ସୂର୍ଯ୍ୟୋପରାଗ ମଣିଷର ଚକ୍ଷୁ ଉପରେ ପ୍ରଭାବ ପକାଇଥାଏ। ଏହି ସମୟରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣୀ ରଶ୍ମି ଆମ ଚକ୍ଷୁ ପାଇଁ ବହୁତ କ୍ଷତିକାରକ ହୋଇଥାଏ। ତେଣୁ ପରାଗ ସମୟରେ ସୂର୍ଯ୍ୟଙ୍କୁ ସିଧା ଚାହିଁବା ଅନୁଚିତ। ଏହି ରଶ୍ମି ଚକ୍ଷୁର ରେଟିନା ଥିବା ମାକ୍ୟୁଲାକୁ ପୋଡ଼ି ଦେଇଥାଏ। ଏହାକୁ ଇଂରାଜୀରେ ଏକଲିପ୍ସ ବର୍ଣ୍ଣ ବୋଲି କୁହାଯାଏ। ଥରେ ଏକଲିପ୍ସ ବର୍ଣ୍ଣ ହୋଇଗଲେ, ମଣିଷର ଦୃଷ୍ଟିଶକ୍ତି ହ୍ରାସ ପାଇଥାଏ ଏବଂ ଏହା ରେଟିନାରେ ଥିବା ଫଟୋରିସେପ୍ଟର୍ଗୁଡ଼ିକୁ କ୍ଷତି ପହଞ୍ଚାଇଥାଏ।
ବର୍ତ୍ତମାନ ସୁଦ୍ଧା ଚିକିତ୍ସା ବିଜ୍ଞାନରେ ଏହାର ଚିକିତ୍ସା ନାହିଁ। ଏଣୁ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ସୂର୍ଯ୍ୟୋପରାଗ ସମୟରେ ସିଧା ସୂର୍ଯ୍ୟଙ୍କୁ ଚାହିଁବେ ନାହିଁ। ଏପରିକି ପରାଗ ସମୟରେ ଘର ଭିତରେ ଯଥାସମ୍ଭବ ରହିବାକୁ ଚେଷ୍ଟା କରିବେ। ଏହି ସମୟରେ ବାହାରକୁ ବାହାରିଲେ, ସୂର୍ଯ୍ୟଙ୍କଠାରୁ ଆସୁଥିବା ଖରାପ ରଶ୍ମିଗୁଡ଼ିକ ଚର୍ମର ମଧ୍ୟ କ୍ଷତି ଘଟାଇଥାଏ। ଚର୍ମକୁ ପୋଡ଼ିଦେଇଥାଏ ଏବଂ ତାହା ପରବର୍ତ୍ତୀ ପର୍ଯ୍ୟାୟରେ ଚର୍ମ କର୍କଟର କାରଣ ପାଲଟେ। ଛୋଟ ପିଲା, କିଶୋର/କିଶୋରୀମାନେ ସୂର୍ଯ୍ୟୋପରାଗକୁ କୌଣସି କୃତ୍ରିମ ଉପାୟରେ ଦେଖିବା ଅନୁଚିତ। ଯଦି କିଶୋର/କିଶୋରୀମାନଙ୍କର ମାକ୍ୟୁଲାର୍ ବର୍ଣ୍ଣ ହୋଇଯାଏ, ସେମାନେ ଅଦ୍ଭୂତପୂର୍ବ ଭାବେ ଦୃଷ୍ଟିଶକ୍ତି ହରାଇଥା’ନ୍ତି। ଏହାଦ୍ବାରା ସେମାନେ କମ୍ପ୍ୟୁଟର୍ଜନିତ କୌଣସି କାର୍ଯ୍ୟ ମଧ୍ୟ କରିପାରନ୍ତି ନାହିଁ। ପରବର୍ତ୍ତୀ ପର୍ଯ୍ୟାୟରେ ଏହା ମୋତିଆ ବିନ୍ଦୁ, ଗ୍ଲୁକୋମା, ସ୍ବଚ୍ଛପଟ୍ଟଳ ଅସ୍ବଚ୍ଛ ହେବା ପ୍ରଭୃତି ଚକ୍ଷୁ ସମସ୍ୟା ଦେଖାଦେଇଥାଏ।
ଏଣୁ ସୂର୍ଯ୍ୟୋପରାଗ ଦେଖିବାକୁ ଇଚ୍ଛୁକ ବ୍ୟକ୍ତିମାନେ ବୈଜ୍ଞାନିକଙ୍କ ପରାମର୍ଶ ନେଇ ଆଲ୍ଟ୍ରାଭାୟୋଲେଟ୍ ରେଡିଏସନ୍ ଫିଲ୍ମ ମାଧ୍ୟମରେ ତାହାକୁ ଦେଖିପାରିବେ। ସୂର୍ଯ୍ୟୋପରାଗ ସମୟରେ କିଛି ଜରୁରି କାମ ଥିଲେ, ସମ୍ପୂର୍ଣ୍ଣ ଅଲ୍ଟ୍ରାସୋନିକ୍ ପ୍ରୋଟେକସନ୍ ଗ୍ଲାସ୍ ପିନ୍ଧିବା ସହ ସମଗ୍ର ଶରୀରକୁ ଆଚ୍ଛାଦିତ କରି ଘରୁ ବାହାରିବା ଉଚିତ।