ମଧୁମେହ ନିରୂପଣ ପାଇଁ ମୋଜା

ଏକ ବିଶ୍ବବ୍ୟାପୀ ସମସ୍ୟା ଭାବେ ଉଭା ହୋଇଥିବା ମଧୁମେହ ରୋଗର ତ୍ବରିତ ନିରୂପଣ ଓ ଯଥାର୍ଥ ଉପଚାର ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ନିୟମିତ ରକ୍ତ ପରୀକ୍ଷା ଦ୍ବାରା ମଧୁମେହର ସ୍ତର ନିରୂପିତ ହୋଇପାରୁଛି ଏବଂ ଏଥିରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ ନହେଲେ ବି ରୋଗର ପ୍ରଭାବକୁ ନିୟନ୍ତ୍ରିତ କରି ରଖିବା ପାଇଁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ମିଳୁଛି। ତେବେ ଗବେଷକମାନେ ଏପରି ଏକ ଇଲେକ୍ରୋନିକ୍‌ ମୋଜା ପ୍ରସ୍ତୁତ କରିଛନ୍ତି ଯାହା ଦ୍ବାରା ଦେହରେ ଛୁଞ୍ଚି ନ ଫୋଡ଼ି ମଧୁମେହ ରୋଗର ନିରୂପଣ କରାଯାଇପାରିବ।

ୟୁରୋପୀୟ ହୃଦ୍‌ବିଜ୍ଞାନ ସମାଜ ଦ୍ବାରା ପ୍ରସ୍ତୁତ କରାଯାଇଥିବା ଏହି ଅଭିନବ ମୋଜାର ପରୀକ୍ଷା ସଫଳ ହୋଇଛି। ସାଧାରଣତଃ ଆମ ଶରୀରରେ ଗ୍ଲୁକୋଜ୍‌ ଜାତୀୟ ଖାଦ୍ୟ ଯେତେବେଳେ ରକ୍ତସ୍ରୋତ ସଂସ୍ପର୍ଶରେ ଆସେ, ତାହା ଜୀବକୋଷରେ ଶୋଷିହୋଇଯିବା ଲାଗି ଅଗ୍ନାଶୟରୁ ନିର୍ଗତ ଇନ୍‌ସୁଲିନ୍‌ ହରମୋନ୍‌ ସଂକେତ କରିଥାଏ। ମଧୁମେହ ରୋଗୀଙ୍କ ଠାରେ ଏହି ଅତ୍ୟାବଶ୍ୟକ ଶାରୀରିକ ପ୍ରକ୍ରିୟାରେ ବ୍ୟତିକ୍ରମ ଦେଖାଦେଇଥାଏ। ଫଳରେ ଜୀବକୋଷଗୁଡ଼ିକ ଆବଶ୍ୟକ କରୁଥିବା ଶକ୍ତି ପାଆନ୍ତି ନାହିଁ ଏବଂ ରକ୍ତରେ ଶର୍କରା ପରିମାଣ ବସାବାନ୍ଧି ଚାଲେ ଏବଂ ରକ୍ତଚାପ ମଧ୍ୟ ବଢ଼ିଥାଏ।

ଉଚ୍ଚ ରକ୍ତଚାପ ବିଭିନ୍ନ ସ୍ନାୟୁ ଓ ରକ୍ତକଣିକାଗୁଡ଼ିକୁ ନଷ୍ଟ କରିଦେଇଥାଏ। ଫଳସ୍ବରୂପ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହୋଇଥାନ୍ତି। ବିଶେଷ କରି ମଧୁମେହକୁ ଦୀର୍ଘ ଦିନ ଧରି ଅଣଦେଖା କଲେ ତାହା ପୀଡ଼ିତଙ୍କ ଗୋଡ଼କୁ ପ୍ରଭାବିତ କରି ଚାଲିବା ଶୈଳୀ ବଦଳାଇଦିଏ। ପାଦର ସ୍ପର୍ଶ ସମ୍ବେଦନଶୀଳତା କମିଯାଏ, ପାଦ ଝିମ୍‌ଝିମ୍‌ ଲାଗିବା ସହ ଭୀଷଣ ଯନ୍ତ୍ରଣା ଅନୁଭୂତ ହୁଏ ଏବଂ ସ୍ଥଳବିଶେଷରେ ପାଦକୁ ସଂକ୍ରମଣ ବ୍ୟାପୀ ଘାଆ ହେବା ସହ ଆଙ୍ଗୁଠି, ପାଦ ଓ ଧୀରେ ଧୀରେ ଗୋଡ଼ କଟାଯିବାର ଆଶଙ୍କା ରହିଥାଏ। ଏହି ଇଲେକ୍ଟ୍ରୋନିକ୍ ମୋଜା ଚାଲିର ଅସ୍ବାଭାବିକତାରୁ ମଧୁମେହ ଠାବ କରିବାରେ ସଫଳ ହେଉଛି। ଦେହରେ ଛୁଞ୍ଚି ଫୋଡ଼ି ମଧୁମେହ ପରୀକ୍ଷା କରିବାକୁ ଭୟ କରୁଥିବା ଲୋକମାନେ ଏହି ମୋଜା ଦ୍ବାରା ସହଜରେ ମଧୁମେହ ପରୀକ୍ଷା କରିପାରିବେ।

ସମ୍ବନ୍ଧିତ ଖବର