ସାପ ପରି କାତି ଛଡ଼ାଉଥିବା ମଣିଷ

ବିହାରର ମଜବୀର ରହେମାନ ମଲିକ ନାମ୍ନୀ ଯୁବକ ଏକ ବିରଳ ରୋଗରେ ପୀଡ଼ିତ। ଏହି ରୋଗ ଯୋଗୁଁ ତାଙ୍କ ଦେହର ଚର୍ମ ନିୟମିତ ଭାବେ ଛାଡ଼ିବାରେ ଲାଗିଛି। ଏଥିପାଇଁ ଲୋକେ ତାଙ୍କୁ ‘ସାପ-ମଣିଷ’ ଡାକୁଛନ୍ତି। ସେ ଭୋଗୁଥିବା ବିପଜ୍ଜନକ ରୋଗର ନାମ ହେଉଛି ‘ଏରିଥ୍ରୋଡେର୍ମା’। ଔଷଧ ପ୍ରତିକ୍ରିୟାରୁ ନେଇ ଚର୍ମ କର୍କଟ ଆଦି ବିଭିନ୍ନ କାରଣରୁ ଏହି ରୋଗ ହୋଇପାରେ। ବର୍ଷକୁ ପ୍ରତି ଏକ ଲକ୍ଷରେ ଜଣେ ବ୍ୟକ୍ତି ଏହି ରୋଗ ଭୋଗିବାର ଆଶଙ୍କା ରହିଛି।

ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଚର୍ମ ଓ ଆଖି ଲାଲ ରଙ୍ଗର ହୋଇଯାଇଥାଏ। ତେଣୁ ଏହା ‘ରେଡ୍‌ ମ୍ୟାନ୍ ସିଣ୍ଡ୍ରୋମ୍’ ନାମରେ ମଧ୍ୟ ପରିଚିତ। ୨୫ ବର୍ଷୀୟ ମଜବୀର ଜନ୍ମଗ୍ରହଣ କରିବା ପରେ ତାଙ୍କର ଠାରେ ଏହି ରୋଗର ଲକ୍ଷଣ ଦେଖାଦେଇଥିଲା। ସେବେଠାରୁ ପ୍ରତି ସପ୍ତାହ ତାଙ୍କ ଦେହରୁ ଫଡ଼ା ଫଡ଼ା ଚର୍ମ ଖସିବାରେ ଲାଗୁଛି। ଶୀତ ଦିନରେ ତାଙ୍କର ଚର୍ମ ଏତେ ଶୁଷ୍କ ହୋଇଯାଏ ଯେ ତାହା କଠିନ ହୋଇ ଭାଙ୍ଗିବାକୁ ଲାଗିଥାଏ। ଛୋଟ ବେଳେ ସ୍କୁଲ୍‌ରେ ସହପାଠୀମାନେ ତାଙ୍କୁ ଦେଖି ଭୟ କରିବାରୁ ତାଙ୍କ ପଠାପଢ଼ାରେ ଡୋରି ବନ୍ଧାହୋଇଯାଇଥିଲା।

ଆର୍ଥିକ ସମସ୍ୟା ଯୋଗୁଁ ସେ ନିଜର ଚିକିତ୍ସା ପାଇଁ ବଡ଼ ଡାକ୍ତରଖାନାକୁ ମଧ୍ୟ ଯାଇପାରୁନାହାନ୍ତି। ଏହା ସତ୍ତ୍ବେ ସେ ନିଜ ପରିବାର ଓ ବନ୍ଧୁମାନଙ୍କ ସମର୍ଥନ ପାଇ ସ୍ବାଭାବିକ ଜୀବନ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି। ସେ କୁହନ୍ତି ଯେ ଅନ୍ୟମାନଙ୍କ ମତକୁ ସେ ଆଉ ଗୁରୁତ୍ବ ଦିଅନ୍ତି ନାହିଁ। ବରଂ କୌଣସି ପରିସ୍ଥିତିରେ ପରାଜୟ ବରଣ ନ କରିବାକୁ ସେ ଅନ୍ୟମାନଙ୍କୁ ଉପଦେଶ ଦେଉଛନ୍ତି।

ସମ୍ବନ୍ଧିତ ଖବର