‘ଆଟଲାସ ମଥ୍’ ପୃଥିବୀର ସବୁଠୁ ବଡ଼ ପତଙ୍ଗମାନଙ୍କ ଭିତରୁ ଗୋଟିଏ ଯାହାର ଡେଣା ୧୨ ଇଞ୍ଚ ଯାଏ ଲମ୍ବା ହୋଇଥାଏ। ବିଶେଷ କରି ଦକ୍ଷିଣ-ପୂର୍ବ ଏସିଆରେ ଦେଖିବାକୁ ମିଳୁଥିବା ଏହି ପତଙ୍ଗକୁ ଗ୍ରିକ୍ ପୁରାଣର ବାହୁବଳୀ ଦେବତା ଆଟଲାସଙ୍କ ନାମାନୁସାରେ ନାମକରଣ କରାଯାଇଛି ନା ଏହାର ଡେଣାରେ ରହିଥିବା ମାନଚିତ୍ର (ଆଟଲାସ) ସଦୃଶ ଛବି ପାଇଁ ଏପରି ନାମ ଦିଆଯାଇଛି, ତାହା ଅସ୍ପଷ୍ଟ। ସଁବାଳୁଆ ଅବସ୍ଥାରେ ଏହା ପାଞ୍ଚ ଇଞ୍ଚ ଯାଏ ବଢ଼ିଥାଏ। କୋଷା ଭିତରେ ରହିବା ପୂର୍ବରୁ ତାହା ଲଗାତାର ସାଇଟ୍ରସ ଫଳ, ପିଜୁଳି, ଜାମାଇକା ଚେରି ଓ ଡାଳଚିନି ପତ୍ର ଆଦି ଖାଇଥାଏ। ବୟସ୍କ ପୋକ ଭାବରେ ବଞ୍ଚି ରହିବା ପାଇଁ ତାହାକୁ ସଁବାଳୁଆ ଅବସ୍ଥାରେ ପ୍ରଚୁର ଖାଦ୍ୟ ଖାଇବାକୁ ପଡ଼ିଥାଏ। କାରଣ ପ୍ରଜାପତି ହେଲା ପରେ ସେ କିଛି ଖାଇନଥାଏ।
ସେହି କାରଣରୁ ଡେଣା ବିସ୍ତାର କରିବାର ମାତ୍ର ଏକରୁ ଦୁଇ ସପ୍ତାହ ଯାଏ ‘ଆଟଲାସ ମଥ୍’ ବଞ୍ଚିଥାଏ। ଏତେ ସୁନ୍ଦର ଦିଶୁଥିବା ଜୀବର ପୁଣି ଏତେ କ୍ଷୁଦ୍ର ଜୀବନ! ଏହି ସ୍ବଳ୍ପ ସମୟ ଭିତରେ ଏହି ପତଙ୍ଗମାନେ ଦିନର ଅଧିକାଂଶ ସମୟ ଶକ୍ତି ସଂରକ୍ଷଣ ପାଇଁ ବିଶ୍ରାମ କରନ୍ତି ଏବଂ ରାତିରେ ସାଥୀ ଖୋଜିବା ପାଇଁ ଯାଆନ୍ତି। ବିପଦ ବେଳେ ନିଜକୁ ବଞ୍ଚାଇବା ପାଇଁ ଏହାର କୌଶଳ ଯୋଗୁଁ ଚୀନ୍ର ସ୍ଥାନୀୟ ଭାଷାରେ ଏହାକୁ ‘ସାପ ଫଣାଧାରୀ ପତଙ୍ଗ’ ବୋଲି କହିଥା’ନ୍ତି। ଏହାର ଦୁଇ ଡେଣାର ଅଗ୍ରଭାଗରେ ସାପ ମୁଣ୍ଡର ଚିତ୍ର ରହିଛି। ଶିକାରୀ ପକ୍ଷୀ ଏହାକୁ ଶିକାର କରିବାକୁ ଆସିଲେ ଏହା ଭୂଇଁରେ ଖସି ପଡ଼ି ଡେଣାକୁ ଏଭଳି ହଲାଇଥାଏ ଯେ ତାହା ଦୁଇମୁଣ୍ଡିଆ ସାପ ଭଳି ଦିଶିଥାଏ। ଏହାକୁ ଦେଖି ଶିକାରୀ ପକ୍ଷୀମାନେ ଭୟରେ ଚାଲିଯାଆନ୍ତି। ତେବେ ବାସ୍ତବରେ ଏହି ନିରୀହ ପତଙ୍ଗଟି ଆଦୌ କ୍ଷତିକାରକ ନୁହେଁ।