ମୁଣ୍ଡରେ ସୌର ପଙ୍ଖା

ଭାରତରେ ସର୍ବଦା କିଛି ନା କିଛି ବିଚିତ୍ର କଥା ଦେଖାଯିବାର ନଜିର ରହି ଆସିଛି। ଯୁଗେ ଯୁଗେ ଭାରତୀୟମାନେ ଧାରାବାହିକ ବିଜ୍ଞାନରୁ ବାହାରି ଆସି କିଛି ଅଭିନବ ଉନ୍ନତ ଯନ୍ତ୍ରାଂଶ ବିକଶିତ କରିବାର ରେକର୍ଡ ରଖି ଆସିଛନ୍ତି। ଗଛରୁ ଫଳ ତୋଳିବା ଯନ୍ତ୍ର କି ପାଣି ବହିବା ଯନ୍ତ୍ର ଠାରୁ ଆରମ୍ଭ କରି ବିଭିନ୍ନ ପରିବେଶକୁ ଖାପଖାଇଲା ଭଳି ପୂର୍ଣ୍ଣାଙ୍ଗ ଯାନ ପର୍ଯ୍ୟନ୍ତ ପ୍ରତ୍ୟେକ ନୂତନତାରେ ଭାରତୀୟ ବୈଚିତ୍ର୍ୟ ବାରି ହୋଇପଡ଼େ। ଏହି କ୍ରମରେ ଉତ୍ତରପ୍ରଦେଶର ଜଣେ ଅତିବରିଷ୍ଠ ନାଗରିକ ନିଜ ଶରୀରକୁ ଶୀତଳ ପବନର ସ୍ବାଦ ଚଖାଇବା ପାଇଁ ମୁଣ୍ଡରେ ଏକ ସୌର ପଙ୍ଖା ଧରି ବୁଲିବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାନୁଯାୟୀ, ଲଖିମପୁର ଖେରି ଜିଲ୍ଲାର ୭୭ ବର୍ଷୀୟ ଲଲ୍ଲୁରାମ ଗୀଷ୍ମଦିନେ ରୌଦ୍ରତାପରେ ଥରେ ଅଚେତ ହୋଇପଡ଼ିବା ପରେ ସେ ବିଭିନ୍ନ ଯନ୍ତ୍ରାଂଶ ଯୋଗାଡ଼ କରି ନିଜପାଇଁ ଏପରି ଏକ ଅଭିନବ ପଙ୍ଖା ନିର୍ମାଣ କରିଛନ୍ତି। ଦେହରେ ଶୀତଳ ପବନ ବାଜିଲେ ହିଁ ସେ ସ୍ବାଭାବିକ ରହିପାରିବେ ଭାବି ଫୁଲ ବିକି ଜୀବିକା ନିର୍ବାହ କରୁଥିବା ଲଲ୍ଲୁ ଏହାର ପରିକଳ୍ପନା କରିଥିଲେ। ଏକ ହେଲମେଟ୍‌ ଉପରେ ଛୋଟ ପଙ୍ଖାଟିଏ ଖଞ୍ଜି ସେ ତାହାକୁ ଚଳାଇବା ପାଇଁ ଆବଶ୍ୟକ ଶକ୍ତି ଯୋଗାଣ ଲାଗି ଏକ ସୌର ପ୍ୟାନେଲ୍‌ ମଧ୍ୟ ସେଥିରେ ଯୋଡ଼ିଛନ୍ତି। ତେଣୁ ସେ ଉକ୍ତ ପଙ୍ଖାଖଚିତ ହେଲମେଟକୁ ମୁଣ୍ଡାଇ ଯୁଆଡ଼େ ଯାଆନ୍ତି, ତାଙ୍କୁ ଧୀର ପବନର ସ୍ରୋତ ମିଳିପାରୁଛି। ସବୁଠୁ ବଡ଼ କଥା ହେଲା, ରୌଦ୍ରତାପ ଯେତେ ପ୍ରଖର ହେଉଛି, ଉକ୍ତ ସୌର ପ୍ୟାନେଲରେ ଅଧିକ ଶକ୍ତି ସଂଗୃହୀତ ହେଉଛି ଏବଂ ତଦନୁଯାୟୀ ପଙ୍ଖାଟି ଅଧିକ ବେଗରେ ଘୂରି ତାଙ୍କୁ ଅଧିକ ଶୀତଳ କରିପାରୁଛି ବୋଲି ସେ ଦାବି କରିଛନ୍ତି। ସେହିପରି ଛାତ ତଳ କି ଗଛମୂଳ ପରି ଛାଇ ଜାଗାକୁ ଆସିଲେ ପଙ୍ଖାଟି ଆପେ ବନ୍ଦ ହୋଇଯାଉଛି। ବାସ୍ତବିକ୍‌, ଲଲ୍ଲୁଙ୍କ ଆବିଷ୍କାର ଉଲ୍ଲେଖଯୋଗ୍ୟ।

ସମ୍ବନ୍ଧିତ ଖବର