ପଞ୍ଜାବର ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିର, ଯେଉଁଠାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ହୁଏ ରୋଷେଇ! ଜାଣନ୍ତୁ ଦିନକୁ ଆବଶ୍ୟକ ହୁଏ କେତେ ପରିମାଣର ରୋଷେଇ ସାମଗ୍ରୀ

ଭାରତର ବିଭିନ୍ନ ଦର୍ଶନୀୟ ସ୍ଥାନ ମଧ୍ୟରୁ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ଅନ୍ୟତମ। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଏଠାକୁ ଆସିଥାନ୍ତି । ସ୍ୱର୍ଣ୍ଣ ମନ୍ଦିରରେ ଲାଗୁଥିବା ଲଙ୍ଗରକୁ ନେଇ ଅନେକ ରୋଚକ ତଥ୍ୟ ରହିଛି। ପ୍ରତିଦିନ ସ୍ୱର୍ଣ୍ଣ ମନ୍ଦିରରେ ଲାଗୁଥିବା ଲଙ୍ଗର ପାଇଁ ୫୦ କ୍ୱିଣ୍ଟାଲ ଗହମ, ୧୮ କ୍ୱିଣ୍ଟାଲ ଡ଼ାଲି, ୧୪ କ୍ୱିଣ୍ଟାଲ ଚାଉଳ, ୭ କ୍ୱିଣ୍ଟାଲ କ୍ଷୀରର ଆବଶ୍ୟକତା ପଡ଼ିଥାଏ। ଆଉ ଏଥିରୁ ଅନୁମାନ କରୁଥିବେ ପ୍ରତ୍ୟେକ ଦିନ କେତେ ଲୋକଙ୍କ ପାଇଁ ଏଠାରେ ରୋଷେଇ ହୋଇଥାଏ। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ କେବେ ଭୋକରେ ଫେରନ୍ତି ନାହିଁ।

ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଦିନ ମନ୍ଦିରରେ ଲାଗୁଥିବା ଲଙ୍ଗରରେ ପ୍ରାୟ ୨ଲକ୍ଷ ଲୋକ ଖାଇଥାନ୍ତି। ଅର୍ଥାତ ଏଠାରେ ପ୍ରତିଦିନ ୨ରୁ ୩ ଲକ୍ଷ ଲୋକଙ୍କ ପାଇଁ ରୋଷେଇ ହୋଇଥାଏ। ତେବେ ଏଠାରେ ଦିନକୁ ୧୦ ଲକ୍ଷ ଲୋକ ପ୍ରସାଦ ଖାଇବାର ବ୍ୟବସ୍ଥା କରାଯାଇଛି। ସବୁଠୁ ବଡ଼ କଥା ହେଲା, ଲଙ୍ଗରରେ ମିଳୁଥିବା ପ୍ରସାଦ ପାଇଁ ହେଉଥିବା ଖର୍ଚ୍ଚ ଭକ୍ତମାନେ ସ୍ୱଇଚ୍ଛାରେ ଦେଇଥାନ୍ତି। ଏଠାରେ ଖାଦ୍ୟ ପ୍ରସ୍ତୁତ ଠାରୁ ଆରମ୍ଭ କରି ଲୋକଙ୍କୁ ପରଷିବା ପର୍ଯ୍ୟନ୍ତ ସମସ୍ତ କାମ ଶ୍ରଦ୍ଧାଳୁମାନେ ସ୍ୱଇଚ୍ଛାରେ କରିଥାନ୍ତି। ୮ ବର୍ଷରୁ ଆରମ୍ଭ କରି ୮୦ ବର୍ଷର ଶ୍ରଦ୍ଧାଳୁ ସମସ୍ତଙ୍କୁ ସେବା କରିବାର ଅଧିକାର ରହିଛି।

ଏଠାରେ ପ୍ରତିଦିନ ୧୦୦ କ୍ୱିଣ୍ଟାଲ ଚାଉଳ ରୋଷେଇ କରାଯାଇଥାଏ। ପ୍ରତି କ୍ୱିଣ୍ଟାଲ ଚାଉଳ ପିଛା ୩୦ କିଲୋଗ୍ରାମରୁ ଅଧିକ ଡାଲି ଓ ପନିପରିବା ରୋଷେଇ କରାଯାଇଥାଏ। ଏହାଛଡ଼ା ଚପାତୀ ପ୍ରସ୍ତୁତ କରିବାକୁ ଆଠଟି ମେସିନ ରହିଛି। ଯେଉଁଥିରେ ହଜାର ହଜାର ଚପାତି ପ୍ରସ୍ତୁତ କରାଯାଇଥାଏ। କେବଳ ମେସିନରେ ନୁହେଁ ମହିଳା ଓ ପୁରୁଷ ସ୍ୱୟଂ ସେବକ ମଧ୍ୟ ନିଜ ହାତରେ ଚପାତି ପ୍ରସ୍ତୁତ କରିଥାନ୍ତି। ଏପରିକି ପ୍ରସାଦରେ ୨୫୦ କିଲୋଗ୍ରାମ ଦେଶୀ ଘିଅ ମଧ୍ୟ ବ୍ୟବହାର କରାଯାଇଥାଏ। ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବାକୁ ପ୍ରତି ଦିନ ୫ ହଜାର କିଲୋଗ୍ରାମ କାଠ ଜାଳେଣୀ ଓ ଶହେରୁ ଅଧିକ ଏଲପିଜି ଗ୍ୟାସ ସିଲିଣ୍ଡରର ଆବଶ୍ୟକତା ପଡ଼ିଥାଏ।

ରୁଟି ପ୍ରସ୍ତୁତ କରିବା ପାଇଁ ଏଠାରେ ପ୍ରତିଦିନ ୫୦ କ୍ୱିଣ୍ଟାଲ ଅଟା ଆବଶ୍ୟକତା ପଡ଼ିଥାଏ। ପ୍ରତିଦିନ ଏଠାରେ ଆନୁମାନିକ ୨ରୁ ୩ଲକ୍ଷ ରୁଟି ପ୍ରସ୍ତୁତ କରାଯାଇଥାଏ। ଏଥିପାଇଁ ଏଠାରେ ୧୧ଟି ବିଶାଳକାୟ ତାୱା ଲଗାଯାଇଛି। ଏହାଛଡ଼ା ବିଭିନ୍ନ ଉତ୍ସବ ସମୟରେ ରୁଟି ପ୍ରସ୍ତୁତ ହେଉଥିବା ମେସିନରେ ରୁଟି ତିଆରି କରାଯାଇଥାଏ। ଆଉ ଏହି ମେସିନ ଗୁଡ଼ିକୁ ଲେବାନନର ଜଣେ ଭକ୍ତ ଗୁରୁଦ୍ୱାରକୁ ଦାନ ସୁତ୍ରରେ ଦେଇଥିଲେ। ଏହି ମେସିନରେ ଏକ ଘଣ୍ଟାରେ ୨୫ହଜାର ରୁଟି ପ୍ରସ୍ତୁତ କରାଯାଇପାରିବ। ଏହାବ୍ୟତୀତ ଶ୍ରଦ୍ଧାଳୁଙ୍କ ଖାଇବା ପାଇଁ ଲକ୍ଷେରୁ ଅଧିକ ଥାଳି , ଗିଲାସ ଓ ଚାମଚ ରହିଛି। ଯାହାକୁ ବ୍ୟବହାର କରିବା ପରେ ଶ୍ରଦ୍ଧାଳୁ ମାନେ ନିଜ ଇଚ୍ଛାରେ ଏହାକୁ ଧୋଇ ମଧ୍ୟ ପାରିବେ।

ସ୍ୱର୍ଣ୍ଣ ମନ୍ଦିରର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏଠାରେ ପ୍ରତି ଘଣ୍ଟାରେ ୩୦ ହଜାର କପ ଚାହା ପ୍ରସ୍ତୁତ କରାଯାଇଥାଏ। ଏତେ ମାତ୍ରାରେ ଚାହା ପ୍ରସ୍ତୁତ କରିବା ପାଇଁ ୬ ଜଣିଆ ଟିମ୍‌ ମଧ୍ୟ ରହିଛି। ଚାହା ପାଇଁ ୩୦ କିଲୋଗ୍ରାମ ଦୁଗ୍ଧ ପାଉଡ଼ରକୁ ୩୦୦ ଲିଟର ପାଣିରେ ମିଶା ଯାଇଥାଏ। ଯେତେବେଳେ ଏହା ଫୁଟିବା ଆରମ୍ଭ କରିଥାଏ ସେଥିରେ ୫୦ କିଲୋ ଚିନି ପକା ଯାଇଥାଏ। ସ୍ୱୟଂସେବକମାନେ କାମ କରିବା ପରେ ଏମାନଙ୍କୁ ଚାହା ଦିଆଯାଇଥାଏ। ଏଠାରେ ଚାହା ଗିଲାସ ବଦଳରେ କଂସା କିମ୍ବା ପାତ୍ରରେ ଦିଆଯାଇଥାଏ।

ସମ୍ବନ୍ଧିତ ଖବର