ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଜୀବଜଗତ ସୃଷ୍ଟି ମୂଳରେ ସୂର୍ଯ୍ୟ। ଏହା ଦିନେ ଆମର ଧ୍ବଂସର କାରଣ ମଧ୍ୟ ହେବ। ସୂର୍ଯ୍ୟଠାରୁ ଆସୁଥିବା ଅତିବାଇଗଣୀ ରଶ୍ମିର କୁପ୍ରଭାବ ଓ ସୌରଝଡ଼ ପରି ବିଦ୍ୟୁତ୍‌ ଚୁମ୍ବକୀୟ ପ୍ରକ୍ରିୟା ଭୂପୃଷ୍ଠରେ ନାନାଦି କ୍ଷତି ସାଧନ କରିବାର ବିପଦ ସର୍ବଦା ରହିଛି। ଆମ ବାୟୁମଣ୍ଡଳର ଓଜୋନ୍‌ ସ୍ତର ସୂର୍ଯ୍ୟର ଅତିବାଇଗଣୀ ରଶ୍ମିକୁ ପ୍ରତିରୋଧ କରିବାରେ ଏକ ପ୍ରାକୃତିକ ଢାଲ ରୂପେ କାମ କରୁଛି। ବୈଜ୍ଞାନିକମାନେ ଏକ କୃତ୍ରିମ ଢାଲ ନିର୍ମାଣ କରିବା ବିଷୟରେ ଚିନ୍ତା କରୁଛନ୍ତି। ପୃଥିବୀ ନିକଟବର୍ତ୍ତୀ କୌଣସି କ୍ଷୁଦ୍ରଗ୍ରହ (ଆଷ୍ଟେରଏଡ୍‌) ସହିତ ଏକ କୃତ୍ରିମ ଢାଲକୁ ସଂଲଗ୍ନ କରି ଭୂପୃଷ୍ଠକୁ ମାତ୍ରାଧିକ ସୌରତାପରୁ ରକ୍ଷା କରାଯାଇପାରିବ। ଏହାଦ୍ବାରା ସମ୍ପ୍ରତି ଚିନ୍ତାର ବିଷୟ ପାଲଟିଥିବା ବୈଶ୍ବିକ ଉତ୍ତପ୍ତୀକରଣକୁ ନିୟନ୍ତ୍ରଣ କରି ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ଧିମାଯାଇପାରିବ ବୋଲି ହାଵାଇ ବିଶ୍ବବିଦ୍ୟାଳୟ ଅଧୀନ ଜ୍ୟୋତିର୍ବିଜ୍ଞାନ ପ୍ରତିଷ୍ଠାନର ଗବେଷକ ଇଷ୍ଟ୍ବାନ ଜାପୁଡି ଆଶା ବ୍ୟକ୍ତ କରିଛନ୍ତି।

Advertisment

ଏପରି ଏକ କୃତ୍ରିମ ଢାଲର ବ୍ୟବସ୍ଥା ପାଇଁ ସବୁଠୁ ବଡ଼ ପ୍ରତିବନ୍ଧ ହେଲା ଉକ୍ତ ଢାଲର ଓଜନ। କାରଣ ଗୋଟିଏ ପଟେ ଢାଲଟି ମହାଶୂନ୍ୟରେ ମାଧ୍ୟାକର୍ଷଣ ବଳକୁ ପ୍ରତିରୋଧ କରି ତିଷ୍ଠି ରହିବା ଦରକାର ଓ ଅନ୍ୟ ପଟେ ତାହା ସୌରଝଡ଼ ଓ ଚାପ ସହନଶୀଳ ହେବା ଜରୁରୀ। ତେଣୁ ତାହାର ସମାଧାନ ସ୍ବରୂପ ଜ୍ୟୋତିର୍ବିଜ୍ଞାନୀ ଇଷ୍ଟ୍ବାନ ଏକ ପ୍ରସ୍ତାବ ରଖିଛନ୍ତି। ସେଥିପାଇଁ ସ୍ବତନ୍ତ୍ର ଢାଲ ବ୍ୟବହାର କରିବା ପରିବର୍ତ୍ତେ ଏକ କମ୍ ଓଜନର ଢାଲକୁ କ୍ଷୁଦ୍ରଗ୍ରହ ସହ ବନ୍ଧାଯାଇପାରିବ। ଏହି ପ୍ରସ୍ତାବିତ ଢାଲ ସୌର ବିକିରଣକୁ ୧.୭ ପ୍ରତିଶତ କମାଇପାରିବ ଯାହା ବିଶ୍ବ ତାପମାତ୍ରାର ଅହେତୁକ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ରୋକିବ। ଏହି ଢାଲର ମୋଟ ଓଜନ ସାଢ଼େ ୩ ନିୟୁତ ଟନ୍‌ ହେବ, ଯାହା ପୂର୍ବରୁ ପ୍ରସ୍ତାବିତ ଢାଲ ଓଜନର ଶହେ ଭାଗରୁ ଭାଗେ ବୋଲି ଇଷ୍ଟ୍ବାନ ଦାବି କରିଛନ୍ତି। ଭୂପୃଷ୍ଠରୁ ମାତ୍ର ୩୫,୦୦୦ ଟନ୍‌ ଓଜନର ସରଞ୍ଜାମ ମହାକାଶକୁ ପଠାଇ ବାକି ସବୁ ସାମଗ୍ରୀ ଗ୍ରହାଣୁ ଧୂଳିରେ ନିର୍ମାଣ କରିହେବ ବୋଲି ସେ କହିଛନ୍ତି।