ନୂଆଦିଲ୍ଲୀ: ଆମେରିକାର ଟେକ୍ସାସରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଅପରାହ୍ନ ଗୋଟାଏରେ ହଠାତ୍ ୧୬ ହଜାର ଘରୁ ବିଦ୍ୟୁତ୍ ଚାଲିଯାଇଥିବା ଜଣାପଡ଼ିଛି। ତେବେ, କେଉଁ କାରଣ ପାଇଁ ହଠାତ୍ ବିଦ୍ୟୁତ୍ କଟିଗଲା, ଯେତେବେଳେ ତା’ର କାରଣ ବିଜୁଳି ସବଷ୍ଟେସନ୍ କର୍ମଚାରୀମାନେ ଜାଣିବାକୁ ପାଇଲେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ।
ବାସ୍ତବରେ, ଗୋଟିଏ ସାପ ପାଇଁ ଏହିସବୁ ଘଟିଥିଲା। ଅଷ୍ଟିନ ଏନର୍ଜିର ମୁଖପାତ୍ର ମ୍ୟାଟ ମିଚେଲ ଟୁଇଟ୍ କରି କହିଛନ୍ତି ଯେ, ତାଙ୍କ ସବଷ୍ଟେସନରେ ଗୋଟିଏ ସାପ ପଶିଯିବାରୁ ବିଦ୍ୟୁତ୍ ସର୍କିଟ ସଂସ୍ପର୍ଶରେ ଆସିଯାଇଥିଲା। ସେହି କାରଣରୁ ଗୋଟେ ଘଣ୍ଟା ପାଇଁ ସେହି ଅଞ୍ଚଳ ଅନ୍ଧାରରେ ରହିଥିଲା। ଏହି ସବଷ୍ଟେସନ୍ ଜଙ୍ଗଲ ପାଖ ଏକ ଅଞ୍ଚଳରେ ଥିବାରୁ ଅନେକ ଥର ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ମିଚେଲ ଆହୁରି ମଧ୍ୟ କହିଛନ୍ତି ଯେ, ସରୀସୃପମାନଙ୍କୁ ଦୂରେଇ ରଖିବା ପାଇଁ କମ୍ପାନି ବର୍ତ୍ତମାନ ସବଷ୍ଟେସନର ଚାରିପଟେ ଏକ ଲୋ-ଭୋଲଟେଜ୍ ଇଲେକ୍ଟ୍ରିକ୍ ବାଡ଼ ତିଆରି କରିବା ପ୍ରକ୍ରିୟାରେ ଅଛି। ଆପଣଙ୍କୁ ଜଣାଇଦେଉଛୁ ଯେ କିଛିଦିନ ପୂର୍ବରୁ ପ୍ରିନ୍ସ ୱିଲିୟମ୍ କାଉଣ୍ଟିର ଏକ ଟ୍ରାଫିକ୍ ସିଗନାଲରେ ଗୋଟିଏ ସାପ ପଶିଯିବା କାରଣରୁ ସିଗନାଲ ଖରାପ ହୋଯାଇଥିଲା।
ସେହିଭଳି ସାପ ସହିତ ଜଡିତ ଆଉ ଗୋଟିଏ ଘଟଣା ଜଣାପଡ଼ିଛି। ଗତ ମାସରେ, ଜଣେ ବ୍ୟକ୍ତିଙ୍କ ସହ କିଛି ଏଭଳି ଘଟିଥିଲା। ବ୍ୟକ୍ତିଜଣକ ନିଜ କାରର ଡ୍ରାଇଭିଂ ସିଟ୍ ଉପରେ ବସିବା ମାତ୍ରେ ଡେସବୋର୍ଡରେ ଏକ ସାପ ଥିବା ଦେଖିଥିଲେ। ସାପକୁ ଦେଖି ବ୍ୟକ୍ତିଜଣକ କାର ଛାଡ଼ି ପଳାଇଥିଲେ। ରିପୋର୍ଟ ମୁତାବକ, ବ୍ରିଟେନର ବର୍ଟନ୍ ଅନ୍ ଟ୍ରେଣ୍ଟ ଟାଉନରେ ଏହିଭଳି ସମାନ ଘଟଣା ଘଟିଛି। ବ୍ୟକ୍ତିଜଣକ ନିଜ କାରର ଡେସବୋର୍ଡରେ ଗୋଟିଏ ସାପ ଝୁଲୁଥିବାର ଦେଖିବାକୁ ପାଇଥିଲେ। ସାପକୁ ଦେଖି ବ୍ୟକ୍ତିଜଣକ ତୁରନ୍ତ ଉଦ୍ଧାରକାରୀଙ୍କ ସହିତ ଯୋଗାଯୋଗ କରିଥିଲେ। ପରେ ଉଦ୍ଧାରକାରୀମାନେ ସାପଟିକୁ କାରରୁ ବାହାରେ କରିଥିଲେ।