ସୋଫାରେ ଚକା ଓ ଇଞ୍ଜିନ ଖଞ୍ଜି ରାସ୍ତାରେ ବୁଲୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ଦେଖି ଆନନ୍ଦ ମହିନ୍ଦ୍ରା ଭିଡିଓ ସେୟାର କରି ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ଏକ ସୋଫା କାର ଭଳି ରାସ୍ତାରେ ଯାଉଥିବା ଦେଖିବାକୁ ମିଳୁଛି।

ଏହି ସୋଫାକୁ ଇଞ୍ଜିନିୟର୍ସଙ୍କ ଏକ ଗ୍ରୁପ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରାସ୍ତାରେ ଚାଲୁଥିବା ଏହି ସୋଫାରେ ୪ଟି ଚକା ଓ ଇଞ୍ଜିନ ଖଞ୍ଜା ଯାଇଥିବା ଜଣାପଡ଼ିଛି। ଏହି ଭିଡିଓକୁ ପୋଷ୍ଟ କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘ଏହା ଏକ ମଜାଳିଆ ପ୍ରୋଜେକ୍ଟ। କିନ୍ତୁ ଏଥିରେ ହୋଇଥିବା ପରିଶ୍ରମ ଓ ଇଞ୍ଜିନିୟରିଙ୍ଗ ପ୍ରୟାସକୁ ଦେଖନ୍ତୁ। ଯାହାକି ଅତ୍ୟନ୍ତ ପ୍ରଶଂସନୀୟ। ଯଦି ଏଭଳି ଯାନ ଭାରତରେ ପଞ୍ଜିକରଣ କରିବା ପାଇଁ ଆରଟିଓ କାର୍ଯ୍ୟାଳୟ ନିଆଯାଏ ତେବେ ଅଧିକାରୀ କିଭଳି ପ୍ରତିକ୍ରିୟା ଦେବେ ତାହାକୁ ମୁଁ ଦେଖିବାକୁ ଅପେକ୍ଷା କରିଛି।’

 

ଭିଡିଓରୁ ଜଣାପଡ଼ିଛି କି ଦୁଇଜଣ ବ୍ୟକ୍ତି ଅନଲାଇନରୁ ସୋଫା ଅର୍ଡର କରିଛନ୍ତି। ଏହାପରେ ନିଜେ ଡିଜାଇନ କରି ସୋଫାରେ ଚକା ଓ ଇଞ୍ଜିନ ଖଞ୍ଜିଛନ୍ତି। ଏହି ଡିଜାଇନ ତିଆରି କରିବା ପାଇଁ ୩ଡି ମଡଲିଙ୍ଗର ବ୍ୟବହାର କରାଯାଇଛି। ସୋଫା ମଝିରେ ଏକ ହ୍ୟାଣ୍ଡେଲ ଲିବର ଦିଆଯାଇଛି। ଯାହାକି ଏକ୍ସଲେଟର ଓ ବ୍ରେକ ଭାବେ କାମ କରୁଛି। ରାସ୍ତାରେ କାର ଭଳି ଚାଲୁଥିବା ସୋଫାକୁ ‌ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର