ଗୋଟିଏ ସ୍ମାର୍ଟଫୋନ୍ ପରଦାରୁ ସିଧାସଳଖ ବିଦ୍ୟୁତ୍ ଉତ୍ପନ୍ନ କରିବାର ଏକ ବୈପ୍ଳବିକ ଜ୍ଞାନକୌଶଳ ବିକଶିତ ହୋଇଛି। ଦକ୍ଷିଣ କୋରିଆର ଉଲ୍ସାନ୍ ନାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି (ୟୁନିଷ୍ଟ୍) ଅଧୀନ ସ୍କୁଲ ଅଫ୍ ଏନର୍ଜି ଆଣ୍ଡ୍ କେମିକାଲ୍ ଇଞ୍ଚିନିଅରିଂର ଦଳେ ଗବେଷକ ଏକ ସ୍ବତନ୍ତ୍ର ଧରଣର ସୌର ସେଲ୍ ବିକଶିତ କରିଛନ୍ତି, ଯାହା ମାଧ୍ୟମରେ କୌଣସି ମୋବାଇଲ୍ ଉପକରଣ, ଗାଡ଼ିମୋଟର କି ଘର ଝରକାର କାଚ ଆଦିରୁ ସିଧାସଳଖ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ ହୋଇପାରୁଛି।
ଉକ୍ତ ସୌର ସେଲ୍ର ବିଶେଷତ୍ବ ହେଉଛି ତାହା କାଚ ପରି ରଙ୍ଗହୀନ। ତାହାର ଉଚ୍ଚମାନର ଦକ୍ଷତା ଯଥେଷ୍ଟ ଉପାଦେୟ ସାବ୍ୟସ୍ତ ହୋଇଛି। ଉକ୍ତ ସୌର ସେଲ୍ରେ ‘ଅଲ୍-ବ୍ୟାକ୍-କଣ୍ଟାକ୍ଟ’ ନାମକ ଏକ ସ୍ବତନ୍ତ୍ର ଢାଞ୍ଚାର ଉପଯୋଗ କରାଯାଇଛି, ଯହିଁରେ ସେଲ୍ର ଅନ୍ୟାନ୍ୟ ଉପକରଣଗୁଡ଼ିକ ପ୍ରଚ୍ଛଦରେ ରହି ଉତ୍ତମ କାର୍ଯ୍ୟଦକ୍ଷତା ଦେଖାଉଛି। ଏଥିପାଇଁ ଗବେଷକମାନେ ‘ସିମ୍ଲେସ୍ ମଡୁଲାରାଇଜେସନ୍’ ନାମକ ଏକ ଜ୍ଞାନକୌଶଳ ବିକଶିତ କରିଛନ୍ତି। ଏହା ଦ୍ବାରା ଉକ୍ତ ସୌର ସେଲ୍ରେ କୌଣସି ଅସ୍ବଚ୍ଛ ଧାତବର ବ୍ୟବହାର ବିନା ସମସ୍ତ ପ୍ରକାର ବୈଦ୍ୟୁତିକ ସଂଯୋଗୀକରଣ କରାଯାଇପାରୁଛି। ନୂତନ ଉଦ୍ଭାବିତ ଉକ୍ତ ୧୬ ବର୍ଗ ସେ.ମି. ପରିମିତ ସ୍ବଚ୍ଛ ସୌର ସେଲ୍ ମଡ୍ୟୁଲ୍ର କାର୍ଯ୍ୟଦକ୍ଷତା ୧୪.୭ ପ୍ରତିଶତରୁ ୨୦ ପ୍ରତିଶତ ଭଳି ଉଚ୍ଚ ରହିଥିବା ଦାବି କରାଯାଇଛି।
ଫଳସ୍ବରୂପ ଅତିରିକ୍ତ ସରଞ୍ଜାମ ବିନା ସୂର୍ଯ୍ୟକିରଣ ସାହାଯ୍ୟରେ ସିଧାସଳଖ ସ୍ମାର୍ଟଫୋନ୍ ଚାର୍ଜ ହୋଇପାରିବ। ଯେକୌଣସି କ୍ଷୁଦ୍ର ଭ୍ରାମ୍ୟମାଣ ଉପକରଣର ପରଦାକୁ ମଧ୍ୟ ବିଦ୍ୟୁତ୍ ଶକ୍ତିର ଉତ୍ସରେ ପରିଣତ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। ଏହି ସ୍ବଚ୍ଛ ସିଲିକନ୍ ସୌର ସେଲ୍କୁ ବିଭିନ୍ନ କଳକାରଖାନା ସମେତ ବିଭିନ୍ନ କୋଠାବାଡ଼ି ବା ଗାଡ଼ିମୋଟର କାଚରେ ମଧ୍ୟ ବ୍ୟବହାର କରାଯାଇପାରିବ। ତେବେ ଭବିଷ୍ୟତର ପରିବେଶ-ଅନୁକୂଳ ଶକ୍ତି ଶିଳ୍ପରେ ଉକ୍ତ ସ୍ବଚ୍ଛ ସୌର ସେଲ୍ର ବ୍ୟାବସାୟିକ ଉପାଦେୟତା ପାଇଁ ଅଧିକ ଗବେଷଣା ଜାରି ରହିଛି।