ଶ୍ରୀଜଗନ୍ନାଥଙ୍କର ‘ବାରମାସରେ ତେରଯାତ୍ରା’। ବିଭିନ୍ନ ଶାସ୍ତ୍ର-ଗ୍ରନ୍ଥରେ ତାଙ୍କର ‘ଦ୍ୱାଦଶଯାତ୍ରା’ର ବର୍ଣ୍ଣନା ଅଛି। ଏହି ବାରଟି ଯାତ୍ରା ହେଉଛି- ସ୍ନାନଯାତ୍ରା, ରଥଯାତ୍ରା, ଶୟନଯାତ୍ରା, ଦକ୍ଷିଣାୟନଯାତ୍ରା, ପାଶ୍ୱର୍ପରିବର୍ତ୍ତନଯାତ୍ରା ଉତ୍‌ଥାପନଯାତ୍ରା, ପ୍ରାବରଣଯାତ୍ରା, ପୁଷ୍ୟପୂଜାଯାତ୍ରା, ଉତ୍ତରାୟଣଯାତ୍ରା, ଦୋଳଯାତ୍ରା, ଦମନକଯାତ୍ରା ଓ ଚନ୍ଦନଯାତ୍ରା। ଏହା ଜ୍ୟେଷ୍ଠମାସରେ ଆରମ୍ଭ ହୋଇ ବୈଶାଖ ମାସରେ ଶେଷ ହୁଏ। ଶ୍ରୀମନ୍ଦିର ସ୍ୱତ୍ୱଲିପି ବା ଅଧିକାର ଅଭିଲେଖରେ ଦ୍ୱାଦଶଯାତ୍ରାର ଏହି କ୍ରମ ରହିଛି। କିନ୍ତୁ ବାଲୁଙ୍କୀ ପାଠୀଙ୍କ ‘ଯାତ୍ରା ଭାଗବତ’ ଅନୁସାରେ, ଦ୍ୱାଦଶଯାତ୍ରାର ଆରମ୍ଭ ଦୋଳଯାତ୍ରାରୁ ଏବଂ ଶେଷ ଉତ୍ତରାୟଣଯାତ୍ରାରେ।

Advertisment

କିନ୍ତୁ ଏହି ଦ୍ୱାଦଶଯାତ୍ରା ବ୍ୟତୀତ ଶ୍ରୀମନ୍ଦିରର ଅନ୍ୟ ଏକ ବିଶେଷ ପର୍ବ ହେଉଛି ‘ନୀଳାଦ୍ରିମହୋଦୟ’। ଏହା ବୈଶାଖ ଶୁକ୍ଳ ଅଷ୍ଟମୀରେ ପାଳିତ ହୁଏ। ଏହି ‘ନୀଳାଦ୍ରିମହୋଦୟାଷ୍ଟମୀ’ରେ ଶ୍ରୀମନ୍ଦିରର ପ୍ରତିଷ୍ଠା ହେବା ସହିତ ରତ୍ନସିଂହାସନରେ ଶ୍ରୀଜଗନ୍ନାଥାଦି ମୂର୍ତ୍ତି ପ୍ରତିଷ୍ଠିତ ହୋଇଥିଲେ। ଅର୍ଥାତ୍ ସେହି ଦିନ ନୀଳାଦ୍ରିରେ ଶ୍ରୀଜଗନ୍ନାଥଙ୍କର ମହା ଉଦୟ ଘଟିଥିଲା। ତେଣୁ ତାହାକୁ ‘ତ୍ରୟୋଦଶଯାତ୍ରା’ କୁହାଯାଏ। ଏହାକୁ ମିଶାଇ ଶ୍ରୀଜଗନ୍ନାଥଙ୍କର ‘ବାରମାସରେ ତେରଯାତ୍ରା’ କଥାଟି ପ୍ରଚଳିତ ଅଛି। ଏହା ବ୍ୟତୀତ, ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ବହୁ ଯାନି ବା ଉପଯାତ୍ରା ରହିଛି।
ଜ୍ୟେଷ୍ଠ ପୂର୍ଣ୍ଣମୀର ‘ସ୍ନାନଯାତ୍ରା’ ଶ୍ରୀଜଗନ୍ନାଥଙ୍କର ପ୍ରଥମଯାତ୍ରା। ଏହା ଶ୍ରୀଜଗନ୍ନାଥଙ୍କର ଜନ୍ମଦିନ ହୋଇଥିବାରୁ ଏହାର ଅନ୍ୟନାମ ‘ଜ୍ୟେଷ୍ଠାଯାତ୍ରା’। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କ ‘କୋଟିବ୍ରହ୍ମାଣ୍ଡ ସୁନ୍ଦରୀ’ରେ ଏହାକୁ କହିଛନ୍ତି ଶ୍ରୀଜଗନ୍ନାଥଙ୍କର ‘ସ୍ୱୟଂଲୀଳା’। ଏହା ସହିତ ‘ଶ୍ରୀଗୁଣ୍ଡିଚାଯାତ୍ରା’କୁ ମଧ୍ୟ ସେ ତାଙ୍କର ‘ସ୍ୱୟଂଲୀଳା’ ବୋଲି କହିଛନ୍ତି। କାରଣ, ଶ୍ରୀମନ୍ଦିରରେ ଯେଉଁସବୁ ଯାତ୍ରା ବା ପର୍ବ ଉତ୍ସବ ଅନୁଷ୍ଠିତ ହୁଏ, ତାହାକୁ ଶ୍ରୀଜଗନ୍ନାଥାଦି ଦେବତା ତାଙ୍କର ବିଜେପ୍ରତିମା ବା ପ୍ରତିନିଧିପ୍ରତିମାମାନଙ୍କ ଦ୍ୱାରା ସଂପନ୍ନ କରିଥାନ୍ତି। କିନ୍ତୁ ଏହି ଦୁଇଯାତ୍ରାରେ ସେମାନେ ସ୍ୱୟଂ ରତ୍ନସିଂହାସନରୁ ଅବତରଣ କରି ପ୍ରାସାଦ ବା ଶ୍ରୀମନ୍ଦିର ବାହାରକୁ ଆସିଥାଆନ୍ତି। ଏହା ସେମାନେ ‘ପତିତ’ମାନଙ୍କୁ ‘ପାବନ’ କରିବା ପାଇଁ କରୁଥିବାରୁ ଏହି ଦୁଇଯାତ୍ରାର ନାମ ‘ପତିତପାବନଯାତ୍ରା’। ଏଥି ମଧ୍ୟରୁ ସ୍ନାନଯାତ୍ରା ପ୍ରଥମ ‘ସ୍ୱୟଂଲୀଳା’ ଓ ପ୍ରଥମ ‘ପତିତପାବନଯାତ୍ରା’।