ହାତ ସଫା କରିବା ଲାଗି ସାନିଟାଇଜର ଠାରୁ ସାବୁନ ଭଲ : ଡାକ୍ତର ସି.ବି.କେ ମହାନ୍ତି

ଭୁବନେଶ୍ବର: ସାନିଟାଇଜର ଠାରୁ ସାବୁନ ଭଲ । ସାବୁନରେ ହାତକୁ ୨୦ ସେକେଣ୍ଡ ପାଇଁ ଭଲଭାବରେ ଧୁଅନ୍ତୁ । ସାବୁନରେ ହାତ ଧୋଇଲେ ଭୂତାଣୁକୁ ମାରିବା ସହଜ ହେବ । କାରଣ ସାବୁନ ଫେଣ ହାତର ନଖ କୋଣ ଭିତରେ ପଶି ଭୂତାଣୁକୁ ମାରିପାରିବ ବୋଲି କହିଛନ୍ତି ରାଜ୍ୟ ଡିଏମ୍ଇଟି ତଥା  ଖ୍ୟାତନାମା ଚିକିତ୍ସକ  ଡାକ୍ତର ସି.ବି.କେ ମହାନ୍ତି ।

କରୋନା ଭୟ ବଢି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ ରହିଛି ସମସ୍ତେ ମାସ୍କ ପିନ୍ଧିବା ଜରୁରୀ କି ? ଆଉ ଏତିକି ବେଳେ ଡାକ୍ତର ସି.ବି.କେ ମହାନ୍ତି କହିଛନ୍ତି, ସମସ୍ତେ ମାସ୍କ ପିନ୍ଧିବା ଆଦୌ ଜରୁରୀ ନୁହେଁ । ଥଣ୍ଡା, କାଶ ଓ ଜ୍ୱରରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧନ୍ତୁ  ଏବଂ କରୋନା ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ପାଖରେ ରହୁଥିବା ବ୍ୟକ୍ତି ମାସ୍କ ପିନ୍ଧିବା ନିହାତି ଜରୁରୀ । ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧିଲେ, ଅନ୍ୟମାନେ ଭୟଭୀତ ହେଉଥିବା ଡିଏମଇଟି କହିଛନ୍ତି ।

କାଶ ଓ ଛିଙ୍କ ବେଳେ ମୁହଁକୁ ରୁମାଲ ଓ ଟିସୁ ପେପରରେ ମୁହଁକୁ ଘୋଡେଇ ରଖନ୍ତୁ । କାଶିବା, ଛିଙ୍କିବା ପରେ ହାତ ନ ଧୋଇ ଆଖି ନାକ ଓ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ । କାଶୁଥିବା ଓ ଛିଙ୍କୁଥିବା ଲୋକଙ୍କ ଠାରୁ ୧ ମିଟର ଦୂରତା ରକ୍ଷା କରନ୍ତୁ । ଗୋଟିଏ ସ୍ଥାନରେ ଏକାଧିକ ଲୋକ ଏକାଠି ହୁଅନ୍ତୁ ନାହିଁ । ନିଜେ ସଫା ରହିବା ସହ ନିଜ ଆଖପାଖ ଅଂଚଳକୁ ପରିସ୍କାର ପରିଚ୍ଛନ୍ନ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡିଏମଇଟିା ।

ସବୁ କାଶ, କଫ କରୋନା ଭୂତାଣୁ ଯୋଗୁଁ ହେଉଛି ତା’ ନୁହେଁ, କିନ୍ତୁ କାଶ, କଫ, ଥଣ୍ଡା ଓ ଜ୍ୱର ହେଲେ ନିଜ ସୁରକ୍ଷା ଦୃଷ୍ଟିରୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଇବା ଜରୁରୀ । ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରନ୍ତୁ ବୋଲି କହିଛନ୍ତି ଡାକ୍ତର ସି.ବି.କେ ମହାନ୍ତି ।

ସମ୍ବନ୍ଧିତ ଖବର