ପଞ୍ଜାବ-ପାକିସ୍ତାନ ସୀମାରେ ଏକ ପ୍ଲାଟୁନ୍‌ର ନେତୃତ୍ବ ନେଉଥିବା ବେଳେ ପାଟ୍ରୋଲିଂ ସମୟରେ ସୀମା‌ପାର ସ୍ନାଇପର୍‌ଙ୍କ ଟାର୍ଗେଟ୍‌କୁ ଆସିଥିଲା ତାଙ୍କ ଟିମ୍‌ ଏବଂ ଶତ୍ରୁପକ୍ଷଙ୍କ ହଠାତ୍‌ ଆକ୍ରମଣ ତାଙ୍କୁ ବିଚଳିତ କରିଦେଇଥିଲା। ଏହାର ଜବାବ ଦେବାକୁ ପଣ କରି ସେ ସ୍ନାଇପର୍‌ ପ୍ରଶିକ୍ଷଣ ନେବାକୁ ମନସ୍ଥ କଲେ ଏବଂ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଚିଠି ଲେଖିଲେ। ଚିଠି ଗ୍ରହଣ ‌େହଲାପରେ ‌ସ୍ନାଇପର୍‌ ଭାବେ ପ୍ରଶିକ୍ଷଣ ନେଇ ସେ ସଫଳ ହୋଇଛନ୍ତି ଏବଂ ପ୍ରଥମ ମହିଳା ସ୍ନାଇପର୍‌ ଭାବେ ‘ପ୍ରଶିକ୍ଷକ ବର୍ଗ’କୁ ଉନ୍ନୀତ ହୋଇଛନ୍ତି ବର୍ଡର୍‌ ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌)ର ମହିଳା ଏସ୍‌ଆଇ ସୁମନ କୁମାରୀ।

Advertisment

ହିମା‌ଚଳ‌ ପ୍ର‌େଦଶର ମଣ୍ଡି ଜିଲ୍ଲାରେ ଜନ୍ମିତ ସୁମନ ୨୦୨୧ରେ ବିଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ତାଙ୍କ ବାପା ହେଉଛନ୍ତି ଜଣେ ଇଲେକ୍ଟ୍ରିସିଆନ୍‌ ଏବଂ ମାଆ ଗୃହିଣୀ। ନିକଟରେ ଇନ୍ଦୋରର ‘ସେଣ୍ଟ୍ରାଲ୍‌ ସ୍କୁଲ୍‌ ଅଫ୍‌ ୱିପନ୍‌ସ ଆଣ୍ଡ୍‌ ଟାକ୍‌ଟିସ୍‌’ରେ ୮ ସପ୍ତାହ ଧରି ଅନୁଷ୍ଠିତ ହୋଇଥିବା ସ୍ନାଇପର୍‌ ପ୍ରଶିକ୍ଷଣ ‌ଶିବିରରେ ୫୬ ଜଣ ବିଏସ୍‌ଏଫ୍‌ ଅଧିକାରୀଙ୍କ ମଧ୍ୟରେ ସୁମନ ଥିଲେ ଏକମାତ୍ର ମହିଳା ଅଧିକାରୀ। ଅତ୍ୟନ୍ତ କଷ୍ଟସାଧ୍ୟ ପ୍ରଶିକ୍ଷଣରେ ସୁମନ ସଫଳତାର ସହିତ ସବୁ ପ୍ରତିଯୋଗିତାକୁ ପାର କରିଥିଲେ। ଏପରିକି ଲକ୍ଷ୍ୟଭେଦରେ ଅନେକ ପୁରୁଷ ଅଧିକାରୀଙ୍କୁ ପଛରେ ପକାଇ ଦେଇଥିଲେ ସୁମନ। ସ୍ନାଇପର୍‌ ଭା‌ବେ ପ୍ରଶିକ୍ଷଣ ନେବାର ପ୍ରେରଣା ସଂପର୍କରେ ସେ କହନ୍ତି, ‘ସେଦିନ ପଞ୍ଜାବ-ପାକିସ୍ତାନ ସୀମାରେ ପାଟ୍ରୋଲିଂ ସମୟରେ ଶତ୍ରୁପକ୍ଷ ସ୍ନାଇପର୍‌ଙ୍କ ଅତର୍କିତ ଆକ୍ରମଣ ହିଁ ମୋତେ ସଂପୂର୍ଣ୍ଣ ଭାବେ ବିଚଳିତ କରିଥିଲା ଏବଂ ସ୍ନାଇପର୍‌ ଟ୍ରେନିଂ ନେବାକୁ ଉତ୍ସାହିତ କରିଥିଲା। ଏହାପରେ ମୁଁ ପ୍ରଶିକ୍ଷଣ ନେବାକୁ ସ୍ଥିର କରିଥିଲି’।

ସ୍ନାଇପର୍‌ ପ୍ରଶିକ୍ଷଣରେ ଯେଉଁ ଅଧିକାରୀ ଉତ୍କୃଷ୍ଟ ଲକ୍ଷ୍ୟଭେଦ କରିଥାନ୍ତି ତାଙ୍କୁ ଆଲ୍‌ଫା ଓ ବ୍ରାଭୋ ବର୍ଗରେ ସାମିଲ କରା‌ଯାଏ, ଯାହାକି ସବୁଠାରୁ ସ୍ବତନ୍ତ୍ର ବର୍ଗ। ଆଲ୍‌ଫା ଓ ବ୍ରାଭୋ ବର୍ଗ କମାଣ୍ଡୋ ଟ୍ରେନିଂ ପରର ସବୁଠାରୁ କଠିନତମ ପ୍ରଶିକ୍ଷଣ। ଏହି ବର୍ଗରେ ପ୍ରଥମ ମହିଳା ଅଧିକାରୀ ଭାବେ ସୁମନ କୁମାରୀ ଉନ୍ନୀତ ହୋଇଛନ୍ତି। ତାଙ୍କୁ ମଧ୍ୟ ଏକ ସ୍ବତନ୍ତ୍ର ସ୍କ୍ରିନିଂ ଟେଷ୍ଟର ସାମ୍ନା କରିବାକୁ ପଡ଼ିଥିଲା। ଏହାଦ୍ବାରା ପ୍ରମାଣିତ ହୋଇଥିଲା ସୁମନ ସ୍ନାଇପର୍‌ ପ୍ରଶିକ୍ଷକ ପାଇଁ ଏକ୍‌ଦମ୍‌ ଯୋଗ୍ୟ। ସୁମନଙ୍କ ଏହି ସଫଳତା ଅନ୍ୟ ମହିଳାଙ୍କ ପାଇଁ ନିଶ୍ଚିତ ପକ୍ଷେ ଏକ ପ୍ରେରଣା ହେବ ବୋଲି କହିଛନ୍ତି ସିଏସ୍‌ଡବ୍ଲୁଟି ଆଇଜି ଭାସ୍କର ସିଂ ରାୱତ୍‌।