.୩୦ରେ। ଆମ ଯବାନମାନେ ଅତର୍କିତ ଆକ୍ରମଣ କରି ଆତଙ୍କବାଦୀଙ୍କୁ ହତଚକିତ କରିଦେଲେ। ପ୍ରଥମ ଦଫାରେ ପଏଣ୍ଟ୍ ୩୬୮୯ ନିକଟରେ ୧୩ ଜଣ ଆତଙ୍କବାଦୀଙ୍କୁ ନିପାତ କଲେ। ଅତର୍କିତ ଆକ୍ରମଣରେ ସେଠାରେ ଆଡ୍ଡା ଜମାଇଥିବା ଆତଙ୍କବାଦୀମାନେ ସେହି ଅଞ୍ଚଳରୁ ଖସି ପଳାଇବାକୁ ଉଦ୍ୟମ କଲେ। ପୀର୍ ପାଞ୍ଜାଲ୍ ରେଞ୍ଜ୍ରୁ ଉପତ୍ୟକା ପାରିହେବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ଜଣଙ୍କର ମୃତ୍ୟୁ ହେଲା। ଏହି ଅଭିଯାନ ବାନ୍ଦିପୋରା, ଡୋଡା, କିସ୍ତ୍ୱାର୍, ରାଜୌରୀ, ପୁଞ୍ଚ୍ ପରି ଅଞ୍ଚଳ ଅତିକ୍ରମ କରି ପ୍ରାୟ ୧୫୦ କିଲୋମିଟର୍ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ହଜାରେରୁ ଅଧିକ ଗୁମ୍ଫା ଆତଙ୍କବାଦୀଙ୍କୁ ଠାବ କରିବା କାର୍ଯ୍ୟ ଜଟିଳ କରିଦେଉଥିଲା। ଏପରି କି ଡ୍ରୋନ୍ ଓ ଗୁପ୍ତ କ୍ୟାମେରାରେ ସେମାନଙ୍କ ଉପସ୍ଥିତି ଜାଣିବା କଷ୍ଟକର ଥିଲା। ତଥାପି ଭାରତୀୟ ସେନା ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିଥିଲା। ପରିଶେଷରେ ଏହି ଅଭିଯାନ ସଫଳ ହେଲା ଏବଂ ହିଲ୍କାକା ଅଞ୍ଚଳ ଆତଙ୍କବାଦୀ ମୁକ୍ତ ହେଲା।’’