ପ୍ରସିଦ୍ଧ ବ୍ୟଙ୍ଗ ଓ ହାସ୍ୟକବି ଯଦୁମଣି ମହାପାତ୍ରଙ୍କର ଏକ ପଂକ୍ତି ଓଡ଼ିଶାର କୋଣଅନୁକୋଣରେ ଖୁବ୍ ଲୋକପ୍ରିୟ। ଏକଦା ସେ ନୂଆଗଡ଼ ଗଡ଼ଜାତର ରାଜାଙ୍କୁ କହିଥିଲେ,‘‘ଛାମୁ ଯାହାଦେଲେ ହରଷେ ପାଉ ପାଉ ଗଲା ବରଷେ, ବାଛିବାଛି କରି ଦେଲେ ପଡ଼ିଆ, ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ-ଏମନ୍ତ ଭୂଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।’’ ମନରେ ସ୍ବତଃ ପ୍ରଶ୍ନ ଉଠିବା ସ୍ବାଭାବିକ, ରାଜାଙ୍କୁ ଯଦୁମଣି ଏପରି କାହିଁକି କହିଥିଲେ? କିଂବଦନ୍ତି ଅନୁସାରେ, ଯଦୁମଣି ରାଜାଙ୍କୁ ଖଣ୍ଡେ ଜମି ମାଗିଥିଲେ। ମାତ୍ର ମାସ ପରେ ମାସ ବିତିଯାଇଥିଲେ ମଧ୍ୟ ରାଜା ଜମି ପ୍ରଦାନ କରି ନଥିଲେ। ବାରମ୍ବାର ଅନୁରୋଧ ପରେ ଶେଷରେ ତାଙ୍କୁ ରାଜା ଖଣ୍ଡେ ଜମି ପ୍ରଦାନ କଲେ। କିନ୍ତୁ ସେହି ଜମିଟି ଚାଷ ପାଇଁ ଅନୁପଯୁକ୍ତ ରହିଥିଲା। ତାହାର ମାଟି ସଂପୂର୍ଣ୍ଣ ଅନୁର୍ବର ହେବା ସହ ମଞ୍ଜି ବି ଗଜା ହେଉ ନଥିଲା।
ସେଦିନ କବି ଯଦୁମଣି ଯେଉଁ ସମସ୍ୟାର ସମ୍ମୁଖୀନ ହୋଇ ରାଜାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଆଜି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଲୋକେ ସେଇ ସମସ୍ୟାର ଶିକାର ହେଉଛନ୍ତି। ତେଣୁ ଯଦୁମଣିଙ୍କ ଉକ୍ତିଟି ଆଜିର ଦିନରେ ବେଶ୍ ପ୍ରଣିଧାନଯୋଗ୍ୟ। ଏହା ସୂଚାଇ ଦେଉଛି ସେହି ସମୟରୁ ଓଡ଼ିଶାରେ ଅେନକ ଜମି ବନ୍ଧ୍ୟାଦୋଷର ଶିକାର ହୋଇଥିଲା ବା ତାହାକୁ ଅନୁର୍ବରତା ଗ୍ରାସ କରିଥିଲା। ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ପରିବର୍ତ୍ତନ ଯୋଗୁ ଓଡ଼ିଶାରେ ମାଟି ବନ୍ଧ୍ୟାଦୋଷର କବଳିତ ହେଉଛି। ଫଳରେ ତାହା କୃଷି ଲାଗି ଅନୁପଯୁକ୍ତ ହୋଇପଡୁଛି। କେବଳ ଓଡ଼ିଶା ନୁହେଁ, ସମଗ୍ର ବିଶ୍ବରେ ମାଟି ସଂକଟ ବ୍ୟାପକ ହେବାରେ ଲାଗିଛି। କ୍ରମଶଃ ଭୂମି ନିଷ୍ଫଳା ହେବା ସହ ଚାଷଯୋଗ୍ୟ ହୋଇ ରହୁନାହିଁ। ଏହା ଭବିଷ୍ୟତରେ ସମଗ୍ର ବିଶ୍ବକୁ ଖାଦ୍ୟ ସଂକଟ ଭିତରକୁ ଠେଲି ଦେବା ଆଶଙ୍କା ସୃଷ୍ଟି କରିଛି।
ନୟାଗଡ଼ର ନାଲିମାଟି ବାଇଗଣ ଲାଗି ଏବଂ ପିଆଜ ଓ କପା ଲାଗି କଳାହାଣ୍ଡିର କଳାମାଟି ସୁପ୍ରସିଦ୍ଧ ଥିଲା। କିନ୍ତୁ, ଭୂମି ଅବକ୍ଷୟ ଓ ଉର୍ବରତା ହ୍ରାସ କାରଣରୁ ସେ ଫସଲ କମିଗଲାଣି। ଧାନଚାଷ ପାଇଁ ପ୍ରସିଦ୍ଧ ବରଗଡ଼ର ମାଟି ବି ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଉର୍ବରତା ହରାଇଲାଣି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ମାଟିରେ ଆର୍ଦ୍ରତା ହ୍ରାସ ପାଉଛି। ଦୋରସା ଓ ଉର୍ବର ମାଟିରେ କ୍ରମଶଃ ବନ୍ଧ୍ୟା ଦୋଷ ଦେଖାଗଲାଣି। ଉପକୂଳ ଜମି ଲବଣାକ୍ତ ହେଲାଣି। ‘ବିଶ୍ବ ପରିବେଶ ଦିବସ’ ଅବସରରେ ଓଡ଼ିଶାର ମାଟିକୁ ନେଇ ବିଶେଷ ଉପସ୍ଥାପନା...
ଏହି ମାଟି ମହାସଂକଟକୁ ନେଇ ବିଶ୍ବବ୍ୟାପୀ ସଚେତନତା ସୃଷ୍ଟି କରିବା ଲାଗି ୨୦୨୪ ବିଶ୍ବ ପରିବେଶ ଦିବସର ଆହ୍ବାନ ବାର୍ତ୍ତା ରହିଛି- ‘ଆମ ଭୂମି, ଆମ ଭବିଷ୍ୟତ’। ମାଟିର ଗୁଣାତ୍ମକ ପୁନର୍ବାହାଲ, ମରୁକରଣରୁ ସୁରକ୍ଷା, ମରୁଡ଼ି ନମନୀୟତା ଏବଂ ସର୍ବୋପରି ମାଟିର ଯତ୍ନ ପାଇଁ ବିଶ୍ୱ ଜନମତକୁ ଜାଗ୍ରତ କରିବା ହେଉଛି ଚଳିତ ପରିବେଶ ଦିବସର ଲକ୍ଷ୍ୟ। ଏହା ଆମକୁ ସୂଚାଇ ଦେଉଛି ସମଗ୍ର ପୃଥିବୀରେ ମାଟିର ସ୍ୱାସ୍ଥ୍ୟ ଭଲ ନାହିଁ। ଓଡ଼ିଶା ମଧ୍ୟ ଏଥିରୁ ବାଦ ପଡ଼ିନାହିଁ।
ଏ ପ୍ରସଙ୍ଗରେ ବିଶିଷ୍ଟ ମୃତ୍ତିକା ବିଶେଷଜ୍ଞ ଡକ୍ଟର ଋତୁପୂର୍ଣ୍ଣ ମହାନ୍ତି କହନ୍ତି, ‘‘ଓଡ଼ିଶାରେ ମାଟିରୁ ଆର୍ଦ୍ରତା ଓ ଅମ୍ଳଜାନ ହ୍ରାସ ପାଇବା ସବୁଠାରୁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ବର୍ତ୍ତମାନ ଏହି ସଂକଟ ଉପରେ ଧ୍ୟାନ ନଦେଲେ ଆମ ରାଜ୍ୟର ଭୂମି ସମ୍ପୂର୍ଣ୍ଣ ଉର୍ବରତା ହରାଇବାକୁ ଆଉ ବେଶୀ ଦିନ ଲାଗିବ ନାହିଁ। ଓଡ଼ିଶା ମାଟିରେ ୪୩% ଜୈବିକ କମ୍ପୋଷ୍ଟ ଅଭାବ ଦେଖା ଯାଉଛି। ରାଷ୍ଟ୍ରୀୟ ମୃତ୍ତିକା ସର୍ବେକ୍ଷଣ ଓ ଭୂମି ଉପଯୋଗ ନିୟୋଜନ ବ୍ୟୁରୋ, କୃଷି ବିଭାଗ ଏବଂ ମୃତ୍ତିକା ବିଶେଷଜ୍ଞଙ୍କୁ ନେଇ ୩୦ଟି ଜିଲ୍ଲାର ୪୦,୨୬୫ ମାଟିର ନମୁନା ସଂଗ୍ରହ ପରେ କରାଯାଇଥିବା ଅନୁଧ୍ୟାନ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଓଡ଼ିଶାର ମୃତ୍ତିକାରେ ମାଗ୍ନେସିୟମ୍, ନାଇଟ୍ରୋଜେନ୍, ଫସ୍ଫରସ୍ ଓ ପଟାସ୍ ଭଳି ଅଣୁସାର ଶତପ୍ରତିଶତ ରହିବା ଦରକାର। ମାତ୍ର ମାଗ୍ନେସିୟମ୍ ବ୍ୟତୀତ ଅନ୍ୟ ସମସ୍ତ ଉପାଦାନ ଓଡ଼ିଶା ମାଟିରେ ବହୁତ ମାତ୍ରାରେ ହ୍ରାସ ପାଇଚାଲିଛି।’’
‘‘ଉଦ୍ଭିଦ ଓ ପ୍ରାଣୀ ଜଗତ ପାଇଁ ମାଟି ୧୩ଟି ଉପାଦାନ ଯୋଗାଇଥାଏ। ଓଡ଼ିଶା ମାଟିରେ ବର୍ତ୍ତମାନ ସର୍ବାଧିକ ୮୦% ବୋରନ୍, ୫୧% ସଲ୍ଫର୍, ୩୧% ଫସ୍ଫରସ୍, ୨୧% ପଟାସିୟମ୍, ୧୦% କ୍ୟାଲ୍ସିୟମ୍, ୨୮% ମ୍ୟାଗ୍ନେସିୟମ୍, ୪୨% ଜିଙ୍କ୍ ଅଣୁସାରର ଅଭାବ ରହିଛି। ରାଜ୍ୟରେ ଥିବା ମୃତ୍ତିକା ପରୀକ୍ଷାଗାରରେ ବୋରନ୍, ସଲ୍ଫର୍, ଜିଙ୍କ୍, କପର୍, ଆଇରନ୍ ଓ ମାଙ୍ଗାନିଜ୍ ପରୀକ୍ଷା ହୋଇପାରୁନାହିଁ। ଏହି ରିପୋର୍ଟ ପରେ ମୃତ୍ତିକା ଉନ୍ନତି ଦିଗରେ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଜଣାପଡ଼ିନାହିଁ। ଏସବୁ ଅଣୁସାର ଉପାଦାନ ହ୍ରାସ ପାଇବା ଚିନ୍ତାର କାରଣ ହୋଇଛି। ଅନ୍ୟପଟରେ ଓଡ଼ିଶାର ଭୂମିରେ ଯେତେବେଳେ ଅଣୁଜୀବମାନେ ମୃତ୍ୟୁବରଣ କରୁଛନ୍ତି ସେତେବେଳେ ପ୍ଲାଷ୍ଟିକ୍ ଓ ଅଣୁପ୍ଲାଷ୍ଟିକ୍ ପରିମାଣ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି। ଏହା ଭୂମିର ଭବିଷ୍ୟତକୁ ଅଧିକ ବିପନ୍ନ କରିଦେବାକୁ ବସିଲାଣି।’’
ବରିଷ୍ଠ ଉଦ୍ଭିଦବିଜ୍ଞାନୀ ଡକ୍ଟର ଶୁଭଙ୍କର ଘୋଷ କୁହନ୍ତି, “ଓଡ଼ିଶାରେ ମାଟିର ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଲାଣି। ଅନିୟନ୍ତ୍ରିତ ଶିଳ୍ପ ଓ ସହରୀକରଣ ପାଇଁ ଓଡ଼ିଶାରେ ଯେପରି ଭୂ-ବଳାତ୍କାର ବଢ଼ି ବଢ଼ି ଚାଲିଛି। ଯଦି ଏହି ସ୍ଥିତି ଲାଗିରହେ ତେବେ ନିକଟ ଭବିଷ୍ୟତରେ ଆମ ମାଟିକୁ ଆମେ ଆମର ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖି ପାରିବା ନାହିଁ। ଗୋଟିଏ ପଟେ ମନୁଷ୍ୟକୃତ ଆକ୍ରମଣ ଏବଂ ଅନ୍ୟପଟରେ ଜଳବାୟୁ ପରିବର୍ତ୍ତନ ବିପଦରେ ମାଟିର ସୁରକ୍ଷା ସମସ୍ତଙ୍କ ପାଇଁ ଚିନ୍ତା ଉଦ୍ରେକ କରିସାରିଲାଣି। ଓଡ଼ିଶାର ଚାଷଜମିରେ କ୍ରମାଗତ ଭାବେ ଅମ୍ଳତ୍ବ ବୃଦ୍ଧି ପାଇବା କାରଣରୁ ଏହା ସମସ୍ତଙ୍କ ପାଇଁ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି କରୁଛି। ଏହାଦ୍ୱାରା ଓଡ଼ିଶାର ଶହ ଶହ ହେକ୍ଟର ଜମି ଆଗାମୀ ଦିନରେ ଚାଷ ଉପଯୋଗୀ ନହୋଇ ପଡ଼ିଆ ପାଲଟିଯିବ। ଏଥିସହ ପ୍ରାକୃତିକ ପରିସ୍ଥିତି ଓଡ଼ିଶାର ମାଟି ଉପରେ ଅଧିକ ଦାଉ ସାଧିବା ଆରମ୍ଭ କରିଛି। ଏଥିପାଇଁ ଚାଷ ଜମି ନିଜର ଉର୍ବରତା ହରାଉଛନ୍ତି। ଏସବୁ ଦିଗ ପ୍ରତି ଆମେ ଯଥେଷ୍ଟ ଧ୍ୟାନ ଦେବା ଆରମ୍ଭ କରିନାହୁଁ। ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଓଡ଼ିଶାର ମୃତ୍ତିକା ଅବକ୍ଷୟ ଚରମ ସୀମାରେ ଯେତେବେଳେ ପହଞ୍ଚି ଯାଇଛି ସେତେବେଳେଜଙ୍ଗଲ ଓ ଜଳ ପରିଚାଳନାରେ ଆମେ ଗୁରୁତର ତ୍ରୁଟି କରି ଏହି ସ୍ଥିତିକୁ ଅଧିକ ଜଟିଳ କରିଦେଲୁଣି। ଏଥିପାଇଁ ଅନେକ ପ୍ରକାରର ବୃକ୍ଷଲତା ଓଡ଼ିଶାର ବଣଜଙ୍ଗଲ ଓ ନଦୀନାଳ ଅବବାହିକାରୁ ଲୋପ ପାଇଗଲାଣି।” କ୍ରମାଗତ ଭାବେ ଭୂମିର ଉର୍ବରତା ହ୍ରାସ ଘଟିବା କାରଣରୁ ଓଡ଼ିଶା ମରୁଡ଼ି ପ୍ରବଣ ଅଞ୍ଚଳରୁ ମରୁକରଣ ଅଞ୍ଚଳକୁ ଗତି କରୁଛି। ମରୁକରଣ ହେଉଛି ଭୂମିର ଉତ୍ପାଦିକା ଶକ୍ତି ହ୍ରାସର ଏକ ପ୍ରକ୍ରିୟା। ଏହା ମାଟିରେ ସ୍ଥାୟୀ କ୍ଷତି ଘଟାଇଥାଏ। ୨୦୧୬ର ତଥ୍ୟକୁ ଆଧାର କରି କରାଯାଇଥିବା ବିଶ୍ଳେଷଣ ଅନୁୟାୟୀ, ମାତ୍ର ୧୩ ବର୍ଷ ମଧ୍ୟରେ ରାଜ୍ୟରେ ୧୩୬ ପ୍ରତିଶତ ପତିତ ଜମି, ୬୯ ପ୍ରତିଶତ ଅନୁର୍ବର ଜମି ଏବଂ ୩୪ ପ୍ରତିଶତ ଅଣକୃଷି ବ୍ୟବହାରରେ ପରିଣତ ଜମି ବୃଦ୍ଧି ପାଇଛି।
ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟରର ୨୦୧୪-୧୫ ବାର୍ଷିକ ରିପୋର୍ଟ ଅନୁୟାୟୀ, ୨୦୦୪ ମସିହା ତୁଳନାରେ ୨୦୧୨ ମସିହାର ଭୂମିକ୍ଷୟର ତୁଳନାତ୍ମକ ବିଶ୍ଳେଷଣ କଲେ ଜଣାପଡ଼େ ଯେ, ୨୦୧୨ରେ ଓଡ଼ିଶାର ମୋଟ ଭୌଗୋଳିକ କ୍ଷେତ୍ରର ୪୨.୪୯% ଭୂମି ମରୁକରଣ ଯୋଗୁଁ ପ୍ରଭାବିତ ହୋଇଥିବା ବେଳେ ୨୦୦୪ରେ ଏହା ୩୫ % ଥିଲା। ଏହି ପ୍ରକ୍ରିୟା ଆଧାରରେ ଆକଳନ କଲେ ଦେଖାଯିବ ବର୍ତ୍ତମାନ ଅତି କମ୍ରେ ଭୂମିକ୍ଷୟରେ ୨୦% ବୃଦ୍ଧି ଘଟିଛି। ଭୂମି ଅବକ୍ଷୟ ହାରକୁ ଆଧାର କରି ବିଶେଷଜ୍ଞ ଆକଳନ କରୁଛନ୍ତି କି ପାଖାପାଖି ଆଗାମୀ ୧୫୦ ବର୍ଷ ମଧ୍ୟରେ ଓଡ଼ିଶାର ଭୂମି ସମ୍ପୂର୍ଣ୍ଣ ଭାବେ ଅନୁର୍ବର ହୋଇଯିବ। ମରୁକରଣକୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରା ନଗଲେ ରାଜ୍ୟର ଭୂ-ସମ୍ପଦ ଦ୍ରୁତ ଗତିରେ ଅବକ୍ଷୟ ହେବ। ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା ଭଳି ରାଜ୍ୟରେ ଜଙ୍ଗଲ କ୍ଷୟ, ଭୂମି ଅବକ୍ଷୟ ଓ ଉର୍ବରତା ହ୍ରାସର ମୁଖ୍ୟ କାରଣ ହେଉଛି ଖଣି ଖନନ। ଯେପରିକି ଅତ୍ୟଧିକ ଚାରଣ ଭୂମି, ବୃଷ୍ଟିପାତ ଓ ଜଳସେଚନ ଏବଂ ଶିଳ୍ପ ବର୍ଜ୍ୟ ମଧ୍ୟ ଏହି ରାଜ୍ୟଗୁଡ଼ିକରେ ଭୂମି ଗୁଣମାନ ଅବକ୍ଷୟ ପାଇଁ ଦାୟୀ। ଓଡ଼ିଶାରେ ଫ୍ଲାଏ ଆସ୍, ରେଡ୍ ମଡ୍ ଓ ବିପଦସଙ୍କୁଳ ଶିଳ୍ପ ବର୍ଜ୍ୟବସ୍ତୁ ନିଷ୍କାସନ ଭୂମି ଉର୍ବରତା ହ୍ରାସର ମୁଖ୍ୟ କାରଣ ପାଲଟିଛି। ପ୍ରତିବର୍ଷ ପ୍ରାୟ ୧୩ ନିୟୁତ ଟନ୍ ଫ୍ଲାଏ ଆସ୍ ଏବଂ ୧ରୁ ୩ ନିୟୁତ ଟନ୍ ରେଡ୍ ମଡ୍ ସୃଷ୍ଟି ହୋଇଥାଏ। ଏହାବ୍ୟତୀତ ବିଭିନ୍ନ ଶିଳ୍ପସଂସ୍ଥାରୁ ୮୧ ହଜାର ଟନ୍ ବିପଜ୍ଜନକ ବର୍ଜ୍ୟବସ୍ତୁ ମଧ୍ୟ ବାହାରୁଛି। ଓଡ଼ିଶାର ୩୦ ପ୍ରତିଶତ ଜମିରେ ମରୁଡ଼ି ସ୍ଥିତି ଦେଖାଦେଇଥିବାରୁ ଓଡ଼ିଶାରେ ମରୁଡ଼ିର ମାତ୍ରା ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଏଭଳି ଘଡ଼ିସନ୍ଧି ସମୟରେ ଉର୍ବରତା ହ୍ରାସ ଓଡ଼ିଶାର ଭୂ-ସମ୍ପଦକୁ ଆହୁରି ବିପଦ ମୁହଁକୁ ନେଇଯାଉଛି।
ସୁପ୍ରସିଦ୍ଧ ଜୈବ ଓ ଦେଶୀ ଚାଷୀ ନଟବର ଷଡ଼ଙ୍ଗୀଙ୍କ ମତ ବି ଚିନ୍ତା ବଢ଼ାଏ। ସେ କହନ୍ତି, ‘‘ଏକଦା ନଦୀମାତୃକା ରାଜ୍ୟ ଓଡ଼ିଶାର ମାଟି ଅତ୍ୟନ୍ତ ଉର୍ବର ରହିଥିଲା। ଓଡ଼ିଶାର ତିନି ଚତୁର୍ଥାଂଶ ଦୋରସା ମାଟି ରହିଥିଲା। ନୟାଗଡ଼ ସମେତ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଦେଖା ଯାଉଥିବା ନାଲି ମାଟି ମଧ୍ୟ ଚାଷ ଉପଯୋଗୀ ରହିଥିଲା। ପନିପରିବା ବିଶେଷତଃ ବାଇଗଣ ପାଇଁ ଅତ୍ୟନ୍ତ ପ୍ରସିଦ୍ଧି ଅର୍ଜନ କରିଥିଲା। ସେହିପରି କଳାହାଣ୍ଡିର ‘କଳାମାଟି’ ପିଆଜ ଓ କପା ଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ ରହିଥିଲା। କିନ୍ତୁ ବର୍ତ୍ତମାନ ନୟାଗଡ଼ ହେଉ କିମ୍ବା କଳାହାଣ୍ଡି ମାଟିର ଅବକ୍ଷୟ ଓ ଉର୍ବରତା ହ୍ରାସ କାରଣରୁ ସେହି ପରିଚୟ ହରାଇ ସାରିଲାଣି। ଯଦି ମୋଟ ଉପରେ ଆମେ କହିବା, ତେବେ ଓଡ଼ିଶା ମାଟିର ଉର୍ବରତାକୁ ନେଇ କେହି କେବେ ପ୍ରଶ୍ନ ଉଠାଇ ପାରୁ ନଥିଲା। ୧୮୪୦ ମସିହାରେ ପ୍ରଥମେ ରାସାୟନିକ ସାର ଉତ୍ପାଦନ ଏବଂ ୧୯୬୭ରେ ସବୁଜ ବିପ୍ଳବ ପରବର୍ତ୍ତୀ ସମୟରେ ଓଡ଼ିଶାର ମାଟି ଉପରେ ଧୀରେ ଧୀରେ ଆକ୍ରମଣ ଆରମ୍ଭ ହୋଇଥିଲା। ଧାନହାଣ୍ଡି କୁହାଯାଉଥିବା ଓଡ଼ିଶାର ବରଗଡ଼ ଜିଲ୍ଲାର ମାଟି ବର୍ତ୍ତମାନ ସବୁଠାରୁ ଅଧିକ ବିପଦପ୍ରବଣ। ସେଠାରେ ସର୍ବାଧିକ ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ହୋଇ ଚାଷ ହେଉଛି। ବାୟୁମଣ୍ଡଳରୁ ଅଙ୍ଗାରକ ଶୋଷଣ କରିବାରେ ମାଟିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ମାତ୍ର ରାସାୟନିକ କୃଷି ଏହି ପ୍ରକ୍ରିୟାକୁ ବାଧା ଦେଇଥାଏ। ବାୟୁମଣ୍ଡଳରୁ ବର୍ଷା ହ୍ରାସ କରିଥାଏ।’’ “ଓଡ଼ିଶାରେ ଅନିୟନ୍ତ୍ରିତ ରାସାୟନିକ କୃଷି ବୃଦ୍ଧି ହେଉଥିବାରୁ ମାଟିର ପ୍ରାକୃତିକ ଖାଦ୍ୟ ହ୍ରାସ ପାଉଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୈବିକ କୃଷି ପଦ୍ଧତି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଉଛନ୍ତି। ମାତ୍ର ସାର ଉତ୍ପାଦନରେ ୨୦୨୫ ସୁଦ୍ଧା ଭାରତ ପ୍ରଥମ ଦେଶ ହେବ ବୋଲି ଘୋଷଣା କରିବା ଦ୍ୱାରା ଏହା ଏକ ଦ୍ବନ୍ଦ୍ବ ସୃଷ୍ଟି କରୁଛି। ଗୋଟିଏ ଚାମଚ ମାଟିରେ ନିୟୁତ ନିୟୁତ ଅଣୁଜୀବ ରହିଥାନ୍ତି। ସେହିମାନେ ମାଟିର ଜୀବନୀଶକ୍ତି ଓ ମାଟିକୁ ଉର୍ବର କରନ୍ତି। ମାତ୍ର ରାସାୟନିକ ସାର ଓ କୀଟନାଶକ ପ୍ରୟୋଗ ଦ୍ୱାରା ଏହି ଅଣୁଜୀବମାନେ ଆଜି ମାଟିରୁ ଲୋପ ପାଇଗଲେଣି। ମୁଁ ମାଟି ପରୀକ୍ଷା ପାଇଁ ଯେତେ କହିଲେ ମଧ୍ୟ କୌଣସି ରିପୋର୍ଟ ସାର୍ବଜନୀନ ହେଉନାହିଁ କାହିଁକି ମୁଁ ଜାଣିପାରୁନି,” ବୋଲି ପ୍ରଶ୍ନ କରନ୍ତି ଶ୍ରୀ ଷଡ଼ଙ୍ଗୀ।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ମୃତ୍ତିକା ବିଶେଷଜ୍ଞ ପ୍ରଫେସର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଓଡ଼ିଶାର ଭୂମିର ସ୍ଥିତିକୁ ନେଇ ଭିନ୍ନମତ ଦିଅନ୍ତି। ତାଙ୍କ ମତରେ ଓଡ଼ିଶାର ଭୂମି ବା ମୃତ୍ତିକାରେ ଉର୍ବରତା ଯଥେଷ୍ଟ ରହିଛି। ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ବିପଦ ନାହିଁ। କିନ୍ତୁ ଓଡ଼ିଶାର ମାଟିରେ ବୃଦ୍ଧି ପାଉଥିବା ଅମ୍ଳତ୍ବ ନିଶ୍ଚିତ ଏକ ବଡ଼ ସମସ୍ୟା। ଏହା ମାଟି ପାଇଁ ବିପଦ। ଅମ୍ଳତ୍ବ ହ୍ରାସ କରିବାକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ କାଗଜ କଳରୁ ବାହାରୁଥିବା ପାଉଁଶକୁ ଚାଷୀମାନଙ୍କୁ ଜମିରେ ପକାଇବାକୁ ଦିଆଯାଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହାକୁ ଆରମ୍ଭ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଦୀର୍ଘ ବର୍ଷ ଧରି ଏହା ବନ୍ଦ ହୋଇଯିବାରୁ ଓଡ଼ିଶାର ଚାଷ ଜମିର ମାଟି ବିପଦ ମୁହଁକୁ ଚାଲି ଯାଉଛି। ଏହି ପାଉଁଶ ଯୋଗାଇବା ଆରମ୍ଭ ହେବା ଜରୁରି। ଜୈବିକ ଚାଷକୁ ଆପଣାଇବା ଏବଂ ମାଟିର ସୁରକ୍ଷା କରି ଭବିଷ୍ୟତ ପିଢ଼ି ପାଇଁ ଏହାକୁ ସଂରକ୍ଷଣ କରିବା ଆଜିର ଦିନରେ ସମସ୍ତଙ୍କ ପାଇଁ ଜରୁରି । ଭୁବନେଶ୍ୱର ନିକଟସ୍ଥ ମଳିପଡ଼ା ଗାଁର ବାଇଗଣ ଏକଦା ପ୍ରସିଦ୍ଧ ଥିଲା। ଆଜି କିନ୍ତୁ ମିଳୁନାହିଁ। ଚାଷଜମିର ଗୁଣରେ ବ୍ୟାପକ ହ୍ରାସ ଘଟୁଛି। ଭାରତର ମୋଟ ଜଳସମ୍ପଦର ୧୧ ପ୍ରତିଶତ ଓଡ଼ିଶାରେ ରହିଛି ଏବଂ ଦେଶର ମୋଟ ଜମିର ୪ ଭାଗ ଆମ ରାଜ୍ୟରେ ଅଛି। ତେଣୁ ଆମ ଭୂମିର ସୁରକ୍ଷା ଉପରେ ଆମର ଭବିଷ୍ୟତ ନିର୍ଭର କରୁଛି। ପ୍ରଫେସର ମିଶ୍ରଙ୍କ ମତକୁ ଅନୁଶୀଳନ କଲେ ବୁଝା ପଡୁଛି ଓଡ଼ିଶାରେ ଭୂମିର ଭବିଷ୍ୟତ ବିପଦ ମୁହଁକୁ ଚାଲିଗଲାଣି, ଯାହାର ସୁରକ୍ଷା ଯଥାଶୀଘ୍ର କରିବା ଜରୁରି।
ଅନ୍ୟପକ୍ଷରେ ଜଳ ପରିଚାଳନା ବିଶେଷଜ୍ଞ ତପନ ପାଢ଼ୀ କହନ୍ତି, “ମୃତ୍ତିକା ଓ ଜଳ ସଂରକ୍ଷଣ ମିଳିତ ଭାବେ କରାଯିବା ଉଚିତ। ଆମେ ଗୋଟିଏର ସଂରକ୍ଷଣ କରିବାରେ ଅବହେଳା କରି ଅନ୍ୟଟିକୁ ସୁରକ୍ଷିତ ରଖି ପାରିବା ନାହିଁ। ଓଡ଼ିଶାର ସମସ୍ତ ନଦୀ ଅବବାହିକା ବର୍ତ୍ତମାନ ବିପଦଗ୍ରସ୍ତ। ତେଣୁ ମୃତ୍ତିକା ଅବକ୍ଷୟ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲାଣି। ନଦୀ ଅବବାହିକାରେ ମୃତ୍ତିକା କ୍ଷୟ ନିୟନ୍ତ୍ରଣ ପ୍ରତି ଧ୍ୟାନ ଦିଆ ନଗଲେ ଚାଷଜମିର ଉର୍ବରତା ହ୍ରାସ ଅଧିକ ତୀବ୍ର ହେବ। ଓଡ଼ିଶାର ମୃତ୍ତିକା ସଂରକ୍ଷଣ ବିଭାଗ ବର୍ତ୍ତମାନ ଏକ ପ୍ରକାର ସ୍ଥାଣୁ ପାଲଟିଯାଇଛି। ଅନୁଧ୍ୟାନରୁ ଜଣାପଡ଼ିଛି ଓଡ଼ିଶାରେ ବାର୍ଷିକ ୧,୯୫,୦୦୦ ହେକ୍ଟର ଭୂମି ଅବକ୍ଷୟର ଶିକାର ହେଉଛି।’’
ଭାରତର ମୋଟ ଭୌଗୋଳିକ ଅଞ୍ଚଳ ହେଉଛି ୩୨୮୭.୩ ଲକ୍ଷ ହେକ୍ଟର। ଏଥିମଧ୍ୟରୁ ୧୦୫୧.୯ ଲକ୍ଷ ହେକ୍ଟର କ୍ରମାଗତ ଭାବେ ଅବକ୍ଷୟ ହୋଇଚାଲିଛି। ପ୍ରାୟ ୮୨୧ ଲକ୍ଷ ହେକ୍ଟର ମରୁକରଣର ସମ୍ମୁଖୀନ ହେଉଛି। ଭାରତର ୨୫ ପ୍ରତିଶତ ଅଞ୍ଚଳର ଭୂମି ମରୁକରଣ ହେଉଥିବା ବେଳେ ୩୨ ପ୍ରତିଶତ ଭୂମି ଅବକ୍ଷୟ ହୋଇଚାଲିଛି। ଜଳବାୟୁ ପରିବର୍ତ୍ତନ ଆମ ଗ୍ରହକୁ ଅଧିକ ଶୁଷ୍କତର କରିଦେଉଛି। ଏହା ଭୂମିର ଉର୍ବରତା ଉପରେ ପ୍ରଭାବ ପକାଉଛି। ଭୂମିର ଏହି ସଙ୍କଟଗ୍ରସ୍ତ ସ୍ଥିତି ଆମ ଭବିଷ୍ୟତର ଖାଦ୍ୟ, ସ୍ୱାସ୍ଥ୍ୟ ଓ ଆର୍ଥିକ ନିରାପତ୍ତାକୁ ବିପନ୍ନ କରିଦେବ। ଭୂମିର ଏହି ବିପଦପ୍ରବଣ ସ୍ଥିତି ଆମର ଭୌତିକ ଓ ସାମାଜିକ ଭିତ୍ତିଭୂମିକୁ ଭାଙ୍ଗି ଧ୍ୱସ୍ତ କରିଦେବ। ପୃଥିବୀର ଉପର ସ୍ତରରେ ରହିଥିବା ମାଟି ଏକ ମିଟର ତଳ ପର୍ଯ୍ୟନ୍ତ ରହିଥାଏ। ପ୍ରାକୃତିକ ପ୍ରକ୍ରିୟାରେ ଏହି ଉପର ସ୍ତରର ଏକ ଇଞ୍ଚ ମାଟି ସୃଷ୍ଟି ହେବାକୁ ୧୦୦୦ ବର୍ଷ ଲାଗିଥାଏ। ଭୂମି ହେଉଛି ପୃଥିବୀର ରକ୍ତ। ଆଜି ବି କୃତ୍ରିମ ଉପାୟରେ ମାଟି ସୃଷ୍ଟି କରିବାକୁ ମଣିଷ ସକ୍ଷମ ହୋଇନାହିଁ। ତେଣୁ ଯଥାର୍ଥରେ ଆମ ଭୂମି ହିଁ ଆମ ଭବିଷ୍ୟତ।